Unknown

 

 

 

 

 

 

 

 

ଏକ ବିଶ୍ୱ ଓ ଭାରତ

ଆର୍‌ନୋଲ୍‌ଡ ଟୟେନ୍‍ବୀ

 

ଅନୁବାଦକ

ଡକ୍ଟର ରାଧାନାଥ ରଥ

 

ସୂଚୀପତ୍ର

 

୧.

ବିଶ୍ୱ ଏକତା’ର ଆବଶ୍ୟକତା

୨.

ବିଶ୍ୱ ଏକତା ଅଭିମୁଖରେ ଅଗ୍ରଗତି

୩.

ବିଶ୍ୱ-ଐକ୍ୟ ସାଧନରେ ଭାରତର ଅବଦାନ

Image

 

ସୂଚନା

 

ଆଜାଦ-ସ୍ମୃତି-ବକ୍ତୃତାମାଳାର ଦ୍ୱିତୀୟ ବକ୍ତୃତା ଦେବାଲାଗି ପ୍ରଫେସର୍‌ ଆର୍‌ନୋଲ୍‌ଡ଼ ଟୟେନ୍‌ବୀଙ୍କୁ ଆମନ୍ତ୍ରଣ କରିବା ସାଙ୍ଗେ, ସାଙ୍ଗେ, ଆଜି ମୁଁ ଭାରତୀୟ ଜାତୀୟ ଜୀବନରେ ମୌଲନା ଆବୁଲ କାଲାମ ଆଜାଦଙ୍କର ବହୁ ଅବଦାନ ଭିତରୁ ଅଳ୍ପ କେତେକ ଅବଦାନ ବିଷୟରେ ଏଇ ଶ୍ରୋତୃବୃନ୍ଦଙ୍କୁ କହିବି । ମୁଁ ଗଲାବର୍ଷ କହିଥିଲି ଯେ ସେ ବାସ୍ତବିକ୍‌ ଜଣେ ପଣ୍ଡିତ ଥିଲେ ଓ ଅବସ୍ଥାଚକ୍ରରେ ପଡ଼ି ରାଜନୀତି କ୍ଷେତ୍ରକୁ ଟାଣିହୋଇ ଆସିଥିଲେ । ସତ୍ୟନିଷ୍ଠା ଓ ପାର୍ଥିବ ସାଫଲ୍ୟପ୍ରତି ଅନାସକ୍ତି, ଏହି ଦିଓଟି ହେଲା ପ୍ରକୃତ ପଣ୍ଡିତଙ୍କର ଚାରିତ୍ରିକ ବୈଶିଷ୍ଟ୍ୟ । ନିଜ ସୁଦୀର୍ଘ ରାଜନୈତିକ ଜୀବନକାଳ ମଧ୍ୟରେ ମୌଲନା ଆଜାଦ ନିଜଠାରେ ଓ ନିଜ ସହକର୍ମୀମାନଙ୍କଠାରୁ ହିଁ ଦିଓଟିଯାକ ଗୁଣର ବିକାଶ ସାଧନ ଲାଗି ଚେଷ୍ଟା କରିଥିଲେ ।

 

ମୌଲାନା ଆଜାଦ ବିଶ୍ୱାସ କରୁଥିଲେ ଯେ ଜ୍ଞାନାନୁଶୀଳନ ଲାଗି ଯେପରି, ମନୁଷ୍ୟ-ଶାସନ ଲାଗି ମଧ୍ୟ ସେପରି ସତ୍ୟାନୁବର୍ତ୍ତିତା ଓ ନ୍ୟାୟଶୀଳତା ଆବଶ୍ୟକ । ତେଣୁ ସେ ତାଙ୍କ ମହାନ୍‌ ଜୀବନର ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ କାର୍ଯ୍ୟରେ ଓ ଚିନ୍ତାରେ ଅନମନୀୟ ଭାବରେ ସତ୍ୟତା’ର ଦୃଢ଼ ଦାବି କରିଥିଲେ । ଯଦି ସମାଜି ନ୍ୟାୟ ଓ ପକ୍ଷପାତହୀନତା ଉପରେ ପ୍ରତିଷ୍ଠିତ ହୁଏ, ତେବେ ଯାଇ ତିଷ୍ଠିପାରିବ । ଯେତେବେଳେ ମନୁଷ୍ୟମାନେ ଏହି ଆଦର୍ଶକୁ ମାନି ଚାଲିବେ ସେତେବେଳେ ସେମାନେ ପରସ୍ପର ପାଖରୁ କ’ଣ ଆଶା କରନ୍ତି ସେ କଥା ଜାଣିପାରିବେ ଏବଂ ପରସ୍ପରର ସମଷ୍ଟିଗତ ଉନ୍ନତିଲାଗି ମିଳିତଭାବରେ କାର୍ଯ୍ୟ କରିପାରିବେ । ଯେତେବେଳେ କୌଣସି ବ୍ୟକ୍ତି ନିଜଲାଗି ବିଶେଷ ଦାବି ଜଣାଏ, ସେତେବେଳେ ସେ ସାମାଜିକ ଜୀବନର ସ୍ନାୟୁତନ୍ତୁ ଉପରେ ଚାପ ପକାଏ । ଯେତେବେଳେ ବହୁ ବ୍ୟକ୍ତି ଏହିଭଳି କାମ କରିବାକୁ ଆରମ୍ଭ କରନ୍ତି, ସେତେବେଳେ ସାମାଜିକ ସଂହତିର ଭିତ୍ତି ନଷ୍ଟ ହୋଇଯାଏ । ଅତୀତରେ ଭାରତ ଦୁର୍ଦ୍ଦଶାଗ୍ରସ୍ତ ହେବାର କାରଣ ହେଲା ଯେ ବହୁ ବ୍ୟକ୍ତି ନିଜଲାଗି ଅଧିକାଂଶ ସମୟରେ ସୁବିଧା ଲାଭ କରିବାକୁ ଅବ୍ୟାହତି ଲୋଡ଼ୁଥିଲେ । ମୌଲାନା ଆଜାଦ ବାରମ୍ୱାର ଘୋଷଣା କରିଥିଲେ ଯେ ନ୍ୟାୟପଥରୁ ଯେକୌଣସି ପ୍ରକାର ବିଚ୍ୟୁତି ଜାତିର ଭବିଷ୍ୟତକୁ ବିପଦଗ୍ରସ୍ତ କରିବ ।

 

ତେଣୁ ମୌଲନା ଆଜାଦ ସାମାଜିକ ଓ ବ୍ୟକ୍ତିଗତ ଜୀବନରେ ସର୍ବୋଚ୍ଚ ଆଦର୍ଶର ସମର୍ଥକ ଥିଲେ । ଅବଶ୍ୟ ଏଥିଯୋଗୁଁ ଭ୍ରମାକ୍ରାନ୍ତ ମନୁଷ୍ୟ ପ୍ରତି ତାଙ୍କର ସହାନୁଭୂତି ବା ଅନୁକମ୍ପାର ଅଭାବ ନଥିଲା ମାନବ-ସଂକ୍ରାନ୍ତ ଘଟଣାବଳୀର ଛାତ୍ର ହିସାବରେ ସେ ଜାଣିଥିଲେ ଯେ ଆମେ ସମସ୍ତେ କେତେବେଳେ ହେଲେ ଭ୍ରମ ଓ ପ୍ରମାଦର ବଶବର୍ତ୍ତୀ ହୋଇପାରୁ । ତେଣୁ ମଣିଷର ବିଚ୍ୟୁତିକୁ ଅତି କଠୋର ଭାବରେ ନିନ୍ଦା କରିବା ଆମପକ୍ଷରେ ଉଚିତ ହେବନାହିଁ । ତେଣୁ ସେ ସବୁବେଳେ ଅନ୍ୟ କାହାକୁ ଅନୁପଯୁକ୍ତ ଭାଷାରେ ନିନ୍ଦା କରିବାକୁ କୁଣ୍ଠିତ ହେଉଥିଲେ । ଅବଶ୍ୟ ବ୍ୟକ୍ତିପ୍ରତି ତାଙ୍କର ଏହି ଅନୁକମ୍ପା ସାମାଜିକ କାର୍ଯ୍ୟକଳାପ କ୍ଷେତ୍ରରେ କଠୋର ନିୟମ ମାନି ଚଳିବାରେ ବାଧା ସୃଷ୍ଟି କରିନଥିଲା । ଅଧଃପତିତ ବ୍ୟକ୍ତିଲାଗି ତାଙ୍କର ସହାନୁଭୂତି ଥିଲା; ମାତ୍ର ସେ ଚାହୁଁଥିଲେ ଯେ ପ୍ରତ୍ୟେକଟି ତ୍ରୁଟି ଓ ବିଚ୍ୟୁତିକୁ ତା’ର ଦୋଷ ଓ ଗୁଣ ଅନୁସାରେ ବିଚାର କରି ତା’ର ନ୍ୟାୟ ବିଚାର ଯେପରି କରାଯାଏ । ତାଙ୍କର ବ୍ୟକ୍ତିଗତ ଅନୁକମ୍ପାବୋଧ କେବେହେଁ କୌଣସି ମଣିଷ ବା କୌଣସି ଘଟଣା ବିଷୟରେ ତାଙ୍କର ସାମାଜିକ ବିଚାରବୁଦ୍ଧିକୁ ଆଚ୍ଛନ୍ନ କରୁନଥିଲା ।

 

ବିଶ୍ୱବ୍ୟାପୀ ସମସ୍ତ ବିଷୟରେ ମୌଲାନା ଆଜାଦଙ୍କର ଜ୍ଞାନାନୁସନ୍ଧିତ୍ସା ଥିଲା । ସେ ଏକାଧରାରେ ଐତିହାସିକ, ଦାର୍ଶନିକ, ସାହିତ୍ୟିକ ଓ ଧର୍ମଶାସ୍ତ୍ରବିତ୍‌ ଥିଲେ । ତାଙ୍କର ସମଗ୍ର ଅଧିତ ବିଷୟରେ ଏକ ବୈଜ୍ଞାନିକ ଭାବଧାରାର ସଂଯତ ପ୍ରଭାବ ପଡ଼ିଥିଲା । ତେଣୁ ସେ କେବେହେଁ ପୂର୍ବପ୍ରମାଣ ବା ପ୍ରଚଳିତ ପରମ୍ପରାଦ୍ୱାରା ଅଭିଭୂତ ହେଉନଥିଲେ । ତାଙ୍କର ଜନ୍ମଗତ ବୁଦ୍ଧିମତ୍ତା ଯୋଗୁ ସବୁ ବିଷୟକୁ ସେ ବିଚାରଦ୍ୱାରା ପରୀକ୍ଷା କରିନେବକୁ ଚାହୁଁଥିଲେ । ସେ ଜାଣିଥିଲେ ଯେ ମନୁଷ୍ୟର ଜ୍ଞାନ ବସ୍ତୁତଃ ଏକ ଏବଂ ସେହି ଶାଶ୍ୱତ ଜ୍ଞାନର ବିଭିନ୍ନ ଦିଗକୁ ସ୍ୱତନ୍ତ୍ର ଭାବରେ ଜାଣିବାର ଯେଉଁ ପ୍ରଚେଷ୍ଟା ମାନବ ମନରେ ରହିଛି, ବିଭିନ୍ନ ବିଜ୍ଞାନ ସେ ପ୍ରଚେଷ୍ଟାର ନାମାନ୍ତର ନାମାନ୍ତର ମାତ୍ର । ଜ୍ଞାନ କେବେହେଁ ଗୋଟିଏ ବିଶେଷ ଯୁଗ, ଅଞ୍ଚଳ ବା ଜାତିଗତ ଭିତ୍ତିରେ ବିଭକ୍ତ ହୋଇପାରିବ ନାହିଁ ବୋଲି ତାଙ୍କର ଯେଉଁ ବିଶ୍ୱାସ ଥିଲା, ସେଥିରେ ସେହି ସାର୍ବଭୌମ ଉଦାରତାବୋଧ ସୁସ୍ପଷ୍ଟ । ସବୁ ଯୁଗ, ସବୁ ଜାତିର ଅବଦାନ ମିଶି ମାନବିଜ୍ଞାନର ଏହି ମହାନ୍‌ପ୍ରାସାଦ ଗଠିତ ହୋଇଅଛି ଏବଂ ଯୁଗ ଯୁଗ ଧରି ମଧ୍ୟ ସୃଷ୍ଟି ହୋଇ ଚାଲିଥିବ । ମୌଲାନା ଆଜାଦଙ୍କର ଏହି ସାର୍ବଜନୀନ ଉଦାରତାବୋଧ ତାଙ୍କୁ ମୁଖ୍ୟତଃ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନର ଇତିହାସ ରଚନାରେ ଅନୁପ୍ରାଣିତ କରିଥିଲା । ଅପର ଏକ ଦୃଷ୍ଟାନ୍ତ ହେଲା-Indian Council of Cultural Relations ନାମକ ସଂସଦର ସ୍ଥାପନ । ଏହି ଅନୁଷ୍ଠାନର ଉଦ୍ଦେଶ୍ୟ ହେଲା ପୃଥିବୀର ସବୁ ଦେଶ ସାଙ୍ଗରେ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ସ୍ଥାପନ, ଏହାର ପ୍ରସାର ଓ ଦୃଢୀକରଣ । ତେଣୁ ଏହି ସଂସଦର ଯଥାର୍ଥ ଓ ଯୋଗ୍ୟ କାର୍ଯ୍ୟ ହିସାବରେ-ନିଜ ପ୍ରତିଷ୍ଠାତାଙ୍କ ସ୍ମୃତିରକ୍ଷା ଲାଗି ଓ ତାଙ୍କୁ ଶ୍ରଦ୍ଧା ନିବେଦନ କରିବା ଉଦ୍ଦେଶ୍ୟରେ ଏହି ବକ୍ତୃତାମାଳାର ପ୍ରବର୍ତ୍ତନ କରାହୋଇଛି । ଏହି ବକ୍ତୃତାଗୁଡ଼ିକ ଜନକଲ୍ୟାଣ ଓ ଉନ୍ନତିର ବିଭିନ୍ନ ଦିଗକୁ ନେଇ ଅନୁଷ୍ଠିତ ଏବଂ ଏହି ବିଷୟରେ ବକ୍ତୃତା ଦେବାଲାଗି ପ୍ରତିବର୍ଷ ଏହି ଆଦର୍ଶରେ ଆପଣାକୁ ସମର୍ପଣ କରିଥିବା କୌଣସି ପଣ୍ଡିତ ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରାଯାଏ ।

 

ଜହରଲାଲ ନେହରୁ ଆଜାଦ-ସ୍ମୃତି-ବକ୍ତୃତାମାଳାର ଉଦ୍‌ବୋଧନୀ ଭାଷଣ ଦେଇଥିବାରୁ ଆମେ ବିଶେଷଭାବରେ ଭାଗ୍ୟବାନ । କାରଣ ମୌଲାନା ଆଜାଦଙ୍କ ହୃଦୟର ଏତେ ନିକଟରେ ବୋଧହୁଏ ଜହରଲାଲଙ୍କ ପରି ଆଉ କେହି ନଥିଲେ । ତାଙ୍କ ଛଡ଼ା ବୋଧହୁଏ ଆଉ କାହାରି ମୌଲାନା ଆଜାଦଙ୍କର ଆଶା, ଆଶଙ୍କା ଓ ଆକାଙ୍‌କ୍ଷା ପ୍ରତି ଏତେ ଗଭୀର ସହାନୁଭୂତି ନଥିଲା । ପଣ୍ଡିତ ନେହରୁ ତାଙ୍କ ବକ୍ତୃତାରୁ ବିଷୟବସ୍ତୁ ହିସାବରେ ଆଜିକାର ଓ ଆଗାମୀ ଦିନର ଭାରତର କାହାଣୀ ନିର୍ବାଚନ କରିଥିଲେ ଏବଂ ଏହି ପ୍ରସଙ୍ଗରେ ସେ ତାଙ୍କର ନିଜ ମନୋଭାବ ବିଷୟରେ ଆମକୁ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲେ ଏବଂ ଆମ ସମ୍ମୁଖରେ ଭାରତର ଆଦର୍ଶ-ରୂପକୁ ଉପସ୍ଥାପିତ କରିଥିଲେ-ଯେଉଁ ରୂପର କଳ୍ପନା ମୌଲାନା ଆଜାଦ ମଧ୍ୟ କରିଥିଲେ ।

 

ଆଜି ଆମେ ପ୍ରଫେସର୍‌ ଆରନୋଲ୍‌ଡ଼ ଟୟେନ୍‌ବୀଙ୍କଠାରେ ପାଶ୍ଚାତ୍ୟ ଜଗତର ଏକ ବିଖ୍ୟାତ ମନୀଷୀଙ୍କର ସାକ୍ଷାତ୍‌ଲାଭ କରିଛୁ । ସେ ଏହି ଆଜାଦ ସ୍ମୃତି-ବକ୍ତୃତାମାଳାର ଦ୍ୱିତୀୟ ବକ୍ତା-। ପ୍ରଫେସର୍‌ ଟୟେନ୍‌ବୀଙ୍କର ଐତିହାସିକ ହିସାବରେ ଖ୍ୟାତି ସର୍ବଜନବିଦିତ । ତେଣୁ ବର୍ତ୍ତମାନର ଶ୍ରୋତୃମଣ୍ଡଳୀ ବା ପୃଥିବୀର ଯେ କୌଣସି ସ୍ଥାନର ଶ୍ରୋତୃବୃନ୍ଦଙ୍କୁ ନିକଟରେ ତାଙ୍କର ପରିଚୟ ଦେବା ନିଷ୍ପ୍ରୟୋଜନ । ତେଣୁ ମୁଁ ତାଙ୍କ ପାଣ୍ଡିତ୍ୟ ବିଷୟରେ କିଛି କହିବି ନାହିଁ । କେବଳ ମାତ୍ର ମୌଲାନା ଆଜାଦ-ଯାହାଙ୍କ ନାମରେ ଏ ବକ୍ତୃତା ପ୍ରତିଷ୍ଠିତ ହୋଇଛି ଓ ଶ୍ରୀ ଜବାହରଲାଲ ନେହରୁ ଯିଏ କି ପ୍ରଥମ ଆଜାଦ ସ୍ମୃତି-ବକ୍ତୃତା ଦେଇଛନ୍ତି, ସେମାନଙ୍କ ସହିତ ଟୟେନ୍‌ବୀଙ୍କ ମତୈକ୍ୟ ବିଷୟରେ ପଦେ ଦି’ପଦ ମାତ୍ର କହିବି । ଯେଉଁ ବିଶ୍ୱ-ରାଷ୍ଟ୍ର ବର୍ତ୍ତମାନ ସୁଦ୍ଧା ଜନ୍ମଲାଲ କରି ନାହିଁ, ଏମାନଙ୍କୁ ସେହି ବିଶ୍ୱ-ରାଷ୍ଟ୍ରର ନାଗରିକ ହିସାବରେ ବର୍ଣ୍ଣନା କରାଯାଇପାରେ ।

 

ଅଧ୍ୟାପକ ଟୟେନ୍‌ବୀ ପୃଥବୀଯାକର ସବୁ ସଭ୍ୟତାର ପତନ ଓ ଅଭ୍ୟୁଦୟ ବିଶେଷଭାବରେ ଅଧ୍ୟୟନ କରିଛନ୍ତି । ଇତିହାସର ଆଦି ପ୍ରତ୍ୟୁଷରୁ ମାନବ ବହୁ ବିଚିତ୍ର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ମଧ୍ୟ ମାନବିକ ଆତ୍ମାର ମୂଳରେ ଯେଉଁ ମୌଳିକ ଐକ୍ୟ ରହିଛି, ସେ କଥା ସେ ଏଥିରୁ ନିଜେ ଶିଖିଥିଲେ ଓ ଅନ୍ୟମାନଙ୍କୁ ଶିଖାଇଥିଲେ । ମାନବର ଇତିହାସ ଯେ ମାନବର ଆତ୍ମା କ୍ରମଶଃ ଜଡ଼-ପୃଥିବୀ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିବାର କାହାଣୀ ବୋଲି ଆମର ଯେଉଁ ସହଜାତ ବିଶ୍ୱାସ ରହିଛି, ତାହା ପ୍ରଫେସର୍‌ ଟୟେନ୍‌ବୀଙ୍କର ଗବେଷଣାଦ୍ୱାରା ଅଧିକ ଦୃଢ଼ୀଭୂତ ହୋଇଛି । ମନୁଷ୍ୟଠାରେ ଯେଉଁ ଐଶ୍ୱରିକ ଶକ୍ତିର ସ୍ଫୁଲିଙ୍ଗ ଅଛି, ସେହି ଶକ୍ତି ମନୁଷ୍ୟକୁ ଦୁର୍ଲଙ୍ଘ୍ୟ ବାଧାର ସମ୍ମୁଖୀନ ହୋଇ ତାକୁ ଅତିକ୍ରମ କରିପାରିବାର କ୍ଷମତା ଦେଇଛି । ମନୁଷ୍ୟର ଗତିପଥ ପାର୍ଶ୍ୱରେ କେତେ ରାଷ୍ଟ୍ରର ବିଲୟ ଘଟିଛି, କେତେ ବ୍ୟକ୍ତିର ଚରମ ଅବସାନ ଘଟିଛି; କିନ୍ତୁ ମନୁଷ୍ୟ ଆଗେଇ ଯାଇଛି ଏବଂ ସେ ଆସି ବର୍ତ୍ତମାନ ଏପରି ଏକ ପରିସ୍ଥିତିରେ ପହଞ୍ଚିଛି ଯେଉଁଠି ସେ ସମ୍ଭବତଃ ନିୟତି ସହ (ଭାଗ୍ୟ) ପରୀକ୍ଷା ଲାଗି ସଜ ହେଉଛି ।

 

ଅଧ୍ୟାପକ ଟୟେନ୍‌ବୀଙ୍କର ଜ୍ଞାନର ପରିଧି ଓ ଗଭୀରତା ତାଙ୍କର ପାଠକବୃନ୍ଦଙ୍କୁ ଚମତ୍କୃତ ଓ ଆନନ୍ଦିତ କରିଛି । ଉନ୍ନତ ଜୀବନ ଯାପନ କରିବା ଲାଗି ମାନବର ପ୍ରଚେଷ୍ଟା ପ୍ରତି ତାଙ୍କର ଯେଉଁ ଗଭୀର ସହାନୁଭୂତି ରହିଛି, ତାହାର ମାନବିକ ମୂଲ୍ୟ ବହୁତ ବେଶି । ସଭ୍ୟତା ଅଭିମୁଖରେ ମାନବର ଜୟଯାତ୍ରାର ବୈଶିଷ୍ଟ୍ୟ ହେଲା ସୀମାର ପ୍ରାଚୀର ଭାଙ୍ଗି ଏହି ସହାନୁଭୂତିର ପରିଧିକୁ ପ୍ରସାରିତ କରିବା । ଆଜି ମନୁଷ୍ୟ ଯେଉଁ ଅବସ୍ଥାରେ ଆସି ପହଞ୍ଚିଛି, ସେଠି ମାନବର ଐକ୍ୟପଥରେ ଦେଖାଦେଇଥିବା ପ୍ରାକୃତିକ ବାଧାବିଘ୍ନକୁ ସେ ପ୍ରାୟ ଅତିକ୍ରମ କରିଗଲାଣି ଏବଂ କେବଳ ମାନସିକ ସଂସ୍କାରର ଗଣ୍ଡି ଅତିକ୍ରମ କରିବା ଲାଗି ବିଜ୍ଞତାର ସହିତ ଆଗକୁ ପଦକ୍ଷେପ କରିବାକୁ ପଡ଼ିବ । ଅଧ୍ୟାପକ ଟୟେନ୍‌ବୀ ଯେଉଁ ପ୍ରକାର ନିଷ୍ଠା ଓ ଆନ୍ତରିକତା ସହିତ ମନୁଷ୍ୟକୁ ବିଶ୍ୱର ହାର୍ଦ୍ଦିକ ଓ ବୌଦ୍ଧିକ ମିଳନର ପ୍ରୟୋଜନୀୟତା ବିଷୟରେ ବୁଝେଇବା ଲାଗି ଚେଷ୍ଟା କରୁଛନ୍ତି, ତାହା ପ୍ରକୃତରେ ଐଶ୍ୱରିକ ପ୍ରେରଣାପ୍ରାପ୍ତ ମହାପୁରୁଷଙ୍କର ଭବିଷ୍ୟତବାଣୀ ପରି ଜଣାଯାଉଛି । ପ୍ରଫେସର୍‌ ଟୟେନ୍‌ବୀ ତାଙ୍କର ବତ୍କୃତାର ବିଷୟବସ୍ତୁ ହିସାବରେ ‘ବିଶ୍ୱର ଏକତାପ୍ରତି ଭାରତର ଅବଦାନ’ ବିଷୟଟି ଗ୍ରହଣ କରିଥିବାରୁ ଆମ୍ଭେମାନେ ଅତ୍ୟନ୍ତ ଆନନ୍ଦିତ । କେତେକ ଦିଗରୁ ଦେଖିବାକୁ ଗଲେ ଭାରତ ବହୁ ଜାତି ଓ ବହୁ ଧର୍ମଗତ ଭାବଧାରାର ମିଳନସ୍ଥାନ । ବ୍ରିଟିଶ ସାମ୍ରାଜ୍ୟ ସହିତ ଭାରତର ସୁଦୀର୍ଘ ସମ୍ପର୍କ ଅର୍ଥନୈତିକ ଓ ରାଜନୈତିକ ଦୁର୍ଭାଗ୍ୟର କାରଣ ହୋଇପାରେ; ମାତ୍ର ଏହା ଫଳରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଭାବଧାରାର ଯେଉଁ ପ୍ରକାର ସମନ୍ୱୟ ସାଧିତ ହୋଇଛି, ତା’ର ତୁଳନା ପୃଥିବୀର ଆଉ କେଉଁଠି ସମ୍ଭବତଃ ଦେଖାଯାଏ ନାହିଁ । ଜଣେ ଶିକ୍ଷିତ ପାଶ୍ଚାତ୍ୟବାସୀ ସାଧାରଣତଃ ହେଲେନିକ୍‌(ଗ୍ରୀକ୍‌ ଭାବଧାରା) ବା ହେବ୍ରାଇକ୍‌(ଇହୁଦୀ ଭାବଧାରା) ପରମ୍ପରାପ୍ରତି ନିଜର କୃତଜ୍ଞତା ବିଷୟରେ ସଚେତନ ଅଟନ୍ତି । ଅଳ୍ପ କେତେକ ହୁଏତ ମଧ୍ୟଯୁଗରେ ଆରବିକ୍‌ ଚିନ୍ତାଧାରାର ଅବଦାନ ବିଷୟରେ କିଛି କିଛି ଜାଣିଥିବେ; କିନ୍ତୁ ଭାରତ ବା ପ୍ରାଚ୍ୟ ଦେଶ ନିକଟରେ ୟୁରୋପ ଯେ ଋଣୀ ସେ ବିଷୟରେ ଅତି ଅଳ୍ପ ଲୋକେ ସଚେତନ ଅଛନ୍ତି-। ଏହି ପ୍ରକାର ସୀମିତ କୃତଜ୍ଞତାବୋଧ ଅନ୍ୟାନ୍ୟ ପ୍ରାଚ୍ୟଦେଶର ବହୁଲୋକଙ୍କର ଚିନ୍ତାଧାରାରେ ମଧ୍ୟ ଦେଖାଯାଏ । କିନ୍ତୁ ପକ୍ଷାନ୍ତରେ ଭାରତର ଆଜି ଯେକୌଣସି ସାଧାରଣ ଶିକ୍ଷିତ ଲୋକ ନିଜ ଜୀବନରେ ପାଶ୍ଚାତ୍ୟ ରାଜନୈତିକ ଓ ବୈଜ୍ଞାନିକ ଚିନ୍ତାଧାରାର ପ୍ରଭାବ ସମ୍ୱନ୍ଧରେ ସଚେତନ-। ଭାରତୀୟ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ପାଶ୍ଚାତ୍ୟ ମୂଲ୍ୟବୋଧ ବିଷୟରେ ଏହି ଚେତନା ବୋଧହୁଏ ପୃଥିବୀର ଅନ୍ୟ ପ୍ରାଚ୍ୟଦେଶର ଅନୁଭୂତ ଚେତନା ଅପେକ୍ଷା ଅଧିକ ବିସ୍ତୃତ । ଭାରତ ମଧ୍ୟ ନିଜର ବିଭିନ୍ନ ଧର୍ମ, ସଂସ୍କୃତି, ଭାଷା ଓ ଲୋକମାନଙ୍କ ମଧ୍ୟରେ ଗୋଟିଏ ପ୍ରକାର ସମନ୍ୱୟ ସାଧନ କରିଛି । ପୃଥିବୀବ୍ୟାପୀ ଧର୍ମ, ସଂସ୍କୃତି ଓ ଭାଷା କ୍ଷେତ୍ରରେ ଯେଉଁ ବୈଚିତ୍ର୍ୟ ରହିଛି, ମାନବ ଯଦି କେବେ ତା’ର ସମନ୍ୱୟ ସାଧନରେ ସକ୍ଷମ ହୁଏ, ତେବେ ଏହି କ୍ଷେତ୍ରରେ ଭାରତ ଯେଉଁ ସାଫଲ୍ୟ ଲାଭ କରିଛି, ତା’ର ପ୍ରକୃତ ମୂଲ୍ୟ ରହିବ ।

 

ମୁଁ ଆଜି ଭବିଷ୍ୟତ ପୃଥିବୀର ନାଗରିକ ପ୍ରଫେସର୍‌ ଟୟେନ୍‌ବୀଙ୍କ ବର୍ତ୍ତମାନ ପୃଥିବୀର ନାଗରିକମାନଙ୍କ ନିକଟରେ ଆଜାଦ-ସ୍ମୃତି-ବକ୍ତୃତା-ମାଳାର ଦ୍ୱିତୀୟ ବକ୍ତୃତା ଦେବାଲାଗି ଆମନ୍ତ୍ରଣ ଜଣାଇ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି ।

 

ହୁମାୟୁନ କବୀର

ଫେବୃୟାରୀ ୨୧, ୧୯୬୦

Image

 

Unknown

ବିଶ୍ୱ ଏକତା’ର ଆବଶ୍ୟକତା

 

ଆଜାଦ୍‌ଙ୍କ ସ୍ମୃତିରକ୍ଷା ଉପଲକ୍ଷେ ଅନୁଷ୍ଠିତ ବକ୍ତୃତାମାଳାର ଦ୍ୱିତୀୟ ବକ୍ତାରୂପେ ଆମନ୍ତ୍ରଣ ଜଣାଇ ଆପଣମାନେ ମୋତେ ପ୍ରଭୂତ ସମ୍ମାନର ଅଧିକାରୀ କରିଅଛନ୍ତି । ଶ୍ରୀ ଜବାହରଲାଲ ନେହେରୁ ହେଉଛନ୍ତି ଏହାର ପ୍ରଥମ ବକ୍ତା ଏବଂ ତାଙ୍କର ଅନୁବର୍ତ୍ତୀ ହେବାର ଗୌରବଠାରୁ ଆଉ କ’ଣ ଅଧିକ ଗୌରବର ବିଷୟ ମୋ ପକ୍ଷରେ ହୋଇପାରେ ? ଆହୁରି ମୁଁ କହିବି, ପ୍ରଧାନମନ୍ତ୍ରୀଙ୍କର ପରବର୍ତ୍ତୀ ବକ୍ତା ହେବାଠାରୁ ଆଉ କ’ଣ ଅଧିକ ଆୟାସସାଧ୍ୟ ବିଷୟ ହୋଇପାରେ ? କାରଣ ତାଙ୍କର ଉଦ୍‌ବୋଧନୀ ଭାଷଣରେ ଯେଉଁ ଉଚ୍ଚକୋଟିର ମନନଶୀଳତାର ପରିଚୟ ରହିଛି, ପରବର୍ତ୍ତୀ ବକ୍ତା ପକ୍ଷରେ ସେ ପ୍ରକାର ଉତ୍କର୍ଷତା ବଜାୟ ରଖିବା ଅତ୍ୟନ୍ତ ଦୁରୂହ । ଏହି ଆମନ୍ତ୍ରଣଦ୍ୱାରା ଆପଣମାନେ ମୋତେ ପ୍ରଚୁର ସମ୍ମାନ ଓ ତା ସଙ୍ଗେ ସଙ୍ଗେ ଯଥେଷ୍ଟ ଆନନ୍ଦ ମଧ୍ୟ ଦେଇଛନ୍ତି । କାରଣ ୧୯୫୬ ମସିହାରେ ମୌଲାନା ଆଜାଦଙ୍କ ଦ୍ୱାରା ଏହି ନୂଆଦିଲ୍ଲୀରେ ଅଭ୍ୟର୍ଥିତ ହେବାର ସୌଭାଗ୍ୟ ମୋର ଘଟିଥିଲା ଏବଂ ସେହିଦିନଠାରୁ ତାଙ୍କର ବ୍ୟକ୍ତିତ୍ୱର ଏକ ଗଭୀର ରେଖା ମୋ ମନରେ ରହିଯାଇଛି । ଏପରି କେତେକ ଲୋକ ଅଛନ୍ତି, ଯେଉଁମାନେ କି ଅଳ୍ପ ପରିଚୟ ଭିତରେ ମଧ୍ୟ ନିଜର ବଳିଷ୍ଠ ବ୍ୟକ୍ତିତ୍ୱଦ୍ୱାରା ଅନ୍ୟମାନଙ୍କୁ ଯଥେଷ୍ଟ ପ୍ରଭାବିତ କରିଥାଆନ୍ତି-ଏବଂ ମୌଲାନା ଆଜାଦ୍‌ ଏପ୍ରକାର ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ଭିତରୁ ଜଣେ ବୋଲି ମୋର ଦୃଢ଼ ଧାରଣା ଜନ୍ମିଥିଲା । ଯେତେବେଳେ ଶ୍ରୀ ହୁମାୟୁନ କବୀରଙ୍କର ଆମନ୍ତ୍ରଣଲିପି ପଢ଼ିଲି, ସେତେବେଳେ ମୁଁ ଯେ ନିଜକୁ ଖୁବ୍‌ ସମ୍ମାନିତ ମନେ ନ କଲି ଓ ଆନନ୍ଦିତ ନ ହେଲି ତା ନୁହେଁ; କିନ୍ତୁ ଜଣେ ଇଂରେଜ ବ୍ୟକ୍ତିକୁ ଆପଣମାନଙ୍କର ଏହି ଆମନ୍ତ୍ରଣ, ମୋତେ ସବୁଠୁ ବେଶୀ ଆଶ୍ଚର୍ଯ୍ୟ କରିଥିଲା ଏବଂ ଏହା ମୋର ହୃଦୟକୁ ଗଭୀର ଭାବରେ ସ୍ପର୍ଶ କରିଥିଲା ।

 

ପ୍ରତ୍ୟେକ ଲୋକ ନିଜ ଦେଶ ସରକାରର କାର୍ଯ୍ୟକଳାପ ବିଷୟରେ କିଛି ହେଲେ ଦାୟିତ୍ୱ ରହିଛି । ସରକାରର କାର୍ଯ୍ୟକୁ ବିରୋଧ କରୁଥିବା ଲୋକ ମଧ୍ୟ ସରକାର କାର୍ଯ୍ୟ ପାଇଁ କିୟତ୍‌ ପରିମାଣରେ ଦାୟୀ । ବର୍ତ୍ତମାନ ମୁଁ ଜଣେ ଇଂରେଜ ଲୋକ ଆପଣମାନଙ୍କ ନିମନ୍ତ୍ରଣ ପାଇ ମୌଲାନା ଆଜାଦଙ୍କର ଦ୍ୱିତୀୟ ସ୍ମାରକୀ ବକ୍ତାରୂପେ ଭାରତୀୟ ଶ୍ରୋତାମାନଙ୍କ ଆଗରେ ବକ୍ତୃତା କରିବାକୁ ଯାଉଛି । ଆପଣଙ୍କର ଯେଉଁ ସ୍ୱଦେଶବାସୀଙ୍କ ସ୍ମୃତିଲାଗି ଏହି ବକ୍ତୃତା ଉଦ୍ଦିଷ୍ଟ, ତାଙ୍କୁ ଯେଉଁ ଦେଶର କର୍ତ୍ତୃପକ୍ଷ ଦିନେ ଜେଲ ଭିତରେ ଭର୍ତ୍ତି କରିଥିଲେ, ମୁଁ ସେହି ଦେଶର ନାଗରିକ ଏବଂ ଆପଣଙ୍କର ଯେଉଁ ସ୍ୱଦେଶବାସୀ ଗତବର୍ଷ ଏହାର ପ୍ରାରମ୍ଭିକ ଭାଷଣ ଦେଇଥିଳେ ତାଙ୍କୁ ମଧ୍ୟ ସେହିପରି ଭାବରେ ଜେଲରେ ରଖାହୋଇଥିଲା । ତେଣୁ ଶ୍ରୀ ହୁମାୟୁନ କବିରଙ୍କର ଚିଠି ପଢ଼ି ମୋର ପ୍ରଥମ ଭାବନା ହେଲା ଯେ, ଏ ପ୍ରକାର ମହାନୁଭବତା ଭାରତରେ ହଁ ସମ୍ଭବ ଏବଂ ଏହି ଘଟଣାଟି ମୋତେ ନେଇ ଘଟିବାରେ ମୁଁ ଗଭୀର ଭାବରେ ଅଭିଭୂତ ହୋଇପଡ଼ିଲି । ମୁଁ ଭାରତ ଓ ଭାରତୀୟ ଲୋକଙ୍କ ବିଷୟରେ ଯେତିକି ଜାଣେ ସେଥିରୁ ମୋର ମନେହୁଏ ଯେ, ଆପଣମାନଙ୍କର ଏହି ଆମନ୍ତ୍ରଣରେ ଯେଉଁ ବୈଶିଷ୍ଟ୍ୟ ରହିଛି, ସେ ବୈଶିଷ୍ଟ୍ୟ ସମ୍ପୂର୍ଣ୍ଣ ଭାରତୀୟ । ଆହୁରି ମଧ୍ୟ ଆପଣମାନଙ୍କର ଏହି ପ୍ରକାର ବ୍ୟବହାର ହିଁ ମୋର ଆଜିର ବିଷୟବସ୍ତୁ ପାଇଁ ଯଥେଷ୍ଟ ସୂଚନା ଦେଇଥିଲା । ଶ୍ରୀ ହୁମାୟୁନ କବିର ତାଙ୍କ ଚିଠିରେ ବିଷୟବସ୍ତୁ ନିର୍ବାଚନ କରିବାର ଦାୟିତ୍ୱ ସମ୍ପୂର୍ଣ୍ଣରୂପେ ମୋ ଉପରେ ଛାଡ଼ିଦେଇଥିଲେ । ମୁଁ ଭାବିଲି ‘‘ଅଖଣ୍ଡ ବିଶ୍ୱ ଓ ଭାରତ’’ ଏହି ବିଷୟରେ କିଛି କହିବି । ବିଷୟଟି ଆପଣମାନଙ୍କ ଦ୍ୱାରା ଗୃହୀତ ହୋଇଥିବାରୁ ଆସନ୍ତା ତିନିଦିନଯାକ ଏହି ବିଷୟବସ୍ତୁ ଉପରେ ହିଁ ମୁଁ ଭାଷଣ ଦେବି । ଯେଉଁ ଆଦର୍ଶରେ ଅନୁପ୍ରାଣିତ ହୋଇ ଆପଣମାନେ ମୋତେ ଆମନ୍ତ୍ରଣ କରିଛନ୍ତି, ମୋର ବିଶ୍ୱାସ ସେହି ଆଦର୍ଶ ହେଲା ବିଶ୍ୱମୈତ୍ରୀ ସ୍ଥାପନରେ ଭାରତର ବିଶେଷ ଅବଦାନ । ବର୍ତ୍ତମାନ ସମଗ୍ର ପୃଥିବୀବ୍ୟାପୀ ବିଶ୍ୱକଲ୍ୟାଣକାମୀ ଯେଉଁ ନରନାରୀମାନେ ବିଶ୍ୱମୈତ୍ରୀ ସ୍ଥାପନର ବିରାଟ କାର୍ଯ୍ୟପନ୍ଥାରେ ନିଜକୁ ନିଯୁକ୍ତ କରିଛନ୍ତି, ସେମାନଙ୍କୁ ଏହି ଭାରତୀୟ ଆଦର୍ଶ ନିଶ୍ଚୟ ଅନୁପ୍ରାଣିତ କରିବ ।

 

ଆପଣମାନେ ବୋଧହୁଏ ଅନୁମାନ କରିପାରୁଥିବ ମୁଁ କେଉଁ ବିଶ୍ୱବ୍ୟାପୀ ଆନ୍ଦୋଳନ କଥା କହୁଛି । ସାରା ମାନବ ଜାତି ଗୋଟିଏ ପରିବାର ପରି ଏକାଠି ବଞ୍ଚି ରହିବା ଲାଗି ଯେଉଁ ଆନ୍ଦୋଳନ ବର୍ତ୍ତମାନ ଇତିହାସରେ ସର୍ବପ୍ରଥମ ଦେଖାଦେଇଛି ତାହା ସମଗ୍ର ମାନବ ଜାତିକୁ ଚଞ୍ଚଳ ଓ ଅନୁପ୍ରାଣିତ କରିଛି । ଏହି ଉଦ୍ୟମ ପଛରେ ଯେପରି ଉଚ୍ଚାଭିଳାଷ କାମ କରୁଛି, ସେପରି ଅଲଂଘ୍ୟ ଆବଶ୍ୟକତା ମଧ୍ୟ ରହିଛି । ନାନା ଦିଗରୁ ବିଭିନ୍ନ ପ୍ରକାର ଦାନପ୍ରତିଦାନ ଫଳରେ ହିଁ ଏହା ସାଫଲ୍ୟମଣ୍ଡିତ ହୋଇପାରିବ । ଉଦାହରଣସ୍ୱରୂପ ଏ ଦିଗରେ ପାଶ୍ଚାତ୍ୟ ସଭ୍ୟତାର କି ପ୍ରକାର ଅବଦାନ ରହିଛି ତାହା ଆମର ଅନୁମେୟ । ଆଗାମୀ ବିଶ୍ୱସମାଜର ବୈଷୟିକ ଗଠନ ପାଇଁ ପାଶ୍ଚାତ୍ୟ ସଭ୍ୟତାର ଦାନ ଅତୁଳନୀୟ । ତା ନହେଲେ ଅଭୂତପୂର୍ବ ବିରାଟ ବିଶ୍ୱସମାଜର ପ୍ରତିଷ୍ଠା ଓ ପ୍ରତିପାଳନ ଅସମ୍ଭବ । ପାଶ୍ଚାତ୍ୟ ସଭ୍ୟତାର ଏହି ଅବଦାନ, ପାଶ୍ଚାତ୍ୟ ବେଜ୍ଞାନିକ ପ୍ରଣାଳୀ ଏବଂ ଆଭିମୁଖ୍ୟ ଫଳରେ ହିଁ ସମ୍ଭବ ହୋଇଛି ଏବଂ ତିନି ଶତ ବର୍ଷ ପୂର୍ବେ ପାଶ୍ଚାତ୍ୟ ଦେଶମାନଙ୍କରେ ଯେଉଁ ସ୍ୱାଧୀନ ଚେତନା ଦେଖାଦେଇଥିଲା ତାରି ଫଳରେ ଏହି ବୈଜ୍ଞାନିକ ଆଭିମୁଖ୍ୟ ଆତ୍ମପ୍ରକାଶ କରିଛି । ମୋର ମନେହୁଏ, ଭାରତର ବିଶେଷ ଅବଦାନ ହେଉଛି । ତା’ର ବିରାଟ ହୃଦୟବତ୍ତା ଓ ପ୍ରଶାନ୍ତ ଉଦାରତା । ଯେଉଁ ନୂତନତ ଯୁଗରେ ପୃଥିବୀର ଐକ୍ୟ-ପ୍ରତିଷ୍ଠା ଲାଗି ପାଶ୍ଚାତ୍ୟ ସଭ୍ୟତାର ବିଶିଷ୍ଟ ଅବଦାନ ସାରା ମାନବ ସମାଜକୁ ପ୍ରଭାବିତ କରିପାରିଛି, ସେହି ଯୁଗରେ ଭାରତର ଏହି ଅମୂଲ୍ୟଦାନ ମାନବ ଜାତି ପକ୍ଷରେ ଅତୁଳନୀୟ ସମ୍ପଦ ହିସାବରେ ନିଶ୍ଚୟ ପରିଗଣିତ ହେବ । ପାଶ୍ଚାତ୍ୟ ଦେଶର ବୈଷୟିକ ଶକ୍ତି କବି-ଭାଷାରେ କହିବାକୁ ଗଲେ, ଦୂରତ୍ୱ ଲୋପ କରିଦେଇଛି ସତ; କିନ୍ତୁ ଇତିହାସ ଦେଖିଲେ ଏହା ସର୍ବପ୍ରଥମ ମନୁଷ୍ୟ ହାତରେ ଏପରି ନୂତନ ଅସ୍ତ୍ର ପ୍ରଦାନ କରିଛି ଯେ ତାହା ମାନବ ଜାତିର ସମ୍ପୂର୍ଣ୍ଣ ବିଲୋପ ସାଧନରେ ମଧ୍ୟ ସମର୍ଥ ହୋଇ ପାରିବ । ଏପ୍ରକାର ଭୟାବହ ଅସ୍ତ୍ର ହାତରେ ଧରି ବର୍ତ୍ତମାନ ସୁଦ୍ଧା ସମଗ୍ର ମାନବ ସମାଜଠାରୁ ବିଚ୍ଛିନ୍ନ ହୋଇପଡ଼ିଥିବା ପାଶ୍ଚାତ୍ୟ ଦେଶମାନଙ୍କର ଏହି କ୍ଷୁଦ୍ର ମନୁଷ୍ୟ ସମାଜଟିର ପରସ୍ପର ଧ୍ୱଂସପାରଙ୍ଗମ ଅସ୍ତ୍ରହସ୍ତ ନରନାରୀମାନେ ଯେପରି ମୁହାଁମୁହିଁ ହୋଇ ଠିଆ ହୋଇଛନ୍ତି ।

 

ଆମର ବହୁନିଷ୍ଠ ମାନବିକତା ପରିବର୍ତ୍ତେ ଆମେମାନେ ବର୍ତ୍ତମାନ ସୁଦ୍ଧା ପରସ୍ପରକୁ ଅପରିଚିତ ଭାବରେ ଦେଖୁଛୁ । ଆମର ପୂର୍ବପୁରୁଷମାନେ ପ୍ରାଗୈତିହାସିକ ଯୁଗରେ ଜୀବାଣୁ ବ୍ୟତୀତ ଅନ୍ୟାନ୍ୟ ଅମାନୁଷିକ ଶକ୍ତି ଉପରେ ନିଶ୍ଚିତ ଭାବରେ ଆଧିପତ୍ୟ ସ୍ଥାପନ କଲାଦିନଠାରୁ ମନୁଷ୍ୟ ସମାଜ ଆଜିପର୍ଯ୍ୟନ୍ତ ଏରପରି ମାରାତ୍ମକ ଭାବରେ ବିପଦାଭିମୁଖୀ ହୋଇନଥିଲା । ବର୍ତ୍ତମାନ ମନୁଷ୍ୟ ଯେତେବେଳେ ଜୀବାଣୁ ଉପରେ ଆଧିପତ୍ୟ ବିସ୍ତାର କଲାଣି ସେତେବେଳେ ବ୍ୟାଘ୍ରସିଂହପରି କୌଣସି ହିଂସ୍ର ଜୀବଜନ୍ତୁ ଏପରିକି ଜୀବାଣୁ ବା ବୀଜାଣୁ ମଧ୍ୟ ମନୁଷ୍ୟ ପକ୍ଷରେ ଏପରି ଭାବରେ ବିପଜ୍ଜନକ ହୋଇନାହାନ୍ତି, ଯେପରି କି ବର୍ତ୍ତମାନ ସମୟରେ ମନୁଷ୍ୟ ପକ୍ଷରେ ମନୁଷ୍ୟ ବିପଜ୍ଜନକ ହୋଇପଡ଼ିଛି । ମନୁଷ୍ୟ ଜୀବାଣୁକୁ ଆୟତ୍ତ କରିପାରିଲା; କିନ୍ତୁ ବର୍ତ୍ତମାନ ସୁଦ୍ଧା ନିଜକୁ ଆୟତ୍ତ କରିପାରିଲା ନାହିଁ । ସେ ନିଜେ ଏପରି ଆୟୁଧରେ ନିଜକୁ ସଜ୍ଜିତ କରିଛି ଯେ ତା’ ତୁଳନାରେ ଜୀବାଣୁ ଓ ବ୍ୟାଘ୍ର ନିହାତି ନଗଣ୍ୟ ବୋଲି ଜଣାଯିବ । ଏପରି ବିପଜ୍ଜନକ ପରିସ୍ଥିତିରେ ମାନବ ଜାତିର ମିଳନାତ୍ମକ ମୀମାଂସା ତା’ର ପ୍ରଧାନ ଆଶା ଭରସା ଏବଂ ମୋର ବିଶ୍ୱାସ ଭବିଷ୍ୟତ ବଂଶଧର ଅତୀତ ପ୍ରତି ଦୃଷ୍ଟିପାତ କଲେ ମାନବ ଜାତିର ଅବିଭାଜ୍ୟ ଏକତା ଲାଗି ଭାରତର ଏହି ବିଶିଷ୍ଟ ଅବଦାନକୁ ନିଶ୍ଚୟ ସ୍ୱୀକାର କରିବ ।

 

ପ୍ରସଙ୍ଗକ୍ରମେ ମୁଁ ପାଶ୍ଚାତ୍ୟ ସଭ୍ୟତାର ଅବଦାନ ବିଷୟରେ ଉଲ୍ଲେଖ କଲି । ମୁଁ ମୋର ମୂଳ ବିଷୟବସ୍ତୁ ସମ୍ୱନ୍ଧରେ କହିବା ପୂର୍ବରୁ ପାଶ୍ଚାତ୍ୟ ସଭ୍ୟତା ବିଷୟରେ ଆଉପଦେ କହିବି । ମୁଁ ଆଧୁନିକ ପାଶ୍ଚାତ୍ୟ ଦେଶମାନଙ୍କର ଉଦାରତାବୋଧ ବିଷୟରେ କହିଛି । ଏହି ଉଦାରତା ବିଷୟନେଇ ପାଶ୍ଚାତ୍ୟ ଦେଶମାନଙ୍କର ନିଶ୍ଚୟ ଗର୍ବ କରିବାର ଅଛି । କାରଣ ଏହି ଉଦାରତାବୋଧ ଯୋଗୁ ମନୁଷ୍ୟର ବହୁ ଉପକାର ସାଧିତ ହୋଇଛି । ଉଦାହରଣସ୍ୱରୂପ ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ମୋ ଦେଶର ଲୋକେ ଭାରତର ଯେଉଁ ନେତାମାନଙ୍କୁ ଜେଲରେ ଭର୍ତ୍ତିକରି ରଖିଥିଲେ, ଶେଷରେ ସେହିମାନଙ୍କ ହାତରେ ଭାରତର ଶାସନଭାର ଛାଡ଼ିଦେଇ ଗଲେ । ମୁଁ ଏହି ପାଶ୍ଚାତ୍ୟ ଉଦାର ନୀତି ପାଇଁ ଗର୍ବ ଅନୁଭବ କରିବା ସଙ୍ଗେ ସଙ୍ଗେ ଏହା ମଧ୍ୟ ସ୍ୱୀକାର କରୁଛି ଯେ ଦୁଇଦେଶ ମଧ୍ୟରେ ରହିଥିବା ଅପ୍ରୀତିକାର ସମ୍ପର୍କର ମଧୁର ପରିଣତି ଲାଗି ପାଶ୍ଚାତ୍ୟ ଉଦାରତାବୋଧ ଯେତିକି ଦାୟୀ, ତା ସହିତ ଭାରତୀୟ ଦ୍ୱେଷହୀନ ସ୍ୱାଧୀନ ଚେତନାର ସହଯୋଗ ସେତିକି ଦାୟୀ । ଏହି ଦ୍ୱେଷହୀନ ସ୍ୱାଧୀନ ଚେତନା ମହାତ୍ମା ଗାନ୍ଧିଙ୍କ ଦ୍ୱାରା ବର୍ତ୍ତମାନର ପରୀକ୍ଷମାଣ ଭାରତୀୟ ଲୋକସମାଜରେ ଜୀବନ୍ତ ହୋଇଉଠିଛି । ଆମମାନଙ୍କର ଉଦାରଭାବ ଭାରତୀୟମାନଙ୍କର ଗାନ୍ଧିବାଦ ସହିତ ତାଳ ପକାଇ ଚାଲିପାରିଛି ଏବଂ ଆପଣମାନେ ମଧ୍ୟ ସ୍ୱାଧୀନତା ପରେ ପାଶ୍ଚାତ୍ୟ ଦେଶୀୟ ବୈଧାନିକ ଗଣତାନ୍ତ୍ରିକ ସଂସ୍ଥା ଗ୍ରହଣ କରିବା ପାଇଁ ଯେଉଁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ସିଦ୍ଧାନ୍ତ ଗ୍ରହଣ କରିଛନ୍ତି, ତଦ୍ଦ୍ୱାରା ପାଶ୍ଚାତ୍ୟ ଉଦାର ନୀତିକୁ ମଧ୍ୟ ଖୁବ୍‌ସମ୍ମାନ ଦେଖାଇଛନ୍ତି । ଏହା ନିଃସନ୍ଦେହରେ ପାଶ୍ଚାତ୍ୟ ଉଦାରପନ୍ଥୀ ରାଜନୈତିକ ଚିନ୍ତାଧାରାର ବୈଶିଷ୍ଟ୍ୟ । କିନ୍ତୁ ପାଶ୍ଚାତ୍ୟବାସୀମାନଙ୍କୁ ଏହି ସତ୍ୟ ସ୍ୱୀକାର କରିବାକୁ ପଡ଼ିବ ଯେ, ଏହି ଉଦାରତାବୋଧ କେବେହେଁ ପାଶ୍ଚାତ୍ୟ ଦେଶର ଏକ ଓ ଅଦ୍ୱିତୀୟ ଜୀବନ ଦର୍ଶନ ରୂପରେ ମୂଳରୁ ପରିଗଣିତ ହୋଇନଥିଲା । ସପ୍ତଦଶ ଶତାବ୍ଦୀରେ ଯେତେବେଳେ ପାଶ୍ଚାତ୍ୟ ଦେଶସବୁ ଗୃହଯୁଦ୍ଧ ଓ କାଥଲିକ-ପ୍ରୋଟେଷ୍ଟାଣ୍ଟ ଧର୍ମଯୁଦ୍ଧ ପ୍ରଭୃତି ଭୟଙ୍କର ଘୃଣା ଓ ହିଂସ୍ରୋନ୍ମତ୍ତତାରେ ଜର୍ଜ୍ଜରିତ ହୋଇଉଠିଥିଲେ, ସେତେବେଳେ ତାହାରି ନୈତିକ ପ୍ରତିକ୍ରିୟା ରୂପରେ ଏହି ଉଦାରତାବୋଧର ଜନ୍ମ ହୋଇଥିଲା ଏବଂ ସେହିଦିନରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଶ୍ଚାତ୍ୟ ଦେଶରେ ମଧ୍ୟ ଏହି ଉଦାରତାବୋଧ ସବୁବେଳେ ଅପ୍ରତିହତ ଭାବରେ ଗତି କରିନି । ମୋର ସମସାମୟିକ ପାଶ୍ଚାତ୍ୟବାସୀମାନେ ଦୁଇଟି ପାଶ୍ଚାତ୍ୟ ଗୃହଯୁଦ୍ଧ ଅଙ୍ଗେ ଲିଭେଇଛନ୍ତି ଏବଂ ଏହି ଦୁଇଟିଯାକ ଗୃହଯୁଦ୍ଧ ପ୍ରଥମେ ୟୁରୋପରେ ଆରମ୍ଭ ହୋଇ ପରେ ସାରା ପୃଥିବୀ ବ୍ୟାପ୍ତ ହୋଇ ଯାଇଥିଲା । ଉଭୟ ଯୁଦ୍ଧରେ ହିଁ ପାଶ୍ଚାତ୍ୟ ଉଦାରତାବାଦ ପରିପନ୍ଥୀ ପାଶ୍ଚାତ୍ୟବାସୀଙ୍କ ହସ୍ତରେ ବଳପ୍ରୟୋଗଦ୍ୱାରା ଏହା ଅବଦମିତ ହେବାର ସମ୍ଭାବନାରୁ ଅଳ୍ପକେ ରକ୍ଷା ପାଇଛି । ତେଣୁ ପାଶ୍ଚାତ୍ୟ ରୋମାନ୍‌ ଦେବତା ଜାନସ୍‌ଙ୍କ ପରି ଏହା ଯୁଗଳାନନ ଏବଂ ତା’ର ଏହି ଯୁଗଳ ଆନନରେ ଦୁଇଟି ବିରୋଧୀ ଦୃଷ୍ଟିଭଙ୍ଗୀ ଓ ଆଦର୍ଶବୋଧର ସଙ୍ଘାତରେ ଜର୍ଜ୍ଜରିତ ଆତ୍ମାର ଅନ୍ତର୍ଦ୍ୱନ୍ଦ୍ୱ ପ୍ରତିଫଳିତ । ଏହି ସତ୍ୟ ଅନେକ ଉଦାରପନ୍ଥୀ ପାଶ୍ଚାତ୍ୟବାସୀଙ୍କୁ କଷ୍ଟରେ ସଙ୍କୁଚିତ କରି ପକାଏ । ଏହାର ସମ୍ମୁଖୀନ ହେବା ଆମପକ୍ଷରେ ଅତ୍ୟନ୍ତ କଷ୍ଟକର; କିନ୍ତୁ ମୁଁ ଏକଥା ହୃଦୟଙ୍ଗମ କରିଛି ଯେ ଏହି ସତ୍ୟ ପାଶ୍ଚାତ୍ୟ ଗୋଷ୍ଠୀର ବାହାରେ ଥିବା ମାନବ ଜାତିର ସଂଖ୍ୟାଗରିଷ୍ଠ ଲୋକଙ୍କୁ ଭଲଭାବରେ ଜଣା । ପାଶ୍ଚାତ୍ୟର ଏହି ବିସଦୃଶ ମୁଖ ଦୁଇଟି ସହିତ ଇହୁଦୀମାନେ ଦୀର୍ଘକାଳରୁ ପରିଚିତ ଥିଲେ । ନିକଟରେ ଏସିଆ ଓ ଆଫ୍ରିକାର ଲୋକମାନଙ୍କୁ ମଧ୍ୟ ଏହା ଭଲଭାବର ଜଣାପଡ଼ି ଯାଇଛି । ପାଶ୍ଚାତ୍ୟ ଇତିହାସର ଯେଉଁ ପଟ୍ଟଭୂମିକାର ଆପଣମାନେ ଦର୍ଶକ ଓ ଯେଉଁ ପଟ୍ଟଭୂମିକାରେ ମୁଁ ମୋର ଜୀବନକାଳ ବିତେଇଲି, ସେଥିରୁ ଏକଥା ପରିଷ୍କାର ଭାବରେ ଜଣାଯାଉଛି ଯେ ପାଶ୍ଚାତ୍ୟ ଉଦାରତାବୋଧକୁ ଧରାବନ୍ଧା କଥା ହିସାବରେ ନିଆଯାଇ ପାରିବନି । ସ୍ୱାଧୀନତା ପରି ଉଦାରତାବୋଧର ମଧ୍ୟ ସଦା ସତର୍କତା ହେଉଛି ବହୁ କଷ୍ଟୋପାର୍ଜିତ ଚରମ ଲକ୍ଷ୍ୟ-

 

ମୁଁ ବର୍ତ୍ତମାନ ମୋର ମୂଳ କଥାବସ୍ତୁକୁ ଫେରିଆସୁଛି ଏବଂ ଏହି ପ୍ରସଙ୍ଗରେ ମୁଁ ପ୍ରଥମେ ବିଶ୍ୱ-ଐକ୍ୟର ପ୍ରୟୋଜନୀୟତା ସମ୍ବନ୍ଧରେ କହିବି ।

 

ଏହି ଐକ୍ୟ ଆମର କାହିଁକି ଏତେ ଜରୁରୀ ଭାବର ଦରକାର, ତା’ର କାରଣ ବିଚାର କରି ଦେଖିଲେ ତାହା ଯେତିକି ଚାଞ୍ଚଲ୍ୟକର ସେତିକି ସାଧାରଣ ବୋଲି ଜଣାଯିବ । ଖୁବ୍‌ ସଂକ୍ଷିପ୍ତ ଭାବରେ କହିବାକୁ ଗଲେ ‘ଅଖଣ୍ଡ ବିଶ୍ୱ, ନଚେତ୍‌ ବିଶ୍ୱର ବିଲୟ’ । ଆଜିର ପୃଥିବୀର ପ୍ରତ୍ୟେକଟି ରାଜନୀତି-ସଚେତ ନରନାରୀ ଏହା ପରିଷ୍କାର ଭାବରେ ଜାଣନ୍ତି ଯେ, ଆଣବିକ ଯୁଗରେ ଆମେ ଯଦି ଯୁଦ୍ଧର ବିଲୋପ ନକରୁ ତେବେ ଯୁଦ୍ଧ ଆମକୁ ବିଲୋପ କରିଦେବ । ଏହିପରି ଏକ ସୁପରିଜ୍ଞାତ ତଥ୍ୟର ପୁନରାବୃତ୍ତି କରିବାକୁ ନିଜକୁ ଲଜ୍ଜା ଲାଗୁଛି ସତ; କିନ୍ତୁ ଯେ ପର୍ଯ୍ୟନ୍ତ ଯୁଦ୍ଧ ମଣିଷ ସମାଜର ଏକ ସ୍ୱୀକୃତ ପ୍ରଥାରୂପରେ ରହିବ ଓ ମଣିଷମନରେ ଯୁଦ୍ଧ କରିବାର ଅଭିଳାଷ ଥିବ ସେ ପର୍ଯ୍ୟନ୍ତ ଆମର ଏପ୍ରକାର ଆଲୋଚନାରୁ ବିରତ ହୋଇ ରହିବା ସମ୍ଭବପର ନୁହେଁ ।

 

ଯୁଦ୍ଧ ବିଷୟକ ଆମର ବର୍ତ୍ତମାନ ଯେଉଁ ସଂକଟ ଉପୁଜିଛି ମଣିଷର ଇତିହାସର ସେହିପ୍ରକାର ସଙ୍କଟ ବିଶେଷ ଅପରିଜ୍ଞାତ ନୁହେଁ । ଏହିପରି ଆହୁରି ଅନେକ ଅହିତକର ସାମାଜିକ ପ୍ରଥା ମଧ୍ୟ ରହିଛି । ଉଦାହରଣସ୍ୱରୂପ ଦାସତ୍ୱ ପ୍ରଥାକୁ ନିଆଯାଉ । ଏହି ଦାସତ୍ୱ ପ୍ରଥାକୁ ହଜାର ହଜାର ବର୍ଷଧରି ମନୁଷ୍ୟ ସମାଜ ସହ୍ୟ କରିଆସିଛି; କାରଣ ଏହି ପ୍ରଥା ମନୁଷ୍ୟ ଜୀବନର ପ୍ରାୟ ମଜ୍ଜାଗତ ହୋଇଗଲାଣି ଏବଂ ବର୍ତ୍ତମାନ ସୁଦ୍ଧା ଏହା ମନୁଷ୍ୟ ଲାଗି ମାରାତ୍ମକ ବୋଲି ଧରାଯାଇ ପାରୁନାହିଁ । ସାମାଜିକ ପ୍ରଥା ଯେତେ କଦର୍ଯ୍ୟ ହେଉନା କାହିଁକି ମନୁଷ୍ୟର ସ୍ୱଭାବ ହେଲେ ଯେ ନିଜର ନିଶ୍ଚେଷ୍ଟତା ଯୋଗୁ ଏହି କୁପ୍ରଥାଗୁଡ଼ିକୁ ସେ ନିର୍ଦ୍ୱନ୍ଦ୍ୱରେ ସ୍ୱୀକାର କରିନିଏ ଏବଂ ନିଜର ଆତ୍ମସମର୍ପଣର ପକ୍ଷ ସମର୍ଥନ କରି ସେ ନିଜକୁ ବୁଝାଇବାକୁ ଚେଷ୍ଟାକର ଯେ ସମାଜର ଏହି ପ୍ରାଚୀନ ବ୍ୟାଧି ମନୁଷ୍ୟର ଜନ୍ମଗତ; ତେଣୁ ମନୁଷ୍ୟର ଚେଷ୍ଟାଦ୍ୱାରା ଏହାର ନିରାକରଣ ଅସମ୍ଭବ । କିନ୍ତୁ ଆମେ ଜାଣୁ ସେ ମାନବ ଜୀବନର ଘଟଣାଗୁଡ଼ିକ କେବେହେଁ ସ୍ଥାବନର ନୁହେଁ । କୌଣସି ବିଶେଷ ପ୍ରଥା ହୁଏତ ଦୀର୍ଘକାଳ ଧରି ବ୍ୟବହୃତ ହୋଇ ଆସୁଥିବା ଯୋଗୁଁ ଆମର ସଂସ୍କୃତି ଓ ସାମାଜିକ ପଟ୍ଟଭୂମିକାର ଏକ ଚିରସ୍ଥାୟୀ ଅଙ୍ଗରୂପରେ ଦେଖାଯାଏ । କିନ୍ତୁ ସବୁବେଳେ ନିକଟରେ ହେଉ ବା ବିଳମ୍ୱରେ ହେଉ ମୃତ୍ତିକାଗର୍ଭର ବିକ୍ଷୁବ୍ଧ ଆଲୋଡ଼ନ ସୁପ୍ତ ଆଗ୍ନେୟଗିରିରୁ ମୁହୂର୍ତ୍ତକରେ ଅଗ୍ନ୍ୟୁତ୍ପାତ ସୃଷ୍ଟି କରେ । ଯେତେବେଳେ ଏହା ଘଟେ ସେତେବେଳେ ମନୁଷ୍ୟ ଯେଉଁ କାମକୁ ଏ ପର୍ଯ୍ୟନ୍ତ ଅନ୍ଧଭାବରେ ଅସମ୍ଭବ ବୋଲି ଘୋଷଣା କରି ଆସିଥାଏ, ସେହି କାମକୁ ବହୁ ବିଳମ୍ୱ ଯୋଗୁଁ ସମୟର ପ୍ରତିକୂଳରେ ଗତିକରି ସୁଦ୍ଧା କରିବାକୁ ବାଧ୍ୟ ହୁଏ । ତାପରେ ଆମେମାନେ ସେହି କଥାକଥିତ ଜନ୍ମଗତ ବ୍ୟାଧିର ମୂଳୋତ୍ପାଟନ କରି ତା’ର ବିଲୋପ ସାଧନ କରିବାକୁ ମଧ୍ୟ ହେଉ । ଯେତେବେଳେ ଆମ ଆଖି ଆଗରେ ଦୁଇଟି ସମ୍ଭାବନା ଆସି ଦେଖାଦିଏ-ଏକ ପକ୍ଷରେ କୌଣସି ଗୋଟିଏ ବ୍ୟାଧି ଆମକୁ ନଷ୍ଟ କରିବାକୁ ଯାଉଛି ଏବଂ ଅନ୍ୟ ପକ୍ଷରେ ଆମେ ତାହାକୁ ବିନଷ୍ଟ କରିପାରିବା ଏବଂ ଏହି ଦୁଇପ୍ରକାରର ସମ୍ଭାବନା ଭିତରୁ ଗୋଟିକୁ ଆମେ ବରଣ କରିବାକୁ ବାଧ୍ୟ–ସେତେବେଳେ ଆମ ପକ୍ଷରେ ଏହି ବ୍ୟାଧି ଦୂର କରିବା ଅସାଧ୍ୟ ବୋଲି ଆଉ ଭାବନା ସମ୍ଭବ ନୁହେଁ-। ଏହାର ନିରାକରଣ ଅସମ୍ଭବ ବୋଲି ଆମର ପୂର୍ବରୁ ଯେଉଁ ବିଶ୍ୱାସ ରହିଛି ସେହି ବିଶ୍ୱାସରେ ନିଷ୍କ୍ରିୟ ନହୋଇ ଆମକୁ ଏହାର ନିରାକରଣ ଲାଗି ଚେଷ୍ଟା କରିବାକୁ ପଡ଼େ-। ଅଧୁନା ଯୁଦ୍ଧ ସମ୍ପର୍କୀୟ ଏହି ପ୍ରକାର ଗୋଟିଏ ପରିସ୍ଥିତିରେ ଆମେ ଆସି ପହଞ୍ଚିଛୁ ।

 

ନିଜକୁ ଏହି ପ୍ରକାର ପରିସ୍ଥିତିରେ ଆଣି ପହଞ୍ଚାଇ ଦେବା ଲାଗି ସୁଯୋଗ ଦେବାଟା ହେଲା ମଣିଷର ଚିରନ୍ତନ ମୁର୍ଖାମି । ଏହା ଯ କେବଳ ନିର୍ବୋଧତା ତା’ ନୁହେଁ, ଏହା ଆମର ଚରମ ପାଗଳାମି ମଧ୍ୟ ଏବଂ ଏହା ମଧ୍ୟ ମନୁଷ୍ୟ ସ୍ୱଭାବର ଅଯୋଗ୍ୟ; ପଶ୍ଚାତ୍‌କୁ ଦୃଷ୍ଟିରଖି ତାହାକୁ ପୁରୋଦୃଷ୍ଟିରେ ପରିଣତ କରିବା ହେଲା ମନୁଷ୍ୟତାର ଗୋଟିଏ ଅଙ୍ଗ । ବହୁକାଳ ଆଗେ-ଖ୍ରୀଷ୍ଟପୂର୍ବ ତୃତୀୟ ସହସ୍ରାବ୍ଦରେ ଯୁଦ୍ଧ ତାହାର ପ୍ରଥମ ଶିକାର ଆହରଣ କରିଥିଲା । ସେହି ସହସ୍ରାବ୍ଦରେ ଆମର ଆଦିମ ସଭ୍ୟତା-ସୁମେରୁ ଓ ଏକ୍‌କାଡ଼ ସଭ୍ୟତା (ବର୍ତ୍ତମାନର ଇରାକ୍‌)-ସେହି ଯୁଦ୍ଧ ଯୋଗୁଁ ବିଧ୍ୱସ୍ତ ହୋଇ ଯାଇଥିଲା । ତଥାପି ବିଗତ ଚାରିହଜାର ବର୍ଷଧରି ଆମେ ଏହି ଯୁଦ୍ଧପ୍ରଥାକୁ ବଞ୍ଚେଇ ରଖି ଆସିଛେ ଏବଂ ସେହି ସମୟ ଭିତରେ ଆମର କ୍ରମୋନ୍ନତ କାରିଗରିବିଦ୍ୟା କ୍ରମଶଃ ଆଣବିକ ଅସ୍ତ୍ରର ଉଦ୍ଭାବନ ଦିଗରେ ଗତିକରି ଚାଲିଛି । ଆମେ ଚାରିହଜାର ବର୍ଷର ସତର୍କବାଣୀ ଶୁଣି ଆସିଛୁ ଏବଂ ଗୋଟିଏ ପରେ ଗୋଟିଏ ସୁଯୋଗ ମଧ୍ୟ ହରାଇ ବସିଛୁ । ବର୍ତ୍ତମାନର ଏହି ଦୁର୍ଦ୍ଦଶା ପାଇଁ ନିଜଛଡ଼ା ଆମର କାହାକୁ ଦୋଷ ଦେବାର ନାହିଁ ।

 

ମାନବୀୟ ସ୍ତରରେ ଘଟଣାବଳୀକୁ ଘେନି ଭବିଷ୍ୟତବାଣୀ କରିବାରେ ବହୁତ ବିପଦ ଅଛି; କିନ୍ତୁ ଭବିଷ୍ୟତ ପ୍ରତି ଦୃଷ୍ଟି ନିକ୍ଷେପ ନ କରିବାରେ ଆହୁରି ବେଶୀ ବିପଦ । ବଞ୍ଚି ରହିବାକୁ ହେଲେ ଆମମାନଙ୍କୁ ଭବିଷ୍ୟତ କଥା ଅନୁମାନ କରି ଚଳିବାକୁ ପଡ଼ିବ । ଏହି ପ୍ରାଚୀନ ଯୁଦ୍ଧପ୍ରଥାର ଭବିଷ୍ୟତ ସମ୍ୱନ୍ଧରେ ମୋର ନିଜର ଯାହା ସାମାନ୍ୟ ଅନୁମାନ, ସେହି ଅନସାରେ ମୁଁ ଭାବୁଛି ଯେ ଯୁଦ୍ଧପ୍ରଥା ବିଲୋପ କରିବାରେ ଆମେ ନିଶ୍ଚୟ ସଫଳକାମ ହେବା । ଦାସତ୍ୱପ୍ରଥାର ବିଲୋପ ସାଧନଠାରୁ ଏହା ଅଧିକ ଆୟାସସାଧ୍ୟ ବିଷୟ ନୁହେଁ; କାରଣ ଦାସତ୍ୱ ପ୍ରଥା ଯୁଦ୍ଧପରି ପ୍ରାଚୀନ ଓ ମଜ୍ଜାଗତ ବ୍ୟାଧି । ତଥାପି ଆମେ ଅଳ୍ପଦିନେ ତିଳେ ଦାସତ୍ୱପ୍ରଥାର ବିଲୋପସାଧନ କରିବାରେ ସଫଳ ହୋଇଅଛୁ । ଅତୀତରେ କେତେଥର ମାନବ ଜାତି ନିଜକୁ ନିଜ କବଳରୁ ଶେଷ ମୁହୂର୍ତ୍ତରେ ରକ୍ଷା କରିପାରିଛି । ପର୍ବତପାର୍ଶ୍ୱ ଗହ୍ୱରର ଧାରରେ ଠିଆ ହୋଇ ନାଚିବାଟା ନିଶ୍ଚୟ ପାଗଳାମି; କିନ୍ତୁ ଗହ୍ୱରକୁ ଖସିଯିବାର ଠିକ୍‌ଆଗରୁ ଅଟକି ଯିବା ନିଶ୍ଚୟ ସାଧାରଣ ବୁଦ୍ଧିମତ୍ତାର କାମ ବୋଲି କୁହାଯିବ ।

 

ଯୁଦ୍ଧପ୍ରଥା ବିଲୋପ କରିବାକୁ ହେଲେ ଅନ୍ତତଃ ପକ୍ଷରେ ଗୋଟିଏ ପ୍ରାରମ୍ଭିକ ବିଶ୍ୱସରକାରର ସୂତ୍ରପାତ ହେବା ଦରକାର । ଏହି ଯେଉଁ ପ୍ରଥମ ବିଶ୍ୱସରକାର ଆମେ ପ୍ରତିଷ୍ଠା କରିବା ତାରି ହାତରେ ଯଥେଷ୍ଟ କାର୍ଯ୍ୟକାରୀ କ୍ଷମତା ରହିବା ଦରକାର । ତା’ ହେଲେ ଯାଇ ଏହା ଆଣବିକ ଶକ୍ତିର ନିୟନ୍ତ୍ରଣ, ଉତ୍ପାଦନ ଓ ବ୍ୟବହାର ବିଷୟରେ ଏକ କେନ୍ଦ୍ରୀୟ ସଂସ୍ଥା ରୂପରେ କାମ କରିପାରିବ । ଧରନ୍ତୁ, ଆମେ ଏତକ କରିପାରିଲୁ- ତା’ପରେ କ’ଣ ହେବ ? ଆମେ କ’ଣ ଏତିକିରେ ଅଟକି ଯିବା ? କଦାପି ନୁହେଁ । ଏ କଥା ନିଶ୍ଚିତ ଯେ ମଣିଷ ଆହୁଲାରେ ବସି କଦାପି ବିଶ୍ରାମ କରିପାରିବନି; କାରଣ ଗୋଟିଏ ସମସ୍ୟାର ସମାଧାନରୁ ହିଁ ଅନ୍ୟ ଏକ ସମସ୍ୟାର ଉଦ୍ଭବ ହୋଇଥାଏ । ଯୁଦ୍ଧପ୍ରଥାର ବିଲୋପ ସାଧନରେ ଯଦି ଆମେ କେବେ ସକ୍ଷମ ହେଉ ତାହେଲେ ଜନବୃଦ୍ଧି ସମସ୍ୟା ଯୋଗୁଁ ଆମେ ଆଉ ଏକ ସଙ୍କଟର ସମ୍ମୁଖୀନ ହେବା ।

 

ଅବଶ୍ୟ ଏହା କିଛି ଗୋଟିଏ ନୂତନ ସମସ୍ୟା ନୁହେଁ । ଯୁଦ୍ଧ କିମ୍ୱା ଦାସତ୍ୱ ପ୍ରଥାର ସମସ୍ୟାଠାରୁ ଏହା ଆହୁରି ପୁରୁଣା । ଏଗୁଡ଼ିକ ସଭ୍ୟତା ଆରମ୍ଭ ହେଲା ଦିନଠାରୁ ସଭ୍ୟତା ସହିତ ସମ୍ପୃକ୍ତ ହୋଇ ରହିଅଛି । ମାନବଗୋଷ୍ଠୀ ସଭ୍ୟତାର ଗୋଟିଏ ସୋପାନରେ ନ ପହଞ୍ଚିବାଯାଏଁ ଦାସତ୍ୱ ବା ଯୁଦ୍ଧର ଉଦ୍ଭବ ସମ୍ଭବ ହୋଇପାରି ନ ଥାନ୍ତା । ତା’ ତୁଳନାରେ ଜନବୃଦ୍ଧି ସମସ୍ୟା ମାନବଜାତିର ଆରମ୍ଭଠାରୁ ରହି ଆସିଅଛି । ବାସ୍ତବିକ୍‌ ଦେଖିବାକୁ ଗଲେ ଏହା ଜୀବନପରି ଅତି ପୁରୁଣା ସମସ୍ୟା । ଏହି ବିଷୟରେ ନୂଆ କଥା ହେଲା ଏଇୟା ଯେ ଅଳ୍ପଦିନ ହେଲା ଏହା ମଣିଷର ନିଜ ଦାୟିତ୍ୱ ହୋଇ ଉଠିଛି । ତେଣୁ ଏହା ବିଶେଷ ଭାବରେ ଆମର ଦୃଷ୍ଟି ଆକର୍ଷଣ କରୁଛି ।

 

ଏଇ ଅଳ୍ପଦିନ ପର୍ଯ୍ୟନ୍ତ ମାନବିକ ଧାରଣା ଓ ଆଦର୍ଶ ଅନୁସାରେ ପୃଥିବୀର ମନୁଷ୍ୟ ସଂଖ୍ୟାର ପରିମାଣ ନିୟନ୍ତ୍ରଣ କରିବା ମାନବ ଜାତିର କ୍ଷମତା’ର ବାହାରେ ଥିଲା । ଆମ ଭିତରୁ ଯେ କୌଣସି ଲୋକ ଏହି ପୃଥିବୀରେ ଜନ୍ମ ହୋଇଛି, ମନୁଷ୍ୟ ତା ଉପରେ ଏକ ଚିରନ୍ତନ ମୂଲ୍ୟ ଆରୋପ କରିଛି । ଆମ ଆଖିରେ ପ୍ରତ୍ୟେକ ମଣିଷ ହେଲା ଏକ ବିଶିଷ୍ଟ ବ୍ୟକ୍ତି ଏବଂ ଆମ ଆଖିରେ ମଣିଷଜାତିର ବଞ୍ଚି ରହିବାର ସାର୍ଥକତା ସେ ପର୍ଯ୍ୟନ୍ତ ରହିଛି, ଯେ ପର୍ଯ୍ୟନ୍ତ ପ୍ରତ୍ୟେକଟି ବ୍ୟକ୍ତି-ଯେ କି ଏହି ମଣିଷ ଜାତିର ପ୍ରତୀକ-ତା’ର ବ୍ୟକ୍ତିଗତ ମୂଲ୍ୟବୋଧ ଅନୁସାରେ ଏକ ସାର୍ଥକ ଜୀବନଯାପନ କରିବା ଲାଗି ସମସ୍ତ ପ୍ରକାର ସୁଯୋଗ ଲାଭ କରିପାରୁଛି । ଆମର ମଣିଷ ତିଆର ମୂଲ୍ୟବୋଧର ମାନଦଣ୍ଡ ଅନୁସାରେ ମନୁଷ୍ୟ ଜୀବଜଗତର ଏକ ପ୍ରସାରଣଶୀଳ ଜୀବ ନୁହେଁ, ସେ ହେଲା ଏକ ଅତି ଦୁର୍ଲ୍ଲଭ ଆତ୍ମସତ୍ତା; କିନ୍ତୁ ପ୍ରକୃତି ପକ୍ଷରେ ବିବର୍ତ୍ତନଶୀଳ ପ୍ରତି ଜୀବଜଗତ ସମାନ-। ତେଣୁ ସବୁ ଜୀବଙ୍କର ଅକଳନ୍ତି ଭାବରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅଳ୍ପଦିନ ତଳ ସୁଦ୍ଧା ପ୍ରକୃତି ଯେଉଁ ଉପାୟରେ ଏହି ଗ୍ରହର ଜୀବଜନ୍ତୁ, କୀଟପତଙ୍ଗଙ୍କର ସଂଖ୍ୟା ନିୟନ୍ତ୍ରଣ କରୁଥିଲା, ଠିକ୍‌ ସେହି ଉପାୟରେ ମଧ୍ୟ ସେ ଏହି ପୃଥିବୀର ଜନସଂଖ୍ୟା ନିୟନ୍ତ୍ରଣ କରୁଥିଲା ଏବଂ ଶକ୍ତିହୀନ ମନୁଷ୍ୟ ଅତି ଦୁର୍ବଳ ଭାବରେ ପ୍ରକୃତିର ଏହି କାର୍ଯ୍ୟକୁ ଅନେଇ ରହିଥିଲା । ଯେ ପର୍ଯ୍ୟନ୍ତ ମନୁଷ୍ୟ ପ୍ରକୃତିକୁ ତା’ର ଏହି ପନ୍ଥା ଅନୁସରଣ କରିବାକୁ ଛାଡ଼ିଦେବ, ସେତେବେଳଯାଏଁ ପ୍ରକୃତି ତା’ର ସେହି ଏକମାତ୍ର ଉପାୟରେ ଜନସଂଖ୍ୟା ନିୟନ୍ତ୍ରର କରିବ । କିନ୍ତୁ ଏକ ପ୍ରାକୃତିକ ପଦ୍ଧତିଟି ମାନବିକ ଦୃଷ୍ଟିକୋଣରୁ କି ବିରାଟ ନିର୍ମମ ଓ ଅପଚୟପୂର୍ଣ୍ଣ ! ଜୀବ ତା’ର ପ୍ରାକୃତିକ ଜୀବନକାଳ ବିତାଇବା ପୂର୍ବରୁ ପ୍ରକୃତିଦ୍ୱାରା ଅସଂଖ୍ୟ ପରିମାଣରେ ବିନଷ୍ଟ ହୁଏ ଏବଂ ପ୍ରକୃତି ଜୀବଜଗତକୁ ବଞ୍ଚେଇ ରଖିବାଲାଗି ପୁନରାୟ ଅସଂଖ୍ୟ ପରିମାଣରେ ଜୀବ ପ୍ରଜନନ କରେ ।

 

ଏକ ଦିଗରେ ପ୍ରକୃତି ଯେପରି କୀଟପତଙ୍ଗପରି ଅସଂଖ୍ୟ ପରିମାଣରେ ପ୍ରଜନନ କରିବାକୁ ମନୁଷ୍ୟକୁ ପ୍ରବର୍ତ୍ତାଇଛି, ଅନ୍ୟ ଦିଗରେ ସେହିପରି ମନୁଷ୍ୟର ସଂଖ୍ୟା ହ୍ରାସ କରିବାଲାଗି ତା’ର ଅସ୍ତ୍ରାଗାରରେ ଦୁର୍ଭିକ୍ଷ, ବ୍ୟାଧି ଓ ଯୁଦ୍ଧପରି ତିନୋଟି ମାରାତ୍ମକ ଅସ୍ତ୍ର ସାଇତି ରଖିଛି । ମନୁଷ୍ୟର ବିକୃତ ରୁଚି ପ୍ରକୃତି ହାତରେ ଯୁଦ୍ଧକୁ ଗୋଟିଏ ଅସ୍ତ୍ରରୂପେ ଯୋଗେଇ ଦେଇଛି ।

 

ଜୀବସଂଖ୍ୟାର ହ୍ରାସଲାଗି ଏକ ଜାତିର ପ୍ରାଣୀକୁ ଅନ୍ୟଜାତିର ପ୍ରାଣୀଦ୍ୱାରା ଶିକାର କରି ବିନଷ୍ଟ କରିବା ହେଲା ଗୋଟିଏ ପ୍ରାକୃତିକ ରୀତି । ପୁରାତନ ପ୍ରସ୍ତର ଯୁଗରେ ମଣିଷ, ବାଘସିଂହର ଶିକାର ନ ହେବାର ଉପାୟ ଉଦ୍ଭାବନ କରି ପ୍ରକୃତି କବଳରୁ ରକ୍ଷା ପାଇଥିଲା; କିନ୍ତୁ ମନୁଷ୍ୟ ନିଜର ବିକୃତ ରୁଚି ଯୋଗୁଁ ଏପରି ଏକ ଉପାୟ ଆବିଷ୍କାର କଲା ଯାହାକି ମନୁଷ୍ୟର ବିନା ସାହାଯ୍ୟରେ ପ୍ରକୃତି ପକ୍ଷରେ ଏହା ସମ୍ଭବ ହୋଇନଥାନ୍ତା ଏବଂ ଯାହା ଫଳରେ ପୁନରାୟ ମନୁଷ୍ୟ ପ୍ରକୃତିର କରାୟତ୍ତ ହେଲା । ମନୁଷ୍ୟ ମନୁଷ୍ୟ ଭିତରେ ଯୁଦ୍ଧ କରିବାର ଉପାୟ ଉଦ୍ଭାବନ କରି ଏବଂ ଯୁଦ୍ଧକୁ ଶୃଙ୍ଖଳିତ ଉପାୟରେ ଅଧିକରୁ ଅଧିକତର ପ୍ରାଣିଘାତୀ କରିବାର କୌଶଳ ଆୟତ୍ତ କରି ମନୁଷ୍ୟ ନିଜକୁ ନିଜ ଶିକାର ହେବାର ବିଦ୍ୟା ଶିଖାଇଛି । ବାଘସିଂହଙ୍କ ଅପେକ୍ଷା ମନୁଷ୍ୟ ଶିକାରରେ ମନୁଷ୍ୟ ହେଲା ଖୁବ୍‌ ପାରଦର୍ଶୀ । ଏପରିକି ଏ ଦିଗରେ ଜୀବାଣୁମାନଙ୍କଠାରୁ ମଧ୍ୟ ମଣିଷ ଆହୁରି ବେଶୀ ପାରଦର୍ଶୀ । ମନୁଷ୍ୟର ହାତତିଆରି ଅସ୍ତ୍ରରୂପକ ଏହି ଯୁଦ୍ଧ ହେଲା ପ୍ରକୃତି ପକ୍ଷରେ ମାନବପ୍ରଦତ୍ତ ଏକ ସାନ୍ତ୍ୱନାପ୍ରଦ ଉପହାର; କାରଣ ମନୁଷ୍ୟ ନିଜର ଶକ୍ତିବଳରେ ପ୍ରକୃତି ହାତର ତା’ର ନିଜ ହାତତିଆରି ଦୁଇଟିଯାକ ମାରଣାସ୍ତ୍ର ବାହାର କରିନେଇଛି । ପ୍ରସ୍ତର ଯୁଗରେ ବାଘସିଂହର ଶିକାରୂପେ ମନୁଷ୍ୟକୁ ନିହତ କରିବାର ଉପାୟରୁ ମନୁଷ୍ୟ ପ୍ରକୃତିକୁ ବିରତ କରାଇଥିଲା । ଆମ ଯୁଗରେ ମଧ୍ୟ ଆମେ ଜୀବାଣୁର ଶିକାର ରୂପରେ ମନୁଷ୍ୟକୁ ନିହତ କରିବାର ଉପାୟରୁ ପ୍ରକୃତିକୁ କ୍ଷାନ୍ତ କରିପାରିଛୁ । ମନୁଷ୍ୟର ପ୍ରକୃତି ଉପରେ ଏହି ଦ୍ୱିତୀୟ ବିଜୟ ତା’ର ପ୍ରଥମ ବିଜୟଠାରୁ ଅଧିକ ପ୍ରସିଦ୍ଧ ବୋଲି କୁହାଯିବ; କାରଣ ଦ୍ୱିତୀୟ ବିଜୟ ଲାଭ କରିବାଟା ଯଥେଷ୍ଟ କଷ୍ଟକର ଥିଲା । ତଥାପି ଆମେ ପ୍ରକୃତିର ଇଚ୍ଛାନୁଯାୟୀ ପ୍ରକୃତିର କାମ କରିଚାଲିଛୁ ଏବଂ ହୁଏତ ଆମର ବିନା ସାହାଯ୍ୟରେ ପ୍ରକୃତି ଯାହା କରିପାରି ନଥାନ୍ତା ଆମେ ତା’ଠାରୁ ଆହୁରି ବେଶୀ ଭଲ ଭାବରେ ତାହା କରିପାରୁଛୁ-ଆମେ ବର୍ତ୍ତମାନ ସୁଦ୍ଧା ମାନବସୃଷ୍ଟ ଯୁଦ୍ଧପ୍ରଥା ବଜାୟ ରଖିଛୁ ।

 

ଧରାଯାଉ, ଆମେ ଯେପରି ରୋଗଜନିତ ଅକାଳ ମୃତ୍ୟୁର ସଂଖ୍ୟା ହ୍ରାସ କରିବାରେ ସକ୍ଷମ ହୋଇଛୁ, ସେହିପରି ହୁଏତ ଯୁଦ୍ଧଜନିତ ମୃତ୍ୟୁର ବିଲୋପ କରିବାକୁ ସମର୍ଥ ହେବୁ ବୋଲି ମୁଁ ଯେଉଁ ଭବିଷ୍ୟତବାଣୀ କରୁଛି ତାହା ଠିକ୍‌ ହେଲା ଏବଂ ପ୍ରକୃତରେ ଯଦି ଆମେ ପ୍ରକୃତି ନିକଟରେ ଏହି ଦ୍ୱୈତ ବିଜୟ ଲାଭରେ ସମର୍ଥ ହେଉ, ତା’ ହେଲେ ଜନ୍ମ-ମୃତ୍ୟୁ ମଧ୍ୟରେ ଯେଉଁ ପ୍ରାକୃତିକ ଭାରସାମ୍ୟ ରହିଛି ତାହା ଏ କ୍ଷେତ୍ରରେ ଓଲଟ ପାଲଟ ହୋଇଯିବ । ଯଦିଚ ଆମର ଜୀବନକାଳ ଭିତରେ ଦୁଇଟି ବିଶ୍ୱଯୁଦ୍ଧ ଘଟିଯାଇଛି ଏବଂ ଯଦିଚ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବାର ପୂରା ପନ୍ଦରବର୍ଷ ମଧ୍ୟ ହୋଇନି, ତଥାପି ରୋଗଜନିତ ଅକାଳ ମୃତ୍ୟୁର ସଂଖ୍ୟା ହ୍ରାସ କରିପାରିବା ଫଳରେ ଜନସଂଖ୍ୟା ହୁହୁ ହୋଇ ବଢ଼ିଚାଲିଛି । ବର୍ତ୍ତମାନ ରୋଗନିରୋଧକ ଔଷଧ-ଜଗତରେ ଆଧୁନିକ ବୈଜ୍ଞାନିକ ଆବିଷ୍କାରଗୁଡ଼ିକ ଯୋଗୁଁ ଏବଂ ଆମର ଆଧୁନିକ ଶାସନ ପଦ୍ଧତିଦ୍ୱାରା ଏହି ଔଷଧଗୁଡ଼ିକର ବିନିଯୋଗ ହୋଇପାରୁଥିବା ହେତୁ, ଜନସ୍ୱାସ୍ଥ୍ୟର ବହୁ ଉନ୍ନତି ଘଟିଛି ଏବଂ ଏହାଦ୍ୱାରା ଯେଉଁ ପ୍ରାକୃତିକ କ୍ରିୟାଗୁଡ଼ିକୁ ମନୁଷ୍ୟର ଅଭିପ୍ରାୟ ଅନୁସାରେ ପରିଚାଳିତ କରିବାକୁ ଆମେ ଚାହୁଁଥିଲୁ, ସେହି ସଂଗ୍ରାମରେ ଆମର ବିପୁଳ ଜୟଲାଭ ହୋଇଛି । କିନ୍ତୁ ଆମର ଏହି କୃତକାର୍ଯ୍ୟତା ଯୋଗୁ ହିଁ ପ୍ରକୃତି ଉପରେ ଆମର ଆଂଶିକ ବିଜୟକୁ ସମ୍ପୂର୍ଣ୍ଣ କରିବାର ଭିତ୍ତିକୁ ସୁଦୃଢ଼ କରିବା ପୂର୍ବରୁ ଏହି କର୍ମପନ୍ଥାରୁ ବିରତ ହେବା ଆମ ପକ୍ଷରେ ଅସମ୍ଭବ । ଏହି ଗ୍ରହର ମନୁଷ୍ୟସଂଖ୍ୟା ନିୟନ୍ତ୍ରଣ କରିବାଲାଗି ବର୍ତ୍ତମାନ ପ୍ରାକୃତିକ ପଦ୍ଧତି ସ୍ଥାନରେ ମାନବସୃଷ୍ଟ ପଦ୍ଧତିର ଆଂଶିକ ବିନିଯୋଗ କରିବାରେ ଆମେ ସକ୍ଷମ ହେଲୁଣି ଏବଂ ଏଥିଯୋଗୁଁ ଆମେ ଏପରି ଏକ ପନ୍ଥାର ସମ୍ମୁଖୀନ ହୋଇଛୁ ଯେ ଏହାଛଡ଼ା ଅନ୍ୟ ପନ୍ଥା ଗ୍ରହଣ କରିବାର ଉପାୟ ଆମର ଆଉ ନାହିଁ । ସ୍ୱେଚ୍ଛାକୃତ ଜନ୍ମ-ନିୟନ୍ତ୍ରଣଦ୍ୱାରା ଆମକୁ ପ୍ରକୃତି ଉପରେ ସମ୍ପୂର୍ଣ୍ଣ ବିଜୟ ହାସଲ କରିବାକୁ ହେବ । ଅର୍ଥାତ୍‌ ଜନ୍ମମୃତ୍ୟୁ ମଧ୍ୟରେ ଭାରସାମ୍ୟ ରକ୍ଷାକରିବା ଲାଗି ଯେତିକି ଦରକାର ସେହି ଅନୁସାରେ ସ୍ୱେଚ୍ଛାରେ ଜନସଂଖ୍ୟା ହ୍ରାସକରି ଏହାର ସୀମା ନିରୂପଣ କରିବାକୁ ପଡ଼ିବ; କାରଣ ମନୁଷ୍ୟ ବର୍ତ୍ତମାନ ତା’ର କର୍ମବଳରେ ଚାଞ୍ଚଲ୍ୟକର ଭାବରେ ମୃତ୍ୟୁସଂଖ୍ୟା କମାଇଦେଇ ପାରିଛି ଏବଂ ଯଦି ଅନ୍ୟ ପକ୍ଷରେ ଆମେ ଜନସଂଖ୍ୟା ନିୟନ୍ତ୍ରଣ କରିବାର ଭାର ପ୍ରକୃତି ଉପରେ ଛାଡ଼ିଦେଉ ତାହାହେଲେ ପ୍ରକୃତି ଉପରେ ଆମର ଆଂଶିକ ବିଜୟ ଅତ୍ୟନ୍ତ କ୍ଷଣସ୍ଥାୟୀ ହେବ । କେବଳ ଏତିକି ନୁହେଁ, ଏପରି ପରିସ୍ଥିତିରେ ମଣିଷଜାତି ନିଜେ ମଧ୍ୟ କ୍ଷଣସ୍ଥାୟୀ ହେବ ।

 

ପ୍ରକୃତି-ଜଗତରେ ଜନ୍ମସଂଖ୍ୟା ବୃଦ୍ଧି ଯେପରି, ମୃତ୍ୟୁହାର ବୃଦ୍ଧି ମଧ୍ୟ ସେହିପରି ଭାବରେ ସର୍ବୋଚ୍ଚ ପରିମାଣରେ ଘଟିଥାଏ । ବର୍ତ୍ତମାନ ମନୁଷ୍ୟ ନିଜ କାମଦ୍ୱାରା ମୃତ୍ୟୁହାର ଅତିମାତ୍ରାରେ କମାଇ ଦେଇଛି । ତେଣୁ ପୁନରାୟ ଜନ୍ମମୃତ୍ୟୁର ଅନୁପାତରେ ସାମ୍ୟତା ନ ଆସିବାଯାଏଁ ଏହି ପୃଥିବୀର ଜନସଂଖ୍ୟା ବଢ଼ି ବଢ଼ି ଚାଲିଥିବ । ଗୋଟିଏ କଥା ନିଶ୍ଚିତ ଯେ ନିକଟରେ ହେଉ ବା ବିଳମ୍ୱରେ ହେଉ କୌଣସି ନା କୌଣସି ଉପାୟଦ୍ୱାରା ଏହି ଭାରସାମ୍ୟ ପୁଣି ଫେରିଆସିବ । ଆଜିଯାଏ ଏହି ପୃଥବୀର ଜୀବଜଗତର କୌଣସି ଜୀବ ଅନିର୍ଦ୍ଦିଷ୍ଟ ଭାବରେ ପ୍ରଜନନଦ୍ୱାରା ନିଜର ସଂଖ୍ୟା ବଢ଼ାଇପାରିନି କିମ୍ୱା କେବେହେଲେ ପାରିବ ବି ନାହିଁ । ଯେଉଁ ବସ୍ତୁ ଜୀବସୃଷ୍ଟି ଲାଗି ପ୍ରୟୋଜନ, ସେହି ବସ୍ତୁର ପରିମାଣ ଏହି ଗ୍ରହରେ ସୀମିତ । ଯେତେବେଳେ ଗୋଟିଏ ଜାତିର ପ୍ରତିନିଧିସ୍ୱରୂପ ଜୀବମାନେ ନିଜର ଇଚ୍ଛାକୃତ କର୍ମଦ୍ୱାରା ନିଜ ଜାତିର ପ୍ରାଣୀସଂଖ୍ୟା ହ୍ରାସ କରିପାରିବେନି, ସେତେବେଳେ ସେହି ଜାତିର ଜୀବସଂଖ୍ୟାର ଅଭିବୃଦ୍ଧି ବହିର୍ଶକ୍ତିଦ୍ୱାରା ସବୁବେଳେ ନିୟନ୍ତ୍ରିତ ହେବ । ମନୁଷ୍ୟେତର ପ୍ରାଣୀମାନେ ନିଜର କର୍ମଦ୍ୱାରା ନିଜ ସଂଖ୍ୟା ନିୟନ୍ତ୍ରଣ କରିବାକୁ ଅକ୍ଷମ । ସେମାନଙ୍କ ଲାଗି ସେମାନଙ୍କର ସଂଖ୍ୟା ଏକ ପକ୍ଷରେ ପ୍ରକୃତିଦ୍ୱାରା କିମ୍ୱା ଅନ୍ୟ ପକ୍ଷରେ ମନୁଷ୍ୟଦ୍ୱାରା ନିୟନ୍ତ୍ରିତ ହେଉଅଛି ଏବଂ ଭବିଷ୍ୟତରେ ମଧ୍ୟ ହେଉଥିବ । ମନୁଷ୍ୟର ସଂଖ୍ୟା ମଧ୍ୟ ନିୟନ୍ତ୍ରିତ ହେବାକୁ ବାଧ୍ୟ; କିନ୍ତୁ ମନୁଷ୍ୟର ଏପରି ଏକ ଅନୁପମ ବୈଶିଷ୍ଟ୍ୟ ରହିଛି ଯେ ସେ ଇଚ୍ଛା କଲେ ପ୍ରକୃତି ଉପରେ ନିଜର ନିୟନ୍ତ୍ରଣ ଭାର ଛାଡ଼ି ନଦେଇ ନିଜେ ନିଜର ସଂଖ୍ୟା ନିୟନ୍ତ୍ରଣ କରିପାରେ ।

 

ଆମେ ଏହି ଯେଉଁ ସିଦ୍ଧାନ୍ତ କରିବାକୁ ଯାଉଛୁ, ତାହା ଉପରେ ମନୁଷ୍ୟର ଭବିଷ୍ୟତ ଭଲମନ୍ଦ ସବୁ ନିର୍ଭର କରୁଛି । ମନେ କରନ୍ତୁ, ଆମେ ଠିକ୍‌ କଲୁ ଯେ ରୋଗଜନିତ ମୃତ୍ୟୁସଂଖ୍ୟା ଆହୁରି ବେଶୀ ହ୍ରାସ କରିବାକୁ ଚେଷ୍ଟା କରିବୁ; ଆମେ ଯୁଦ୍ଧ-ଜନିତ ମୃତ୍ୟୁର ବିଲୋପ ସାଧନ କରିବୁ; ମନେ କରନ୍ତୁ, ତା’ପରେ ଜନ୍ମସଂଖ୍ୟା ନିୟନ୍ତ୍ରଣ କରିବାର କଷ୍ଟସାଧ୍ୟ କୌଶଳ ମଧ୍ୟ ଆମେ ଆୟତ୍ତ କରିବୁ । ଅବଶ୍ୟ ଏହା ବିଶେଷଭାବରେ ଆୟାସସାଧ୍ୟ; କାରଣ ବିଭିନ୍ନ ଦେଶର ସରକାରଙ୍କ ମଧ୍ୟରେ କେବଳ ଚୁକ୍ତି ସମ୍ପାଦନା କରି ଏ କଥା କରିହେବ ନାହିଁ । ଏହା କେବଳ ଲକ୍ଷ ଲକ୍ଷ ସ୍ୱାମୀ-ସ୍ତ୍ରୀମାନଙ୍କର ଲକ୍ଷ ଲକ୍ଷ ବ୍ୟକ୍ତିଗତ ସିଦ୍ଧାନ୍ତଦ୍ୱାରା ସମ୍ଭବ ହୋଇପାରିବ ଏବଂ ଏହି ଲୋକମାନଙ୍କୁ ସେମାନଙ୍କର ସନ୍ତାନସଂଖ୍ୟା ସୀମାବଦ୍ଧ କରିବାର ସିଦ୍ଧାନ୍ତ ଗ୍ରହଣ କରିବାଲାଗି କେହି ବଳପ୍ରୟୋଗ କରିପାରିବେ ନାହିଁ । ସେମାନଙ୍କୁ କେବଳ ଏ ବିଷୟରେ ଶିକ୍ଷା ଓ ପ୍ରବର୍ତ୍ତନାଦ୍ୱାରା ଏହି କାମ କରାଯାଇ ପାରିବ ଏବଂ ଏ କଥା କରିବାଲାଗି ସମୟ ମଧ୍ୟ ଲାଗିବ । କିନ୍ତୁ ମନେ କରନ୍ତୁ, ବିଜ୍ଞାନ ସାହାଯ୍ୟରେ ଅଳ୍ପସମୟ ମଧ୍ୟରେ ବିଶ୍ୱର ଖାଦ୍ୟସମ୍ଭାର ସର୍ବାଧିକ ପରିମାଣରେ ବୃଦ୍ଧି କରିବାକୁ ଆମେ ସମର୍ଥ ହେଲୁ ଏବଂ ମନେ କରନ୍ତୁ, ବିଜ୍ଞାନ ସାହାଯ୍ୟରେ ଏହି ପୃଥିବୀର ମନୁଷ୍ୟସଂଖ୍ୟା ନିୟନ୍ତ୍ରଣ କରିବାର ଦାୟିତ୍ୱ ସମ୍ପୂର୍ଣ୍ଣ ରୂପରେ ମନୁଷ୍ୟହାତରେ ଆଣିଦେବାକୁ ଆମେ ସମର୍ଥ ହେଲୁ; ଯଦି ଏକଥା ସମ୍ଭବ ହୁଏ ତାହେଲେ ମନୁଷ୍ୟ ଜୀବନ କ’ଣ ହେବା ଉଚିତ ବୋଲି ଆମର ଯେଉଁ ଆଦର୍ଶ କଳ୍ପନା ଅଛି ତା’ର ବାସ୍ତବ ରୂପରେଖ ଦେବାଲାଗି ବହୁ ନୂତନ ସମ୍ଭାବନାର ଉଦୟ ହେବ । ଆମେ ପୃଥିବୀକୁ ଯେଉଁ ପ୍ରତ୍ୟେକ ନବଜାତ ଶିଶୁକୁ ଆନୟନ କରିବୁ ସେହିମାନଙ୍କର ଉତ୍କୃଷ୍ଟ ଜୀବନ ଯାପନ ଲାଗି ଯେତେପ୍ରକାର ଉତ୍କୃଷ୍ଟ ସୁଯୋଗ ସମ୍ଭବ, ସେହିସବୁ ସୁଯୋଗ ଦେବାକୁ ଆମେ ନିଶ୍ଚୟ ସମର୍ଥ ହୋଇପାରିବୁ । ଅବଶ୍ୟ ଉତ୍କୃଷ୍ଟ କହିଲେ ଆମେ ଆମର ମାନବିକ ମୂଲ୍ୟବୋଧ ଅନୁସାରେ ଯାହାକୁ ଉତ୍କୃଷ୍ଟ ବୋଲି କହୁଛୁ, ସେହି ଅର୍ଥରେ ହିଁ ମୁଁ ଏହାକୁ ଉତ୍କୃଷ୍ଟ ବୋଲି କହୁଛି । ଏହି ପୃଥିବୀର ମନୁଷ୍ୟସଂଖ୍ୟା ନିୟନ୍ତ୍ରଣ କରିବା ଲାଗି ଆମର ଯେଉଁ ପଦ୍ଧତି ରହିଛି, ମାନବିକ ଦୃଷ୍ଟିକୋଣୁ ଦେଖିଲେ ତା’ର ଗୋଟିଏ ଅର୍ଥ ମିଳିବ । କାରଣ ଏହି ନିୟମ ଅନୁସାରେ ଦେଖିଲେ ଆମେ ଦେଖିବୁ ଯେ, ପୃଥିବୀରେ ଜନ୍ମ ହୋଇଥିବା ପ୍ରତ୍ୟେକଟି ମାନବ ହେଲା ଏକ ବିଶିଷ୍ଟ ବ୍ୟକ୍ତିସତ୍ତା ଏବଂ ମନୁଷ୍ୟ ମନୁଷ୍ୟ ହିସାବରେ ଆମ ଆଖିରେ ଅତ୍ୟନ୍ତ ଦୁର୍ଲ୍ଲଭ । କିନ୍ତୁ ‘ପ୍ରକୃତି’ ଆଖିରେ ସେ ଏକ ମୂଲ୍ୟବାନ୍‌ ଜାତିର ମୂଲ୍ୟହୀନ ବ୍ୟକ୍ତି ଏବଂ ‘ପ୍ରକୃତି’ର ଏହି ରୀତି ଅନୁସାରେ ଚଳିବା ଲାଗି ମନୁଷ୍ୟକୁ କଦାପି ଛାଡ଼ିଦେବା ଉଚିତ ହେବ ନାହିଁ ।

 

ବର୍ତ୍ତମାନ ଆମ ସମ୍ମୁଖରେ ଯେଉଁ ଅନ୍ୟ ପନ୍ଥାଟି ରହିଛି ତା’ର ଆଲୋଚନା କରାଯାଉ । ଯଦି ଆମେ ପ୍ରକୃତି ଉପରେ ଆମର ଜନ୍ମହାର ନିୟନ୍ତ୍ରଣ ଭାର ଛାଡ଼ିଦେଉ (ଏବଂ ବର୍ତ୍ତମାନ ସୁଦ୍ଧ ଆମେ ଅଧିକାଂଶ ଦେଶରେ ପ୍ରକୃତି ଉପରେ ଏହି ଭାର ଛାଡ଼ିଦେଇଛୁ), ତେବେ ଖାଦ୍ୟସମ୍ଭାର ବୃଦ୍ଧି କରିବାରେ ବିଜ୍ଞାନର ଚରମ ସାଧନା ମଧ୍ୟ ମାନବଜାତିର ଭାଗ୍ୟ ନିଷ୍ପତ୍ତିର ଶେଷଦିନକୁ ପ୍ରତିହତ କରିପାରିବନି । ହୁଏତ ଅଳ୍ପକାଳ ଲାଗି ମନୁଷ୍ୟ ଏହି ଦୁର୍ଭାଗ୍ୟକୁ ଏଡ଼ିଦେଇପାରେ; କିନ୍ତୁ ତାହା ମଧ୍ୟ ବେଶୀ ଦିନ ପର୍ଯ୍ୟନ୍ତ ନୁହେଁ । ପ୍ରକୃତି ପୁନରାୟ ତା’ର ପ୍ରତିଆକ୍ରମଣ ଚଳାଇବ ଏବଂ ଏହି ଆକ୍ରମଣରେ ପ୍ରକୃତିର ବିଜୟ ହେବା ସୁନିଶ୍ଚିତ; କାରଣ ବର୍ତ୍ତମାନ ସୁଦ୍ଧା ପ୍ରକୃତି ତା’ ହାତରେ ଦୁର୍ଭିକ୍ଷ-ରୂପକ ଯେଉଁ ମାରଣାସ୍ତ୍ର ସାଇତି ରଖିଛି ମନୁଷ୍ୟ ତାକୁ ସମ୍ପୂର୍ଣ୍ଣରୂପେ ଅସ୍ତ୍ରଶୂନ୍ୟ କରିପାରିବ ନାହିଁ । ଆମେ ଯଦି ଜନ୍ମହାର ନିୟନ୍ତ୍ରଣଭାର ପ୍ରକୃତି ଉପରେ ଛାଡ଼ିଦେଉ ତାହେଲେ ଏପରି ଗୋଟିଏ ବେଳ ଆସିବ ଯେତେବେଳେ ପ୍ରକୃତି ପୁଣି ମାନବ ସମାଜରେ ଦୁର୍ଭିକ୍ଷର ବୀଜ ବୁଣିଦେବ ଏବଂ ଦୁର୍ଭିକ୍ଷ ସାଙ୍ଗରେ ପୁନରାୟ ମହାମାରୀ ଓ ଯୁଦ୍ଧ ଫେରିଆସିବ ।

 

ମନୁଷ୍ୟ ବର୍ତ୍ତମାନ ସୁଦ୍ଧା ପ୍ରାକ୍‌-ଆଣବିକ ଯୁଗରେ ରହିଥିଲେ ହେଁ ଏ ପରାଜୟ ମାନବିକ ଆଦର୍ଶ ଓ ତା’ର ଉଦ୍ଦେଶ୍ୟ ସାଧନ ପାଇଁ ଅତ୍ୟନ୍ତ ଅସହ୍ୟ ହୋଇ ପଡ଼ିବ । ଏହି ପୃଥିବୀର ମନୁଷ୍ୟସଂଖ୍ୟା ନିୟନ୍ତ୍ରଣ କରିବା ଲାଗି ମାନବିକ ପଦ୍ଧତି ବିନିଯୋଗ କରିବାରେ ଅର୍ଦ୍ଧସଫଳ ହେଲା ପରେ ଆମେ ପୁନରାୟ ପ୍ରାକୃତିକ ପଦ୍ଧତିଦ୍ୱାରା ନିୟନ୍ତ୍ରିତ ହେବା ଅବସ୍ଥାକୁ ଫେରିଯାଇ ପାରିବୁନି । ଯଦି ଆମେ ପ୍ରକୃତି ଉପରେ ଏହି ଦାୟିତ୍ୱ ଛାଡ଼ିଦେଉ, ତାହେଲେ ଆମ୍ଭେମାନେ ଅବଦମିତ କୀଟପତଙ୍ଗର ପର୍ଯ୍ୟାୟଭୁକ୍ତ ହେବା । ଏହି ମନୁଷ୍ୟେତର ପ୍ରାଣୀମାନେ ଯେପରି ଅସଂଖ୍ୟ ପରିମାଣରେ ଜାତ ହୁଅନ୍ତି, ସେହିପରି ଅସଂଖ୍ୟ ପରିମାଣରେ ମଧ୍ୟ ବିନଷ୍ଟ ହୁଅନ୍ତି । ଅନ୍ୟ କୌଣସି ଅନିର୍ଦ୍ଦୟ ଓ ଅପଚୟହୀନ ଉପାୟରେ ନିଜର ସଂଖ୍ୟା ନିୟନ୍ତ୍ରଣ କରିବାର କ୍ଷମତା ସେମାନଙ୍କର ନାହିଁ କିନ୍ତୁ ଆଣବିକ ଯୁଗରେ ଏହି ବିଷଣ୍ଣ ଭବିଷ୍ୟତ ମଧ୍ୟ ମନୁଷ୍ୟର ଭାଗ୍ୟରେ ଦେଖାଦେବାର ସମ୍ଭାବନା କମ୍‌; କାରଣ ଦୁର୍ଭିକ୍ଷର ପଛେ ପଛେ ଯେଉଁ ଯୁଦ୍ଧ ଦେଖାହେବ, ସେ ଯୁଦ୍ଧ ପୁରାତନ ତୀରଧନୁର ଯୁଦ୍ଧ ବା ଗୋଳାବାରୁଦର ଯୁଦ୍ଧ ନୁହେଁ । ଏହା ହେବ ସର୍ବବିଧ୍ୱଂସୀ ଆଣବିକ ଯୁଦ୍ଧ । ତେଣୁ ଆମ ସମ୍ମୁଖରେ ବର୍ତ୍ତମାନ ଦିଓଟି ପନ୍ଥା ରହିଛି । ପ୍ରଥମଟି ମାନବିକ ପନ୍ଥା-ଅର୍ଥାତ୍‌ ମାନବିକ ଉପାୟରେ ଜନ୍ମନିୟନ୍ତ୍ରଣ କରିବା, ଅପରଟି ହେଲା ଦୁର୍ଭିକ୍ଷ ଓ ଆଣବିକ ଯୁଦ୍ଧଦ୍ୱାରା ମାନବଜାତିର ସ୍ୱୟଂବିନାଶ ।

 

ପ୍ରକୃତିର ଭୟାବହ ଅସ୍ତ୍ରଭଣ୍ଡାରରେ ଦୁର୍ଭିକ୍ଷ ଯେ ଏପର୍ଯ୍ୟନ୍ତ ଗୋଟିଏ କାର୍ଯ୍ୟକାରୀ ଅସ୍ତ୍ର, ସେ କଥା ମୋତେ ବୋଧହୁଏ ବିଶେଷ ଭାବରେ ନୂଆଦିଲ୍ଲୀର ଶ୍ରୋତୃବୃନ୍ଦଙ୍କୁ ବୁଝାଇବାକୁ ପଡ଼ିବ ନାହିଁ । ମୋର ସମସାମୟିକ ଇଂରେଜ ଲୋକର ଦୁର୍ଭିକ୍ଷର କଶାଘାତ ବିଷୟରେ ପରୋକ୍ଷ ଅଭିଜ୍ଞତା ଅଛି । ସେ ଦେଶର ଐତିହାସିକମାନେ କହନ୍ତି ଯେ ଆମ ଦେଶରେ (ଇଂଲଣ୍ଡରେ) ଗତ ଛଅଶହ ବର୍ଷ ହେଲା ଦୁର୍ଭିକ୍ଷ ଦେଖାଦେଇ ନାହିଁ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ସେଠାର ଦୁର୍ଭିକ୍ଷ ଦେଖା ଦେଇନି । ଉଦାହରଣସ୍ୱରୂପ ମୁଁ ଏହି ବିଶ୍ୱଯୁଦ୍ଧର ପୂରା ସମୟଟା ଇଂଲଣ୍ଡରେ କାମ କରୁଥିଲି ଏବଂ ଯୁଦ୍ଧ ସମୟର ଖାଦ୍ୟପଡ଼ି ଖାଇ ଚଳୁଥିଲି; ତଥାପି ମୁଁ ଦିନେ ହେଲେ କ୍ଷୁଧା ଯନ୍ତ୍ରଣା ଉପଲବ୍ଧି କରିନାହିଁ । ଅଳ୍ପଦିନ ହେଲା ଦୁର୍ଭିକ୍ଷ ବିରୁଦ୍ଧରେ ଏହି କ୍ଷଣସ୍ଥାୟୀ ସ୍ଥାନୀୟ ପ୍ରତିରୋଧର ଫଳ ଉପଭୋଗ କରୁଥିବା ମନୁଷ୍ୟ ଜାତିର ଏକ କ୍ଷୁଦ୍ର ସମ୍ପ୍ରଦାୟର ଭୟଙ୍କରତା ବିଷୟରେ କଳ୍ପନା କରିବା ଶକ୍ତି କମିଆସିଛି । କିନ୍ତୁ ମୁଁ ଭଲ ଭାବରେ ଜାଣେ, ଏ ଦେଶରେ ଆପଣମାନଙ୍କ ନିକଟରେ ଦୁର୍ଭିକ୍ଷ ହେଲା ନିରାଟ ବାସ୍ତବ । ମାନବ ଜାତିର ଦୁଇ-ତୃତୀୟାଂଶ ଲୋକଙ୍କ ଉପରେ ଶାଗୁଣା ପରି ଏହା ବର୍ତ୍ତମାନ ସୁଦ୍ଧା ପଇଁତରା ମାରୁଛି ଏବଂ ଏଇ ଅଳ୍ପ କେତେବର୍ଷ ତଳେ ବଙ୍ଗଦେଶ ଉପରେ ଏହା ଥରେ ଝାମ୍ପମାରି ଫେରିଯାଇଛି ।

 

ମୁଁ ଜାଣେ, ଆପଣମାନେ ଭାରତବର୍ଷରେ ଖାଦ୍ୟସମ୍ଭାର ବୃଦ୍ଧି କରିବା ସାଙ୍ଗେ ସାଙ୍ଗେ ପିତାମାତାଙ୍କୁ ସେମାନଙ୍କର ପରିବାରର ଆକାର ସୀମାବଦ୍ଧ କରିବା ଲାଗି ପ୍ରବର୍ତ୍ତାଇବାଦ୍ୱାରା ଆପଣମାନେ ଏ ଦିଗରେ ଦ୍ୱିବିଧ ଉପାୟ ଅବଲମ୍ୱନ କରୁଛନ୍ତି ଏବଂ ଏହି ଦିଓଟିଯାକ ଉପାୟ ଉପରେ ଯଥେଷ୍ଟ ଗୁରୁତ୍ୱ ମଧ୍ୟ ଦେଉଛନ୍ତି । ଭାରତର ଶାସନ ବିଭାଗର ଜଣେ ଅଭିଜ୍ଞ ଓ ବିଖ୍ୟାତ ବ୍ୟକ୍ତି ଶ୍ରୀ ବି. ଆର୍‌, ସେନ୍‌ ଆନ୍ତର୍ଜାତିକ ଖାଦ୍ୟ ଓ କୃଷି ସଂସ୍ଥାର ଉପସ୍ଥିତ ଡିରେକ୍ଟର ଜେନେରାଲ ହେବାଟା ଏହି ଦୃଷ୍ଟିରୁ ଯଥାର୍ଥ ବୋଳି ମନେହୁଏ ଏବଂ ଜନସଂଖ୍ୟା ନିୟନ୍ତ୍ରଣ ବିଷୟରେ ଭାରତୀୟ ଜନସାଧାରଣ ଓ ଭାରତ ସରକାରଙ୍କ ଅପେକ୍ଷା ଅନ୍ୟ କୌଣସି ଦେଶର ସରକାର ବା ଲୋକମାନେ ଅଧିକ ତତ୍ପର ବୋଲି ମୁଁ ମନେ କରିପାରୁନାହିଁ ।

 

ମୋର କେବଳ ଏତିକି କହିବା କଥା ଯେ ଖାଦ୍ୟ ଓ ଜନସଂଖ୍ୟାର ସମାଧାନ ଲାଗି ଯେପରି, ଯୁଦ୍ଧର ବିଲୋପ ସାଧନ ଲାଗି ମଧ୍ୟ ମାନବ ଜାତି ସଂଘବଦ୍ଧ ଭାବରେ ଏକ ବିଶ୍ୱ ଗୋଷ୍ଠୀର ଅନ୍ତର୍ଭୁକ୍ତ ହେବା ଦରକାର । କେବଳ ଗୋଟିଏ ଦେଶରେ ବା ଗୋଟିଏ ମହାଦେଶରେ ଜନ୍ମହାର ସୀମିତ ହେଲେ ମାନବଜାତିର ଜନସଂଖ୍ୟାର ସମାଧାନ ହେବନାହିଁ । କାରଣ କେତେକ ପାଶ୍ଚାତ୍ୟ ଦେଶରେ ଜନ୍ମହାର ସୀମାବଦ୍ଧ ହୋଇ ସାରିଲାଣି । ତଥାପି ବିଶ୍ୱର ଜନସଂଖ୍ୟା ଭୟଙ୍କର ଭାବରେ ବଢ଼ିଚାଲିଛି । ଜନ୍ମହାର ସୀମାବଦ୍ଧ କରିବା ଲାଗି ପୃଥିବୀବ୍ୟାପୀ ଆନ୍ଦୋଳନ ହିଁ ଏ ଦିଗରେ ବିଶେଷ ଭାବରେ ଫଳପ୍ରଦ ହେବ । ପୁନଶ୍ଚ ଖାଦ୍ୟ ଉତ୍ପାଦନରେ ବୈଜ୍ଞାନିକ ଅଭିବୃଦ୍ଧିକୁ ଫଳପ୍ରଦ କରିବାକୁ ହେଲେ ଏହି ଗ୍ରହର ଖାଦ୍ୟୋତ୍ପାଦନକାରୀ ସମଗ୍ର ପୃଷ୍ଠଭୂମି କୌଣସି ଗୋଟିଏ ଏକକ ଅର୍ଥନୈତିକ ସଂସ୍ଥାଦ୍ୱାରା ପରିଚାଳିତ ହେବା ଦରକାର ଏବଂ ପୃଥିବୀର ଯେକୌଣସି ସ୍ଥାନର ଉତ୍ପାଦିତ ଖାଦ୍ୟ ପୃଥିବୀର ଅନ୍ୟ ଯେକୌଣସି ସ୍ଥାନର କ୍ଷୁଧାର୍ତ୍ତ ଲୋକଙ୍କ ପେଟକୁ ଆସିବା ଦରକାର । ଏହିସବୁ ସଂଗଠନମୂଳକ ଆୟୋଜନ ନ ହେବାଯାଏ ଜନସଂଖ୍ୟା ନିୟନ୍ତ୍ରଣ ସମ୍ପୂର୍ଣ୍ଣ ମାନବ ଆୟତ୍ତାଧୀନ ହେବାଲାଗି ଆମର ଯେଉଁ ଅଧିକ ସମୟ ପ୍ରୟୋଜନ ସେ ଦିଗରେ ବିଜ୍ଞାନର ପ୍ରଚେଷ୍ଟା ପଙ୍ଗୁ ହେବ । କିନ୍ତୁ ଏଗୁଡ଼ିକ ହେଲା ରାଜନୈତିକ ପ୍ରୟୋଜନ । ଯେପର୍ଯ୍ୟନ୍ତ ଖାଦ୍ୟ ଉତ୍ପାଦନ ଓ ବଣ୍ଟନର ନିୟନ୍ତ୍ରଣଭାର ସ୍ଥାନୀୟ ସରକାରଙ୍କ ହାତରୁ ଏକ ସର୍ବୋଚ୍ଚ କ୍ଷମତାସମ୍ପନ୍ନ ବିଶ୍ୱ-ସରକାର ହାତକୁ ହସ୍ତାନ୍ତରିତ ନ ହୋଇଛି, ସେ ଦିନଯାଏଁ ଏହି ଅଭାବଗୁଡ଼ିକ ମେଣ୍ଟିବା ସମ୍ଭବ ନୁହେଁ । ଆଣବିକ ଶକ୍ତିର ଉତ୍ପାଦନ ଓ ବ୍ୟବହାରର କେନ୍ଦ୍ରୀୟ ନିୟନ୍ତ୍ରଣ ଲାଗି ଆମର ଯେଉଁ ବିଶ୍ୱସରକାରର ଆବଶ୍ୟକତା ରହିଛି, ତା ସାଙ୍ଗରେ ଏହି ପ୍ରୟୋଜନ ଯୁକ୍ତ ହେଲେ ଦେଖାଯିବ ଯେ ଏକ ରାଜନୈତିକ ବିଶ୍ୱ ସରକାରରୂପରେ ବିଶ୍ୱଐକ୍ୟ ରୂପାୟିତ ହେବାର ପ୍ରୟୋଜନ ରହିଛି ।

 

ତେଣୁ ଆମ ସମୟରେ ମାନବଜାତିର ଆତ୍ମରକ୍ଷା ଲାଗି ଅନ୍ତତଃ ଆଂଶିକ ଭାବରେ କୌଣସି ଏକ ବିଶେଷ ରାଜନୈତିକ ସଂସ୍ଥା ଆକାରରେ ବିଶ୍ୱଐକ୍ୟ ରୂପାୟିତ ହେବାର ବିଶେଷ ଆବଶ୍ୟକତା ରହିଛି । ଅବଶ୍ୟ ପ୍ରତ୍ୟେକ ମନୁଷ୍ୟର ଏହା ସର୍ବପ୍ରଧାନ ଉଦ୍ଦେଶ୍ୟ; କାରଣ ଯଦି ଜାତିରକ୍ଷା ନହୁଏ ତେବେ ଆଉ ମନୁଷ୍ୟ ବୋଲି କିଛି ରହିବନି କିମ୍ୱା କୌଣସି ମନୁଷ୍ୟକୁ ସାର୍ଥକ ଜୀବନଯାପନର ସୁଯୋଗ ଦେବାର ସମ୍ଭାବନା ସୁଦ୍ଧା ରହିବନି । ବର୍ତ୍ତମାନ ଆମ ମନୁଷ୍ୟଜାତି ଏହି ଯେଉଁ ନୂତନ ବିପଦର ସମ୍ମୁଖୀନ ହୋଇଅଛି, ଅର୍ଥାତ୍‌ ଆମେ ବର୍ତ୍ତମାନ ଯେପରି ଭାବରେ ନିଜ ହାତରେ ନିଜକୁ ଧ୍ୱଂସ କରିବାକୁ ବସିଛେ, ଏହି ବିପଦ ସମଗ୍ର ମାନବଜାତିକୁ ଏକ ନୂତନ ପ୍ରକାରର ସ୍ୱଜାତି-ପ୍ରୀତିରେ ଉଦ୍‌ବୁଦ୍ଧ କରିବା ଉଚିତ ଏବଂ ମାନବଜାତିର ବିଭିନ୍ନ କ୍ଷୁଦ୍ର ଅଂଶଗୁଡ଼ିକ ପ୍ରତି ଆମର ଯେଉଁ ଚିରାଚରିତ ମୋହ ବନ୍ଧନ ରହିଛି, ସେହି ପ୍ରୀତିକୁ ଅତିକ୍ରମ କରି ଏହି ବିଶ୍ୱ ସ୍ୱଜାତିପ୍ରୀତି ଆମର ହୃଦୟ ଓ ମନକୁ ଅଧିକାର କରିବା ଉଚିତ । କାରଣ ଯଦି ସମଷ୍ଟି ନିଜକୁ ବିନଷ୍ଟକରେ, ତେବେ ସେହି ପ୍ରକ୍ରିୟାରେ ବ୍ୟଷ୍ଟି ମଧ୍ୟ ଲୋକ ପାଇଯିବ । ତେଣୁ ମାନବଜାତିର ଏକତ୍ରୀକରଣ ହେଲା ଏକ ଅତି ପ୍ରୟୋଜନୀୟ ଉଦ୍ଦେଶ୍ୟ । ଅବଶ୍ୟ ବର୍ତ୍ତମାନ ଯାଏଁ ଏହି କାର୍ଯ୍ୟରେ ନିଜକୁ ନିୟୋଜିତ କରିବାର ଉଦ୍ୟମର ଯେଉଁରୂପ ମୁଁ ଉପସ୍ଥାପିତ କରିଛି, ସେ ରୂପ ହେଲା ପ୍ରୟୋଜନର ଏବଂ ମନୁଷ୍ୟ ଚରିତ୍ରର ଏକ ବିଶେଷ ଲକ୍ଷଣ ହେଲା ଯେ ପ୍ରୟୋଜନବାଦ ବା ହିତବାଦ ଯେତେ ଉଚ୍ଚ ସ୍ତରର ହେଉନା କାହିଁକି ତାହା କେବେ ଆମକୁ ସମ୍ପୂର୍ଣ୍ଣ ଭାବରେ ପରିତୃପ୍ତ କରିପାରିବ ନାହିଁ: କେବଳ ପ୍ରୟୋଜନବାଦ ମନୁଷ୍ୟକୁ ଏକ ମହାନ୍‌ ଓ କଠୋର କାର୍ଯ୍ୟପନ୍ଥାରେ ଉଦ୍‌ବୁଦ୍ଧ କରିବା ଲାଗି ଏକ ଶକ୍ତିଶାଳୀ ଅନୁପ୍ରେରଣା ହୋଇପାରିବ ନାହିଁ । ଅଧିକନ୍ତୁ ଆମପକ୍ଷରେ ଯଦି କେବଳ ପ୍ରୟୋଜନମୂଳକ ଉଦ୍ଦେଶ୍ୟ ଯୋଗୁ ହିଁ କେବେ ଏ କାମ କରିବା ସମ୍ଭବ ହୁଏ, ତଥାପି ମଧ୍ୟ ଆମର ଆତ୍ମା ଅପରିତୃପ୍ତ ରହିଯିବ ।

 

ତାହେଲେ କ’ଣ ସେହି ମୂଳ ଆଧ୍ୟାତ୍ମିକ ଉଦ୍ଦେଶ୍ୟ-ଯାହାକି ମାନବଜାତିକୁ ଏକ ପରିବାରଭୁକ୍ତ ହୋଇ ଏକତ୍ର ବସବାସ କରିବାରେ ପ୍ରଣୋଦିତ କରିଛି ? ମୋର ଜାଣିବାରେ ଏହି ଉଦ୍ଦେଶ୍ୟର ସର୍ବଶ୍ରେଷ୍ଠ ଅଭିବ୍ୟକ୍ତି ହୋଇଛି ଗୋଟିଏ ବିଖ୍ୟାତ ନାଟକର ଏହି କେତୋଟି ଧାଡ଼ିରେ–‘‘ମୁଁ ଜଣେ ମନୁଷ୍ୟ, ତେଣୁ ମନୁଷ୍ୟ ସମ୍ପର୍କୀୟ ଯେକୌଣସି ପ୍ରସଙ୍ଗରେ ମୁଁ କେବେ ଉଦାସୀନ ହୋଇପାରିବି ନାହିଁ ।’’ ଏହି ନାଟକଟି ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ ରଚିତ ହୋଇଥିଲା ଏବଂ ତା’ର ନାଟ୍ୟକାର ହେଲେ ଆଫ୍ରିକାରେ ରହୁଥିବା ଏସୀୟ ଔପନିବେଶିକଙ୍କର ବଂଶଧର; ମାତ୍ର ସେ ତାଙ୍କର କର୍ମଜୀବନ ରୋଗରେ କଟାଇଥିଲେ ଏବଂ ତାଙ୍କର ସବୁ ରଚନା ଲାଟିନ୍‌ ଭାଷାରେ ଲେଖିଥିଲେ । ଏହି ଲାଟିନ୍‌ କବିଙ୍କର ମାତୃଭାଷା ଥିଲା ପିଉନିକ୍‌ ବା ଫିନିସିଆନ୍‌ ଏବଂ ଏହି ଭାଷା ବାସ୍ତବରେ ହିବ୍ରୁଭାଷା ସହିତ ସମାନ । ଏହି ପ୍ରସଙ୍ଗରେ ଏକ ଅଜ୍ଞାତନାମା ଇଥ୍ରଏଲ ଲେଖକଙ୍କ ଦ୍ୱାରା ହିବ୍ରୁଭାଷାରେ ମୂଳଲେଖା ହୋଇଥିବା ଆଉ ଗୋଟିଏ ବହିର ଗୋଟିଏ ଧାଡ଼ି ମୋର ମନେପଡ଼ୁଛି । ଏହି ବିଖ୍ୟାତ ବାକ୍ୟଟି ଏକ ବିଦ୍ରୋହାତ୍ମକ ପ୍ରଶ୍ନରୂପରେ ଲେଖା ହୋଇଛି-‘‘ମୁଁ କ’ଣ ମୋର ଭାଇର ରକ୍ଷକ ?’’ ନିଜ ଭାଇ ଏବେଲ୍‌କୁ ହତ୍ୟା କରିବା ଅପରାଧରେ ଈଶ୍ୱରଙ୍କ ଦ୍ୱାରା ଅଭିଯୁକ୍ତ ହୋଇ କେନ୍‌ ଆତ୍ମପକ୍ଷ ସମର୍ଥନ କରି ପ୍ରଥମ ଏହି କଥାଟି କହିଥିଲେ ଏବଂ Book of Genesis (ଜନ୍ମ ସଂହିତା, ଓଡ଼ିଆ ବାଇବେଲ ଦ୍ରଷ୍ଟବ୍ୟ) ଗପଟି ଯେଉଁ ଭାବରେ କୁହାଯାଇଛି, ସେଥିରୁ ଜଣାଯାଏ ଯେ ପ୍ରଶ୍ନଟିକୁ ସେହି ପ୍ରଶ୍ନର ଉତ୍ତର ହିସାବରେ ମଧ୍ୟ ଧରାଯାଇଛି । ଈଶ୍ୱର ପ୍ରଶ୍ନଟିର ଉତ୍ତର ସମ୍ମତିସୂଚକ ବୋଲି ଧରିନେଇଛନ୍ତି; ତେଣୁ କେନ୍‌ର ପ୍ରଶ୍ନକୁ ଅଗ୍ରାହ୍ୟ କରି ସେ ସିଧା ବିଚାରର ରାୟ ଦେଇଛନ୍ତି ଓ ହତ୍ୟାକାରୀର ଦଣ୍ଡାଦେଶ ଦେଇଛନ୍ତି ।

 

ଏହିଠାରେ ଆମେ ମାନବିକ ଐକ୍ୟ ଲାଗି ଯେଉଁ ଉଦ୍ଦେଶ୍ୟ ପାଇଛୁ, ସେ ଉଦ୍ଦେଶ୍ୟ ସାମୟିକ ପ୍ରୟୋଜନୀୟତାର ବିବେଚନାରୁ ଉଦ୍ଭବ ହୋଇନି, ଏପରିକି ଅତି ଆବଶ୍ୟକୀୟ ଓ ଅତି ସମ୍ମାନନୀୟ ଜାଗତିକ ବିବେଚନାରୁ ମଧ୍ୟ ଏହି ଉଦ୍ଦେଶ୍ୟର ଜନ୍ମ ହୋଇନାହିଁ; ଆମେ ଏଠି ଯେଉଁ ଉଦ୍ଦେଶ୍ୟକୁ ଦେଖୁଛୁ ତା’ର ରୂପ ସମ୍ପୂର୍ଣ୍ଣ ଅଲଗା । ଏହି ଉଦ୍ଦେଶ୍ୟର ଅନ୍ତର୍ନିହିତ ଶକ୍ତି ଏପରି ଯେ, କୌଣସି ବାହ୍ୟ ଅଭିସନ୍ଧି ଏହା ପଛରେ କାମ କରିବାର କୌଣସି ଆବଶ୍ୟକତା ନାହିଁ । ଆହୁରି ମଧ୍ୟ ଏହି ଉଦ୍ଦେଶ୍ୟ ମନୁଷ୍ୟର ଆଦିମ ସ୍ୱଭାବ ପରି ପୁରାତନ ଏବଂ ଯେ ପର୍ଯ୍ୟନ୍ତ ଜଣେହେଲେ ମନୁଷ୍ୟ ବଞ୍ଚିରହିଥିବ ସେ ପର୍ଯ୍ୟନ୍ତ ଏହି ଉଦ୍ଦେଶ୍ୟ କାର୍ଯ୍ୟ କରୁଥିବ । ପରସ୍ପରର ରକ୍ଷକ । ଯେଉଁ ବିଷୟ ଆମର ସହଚର ମନୁଷ୍ୟର ପ୍ରୟୋଜନୀୟ ବସ୍ତୁ, ସେଥିପ୍ରତି ଆମେ କଦାପି ଉଦାସୀନ ହୋଇ ପାରିବୁ ନାହିଁ । ଆମେ ଜାଣୁ ଯେ ଏହା ହିଁ ଏକମାତ୍ର ସତ୍ୟ ଏବଂ ଏହି ଅନୁସାରେ କାମ କରିବାଲାଗି କେବଳ କର୍ତ୍ତବ୍ୟବୋଧ ନୁହେଁ, ଆମମାନଙ୍କଠାରେ ଏକ ଆନ୍ତରିକ ପ୍ରବୃତ୍ତି ମଧ୍ୟ କାମ କରୁଛି । ଏହା ନିଃସନ୍ଦେହରେ କୁହାଯାଇପାରେ ଯେ ଯେଉଁ ମୁହୂର୍ତ୍ତରେ ଆମର ପ୍ରାକ୍‌-ମାନବିକ ପୂର୍ବପୁରୁଷମାନେ ମନୁଷ୍ୟ ପଦବାଚ୍ୟ ହୋଇଉଠିଥିଲେ ସେହି ସମୟରୁ ଆମେ ଊଣା ଅଧିକେ ଏହି ଅନ୍ତରର ଆଲୋକ ନିକଟରେ ଦ୍ରୋହୀ ହୋଇ ରହିଛୁ । ମୁଁ ବୁକ୍‌ ଅଫ୍‍ ଜେନେସିସ୍‌ର ଯେଉଁ ପଙକ୍ତି ଉଦ୍ଧୃତ କଲି, ସେହି ପଙକ୍ତିର ଅଜ୍ଞାତନାମା ଲେଖକ ମନୁଷ୍ୟଜାତିର ଦ୍ୱିତୀୟ ପୁରୁଷର ପ୍ରଥମ ହତ୍ୟାକାଣ୍ଡର ବୃତ୍ତାନ୍ତ ଲିପିବଦ୍ଧ କରିଛନ୍ତି । ଆମର ପ୍ରାଚୀନ ଐତିହାସିକ ବିବରଣୀରୁ ଜଣାଯାଏ ଯେ ମନୁଷ୍ୟ ପରସ୍ପର ପ୍ରତି ଅତି ଅମାନୁଷିକ ଓ ନିର୍ମମ ବ୍ୟବହାର କରିଆସିଛି, ଏପରିକି ତା’ର ଅମାନୁଷିକ କ୍ରୂର କାର୍ଯ୍ୟାବଳୀର ବିରତିକାଳ ମଧ୍ୟରେ ସୁଦ୍ଧା ସେ ସେହି ପ୍ରକାର ବ୍ୟବହାର ଦେଖାଇ ଆସିଛି । ଆମେ ଏହି ପୁରୁଷରେ ମଧ୍ୟ ଲିପିବଦ୍ଧ ଯେକୌଣସି ପୈଶାଚିକ କାର୍ଯ୍ୟର ସମତୁଲ୍ୟ ଜଘନ୍ୟ କାର୍ଯ୍ୟ କରିଛୁ । ବ୍ୟକ୍ତିଗତ ଭାବରେ ଏ ଦିଗରେ ଆମର ଦାୟିତ୍ୱର ପରିମାଣ ଯେତେ କମ୍‌ହେଲେ ସୁଦ୍ଧା ଏହି ପାପ ଲାଗି ଆମ ଭିତରୁ ବର୍ତ୍ତମାନ ଜୀବିତ ଥିବା ପ୍ରତ୍ୟେକ ବ୍ୟକ୍ତିର କିଛି ନା କିଛି ଦାୟିତ୍ୱ ରହିଛି । ଏହି ଅପରାଧ ଲାଗି ଜଣଙ୍କର ବ୍ୟକ୍ତିଗତ ଅଂଶ ହୁଏତ ବେଶି ନ ହୋଇପାରେ; ମାତ୍ର ପରସ୍ପର ବିରୁଦ୍ଧରେ ଆମର ଏହି ସମଷ୍ଟିଗତ ଅପରାଧବୋଧ ଆମ ବିବେକ ଉପରେ ଭାରୀ ହୋଇ ରହିଛି । ଆମେ ଜାଣୁ ଏବଂ ଅନୁଭବ କରୁ ଯେ ଯେହେତୁ ଆମେ ମନୁଷ୍ୟ ହୋଇ ଜନ୍ମ ହୋଇଛୁ ସେହି କାରଣରୁ ଅନ୍ତତଃ ଏକ ପରିବାରଭୁକ୍ତ ହୋଇ ଆମର ଅନ୍ୟମାନଙ୍କ ସାଙ୍ଗରେ ଏକତ୍ର ବସବାସ କରିବା ଉଚିତ । ଏହିଠାରେ ହିଁ ସୌଭ୍ରାତ୍ରର ମୂଳ ଉଦ୍ଦେଶ୍ୟ ରହିଛି ।

 

ଯେ କୌଣସି ସଭ୍ୟତାରେ ବଢ଼ିଥିଲେ ସୁଦ୍ଧା ଏହି ଭ୍ରାତୃତ୍ୱବୋଧ ପ୍ରତ୍ୟେକ ମନୁଷ୍ୟର ଜନ୍ମଗତ । ଯେଉଁ ଲୋକମାନେ ଭାରତୀୟ ପରମ୍ପରାରେ ବଢ଼ିଛନ୍ତି, ସେମାନଙ୍କର ସହାନୁଭୂତିଶୀଳତାର ସୀମା ବ୍ୟାପକ । ଏହି ସୌଭ୍ରାତ୍ରର ବନ୍ଧନ କେବଳ ମନୁଷ୍ୟମାନଙ୍କ ଭିତରେ ସୀମାବଦ୍ଧ ନ ହୋଇ ସବୁଜାତିର ଜୀବଙ୍କ ପ୍ରତି ପ୍ରଯୁଜ୍ୟ ବୋଳି ପୁରାକାଳରୁ ଭାରତରେ ସ୍ୱୀକୃତ ହୋଇ ଆସିଛି । ଆପଣମାନେ ବୋଧହୁଏ ହୃଦୟଙ୍ଗମ କରିଥିବେ ଯେ ଭାରତକୁ ଆସିଥିବା ଜଣେ ପାଶ୍ଚାତ୍ୟ ପରିଦର୍ଶକ ଆଖିରେ ପ୍ରଥମେ ଯାହା ପଡ଼େ ତାହା ହେଉଛି-ବଣୁଆ ପକ୍ଷୀ ଓ ବଣୁଆ ଜନ୍ତୁମାନେ ମଧ୍ୟ ପାଶ୍ଚାତ୍ୟ ଦେଶରେ ମନୁଷ୍ୟମାନଙ୍କ ପ୍ରତି ଯେପରି ଭୀତି ପ୍ରଦର୍ଶନ କରନ୍ତି, ଏଠାରେ ସେ ପ୍ରକାର ଭୟ ଦେଖାନ୍ତି ନାହିଁ । ସେମାନେ ଏପରି ଭାବରେ ଚଳ ପ୍ରଚଳନ ହୁଅନ୍ତି ଯେ ମନୁଷ୍ୟ ତାଙ୍କର କିଛି କ୍ଷତି କରିପାରେ, ଏ ଆଶଙ୍କା ଯେପରି ସେମାନଙ୍କର ନାହିଁ । ବନ୍ୟଜନ୍ତୁମାନଙ୍କର ଏ ପ୍ରକାର ବିଶ୍ୱାସ ନିଶ୍ଚୟ ସେମାନଙ୍କର ଅଭିଜ୍ଞତାପ୍ରସୂତ ହୋଇଥିବ । ଭାରତୀୟ ବନ୍ୟ ପଶୁପକ୍ଷୀଙ୍କର ମନୁଷ୍ୟର ବ୍ୟବହାର ସମ୍ବନ୍ଧରେ ଅପେକ୍ଷାକୃତ ଏହି ସୁଖକର ଅଭିଜ୍ଞତା ସୂଚାଉଛି ଯେ ଭାରତର ଲୋକମାନେ ଯେପରି ଅନୁଭବ କରନ୍ତି ଏହି ଭ୍ରାତୃତ୍ୱର ବନ୍ଧନ କେବଳ ମନୁଷ୍ୟମାନଙ୍କ ମଧ୍ୟରେ ସୀମାବଦ୍ଧ ନୁହେଁ । ଆଧୁନିକ ବୈଜ୍ଞାନିକ ଆବିଷ୍କାର ଅନୁସାରେ ମନୁଷ୍ୟ ଓ ଅନ୍ୟାନ୍ୟ ସମସ୍ତ ପ୍ରକାର ଜୀବଜଗତ ସେହି ଗୋଟିଏ ଆଦିମ ନୈତିକ ପଦାର୍ଥରୁ ସମ୍ଭୂତ; କିନ୍ତୁ ଏହି ଆବିଷ୍କାରର ବହୁ ସହସ୍ର ବର୍ଷ ପୂର୍ବରୁ ସବୁ ଜୀବଙ୍କଠାରେ ଭ୍ରାତୃତ୍ୱଭାବର ଚେତନା ଭାରତୀୟମାନଙ୍କଠାରେ ରହିଅଛି । କୌଣସି ବିଷୟରେ ବିଜ୍ଞାନସମ୍ମତ ଜ୍ଞାନ ପ୍ରତିଷ୍ଠିତ ହେବା ପୂର୍ବରୁ ମନୁଷ୍ୟର କିପରି ସହଜ ଆତ୍ମପ୍ରତ୍ୟକ୍ଷ ଜ୍ଞାନ ଜନ୍ମିଥାଏ, ଏହା ତାହାର ଗୋଟିଏ ଆଶ୍ଚର୍ଯ୍ୟ ରକମର ଉଦାହରଣ ।

 

ମୁଁ ନିଃସନ୍ଦେହ ଯେ ସବୁ ଯୁଗର ଭାରତୀୟ ସାହିତ୍ୟରେ ଏହିପ୍ରକାର ବିପୁଳ ହୃଦୟବତ୍ତା ଓ ‘ବସୁଧୈବ କୁଟୁମ୍ୱକମ୍‌’ ବୋଧର ଉତ୍କୃଷ୍ଟ ଅଭିବ୍ୟକ୍ତି ହୋଇ ଆସିଅଛି । ମୋର ଅଜ୍ଞତା ଯୋଗୁ ସଂସ୍କୃତ, ପାଲି ବା ତାମିଲ ଭାଷାରେ ଉଦାହରଣମାନ ଉଦ୍ଧୃତ କରିବା ପରିବର୍ତ୍ତେ ଲାଟିନ୍‌ ଓ ହିବ୍ରୁ ପ୍ରାଚୀନ ଗ୍ରନ୍ଥର ଉଦାହରଣ ଦେଇ ମୁଁ ମୋର ଯୁକ୍ତି ବିନ୍ୟାସ କରିବି । ଯଦିଚ ମୁଁ କୌଣସି ଭାରତୀୟ ଗ୍ରନ୍ଥରୁ ଉଦ୍ଧୃତ କରିପାରୁନି, ତଥାପି ଏହି ଭ୍ରାତୃତ୍ୱବୋଧର ସାକ୍ଷୀରୂପେ ଜଣେ ଭାରତୀୟଙ୍କର ଉଦାହରଣ ଦେବି । ଏହା ଆମେ ସମସ୍ତେ ଅନୁଭବ କରୁଛୁ; କିନ୍ତୁ ମାତ୍ର କେତେଜଣ ଏହାକୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରି ପାରନ୍ତି । ଅଶୋକ କେବଳ ଜଣେ ସମ୍ରାଟ୍‌ବୋଲି ବିଖ୍ୟାତ ନୁହନ୍ତି । ଭଲମନ୍ଦ ବହୁ ସମ୍ରାଟ୍‌ ଥିଲେ । ତେଣୁ କେବଳ ସମ୍ରାଟ୍‌ ହେବାଟା ହିଁ କୌଣସି ମନୁଷ୍ୟକୁ ସ୍ମରଣୀୟ କରିପାରିନି । ଅଶୋକ ବିଖ୍ୟାତ ଥିଲେ; କାରଣ ସେ ଆମର ସାଧାରଣ ମାନବିକ ଭ୍ରାତୃତ୍ୱବୋଧକୁ ବାସ୍ତବରେ କାର୍ଯ୍ୟକାରୀ କରି ପାରିଥିଲେ । ଏକ ସାଧାରଣ ନୈତିକ ଚରିତ୍ର ରୂପରେ ତାଙ୍କୁ ଯେ ସ୍ୱୀକାର କରି ନିଆଯାଇଛି ତାହାର ଯଥାର୍ଥ । କାରଣ ଯେଉଁ ସାର୍ବଭୌମ କ୍ଷମତା ନିଜର ସହଚାରୀ ପ୍ରାଣୀପ୍ରତି ଭ୍ରାତୃବତ୍‌ ବ୍ୟବହାର କରିବାର ଅସାଧାରଣ ସୁଯୋଗ ପ୍ରଦାନ କରେ, ସେହି କ୍ଷମତା ପୁଣି ନିଜକୁ ନିଜର ବିବେକକୁ ଅମାନ୍ୟ କରିବା ଲାଗି ଅସ୍ୱାଭାବିକ ଭାବରେ ଲୁବ୍ଧ ମଧ୍ୟ କରେ ଏବଂ ଅତି ଉତ୍ତମ ଅଭିପ୍ରାୟ ଥାଇ ସୁଦ୍ଧା ନିଜର ବିବେକ ଅନୁସାରେ କାମ କରିବାଟା ଅସ୍ୱାଭାବିକ ଭାବରେ ଦୁରୂହ ହୋଇଉଠେ ।

 

ଅଶୋକ ବିବେକର ଅନୁଶାସନ ଅନୁସାରେ ରାଜନୈତିକ କ୍ଷମତାର ଅନୁଶୀଳନ କରିଥିଲେ ବୋଲି ଚିରକାଳ ସ୍ମରଣୀୟ ହୋଇ ରହିଯିବେ । ଏ କଥା ବିଶେଷ ଭାବରେ ଉଲ୍ଲେଖଯୋଗ୍ୟ; କାରଣ ଆମମାନଙ୍କ କରି ଅଶୋକ ପ୍ରାକ୍‌-ଆଣବିକ ଯୁଗରେ ବାସ କରୁନଥିଲେ-। ତେଣୁ ତାଙ୍କର, ଆମ ଯୁଗର ମନୁଷ୍ୟଙ୍କ ପରି ଯୁଦ୍ଧକୁ ଜାତୀୟ ନୀତିର ପରିପନ୍ଥୀ ବୋଲି ଘୋଷଣା କରିବାର କୌଣସି ସୁସ୍ପଷ୍ଟ, ଜରୁରୀ ଓ ପ୍ରୟୋଜନମୂଳକ ଉଦ୍ଦେଶ୍ୟ ନଥିଲା-। ସେତେବେଳେ ମନୁଷ୍ୟର ଆୟତ୍ତରେ ଥିବା ସବୁଠାରୁ ମାରାତ୍ମକ ଅସ୍ତ୍ର ସାହାଯ୍ୟରେ ଯୁଦ୍ଧ ଭିଆଇଲେ ମଧ୍ୟ ସମଗ୍ର ମନୁଷ୍ୟଜାତିକୁ ଧ୍ୱଂସ କରିବାର ଦୂରେଥାଉ ନିଜର ପ୍ରଜାମାନଙ୍କର ସମ୍ପୂର୍ଣ୍ଣ ବିଲୋପର ବିପଦ ମଧ୍ୟ ଅଶୋକଙ୍କର ନଥିଲା । ଉଦାହରଣ ସ୍ୱରୂପ, ଯଦି ସେ କଳିଙ୍ଗ ବିଜୟ ପରେ ପରେ ଭାରତୀୟ ଉପଦ୍ୱୀପର ଦକ୍ଷିଣାଗ୍ର ଭାଗ ଓ ତତ୍‌ସଂଲଗ୍ନ ସିଂହଳ ଦ୍ୱୀପ ବିଜୟ କରିଥାଆନ୍ତେ ତାହାହେଲେ ସେ ଅକ୍ଳେଶରେ ସବୁ ପ୍ରକାର ଭୌତିକ ଆନନ୍ଦ ଉପଭୋଗ କରିପାରିଥାଆନ୍ତେ । ତଥାକଥିତ ପ୍ରାକୃତିକ ସୀମାନ୍ତ ବିସ୍ତାର କରି ସାମ୍ରାଜ୍ୟର ପରିସର ବୃଦ୍ଧି କରିବାର ସୁଯୋଗ ଖୋଜିବାଟା ରାଜ୍ୟର ଶାସକବର୍ଗଙ୍କ ପକ୍ଷରେ ଏକ ଅସମ୍ବରଣୀୟ ଲୋଭର ବିଷୟ ଥିଲା ଏବଂ ଏ କ୍ଷେତ୍ରରେ ଅଶୋକ ନିଜପକ୍ଷ ସମର୍ଥନ କରି ଶାନ୍ତି ଲାଗି ଯୁଦ୍ଧ କରୁଛନ୍ତି ବୋଲି ଯୁକ୍ତିଯୁକ୍ତ ଭାବରେ କହିପାରି ଥାଆନ୍ତେ । ରାଜନୈତିକ ଏକତ୍ରୀକରଣଦ୍ୱାରା ସେ ଏହି ଉପମହାଦେଶରେ ଶାନ୍ତି ଆନୟନ କରିପାରିଥାଆନ୍ତେ ।

 

କିନ୍ତୁ ଏହି ପ୍ରକାର ଚିରାଚରିତ ଚିନ୍ତାଧାରାର ବଶବର୍ତ୍ତୀ ହୋଇ କୌଣସି କାମରେ ବ୍ୟାପୃତ ନ ହୋଇ ଆମ ଜାଣିବାରେ ଅଶୋକ ଏକ ଭିନ୍ନ ପ୍ରକାରର କାର୍ଯ୍ୟପନ୍ଥାର ଅନୁସରଣ କରିଥିଲେ । ନିର୍ମମ ବିଜୟ ଅଭିଯାନ ଦ୍ୱାରା କଳିଙ୍ଗକୁ ମୌର୍ଯ୍ୟ-ସାମ୍ରାଜ୍ୟର ଅଙ୍ଗୀଭୂତ କରିଥିବା ହେତୁ ତାଙ୍କର ଯେଉଁ ଆକସ୍ମିକ ନୈତିକ ପରିବର୍ତ୍ତନ ଘଟିଥିଲା-ସେହି ପରିବର୍ତ୍ତନର ଧାରା ଅବିଶିଷ୍ଟ ଜୀବନଯାକ ତାଙ୍କୁ ପରିଚାଳିତ କରିଥିଲା । ନିଜର ନିର୍ମମ ଅଭିଯାନର ଅତ୍ୟାଚାର ଓ ଯନ୍ତ୍ରଣାର ପୈଶାଚିକ ଦୃଶ୍ୟ ଦେଖି ସେ ବିଚଳିତ ହୋଇ ପଡ଼ିଥିଲେ । ନିଜର ଭ୍ରାତୃତ୍ୱବୋଧ ବିରୁଦ୍ଧରେ ପାପାଚରଣ ଯୋଗୁଁ ସେ ନିଜ ବିବେକ ନିକଟରେ ନିଜକୁ ଅପରାଧୀ ବୋଲି ଭାବୁଥିଲେ ଏବଂ କୃତକର୍ମର ପ୍ରାୟଶ୍ଚିତ୍ତ ହିସାବରେ ସେ ନିଜ ରାଜବଂଶର ଓ ଅନ୍ୟାନ୍ୟ ପ୍ରତ୍ୟେକ ରାଜବଂଶର ଚିରାଚରିତ ପ୍ରଥା ଭଙ୍ଗ କରିଥିଲେ । ଅଶୋକଙ୍କ ପକ୍ଷରେ ଏହି ପରମ୍ପରା ଭଙ୍ଗ କରିବାଟା ସମଧିକ ଉଲ୍ଲେଖଯୋଗ୍ୟ; କାରଣ ସାମ୍ରାଜ୍ୟ ଗଠନ କରିବାର ଏକ ଉପକରଣ ହିସାବରେ ଯୁଦ୍ଧକୁ ବିନିଯୋଗ କରିବାର ଦୁର୍ନୀତି କେବଳ ଯେ ମୌର୍ଯ୍ୟମାନଙ୍କର ବୈଶିଷ୍ଟ୍ୟ ଥିଲା ତାହା ନୁହେଁ, ପୃଥିବୀର ଯେ କୌଣସି ସ୍ଥାନର ପ୍ରତ୍ୟେକ ଶାସକ-ଯାହାର ଏକ ପ୍ରକାର ଆଚରଣ କରିବାର କ୍ଷମତା ଥିଲା-ସେମାନଙ୍କ ଲାଗି ଏହା ଗୋଟିଏ ଧରାବନ୍ଧା କଥା ଥିଲା । ଅଶୋକଙ୍କର ପିତାମହ ଚନ୍ଦ୍ରଗୁପ୍ତଙ୍କ ସମ୍ମୁଖରେ ଥିଲା ଆଲେକ୍‌ଜାଣ୍ଡରଙ୍କ ମନ୍ଦ ଉଦାହରଣ । ଆଲେକ୍‌ଜାଣ୍ଡରଙ୍କର ସମ୍ମୁଖରେ ଥିଲା ସାଇରସ୍‌ଙ୍କ (ପୁରାତନ ପାରସ୍ୟର ବିଖ୍ୟାତ ସମ୍ରାଟ୍‌) ମନ୍ଦ ଉଦାହରଣ ଏବଂ ଏହି ଭାବରେ କର୍ମଚକ୍ରର ଅନୁବର୍ତ୍ତନ ଅନୁସାରେ ଫେରିଚାଲିଲେ ଆମେ ଖ୍ରୀଷ୍ଟପୂର୍ବ ତିନି ସହସ୍ରାବ୍ଦରେ ଥିବା ସୁମେରୀୟ ଓ ମିଶରୀୟ ସାମ୍ରାଜ୍ୟ ସଂଗଠକଙ୍କ ପାଖରେ ପହଞ୍ଚିବା । ପୂର୍ବପୁରୁଷମାନଙ୍କର ବିପରୀତାଚରଣ କରି ଭ୍ରାତୃତ୍ୱବୋଧକୁ ରୂପାୟିତ କରିବାରେ ଅଶୋକ ନିଜର ଅବଶିଷ୍ଟ ଜୀବନ ଓ ସମଗ୍ର ରାଜନୈତିକ କ୍ଷମତା’ର ବିନିଯୋଗ କରିଥିଲେ ।

 

ଅଶୋକ ଯୁଦ୍ଧ ପରିତ୍ୟାଗ କରିଥିଲେ ସତ; କିନ୍ତୁ ମାନବଜାତିକୁ ଏକତ୍ରିତ କରିବାର ଉଦ୍ଦେଶ୍ୟ ପରିହାର କରିନଥିଲେ । ସେ ଏଥିପାଇଁ ସାମରିକ ପଦ୍ଧତିର ପରିବର୍ତ୍ତରେ ଧର୍ମପ୍ରଚାରଦ୍ୱାରା ଏହି ଲକ୍ଷ୍ୟ ସାଧନର ପ୍ରୟାସ କରିଥିଲେ । କେବଳ ସେତିକି ନୁହେଁ, ଅଶୋକଙ୍କ ସମୟରେ ଆଲେକ୍‌ଜାଣ୍ଡରଙ୍କର ସମରପ୍ରିୟ ମ୍ୟାସିଡ଼ୋନୀୟ ଗ୍ରୀକ୍‌ ଉତ୍ତରାଧିକାରୀଙ୍କ ଦ୍ୱାରା ବିଜିତ ନନ୍ଦ ସାମ୍ରାଜ୍ୟର ପଶ୍ଚିମ ସୀମାନ୍ତର ପଶ୍ଚିମରେ ଥିବା ଅଞ୍ଚଳରେ ମଧ୍ୟ ସେ ହସ୍ତକ୍ଷେପ କରିଥିଲେ । ଅଶୋକ ବୌଦ୍ଧଧର୍ମର ଆଚାର ଓ ବିଶ୍ୱାସସିଦ୍ଧ ଜ୍ଞାନର ବିସ୍ତାର ପାଇଁ ନିଜ ରାଜ୍ୟର ରାଜନୈତିକ ସୀମାନ୍ତର ବାହାରେ ହସ୍ତକ୍ଷେପ କରିଥିଲେ ଓ ନିଜର ଧର୍ମ ପ୍ରଚାର କ୍ଷେତ୍ରର ସୀମା ହିସାବରେ ଯେ କୌଣସି ପ୍ରାକୃତିକ ସୀମାନ୍ତକୁ ସ୍ୱୀକାର କରିନଥିଲେ । କହିବାକୁ ଗଲେ ପୃଥିବୀପୃଷ୍ଠର ସମଗ୍ର ମାନବ ଅଧ୍ୟୁଷିତ ଅଞ୍ଚଳକୁ ସେ ନିଜ କାର୍ଯ୍ୟକ୍ଷେତ୍ରର ପରିସର ହିସାବରେ ସ୍ୱୀକାର କରିନେଇଥିଲେ-। ଆଜି ପୂର୍ବ-ଏସିଆର ଚାରିଆଡ଼େ ବୌଦ୍ଧଧର୍ମାବଲମ୍ୱୀମାନେ ରହିଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ବୌଦ୍ଧମାନଙ୍କ ଭିତରେ ଥିବା ଆଧ୍ୟାତ୍ମିକ ଭ୍ରାତୃତ୍ୱଭାବ ପୃଥିବୀରେ ଏକ ମହାନ୍‌ ଐକ୍ୟମୂଳକ ଶକ୍ତି ହିସାବରେ ପରିଗଣିତ ହୋଇ ଆସୁଅଛି ଏବଂ ହେଉଛି । ଅଧୁନା ବୌଦ୍ଧମାନଙ୍କ ଭିତରେ ଏହି ଭ୍ରାତୃତ୍ୱବୋଧର ଚେତନା କ୍ରମଶଃ ଶକ୍ତିଶାଳୀ ହୋଇଉଠୁଥିବା ପରି ଜଣାଯାଉଛି । ଅନ୍ତତଃ ତିନିବର୍ଷ ତଳେ ଭାରତରେ ଅବସ୍ଥିତ ଦୁଇଟି ପବିତ୍ର ବୌଦ୍ଧତୀର୍ଥ ସାରନାଥ ଓ ବୋଧଗୟା ପରିଭ୍ରମଣ ସମୟରେ ମୋର ଏହି ଧାରଣା ହୋଇଥିଲା । ଅବଶ୍ୟ ବୌଦ୍ଧଧର୍ମର ସଜୀବତ୍ୱ ଓ ସର୍ବବ୍ୟାପକତାର ବହୁ କାରଣ ମିଳିପାରିବ । କିନ୍ତୁ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଅଶୋକଙ୍କର ହୃଦୟ ପରିବର୍ତ୍ତନ ଓ ନିଜର ଅନୁଭୂତିକୁ କାର୍ଯ୍ୟରେ ରୂପାୟନ କାରିବାଟାକୁ ନିଶ୍ଚୟ ଗୋଟିଏ ବିଶେଷ କାରଣ ବୋଲି ଧରାଯିବ ।

 

ପୁନଶ୍ଚ ଅଶୋକଙ୍କର କାର୍ଯ୍ୟାବଳୀରୁ ଜଣାଯାଏ ଯେ ଭାରତରେ ଏହି ମାନବିକ ଭ୍ରାତୃତ୍ୱବୋଧ କେବଳ ମନୁଷ୍ୟମାନଙ୍କ ପ୍ରତି ଆତ୍ମୀୟତାରେ ପର୍ଯ୍ୟବସିତ ନୁହେଁ । ମୋର ଯଦି ଠିକ୍‌ ମନେଥାଏ, ଅଶୋକ ରାଜକୀୟ ଶିକାର-ଯାତ୍ରାର ବିଲୋପସାଧନ କରିଥିଲେ । ନିଜର ସଭାସଦ୍‌ମାନଙ୍କୁ ନିରାମିଷ ଆହାର ଲାଗି ପ୍ରବର୍ତ୍ତାଇଥିଲି ଏବଂ ବର୍ଷକରେ ଛପନ ଦିନ ପ୍ରଜାମାନଙ୍କ ଲାଗି ପ୍ରାଣୀହତ୍ୟା ନିଷିଦ୍ଧ ଥିଲା । ଭାରତର ଏହି ଉଦାର ହୃଦୟବତ୍ତାର ଯେଉଁ ପରମ୍ପରା ରହିଛି, ଏକ ଅସାଧାରଣ ଘଟଣାଦ୍ୱାରା ସେହି ପରମ୍ପରାର ଶକ୍ତି ପରୀକ୍ଷିତ ହୋଇଛି । ଅଶୋକଙ୍କର ରାଜତ୍ୱର ଏକହଜାର ଆଠଶହ ବର୍ଷ ପରେ ସେହି ତିନୋଟିଯାକ ନୀତି (ଏହିସବୁ ନୀତି ମନୁଷ୍ୟେତର ପ୍ରାଣୀ ସହିତ ଭ୍ରାତୃତ୍ୱବୋଧର ସ୍ୱୀକୃତି ସୂଚାଉଛି) ଭାରତର ଅପର ଏକ ସମ୍ରାଟ୍‌ ଆକବରଙ୍କ ଦ୍ୱାରା ଅନୁସୃତ ହୋଇଥିଲା ।

 

ଯେଉଁ ଭାରତୀୟ ଧର୍ମଭାବର ପ୍ରଭାବ ଆକବରଙ୍କୁ ଏହି ତିନୋଟି ନୀତି ଗ୍ରହଣ କରିବାରେ ପ୍ରଣୋଦିତ କରିଥିଲା, ତାହା ଜଣେ ବୌଦ୍ଧଧର୍ମୀଠାରୁ ଆସି ନଥିଲା–ଆସିଥିଲା ଜଣେ ଜୈନଧର୍ମାବଲମ୍ୱୀଠାରୁ (ବୌଦ୍ଧଧର୍ମ ଆକବରଙ୍କ ସମୟର ପ୍ରାୟ ଚାରିଶହ ବର୍ଷ ପୂର୍ବରୁ ଭାରତରେ ଲୁପ୍ତ ହୋଇ ଯାଇଥିଲା) । ଯାହା ହେଉନା କାହିଁକି ଏହା ହେଉଛି ବିଶିଷ୍ଟ ଭାରତୀୟ ପ୍ରଭାବ । ଏହା କୁହାଯାଇପାରେ ଯେ ଆକବରଙ୍କର ଭାରତର ଜୀବନକାଳ ଭିତରେ ତାଙ୍କର ତୁର୍କୀ-ମନୋବୃତ୍ତି ଏହିପରି ଭାବରେ ଭାରତୀୟକରଣ ହୋଇଯାଇଥିଲା । ଭାରତୀୟ ଆଧ୍ୟତ୍ମିକଶକ୍ତି ଭାରତକୁ ଆସିଥିବା ବିଦେଶୀମାନଙ୍କୁ କିପରି ଭାବରେ ଆକର୍ଷଣ କରିପାରେ, ଏହା ହେଉଛି ତା’ର ଗୋଟିଏ ଅତି ଚିତ୍ତାକର୍ଷକ ନିଦର୍ଶନ । ତୈମୁର୍‌ଙ୍କର କ୍ଷଣସ୍ଥାୟୀ ଆକ୍ରମଣ ବ୍ୟତୀତ ଆକବରଙ୍କର ନିଜ ପିତାମହ ବାବରଙ୍କର ଭାରତ ଆକ୍ରମଣ ପର୍ଯ୍ୟନ୍ତ ଆକବରଙ୍କର ଆଉ କୌଣସି ପୂର୍ବପୁରୁଷ ଭାରତର ମାଟି ମାଡ଼ି ନଥିଲେ । ବାବର ନିଜେ ମଧ୍ୟ ତାଙ୍କୁ ଜୀବନର ଅଧିକାଂଶ ଦିନ ଖାଇବାର ପାଶ୍‌ର ପଶ୍ଚିମାଞ୍ଚଳରେ କଟାଇଥିବାରୁ କେବେହେଁ ଭାରତକୁ ନିଜ ଦେଶ ବୋଲି ଅନୁଭବ କରିପାରି ନ ଥିଲେ । ବାବରଙ୍କର ପୌତ୍ର ଆକବର ମଧ୍ୟ ମୁସଲମାନୀ ପରମ୍ପରା ଅନୁସାରେ ବଢ଼ିଥିଲେ । ଇଲାମ୍‌ଧର୍ମ ଭାରତୀୟ ଦର୍ଶନ ଓ ଧର୍ମମତ ତୁଳନାରେ ଇହୁଦୀ ଗୋଷ୍ଠୀର ଅନ୍ୟ ଦୁଇ ଧର୍ମମତ ପରି ସ୍ୱତନ୍ତ୍ରମନା ଓ ଅପର ମତପ୍ରତି ଅସହିଷ୍ଣୁ ଅଟେ । ତଥାପି ଆକବରଙ୍କ ମନରେ ଭାରତୀୟ ପ୍ରଭାବ ଏଡ଼େ ଗଭୀର ରେଖାପାତ କରିଥିଲା ଯେ, ସେ ନିଜ ଲାଗି ଆଉ ଏକ ଧର୍ମମତ ସୃଷ୍ଟି କରିଥିଲେ । ଆକରବଙ୍କର ଦିନ୍‌-ଇ-ଲାହୀର ଔଦାର୍ଯ୍ୟ ଓ ପ୍ରଶସ୍ତ ହୃଦୟବତ୍ତାର ବୈଶିଷ୍ଟ୍ୟ ସମ୍ପୂର୍ଣ୍ଣ ଭାରତୀୟ ଅଟେ ।

 

ଯଦିଚ ଆକବର ଅଶୋକଙ୍କ ପରି ପ୍ରାଣିହିଂସା ନିଷିଦ୍ଧ କରିଥିଲେ, ତଥାପି ଅଶୋକଙ୍କ ପରି ସେ ମନୁଷ୍ୟ ବିରୁଦ୍ଧରେ ସଂଗ୍ରାମ କରିବା ନିଷିଦ୍ଧ କରିନଥିଲେ । ବାସ୍ତବ ଦୃଷ୍ଟିକୋଣରୁ ଦେଖିଲେ ଏ କଥା ନିଃସନ୍ଦେହ ଯେ, ଅଶୋକଙ୍କଠାରୁ ଆକବରଙ୍କ ପକ୍ଷରେ ଏ କାମ କଷ୍ଟସାଧ୍ୟ ଥିଲା । ଅଶୋକ ଏକ ସୁପ୍ରତିଷ୍ଠିତ ସାମ୍ରାଜ୍ୟର ଉତ୍ତରାଧିକାରୀ ଥିଲେ । । ଆକବର ନିଜ ପିତାମହଙ୍କର ବିଜିତ ଓ ପୁଣି ପିତାଙ୍କଦ୍ୱାରା ବିନଷ୍ଟ ସାମ୍ରାଜ୍ୟର ପୁନରୁଦ୍ଧାର କରିଥିଲେ । ମନୁଷ୍ୟ ସାଙ୍ଗର ଯୁଦ୍ଧ କରିବା ନୀତି ସେ ଯଦି ପରିତ୍ୟାଗ କରିଥାଆନ୍ତେ, ତାହେଲେ ହୁଏତ ବା ବିନିମୟରେ ନିଜ ସିଂହାସନ ଏପରିକି ନିଜ ଜୀବନ ମଧ୍ୟ ଦେବାକୁ ପଡ଼ିଥାଆନ୍ତା । ତଥାପି ଆମେ ଅନୁମାନ କରିପାରୁ ଯେ, ଯଦି ଅଶୋକ ଦୈବଚକ୍ରରେ ନିଜ ସ୍ଥାନରେ ଜନ୍ମ ନହୋଇ ଆକବରଙ୍କ ସ୍ଥାନର ଜନ୍ମ ହୋଇଥାଆନ୍ତେ, ତା’ ହେଲେ ମଧ୍ୟ ସେ ନିଜେ ଯାହା କରିଥିଲେ ହୁଏତ ଠିକ୍‌ ସେହି କଥା କରିଥାଆନ୍ତେ ।

 

ଏହି ଆଣବିକ ଯୁଗରେ ଆମେ ଦେଶର ଶାସକବର୍ଗଙ୍କ ନିକଟରେ ଅଶୋକଙ୍କର ଆଦର୍ଶକୁ ସେମାନଙ୍କର ଆଦର୍ଶ ହିସାବରେ ଦେଖିବାକୁ ଚାହୁଁ । ଏକତା ବ୍ୟତୀତ ଆମେ ଆଉ କ୍ଷଣକଲାଗି ମଧ୍ୟ ତିଷ୍ଠିପାରିବା ନାହିଁ; କିନ୍ତୁ ବଳପ୍ରୟୋଗ ସାହାଯ୍ୟରେ ଏହି ଅପରିହାର୍ଯ୍ୟ ଲକ୍ଷ୍ୟର ଅନୁସରଣ କରିବା ଆଉ ଆମପକ୍ଷରେ ସମ୍ଭବ ନୁହେଁ । ଆମ ସମୟରେ ମାନବଜାତିକୁ ଏକତ୍ରିତ କରିବାର ଏକମାତ୍ର ପନ୍ଥା ହେଲା ହୃଦୟ ପରିବର୍ତ୍ତନ-ବଳ ପ୍ରୟୋଗ ନୁହେଁ । ଏହି ଆଣବିକ ଯୁଗରେ ଶକ୍ତି ପ୍ରୟୋଗ ଫଳରେ ଏକତ୍ରୀକରଣ ସମ୍ଭବ ନୁହେଁ; କେବଳ ଆତ୍ମବିନାଶ ହିଁ ଏହାର ଶେଷ ପରିଣାମ । ଅଶୋକଙ୍କ ତାଙ୍କ ସମୟରେ କେବଳ ବିବେକର ଅନୁଶାସନଦ୍ୱାରା ଅନୁପ୍ରାଣିତ ହୋଇ କାମ କରିଥିଲେ । ବର୍ତ୍ତମାନ ଯୁଗରେ ବିବେକ ତଥା ଭୟଦୃଷ୍ଟିରୁ ମଧ୍ୟ ଆମମାନଙ୍କ ପକ୍ଷରେ ଅଶୋକଙ୍କ ନୀତିର ବେଶି ଦରକାର ଅଛି ।

Image

 

ବିଶ୍ୱ-ଏକତା ଅଭିମୁଖରେ ଅଗ୍ରଗତି

 

ମୁଁ ମୋର ପ୍ରଥମ ବକ୍ତୃତାରେ ବିଶ୍ୱ-ଐକ୍ୟର ଆବଶ୍ୟକତା ବିଷୟରେ କହିବାକୁ ଯାଇ କହିଥିଲି ଯେ, ଯଦି ଯଥା ସମୟରେ ଆମେ ଏହି ଆବଶ୍ୟକତା ପୂରଣ କରିନପାରୁ, ତା’ ହେଲେ ଆତ୍ମବିନାଶ ହିଁ ମୋର ଶାସ୍ତି ହେବ । କେତେକ ପୁରାତନ ଗ୍ରୀକ୍‌-ଦାର୍ଶନିକମାନଙ୍କର ଧାରଣା ଅନୁସାରେ ଏବଂ ମୋର ବିଶ୍ୱାସ, ଏକାଧିକ ଭାରତୀୟ ଦାର୍ଶନିକମାନଙ୍କର ମଧ୍ୟ ସେହି ଧାରଣା ହୋଇଥିବ ଯେ-ପାର୍ଥିବ ବିଶ୍ୱର ଧ୍ୱଂସ ଅବଶ୍ୟମ୍ଭାବୀ ଏବଂ ମନୁଷ୍ୟ ଆଜି ସେହି ଶେଷ ପ୍ରଳୟର ଆସନ୍ନ ସମ୍ଭାବନା ମଧ୍ୟରେ ବଞ୍ଚିରହିଛି । ରୋମ୍‌ଦେଶର ଏପିକିଉରୀୟ ଦାର୍ଶନିକ ଓ କବି ଲୁତ୍ରେଶିୟଶଙ୍କ କଥାରେ କହିବାକୁ ଗଲେ-‘‘ମୃତ୍ୟୁହାର ବର୍ତ୍ତମାନ ସୁଦ୍ଧା ରୁଦ୍ଧ ହୋଇନାହିଁ-ଏବେ ମଧ୍ୟ ଏହା ଅତି ବୀଭତ୍ସ ଭାବରେ ଉନ୍ମକ୍ତ ହୋଇ ରହିଛି ଏବଂ ବିକଟ ଦନ୍ତପଂକ୍ତି ବିସ୍ତାର କରି ଆମକୁ ନିରୀକ୍ଷଣ କରୁଛି ।’’ ଆମେମାନେ ଜାଣୁ ଯେ ମାନବ ଜୀବନର ଆବଶ୍ୟକତ କେବେହେଲେ ଆପେ ଆପେ ପରିତୃପ୍ତ ହୋଇଯାଏ ନାହିଁ ଏବଂ ନିଜର ଅସ୍ତିତ୍ୱ ବିଲୁପ୍ତ ହେବାର ଆଶଙ୍କା ଥିଲେ ସୁଦ୍ଧା ଏହା ସମ୍ଭବ ନୁହେଁ । ତେଣୁ ମୁଁ ବର୍ତ୍ତମାନ ଆମର ଭବିଷ୍ୟ ସମ୍ଭାବନାଗୁଡ଼ିକର ଆଲୋଚନା କରିବି; ଯଦିଚ ଏଗୁଡ଼ିକ ବେଶ୍‌ ଅନିଶ୍ଚିତ ବୋଲି ସ୍ପଷ୍ଟ ଭାବରେ ଜଣାଯାଉଛି । ବର୍ତ୍ତମାନ ପରିସ୍ଥିତିରେ କେଉଁ ବିଷୟଗୁଡ଼ିକ ଅନୁକୂଳ ବା ପ୍ରତିକୂଳ ପରି ଜଣାଯାଉଛି, ସେ ବିଷୟରେ ଗୋଟିଏ ଅସ୍ପଷ୍ଟ ଧାରଣା କରିବା ଛଡ଼ା ଆଉ ଅଧିକ କିଛି କରିବା ଆଜି ଆମମାନଙ୍କ ପକ୍ଷରେ ସମ୍ଭବପର ନୁହେଁ ।

 

ପ୍ରଥମେ ଯେଉଁ ପ୍ରଶ୍ନଟି ମନକୁ ଆସୁଛି, ସମ୍ଭବତଃ ତାହା ମୋର ବର୍ତ୍ତମାନ ବକ୍ତୃତାର ଶିରୋନାମାରେ ସୂଚିତ ମୂଳ ନାମକରଣର ବିରୁଦ୍ଧାଚରଣ କରୁଛି । ‘ବିଶ୍ୱ-ଏକତା ଅଭିମୁଖରେ ଅଗ୍ରଗତି’ ବୋଲି ମୁଁ ଏହି ବକ୍ତୃତାର ନାମକରଣ କରିଛି । କିନ୍ତୁ ଏ ପ୍ରକାର ନାମକରଣକୁ ତ ମୂଳାରୁ ପ୍ରଶ୍ନ କରାଯାଇପାରେ । ସମସାମୟିକ ଘଟଣାସ୍ରୋତ କ’ଣ ସ୍ପଷ୍ଟ ସୂଚନା ଦେଉନାହିଁ ଯେ ଏପର୍ଯ୍ୟନ୍ତ ବିଶ୍ୱ-ଏକତା ପଥରେ ଅଗ୍ରସର ହେବା ପରିବର୍ତ୍ତେ ଆଧୁନିକ ବିଶ୍ୱ ଏହି ଲକ୍ଷ୍ୟଠାରୁ କେବଳ ଦୂରେଇଯାଉନି; କିନ୍ତୁ ଖୁବ୍‌ଦ୍ରୁତଗତିରେ ଦୂରେଇ ଯାଉଛି ।

 

ଉଦାହରଣସ୍ୱରୂପ ରାଜନୈତିକ କାର୍ଯ୍ୟକ୍ଷେତ୍ରରେ ଆମର ସମକାଳୀନ ସର୍ବାଧିକ ଉଲ୍ଲେଖଯୋଗ୍ୟ ଘଟଣା ବୋଲି କାହାକୁ କୁହାଯିବ ? ଏହାର ଉତ୍ତର ହେବ, ସାମ୍ରାଜ୍ୟ ସମୂହର ପତନ ଓ ସ୍ୱତନ୍ତ୍ର ଜାତୀୟ ରାଜ୍ୟଗୁଡ଼ିକର ସଂଖ୍ୟାବୃଦ୍ଧି । ୧୯୪୭ ମସୀହାଠାରୁ ଏହି ଉପମହାଦେଶର ଯାହା ଘଟିଛି, ତାହା ଏହି ବିଶ୍ୱବ୍ୟାପୀ କେନ୍ଦ୍ରାତିଗ ଆନ୍ଦୋଳନକୁ ନାଟକୀୟ ଭାବର ବର୍ଣ୍ଣିତ କରିଛି । ପୂର୍ବତନ ମୌର୍ଯ୍ୟ, ଗୁପ୍ତ ଓ ମୋଗଲ ରାଜତ୍ୱ ପରି ଭାରତରେ ବ୍ରିଟିଶ ରାଜତ୍ୱ ମଧ୍ୟ ଏହି ଉପମହାଦେଶକୁ ଗୋଟିଏ ଶାସନ-ସଂସ୍ଥାର ଅଧୀନରେ ଆଣି ଏହାକୁ ରାଜନୈତିକ ଦିଗରୁ ଏକତ୍ରିତ କରିପାରିଥିଲା । ବାସ୍ତବିକ୍ ବ୍ରିଟିଶ ରାଜତ୍ୱର ଶେଷ ଶତାବ୍ଦୀରେ ଏହି ଉପମହାଦେଶର ରାଜନୈତିକ ଏକତ୍ରୀକରଣ ପୂର୍ବେ ତିନିଥର ଘଟିଯାଇଥିବା ଏକତ୍ରୀକରଣଠାରୁ ବହୁତ ବ୍ୟାପକ ହୋଇପାରିଥିଲା; କିନ୍ତୁ ୧୯୪୭ ମସିହାରେ ବ୍ରିଟିଶ୍‌ମାନେ ନିଜେ ନିଜେ ଚାଲିଗଲାପରେ ବ୍ରିଟିଶ୍‌ ଭାରତସାମ୍ରାଜ୍ୟ ଗୋଟିଏ ରାଷ୍ଟ୍ର ପରିବର୍ତ୍ତେ ତିନୋଟି ରାଷ୍ଟ୍ରରେ ପରିଣତ ହେଲା । ଏଥିମଧ୍ୟରୁ ଭାରତ ଓ ପାକିସ୍ଥାନ ପରି ଦୁଇଟି ରାଷ୍ଟ୍ର ମଧ୍ୟରେ ସୀମରେଖା ଟଣାହୋଇଥିଲା । ଏହି ସୀମାରେଖା, ୧୯୧୮ ମସିହାରେ ହ୍ୟାପସ୍‌ବୁର୍ଗ ରାଜବଂଶର ପତନ ପରେ ପୂର୍ବ-ୟୁରୋପରେ ଟଣାହୋଇଥିବା ସୀମାନ୍ତରେଖା ପରି କୃତ୍ରିମ ଓ ଅବାସ୍ତବ । ତା’ଛଡ଼ା ବାଦବିସମ୍ୱାଦପୂର୍ଣ୍ଣ କାଶ୍ମୀର ତ ରହିଛି–ଯାହା ବିଷୟରେ ତ ଆଜିଯାଏଁ କୌଣସି ରାଜନାମା ହୋଇପାରିନାହିଁ । ବର୍ତ୍ତମାନ ଭାରତର ଅବିସମ୍ୱାଦ୍ୟ ସୀମାନ୍ତ ମଧ୍ୟରେ ଆହୁରି ଗୋଟିଏ କେନ୍ଦ୍ରାତିଗ ଆନ୍ଦୋଳନ ଆରମ୍ଭ ହୋଇଛି । ଯେତେଦୂର ସମ୍ଭବ, ବିଭିନ୍ନ ଆଞ୍ଚଳିକ ଭାଷଭାଷୀଙ୍କ ରାଜ୍ୟ ଅନୁସାରେ ପ୍ରଦେଶ ଗଠନ ନୀତି ଉପରେ ଦୃଷ୍ଟି ରଖି ଭାରତର ଆଭ୍ୟନ୍ତରୀଣ ଶାସନ ସଂକ୍ରାନ୍ତୀୟ ମାନଚିତ୍ରର ପୁନରଙ୍କନ ହୋଇଛି ।

 

ଏହି ପରିବର୍ତ୍ତନ ରୀତି ମଧ୍ୟ ପୂର୍ବ-ୟୁରୋପୀୟ ଧରଣର ପରିବର୍ତ୍ତନ ପରି ମନେ ହେଉଛି । ଏହା ଭାରତରେ ଏକ ପୂର୍ବ-ୟୁରୋପୀୟ ଆଦର୍ଶବାଦର ପ୍ରୟୋଗ-ଯେଉଁ ଆଦର୍ଶ ବାଦକୁ ଭାଷାଭିତ୍ତିକ ଜାତୀୟତାବାଦ ବୋଲି କହିଦେବ ଏବଂ ଭାଷାଭିତ୍ତିକ ଜାତୀୟତାବାଦର ଆକାଙ୍‌କ୍ଷା ପୂରଣ କରିବା ଉଦ୍ଦେଶ୍ୟରେ ରାଜନୈତିକ ମାନଚିତ୍ରର ପୁନରଙ୍କନ କରିବା ଫଳର ଭାରତରେ ମଧ୍ୟ ପୂର୍ବ-ୟୁରୋପ ପରି କନ୍ଦଳ ଓ ଅସନ୍ତୋଷ ବଢ଼ିଚାଲିଛି । ଏହି ଦୁଃଖଦାୟକ ପରିଣାମକୁ ଏଡ଼ାଇବା ଅସମ୍ଭବ । ଜଣେ ଯେତେ ଆନ୍ତରିକତା ଓ ସାବଧାନତାର ସହିତ ଏହି ନୂତନ ସୀମାରେଖା ଟାଣୁନା କାହିଁକି, ସବୁବେଳେ କେତେକ ସଂଖ୍ୟାଲଘୁ ଦଳୂ ଲୋକ ସୀମାର ଅନ୍ୟପଟେ ରହିଯିବା ସୁନିଶ୍ଚିତ ଏବଂ ଏହି ସୀମା ନେଇ ଉପୁଜିଥିବା ସମସ୍ୟାଗୁଡ଼ିକ ବ୍ୟବସାୟ-ବାଣିଜ୍ୟ-ସମୃଦ୍ଧ ମହାନଗରୀଗୁଡ଼ିକରେ ବିଶେଷ ଭାବରେ ମାରାତ୍ମକ ଆକାର ଧାରଣ କରିବାକୁ ବାଧ୍ୟ । ଉଦାହରଣସ୍ୱରୂପ ବମ୍ୱେ କଥା ଦେଖିଲେ ଜଣାଯିବ ଯେ ଏହି ବିରାଟ ଆୟତନର ମହାନଗରୀରେ ବସବାସ କରିବା ଲାଗି ନିଜ ନିଜ ଆଞ୍ଚଳିକ ଭାଷାଗତ ସୀମାନ୍ତ ଅତିକ୍ରମ କରି ବହୁ ଦୂରଦୂରାନ୍ତରରୁ ଲୋକମାନେ ଆସି ରହିଛନ୍ତି । ଏହା ମଧ୍ୟ ନିଃସନ୍ଦେହରେ କୁହାଯାଇପାରେ ଯେ ଭାଷାଭିତ୍ତିରେ ଭାରତରେ ଏ ପ୍ରକାର ବିବାଦମୂଳକ ବିଭକ୍ତିକରଣ ଅବଶ୍ୟମ୍ଭାବୀ ଥିଲା । ଏ କଥା ପ୍ରାୟ ପୃଥିବୀର ଚାରିଆଡ଼େ ଘଟୁଛି । ଉଦାହରଣସ୍ୱରୂପ ବର୍ମାରେ ମଧ୍ୟ ଏ ପ୍ରକାର ଘଟଣା ସ୍ଵଳ୍ପାକାରରେ ଘଟିଛି । ଏହା ଅବଶ୍ୟମ୍ଭାବୀ । କାରଣ ଗଣତନ୍ତ୍ରର କାର୍ଯ୍ୟକାରିତା ଲାଗି ଏ ପ୍ରକାର ଅବସ୍ଥା ଅତ୍ୟନ୍ତ ପ୍ରୟୋଜନୀୟ ଏବଂ ଆମ ସମୟରେ ଗଣତାନ୍ତ୍ରିକ ଶାସନସଂସ୍ଥା ଗୋଟିଏ ପରେ ଗୋଟିଏ ଦେଶରେ ପ୍ରବର୍ତ୍ତିତ ହେଉଛି । ଗଣତନ୍ତ୍ରକୁ ଫଳପ୍ରଦ କରିବାକୁ ହେଲେ ରାଜନୈତିକ ବିଭାଗଗୁଡ଼ିକ ଯେତେଦୂର ସମ୍ଭବ ବିଭିନ୍ନ ଭାଷାଞ୍ଚଳ ସହିତ ସମାନ ହେବା ଉଚିତ । କାରଣ ପୃଥିବୀର ଅଧିକାଂଶ ଲୋକେ କେବଳ ନିଜର ମାତୃଭାଷା ବୁଝନ୍ତି ଓ କହିପାରନ୍ତି । ବର୍ତ୍ତମାନ ସୁଦ୍ଧା ଦ୍ୱିଭାଷୀ ବା ବହୁଭାଷୀ ବ୍ୟକ୍ତିମାନେ ପୃଥିବୀର ଜନସଂଖ୍ୟାର ଏକ ଅତି କ୍ଷୁଦ୍ର ସଂଖ୍ୟାଲଘୁ ସମ୍ପ୍ରଦାୟର ଅନ୍ତର୍ଭୁକ୍ତ-

 

ତେଣୁ ବର୍ତ୍ତମାନର ରାଜନୈତିକ ବିଭକ୍ତିକରଣ ପ୍ରକ୍ରିୟା ଖୁବ୍‌ପ୍ରୟୋଜନୀୟ ବୋଲି ଜଣାଯାଉଛି; କିନ୍ତୁ ପ୍ରୟୋଜନୀୟ ବୋଲି ଏହି ପ୍ରକ୍ରିୟା କୌଣସି ଅଂଶରେ ବିଶୃଙ୍ଖଳ ହେବା କଥା ନୁହେଁ । ଏହା ଅବଶ୍ୟମ୍ଭାବୀ ହେଉ ନା ନହେଉ, ଏ ପ୍ରକାର ବିଶୃଙ୍ଖଳା ବର୍ତ୍ତମାନ ପୃଥିବୀରେ ଅତି ସ୍ପଷ୍ଟ । ତେଣୁ ପୃଥିବୀର ଲୋକେ ଏ ପର୍ଯ୍ୟନ୍ତ ମାନବଜାତିର ଏକତା ସମ୍ବନ୍ଧରେ ସଚେତନ ହେବା ପରିବର୍ତ୍ତେ ନିଜ ଅନ୍ୟଠାରୁ ସ୍ୱତନ୍ତ୍ର ବୋଲି କ୍ରମଶଃ ବେଶି ବେଶି ସଚେତନ ହୋଇ ଉଠୁଛନ୍ତି ବୋଲି କହିବା କ’ଣ ସତ ନୁହେଁ ? ଏହା କେବଳ ବ୍ୟକ୍ତିଗତ ଚେତନା କଥା ନୁହେଁ; ସ୍ୱାତନ୍ତ୍ର୍ୟ ସମ୍ବନ୍ଧରେ ଏହି ଚେତନା ଜାତୀୟତାବୋଧକୁ ଜାଗ୍ରତ କରିଛି । ଉଦାହାରଣସ୍ୱରୂପ ଭାରତ, ପାକିସ୍ଥାନ, ବର୍ମା ଏବଂ ସିଂହଳରେ ମଧ୍ୟ ସ୍ୱାଧୀନତା ପରେ ପରେ ନିଜର ମାତୃଭାଷାଭାଷୀ ଗୋଷ୍ଠୀପ୍ରତି ଏକ ଆବେଗପ୍ରବଣ ଆନୁଗତ୍ୟର ବିକାଶ ଲାଭ କରିଛି । ଯଦିଚ ଏହା ୟୁରୋପର ଏକ ପୁରାତନ ସମସ୍ୟା-ଏସିଆରେ ଏ ସମସ୍ୟା ନୂତନ । ଭାରତର ବମ୍ୱେ ପ୍ରଦେଶରେ ମରାଠୀ, ଗୁଜରାଟୀମାନଙ୍କ ଭିତରେ ପ୍ରଚୁର ବିଦ୍ୱେଷ ଦେଖାଦେଇଛି । ଏଥିସହିତ ସମାନ୍ତରାଳଭାବରେ କାଶ୍ମୀର ଯୋଗୁଁ ଭାରତୀୟ ଓ ପାକିସ୍ଥାନୀମାନଙ୍କ ମଧ୍ୟରେ ଏବଂ ତିବ୍ବତପ୍ରତି ଚୀନ୍‌ର ବ୍ୟବହାର ଓ ଭାରତ-ଚୀନ୍‌ସୀମାନ୍ତ ନେଇ ଭାରତୀୟ ଓ ଚୀନାମାନଙ୍କ ମଧ୍ୟରେ ମଧ୍ୟ ବିଦ୍ୱେଷ ଦେଖାଦେଇଛି ।

 

ଯଦି କେହି ବିଶ୍ୱ-ଏକତା ଲାଗି ଆଗ୍ରହୀ ଥାଏ-କାରଣ ସେ ବିଶ୍ୱାସ କରେ ଯେ ଏହା ପରିବର୍ତ୍ତରେ ଏକ ପୃଥିବୀବ୍ୟାପୀ ବିପର୍ଯ୍ୟୟ ଅବଶ୍ୟମ୍ଭାବୀ-ତାହାହେଲେ ସେ କଦାପି ନିଜକୁ ଆତ୍ମତୁଷ୍ଟି ଓ ଅବାସ୍ତବ ଚିନ୍ତାରେ ମଜ୍ଜି ରହିବାକୁ ଛାଡ଼ି ଦେବନାହିଁ । ସାବଧାନତାର ସହିତ ବିପରୀତ-ପ୍ରବାହୀ ଘଟଣାସ୍ରୋତଗୁଡ଼ିକୁ ଲକ୍ଷ୍ୟ କରି ଏବଂ ସେ ସବୁ ଶକ୍ତିକୁ ସାମାନ୍ୟ ବୋଲି ଧରି ନିଆଯାଉନାହିଁ ବୋଲି ନିଜକୁ ନିଃସନ୍ଦେହ କରିବା ନିତାନ୍ତ ଆବଶ୍ୟକ । ଏକଥା କରିବା ନିତାନ୍ତ ଆବଶ୍ୟକ । କାରଣ ତାହହେଲଷ ଯାଇ ଜଣେ ବର୍ତ୍ତମାନର କେନ୍ଦ୍ରାତିଗ ଓ କେନ୍ଦ୍ରାଭିଗ ପ୍ରବଣତାର ବିଭିନ୍ନ ଶକ୍ତିକୁ ଯଥାଯଥ ଭାବରେ ବିବେଚନା କରିପାରିବ ।

 

ତା ହେଲେ କେଉଁ ଶକ୍ତିଗୁଡ଼ିକ ବିଭେଦର ସମ୍ଭାବନା ସୃଷ୍ଟି କରୁଛି ? ଏଥିପୂର୍ବରୁ ଆମେ ସେ ଭିତରୁ ଗୋଟିକୁ ଚିହ୍ନିତ କରିପାରିଛୁ । ଗଣତନ୍ତ୍ରରୁ ପରୋକ୍ଷଭାବରେ ଭାଷାଗତ ଜାତୀୟତାବାଦର ଉତ୍ପତ୍ତି ହୋଇଛି । ଆଜି ଏସିଆ, ଆଫ୍ରିକା, ଲାଟିନ୍‌-ଆମେରିକାରେ ଯେଉଁ ଜାତୀୟତାବାଦ ଦେଖାଦେଇଛି, ତାହା ଅଧୁନାତନ ରାଜନୈତିକ ଘଟଣାବଳୀର ପ୍ରତିକ୍ରିୟା ରୂପରେ ଦେଖାଦେଇଛି । ପୃଥିବୀପୃଷ୍ଠର ବହୁ ବୃହତ୍‌ ଭୂଖଣ୍ଡ ଓ ପୃଥିବୀର ଜନସଂଖ୍ୟାର ଏକ ଅତି ବୃହତ୍‌ ଅଂଶ ଆଟ୍‌ଲାଣ୍ଟିକ୍‌ ଉପକୂଳବର୍ତ୍ତୀ ୟୁରୋପୀୟ ଉପଦ୍ୱୀପରେ ଅବସ୍ଥିତ ପୁରାତନ ୟୁରୋପର ସାମାନ୍ୟ କେତୋଟି କ୍ଷୁଦ୍ର ରାଜ୍ୟଦ୍ୱାରା ଶାସିତ ହେଉଥିଲେ । ପୃଥିବୀକୁ ଆବୃତ କରି ରହିଥିବା ୟୁରୋପୀୟ ଔପନିବେଶିକ ସାମ୍ରାଜ୍ୟର ଏହି ଉର୍ଣ୍ଣୀଜଜାଳ ଏକ ଅସ୍ୱାଭାବିକ ରାଜନୈତିକ ଘଟଣା ଏବଂ ବର୍ତ୍ତମାନ ପ୍ରମାଣିତ ହୋଇଯାଇଛି ଯେ ଏହା କେବଳ ଅସ୍ୱାଭାବିକ ନୁହେଁ, କ୍ଷଣସ୍ଥାୟୀ ମଧ୍ୟ । ଆମର ଜୀବନକାଳ ମଧ୍ୟରେ ଏହି ଔପନିବେଶିକ ସାମ୍ରାଜ୍ୟଗୁଡ଼ିକର ପତନ ଘଟୁଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ସମୟରୁ ସେମାନଙ୍କର ପରିସମାପ୍ତି ଅତି ଦ୍ରୁତ ଗତିରେ ଘଟିଚାଲିଛି । ପ୍ରକୃତରେ କହିବାକୁ ଗଲେ ପୃଥିବୀର ରାଜନୈତିକ ମାନଚିତ୍ର ବର୍ତ୍ତମାନ ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରିଆସୁଛି ।

 

ଘଟଣାବଳୀ ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରିଆସୁଛି ବୋଲି କହିବାର ଅର୍ଥ ହେଲା ଯେ ପଶ୍ଚିମ-ୟୁରୋପୀୟ ଔପନିବେଶିକ ଯୁଗରେ ଯେପରି ଭାବରେ ମାନବଜାତିର ଏକ ବୃହତ୍‌ ଅଂଶ ବିଦେଶୀ ଶାସନ ଅଧୀନରେ ରହୁଥିଲେ, ସେପରି ରହିବାଟା ଅସ୍ୱାଭାବିକ । ଅନ୍ୟପକ୍ଷରେ ପୃଥିବୀ ସ୍ୱାଭାବିକ ଅବସ୍ଥାକୁ ଫେରିଆସୁଛି ବୋଲି କହିବାର ଅର୍ଥ ଏହି ଯେ, ପୃଥିବୀ ପୁଣି ପଶ୍ଚିମ-ୟୁରୋପୀୟ ଔପନିବେଶିକ ସାମ୍ରାଜ୍ୟ ସ୍ଥାପିତ ହେବାର ପୂର୍ବ ଅବସ୍ଥାକୁ ଫେରିଆସୁଛି । ମାନବଜାତିର ଯେଉଁ ପ୍ରକାର ରାଜନୈତିକ ଏକତା’ର ପ୍ରୟୋଜନଥିଲା, ତାହା ଏହି ସମ୍ରାଜ୍ୟଗୁଡ଼ିକ ଦେବାକୁ ସମର୍ଥ ନ ଥିଲେ-କାରଣ ରାଜନୈତିକ ବୈଷମ୍ୟ ଉପରେ ହିଁ ଏଗୁଡ଼ିକର ଭିତ୍ତି ଗଢ଼ିଉଠିଥିଲା । ସୁତରାଂ ଏଗୁଡ଼ିକ ଥିଲା ଯେପରି ବାଲିତିଆରି ଘର । ତା ଛଡ଼ା ଏହି ସାମାନ୍ୟ ଛଅ ସାତଟା ଦେଶ ନିଜ ନିଜ ଭିତରେ ପ୍ରତିଯୋଗିତାରେ ମାତି ରହିଥିଲେ । ତେଣୁ ଔପନିବେଶିକ ସାମ୍ରାଜ୍ୟର ରାଜନୈତିକ ସଂସ୍ଥା ଯେପରି ଭାବରେ ଭାଙ୍ଗିପଡ଼ିଛି, ସେପରି ଭାଙ୍ଗିଯିବାଟା କୌଣସି ବିସ୍ମୟଜନକ ବ୍ୟାପାର ନୁହେଁ । କିନ୍ତୁ ଏହି ସାମ୍ରାଜ୍ୟ ଗୁଡ଼ିକ କେବଳ ଏକ ରାଜନୈତିକ ସଂଗଠନ ନଥିଲା । ଏଗୁଡ଼ିକ ବିଭିନ୍ନ ସଂସ୍କୃତିର ମିଳନ, ମିଶ୍ରଣ ଓ ସାଂସ୍କୃତିକ ବିନିମୟରୁ ଯୋଗସୂତ୍ର ହୋଇ ଉଠିଥିଲା । ଏ କଥା ସ୍ପଷ୍ଟ ଯେ, ଏହି ସାଂସ୍କୃତିକ କ୍ଷେତ୍ରରେ ହିଁ ଏହି ଅସ୍ୱାଭାବିକ ଓ କ୍ଷଣସ୍ଥାୟୀ ରାଜନୈତିକ ବିଲୟର ପ୍ରଭାବ ଦୀର୍ଘସ୍ଥାୟୀ ହେବ ଏବଂ ଖୁବ୍‌ ପ୍ରାଧାନ୍ୟ ମଧ୍ୟ ଲାଭ କରିବ ।

 

ଯେତେବେଳେ ଆମେ ବର୍ତ୍ତମାନ ଯୁଗର ଜାତୀୟତାବାଦର ନଞର୍ଥକ ଦିଗରୁ ଅସ୍ତ୍ୟର୍ଥକ ଦିଗକୁ ଦୃଷ୍ଟି ପକାଉଛୁ, ସେତେବେଳେ ଆମ ଆଗରେ ଏ କଥାର ମମାର୍ଥ କ୍ରମଶଃ ପରିଷ୍କାର ହୋଇଉଠୁଛି । ନଞର୍ଥକ ଦୃଷ୍ଟିକୋଣରୁ ଏହି ଜାତୀୟତାବାଦ ବିଦେଶୀ ଶାସନର ରାଜନୈତିକ ଅସ୍ୱାଭାବିକତା ବିରୁଦ୍ଧରେ ଏକ ବିଦ୍ରୋହ ଏବଂ ଏହି ବିଦ୍ରୋହ ସ୍ୱାଭାବିକ ଓ ସୁସ୍ଥ । ଅପର ଦିଗରୁ ଦେଖିଲେ ପୁଣି ଏହି ଜାତୀୟତାବାଦ ହେଲା ବିଶ୍ୱବ୍ୟାପୀ ଏକ ଆଧୁନିକ ସମାଜରେ ପ୍ରବେଶ କରିବାର ଆନ୍ଦୋଳନ । ଏକ ନୂତନ ବିଶ୍ୱବ୍ୟାପୀ ଆଧୁନିକ ସଭ୍ୟତାପ୍ରତି ଥିବା ସାଧାରଣ ଆନୁଗତ୍ୟ ଉପରେ ଏହି ସମାଜ ଗଢ଼ିଉଠିଛି । ଯେତେବେଳେ ଏହି ବିଶ୍ୱସଭ୍ୟତାର ଅଭିବୃଦ୍ଧି ଘଟିବ, ସେତେବେଳେ ଇତିହାସପ୍ରସିଦ୍ଧ ସମସ୍ତ ଆଞ୍ଚଳିକ ସଭ୍ୟତାଗୁଡ଼ିକର ସର୍ବପ୍ରଧାନ ସାଂସ୍କୃତିକ ଅବଦାନଗୁଡ଼ିକୁ ଗ୍ରହଣ ତଥା ଆତ୍ମଭୂତ କରି ଏହା ନିଃସନ୍ଦେହରେ କ୍ରମଶଃ ସମୃଦ୍ଧ ହୋଇଉଠିବ । କିନ୍ତୁ ପ୍ରଥମ ଅବସ୍ଥାରେ ଯେଉଁ ଉପସ୍ଥିତ ମୂଳଧନକୁ ନେଇ ଏହି ନୂତନ ବିଶ୍ୱସଭ୍ୟତା ବ୍ୟବସାୟ ଆରମ୍ଭ କରିଛି, ସେହି ମୂଳଧନ ମୁଖ୍ୟତଃ ଏକ ବିଶେଷ ଆଞ୍ଚଳିକ ସଭ୍ୟତା ଏବଂ ଏହା ହେଉଛି ପାଶ୍ଚାତ୍ୟ ସଭ୍ୟତାର ଅବଦାନ । ଏହାର ଐତିହାସିକ କାରଣ ଅତି ସ୍ପଷ୍ଟ । ଆଧୁନିକ ଯୁଗରେ ମାନବଜାତିକୁ ଏକତ୍ରିତ କରିବାରେ ପାଶ୍ଚାତ୍ୟଜାତି ଆଗଭର ହୋଇଛି । ତେଣୁ ଏହା ସ୍ୱାଭାବିକ ଯେ ଆରମ୍ଭରେ ଏହି ନୂତନ ବିଶ୍ୱସଭ୍ୟତା ଉପରେ ପାଶ୍ଚାତ୍ୟ ରୀତିର ପ୍ରଭାବ ସମଧିକ ହେବ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ, ଆମର ଏହି ଆଧୁନିକ ସଭ୍ୟତାର ଜନ୍ମ ପାଶ୍ଚାତ୍ୟ ଦେଶରେ ହୋଇଥିଲେ ସୁଦ୍ଧା ଅଧିକ ସଂଖ୍ୟକ ଅଣପାଶ୍ଚାତ୍ୟ ଦେଶବାସୀ ଏହାକୁ ଗ୍ରହଣ କରିବାରେ କୁଣ୍ଠିତ ହୋଇନାହାନ୍ତି ।

 

ଗୋଟିଏ ପରେ ଗୋଟିଏ ନୂଆକରି ସ୍ୱାଧୀନ ହେଉଥିବା ପୃଥିବୀର ବହୁ ଦେଶ ନିଜର ରାଜନୈତିକ ମୁକ୍ତି ପାଇଲା ମାତ୍ରକେ-ସ୍ୱଇଚ୍ଛାରେ ଭାବିଚିନ୍ତି ନିଜ ଭାଗ୍ୟ ନିଜେ ନିଧାର୍ଯ୍ୟ କରିବାକୁ ଯାଉଥିବାବେଳେ-ଏହି ପାଶ୍ଚାତ୍ୟ ସଭ୍ୟତା ଗ୍ରହଣ କରିନେଇଥିବା ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ଘଟଣା । ରାଜନୈତିକ କ୍ଷେତ୍ରରେ ସଦ୍ୟମୁକ୍ତ ଜାତିମାନଙ୍କର ଜାତୀୟତା ପାଶ୍ଚାତ୍ୟ ଶକ୍ତିର ରାଜନୈତିକ ଆଦର୍ଶର ନାଆଁରେ ହିଁ ଏ ପ୍ରକାର ବିରୁଦ୍ଧାଚରଣ ପରିଚାଳିତ ହୋଇପାରୁଛି । ଏହି ପାଶ୍ଚାତ୍ୟ ରାଜନୈତିକ ଆଦର୍ଶବାଦର (ଅବଶ୍ୟ ମୁଁ ଏହାଦ୍ୱାରା ପାଶ୍ଚାତ୍ୟ ଗଣତନ୍ତ୍ର କଥା କହୁଛି-ତା’ର ପ୍ରତିଦ୍ୱନ୍ଦ୍ୱୀ ପାଶ୍ଚାତ୍ୟ ଏକଛତ୍ରବାଦ କଥା କହୁନି) ଜନ୍ମ ହୋଇଛି ସେହି ନୈତିକ ଆଦର୍ଶରୁ, ଯେଉଁ ନୈତିକ ଆଦର୍ଶ ସବୁ ମଣିଷଙ୍କଠାରେ ରହିଛି ଏବଂ ସେହି ଆଦର୍ଶବାଦର ନାଆଁରେ ସାଂସ୍କୃତିକ କ୍ଷେତ୍ରରେ ଅଣପାଶ୍ଚାତ୍ୟ ଜାତିମାନଙ୍କର ଜାତୀୟ ଆନ୍ଦୋଳନ ନିଜ ଦେଶର ପୁରାତନ ସଂସ୍କାରରେ ଥିବା ବିରୋଧୀ ଭାବଧାରାକୁ ମଧ୍ୟ ଆଘାତ କରୁଛି ।

 

ଅଣପାଶ୍ଚାତ୍ୟ ଦେଶଗୁଡ଼ିକରେ ଦେଖାଦେଇଥିବା ସମସାମୟିକ ବିପ୍ଳବ ପ୍ରକୃତପକ୍ଷରେ ଦୁଇଭାଗରେ ବିଭକ୍ତ ଏବଂ ଏକା ସମୟରେ ଘଟୁଥିବା ଏହି ଦୁଇ ପ୍ରକାରର ବିପ୍ଳବ ଭିତରୁ ଆଧୁନିକ ଯୁଗ ପୂର୍ବରୁ ନିଜ ଦେଶରେ ଗଡ଼ିଆସୁଥିବା ଧାରା ବିରୁଦ୍ଧରେ ପାଶ୍ଚାତ୍ୟ ଭାବଧାରାରେ ଅନୁପ୍ରାଣିତ ନୈତିକ ବିଦ୍ରୋହ ସହିତ ତୁଳନା କରି ଦେଖିଲେ ରାଜନୈତିକ ବିଦ୍ରୋହ ଅପେକ୍ଷାକୃତ ମୃଦୁ ଓ ଅଗଭୀର ଆନ୍ଦୋଳନ ପରି ଜଣାଯିବ । ଏହି କ୍ଷେତ୍ରରେ ନୂଆକରି ସ୍ୱାଧୀନ ହୋଇଥିବା ଦେଶଗୁଡ଼ିକ ଖୁବ୍‌ଶୀଘ୍ର ନିଜର ପାରମ୍ପରିକ ଜୀବନଯାତ୍ରାର ଆମୂଳ ପରିବର୍ତ୍ତନ ସାଧନରେ ଉଦ୍ୟତ ହେଉଛନ୍ତି-ପୂର୍ବତନ ଔପନିବେଶିକ ଶାସକମାନେ ଯେଉଁ ପରିବର୍ତ୍ତନ କଥା କଳ୍ପନା କରି ନ ଥିଲେ ବା ପ୍ରବର୍ତ୍ତନ କରିବାକୁ ଉଦ୍ୟତ ହୋଇ ନ ଥିଲେ, ଏହି ପରିବର୍ତ୍ତନସବୁ ତାହାଠାରୁ ବହୁତ ବେଶୀ ବିପ୍ଳବାତ୍ମକ । ଆଞ୍ଚଳିକ ବହୁ ନୈତିକ ଓ ସଂସ୍କାରଗତ ପରମ୍ପରା ସହିତ ଏ ପ୍ରକାର ସମ୍ପର୍କରହିତ ହେବାଟା ଆମ ସମୟର ଏକ ବିରାଟ ବୈପ୍ଳବିକ ପରିବର୍ତ୍ତନ । ପ୍ରଚଳିତ ପ୍ରଥା ବିରୁଦ୍ଧରେ ପରିଚାଳିତ ବିଦ୍ରୋହ ମାନବଜାତିକୁ ପ୍ରାରମ୍ଭି ରାଜନୈତିକ ବିପ୍ଳବର ଭାବଧାରାର ପ୍ରତିକୂଳରେ ଚାଳିତ କରୁଛି । ଏହା ଏକତାରୁ ଦୂରକୁ ଆମକୁ ନେଇଯାଉନି, ବରଂ ଏକତା ଅଭିମୁଖରେ ଆଗେଇ ନେଉଛି । ମାନବର ଜୀବନଯାତ୍ରାରେ ରାଜନୀତି ଅପେକ୍ଷା ଯେହେତୁ ସଭ୍ୟତାର ଗୁରୁତ୍ୱ ବେଶି, ସେଥିଲାଗି ମୁଁ ଭାବୁଛି ଯେ ନୀତି ଓ ସଂସ୍କୃତିର ଏକତାଭିମୁଖୀ ପ୍ରବାହ, ବିଶୃଙ୍ଖଳାପ୍ରବଣ ରାଜନୈତିକ ପ୍ରବାହ ଉପର ଜୟଯୁକ୍ତ ହେବ । ଏପରିକି ରାଜନୈତିକ କ୍ଷେତ୍ରରେ ମଧ୍ୟ ସ୍ୱାଧୀନତା ପାଇଲାପରେ ଏକତାପନ୍ଥୀ ଆନ୍ଦୋନଳର ପ୍ରଭାବ ସୁପରିସ୍ଫୁଟ ହୋଇଉଠିଛି । କେନ୍ଦ୍ରାତିଗ ରାଜନୈତିକ ଆନ୍ଦୋଳନ ଅନ୍ୟ ଏକ ବିଦେଶୀ ଜାତିର ପ୍ରଧାନ୍ୟ ବିସ୍ତାର ବା ଶାସନ ବିରୁଦ୍ଧରେ ଦେଖାଦେଇଛି; କିନ୍ତୁ ପରସ୍ପର ନିର୍ଭରତା ସହିତ ସ୍ୱାଧୀନତା ବିରୁଦ୍ଧାତ୍ମକ ନୁହେଁ ଏବଂ ବାସ୍ତବିକ ସ୍ୱାଧୀନତା ପାଇଲାପରେ ପରସ୍ପର ଉପରେ ନିର୍ଭର କରିବାଟା ବିଶେଷଭାବରେ ପ୍ରୟୋଜନ ହୋଇପଡ଼ୁଛି ଏବଂ ଏହା ଯେ କେବଳ ପ୍ରୟୋଜନ ତା’ ନୁହେଁ, ଏହା ଏକ ବାସ୍ତବ ଘଟଣାରୂପେ ଦେଖାଦେଇଛି । ଗୋଟିଏ ରାଷ୍ଟ୍ର ଆଧୁନିକ ପୃଥିବୀର ଜଟିଳ ପରିସ୍ଥିତି ଭିତରେ ନିଜର ବିଷୟ ସ୍ୱାଧୀନ ଭାବରେ ବୁଝିବାକୁ ଆରମ୍ଭ କଲାବେଳେ ତା’ର ବହୁପ୍ରକାରର ବୈଷୟିକ ସାହାଯ୍ୟ ଓ ଅଭିଜ୍ଞ ପରାମର୍ଶ ଦରକାର ହୁଏ । ନିଜକୁ ନିଜେ ଚଳାଇପାରିବାର ଉପାୟ ଯାହା ସାହାଯ୍ୟରେ ସେ ପାଇପାରିବ, ସେହି ପ୍ରକାର ସାହାଯ୍ୟ ହିଁ ତା’ର ସବୁଠାରୁ ବେଶି ଦରକାର ପଡ଼େ । ନୂଆ ହୋଇ ସ୍ୱାଧୀନ ହୋଇଥିବା ଦେଶଗୁଡ଼ିକ ସାଧାରଣତଃ ମୂଳରୁ ନିଜର ସ୍ୱାଧୀନତା ବିଷୟରେ ଅତ୍ୟନ୍ତ ସୂକ୍ଷ୍ମଭାବରେ ପ୍ରତିକ୍ରିୟାନ୍ୱିତ ଦେଖାଯାନ୍ତି । ଯେଉଁଠି ସ୍ୱାଧୀନତା ବ୍ୟାହତ ହେବାର ବା ଖର୍ବ ହେବାର ସମ୍ଭାବନା ରହିଛି, ସେସବୁ ବିଷୟ ଏଡ଼ି ସେମାନେ ସର୍ବଦା ତୀକ୍ଷ୍‌ଣ ଦୃଷ୍ଟି ରଖିଥାଆନ୍ତି; ଅଥଚ ଏହି ସ୍ୱାଭାବିକ ସମ୍ବେଦନଶୀଳତା ଜାତିସଂଘ ବା ଜାତିସଂଘର ବିଭିନ୍ନ ସଂସ୍ଥା ନିକଟରୁ ସାହାଯ୍ୟ ଓ ଉପଦେଶ ଲୋଡ଼ିବାରେ ସେମାନଙ୍କପକ୍ଷରେ କେବେ ହେଁ ବାଧା ହୋଇ ଠିଆହୋଇନାହିଁ । ପଶ୍ଚିମ-ୟୁରୋପୀୟ ଔପନିବେଶିକ ସାମ୍ରାଜ୍ୟଗୁଡ଼ିକ ଅବସାନ ହୋଇଯିବାଦ୍ୱାରା ପୃଥିବୀର ରାଜନୈତିକ କ୍ଷେତ୍ରରେ ଯେଉଁ ଶୂନ୍ୟତା ସୃଷ୍ଟି ହୋଇଛି, ସେହି ଶୂନ୍ୟତା କେବେ ହେଁ ପୂରାପୂରି ଭାବରେ ଏଇ ବିଲୟମାନ ସାମ୍ରାଜ୍ୟର ଉତ୍ତରାଧିକାରୀ ରାଷ୍ଟ୍ରଗୁଡ଼ିକର ଜାତୀୟତାବାଦୀ ସରକାର ପୂରଣ କରିପାରିନଥାନ୍ତେ । ଆନ୍ତର୍ଜାତିକ ଅନୁଷ୍ଠାନଗୁଡ଼ିକର କାମ ହେଲା ସେଇ ଶୂନ୍ୟସ୍ଥାନ ପୂରଣ କରିବା । ଏହି ଅନୁଷ୍ଠାନଗୁଡ଼ିକ ନୂଆ ଜାତୀୟତାବାଦୀ ସରକାରମାନଙ୍କ ସହିତ ଏକାଠି ମିଶି ପୂର୍ବତନ ଔପନିବେଶିକ ସାମ୍ରାଜ୍ୟର ଗଠନମୂଳକ କାମଗୁଡ଼ିକ ନିଜ ନିଜ ଭିତରେ କରିନେଇପାରନ୍ତି ଏବଂ ପୁରାତନ ଔପନିବେଶିକ ଯୁଗର ଶାସନ ଓ ଶାସିତ ମଧ୍ୟରେ ଯେଉଁ ରାଜନୈତିକ ବିରୋଧ ପରସ୍ପର ସହଯୋଗିତାର ଅନ୍ତରାୟ ଥିଲା, ସେ ପ୍ରକାର ବିରୋଧଭାବ ସେମାନଙ୍କ ମଧ୍ୟରେ ନ ଥିବାରୁ ଏମାନେ ଏ କାମକୁ ଆହୁରି ଅଧିକ ପରିମାଣରେ ଓ ଅଧିକ ଭଲଭାବରେ କରିପାରନ୍ତି ।

 

ନୂତନ ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକର କାର୍ଯ୍ୟାବଳୀର ମୂଲ୍ୟ ପ୍ରଥମେ ନୂଆ ହୋଇ ସ୍ୱାଧୀନ ହୋଇଥିବା ଦେଶଗୁଡ଼ିକ ପସନ୍ଦ କରିଥିଲେ । ଏହା ମଧ୍ୟ ଦେଖାଗଲାଣି ଯେ ଯେଉଁ ଦେଶଗୁଡ଼ିକ ଅପେକ୍ଷାକୃତ ଶକ୍ତିଶାଳୀ ଓ ଧନୀ ଏବଂ ଯେଉଁଠି ବହୁ ଅଭିଜ୍ଞ ଓ ଲୋକହିତକର ମନୋବୃତ୍ତିସମ୍ପନ୍ନ ନାଗରିକମାନେ ରହିଛନ୍ତି, ସେ ସବୁ ଦେଶଲାଗି ମଧ୍ୟ ଏ ପ୍ରକାର କାମର ପ୍ରୟୋଜନୀୟତା କ୍ରମଶଃ ଅଧିକରୁ ଅଧିକତର ବଢ଼ୁଛି । କାରଣ ପୃଥିବୀର ସବୁଠରୁ ଶକ୍ତିଶାଳୀ ଓ ଧନୀ ରାଷ୍ଟ୍ର ସମଗ୍ର ପୃଥିବୀର ଜନସଂଖ୍ୟା ଓ ଏକତ୍ରିତ ସମ୍ପଦ ସମ୍ମୁଖରେ ବାମନ ପରି ଦେଖାଯିବ ଏବଂ ଯେ ଯୁଗରେ କାରିଗରୀ ବିଦ୍ୟା ଦୂରତ୍ୱ-ବିଧ୍ୱଂସ କରିପାରିଛି, ସେ ଯୁଗର ସବୁପ୍ରକାର ମାନବିକ କାର୍ଯ୍ୟକଳାପ ଦେଶାନ୍ଧତା ବା ଜାତୀୟତା ଛାଡ଼ି କ୍ରମଶଃ ପୃଥିବୀବ୍ୟାପୀ ପ୍ରସାରିତ ହେବାକୁ ଯାଉଛି । ଯେଉଁ ଯୁଗରେ ସମଗ୍ର ବିଶ୍ୱ ମାନବର କାର୍ଯ୍ୟକଳାପର ଲୀଳାଭୂମି ହୋଇଉଠିଛି, ସେଠି ରୁଷିଆ ବା ଆମେରିକାର ପରି ଶକ୍ତିମାନ୍‌ ରାଷ୍ଟ୍ରମାନେ ମଧ୍ୟ ଅନୁଭବ କରିବେ ଯେ ସେମାନଙ୍କ ପକ୍ଷରେ ପରସ୍ପର ଉପରେ ନିର୍ଭର କରିବାଟା ହେଲା ଜୀବନର ଏକ ମୁଖ୍ୟ ଆବଶ୍ୟକତା ।

 

ଏଥିରେ ଅବଶ୍ୟ ସନ୍ଦେହ ନାହିଁ ଯେ କାରିଗରୀ ବିଦ୍ୟା ପୃଥିବୀର ଦୂରତ୍ୱ ସଂକୁଚିତ କରିଦେଇ ପାରିଥିଲେ ସୁଦ୍ଧା ପୃଥିବୀରେ ସ୍ଥାନୀୟ ରାଷ୍ଟ୍ରଗୁଡ଼ିକର ମଧ୍ୟ ଏକ ଉଲ୍ଲେଖଯୋଗ୍ୟ ଭୂମିକା ରହିବ । ପୌରଶାସନ ସଂକ୍ରାନ୍ତୀୟ ସମସ୍ତ କାମ କେବଳ ସ୍ଥାନୀୟ ଶାସନଦ୍ୱାରା ହିଁ ସମ୍ଭବ ହୋଇପାରିବ । ନଳା ମରାମତି ଓ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ କାମ ଛୋଟ ହେଲେ କ’ଣ ହେଲା, ତାହା ଜୀବନଧାରଣ ପାଇଁ ଅତ୍ୟାବଶ୍ୟକୀୟ କାର୍ଯ୍ୟ । ଏହି ବିଶ୍ୱଗୋଷ୍ଠୀର ଅନ୍ତର୍ଭୁକ୍ତ ସ୍ଥାନୀୟ ରାଷ୍ଟ୍ରଗୁଡ଼ିକର ଗୋଟିଏ ସଂସ୍କୃତିଶୀଳ ଭୂମିକା ମଧ୍ୟ ରହିଛି ଏବଂ ପୁରାତନ ସମୟରେ ଯେତେବେଳେ ଏହି ସ୍ଥାନୀୟ ରାଷ୍ଟ୍ରସବୁ ଜଣେ ଜଣେ ମଣିଷଖିଆ ଠାକୁରାଣୀପରି ଥିଲେ ସେତେବେଳର ଭୂମିକାଠାରୁ ଏହି ଭୂମିକା ବହୁତ ବେଶି ଗୁରୁତ୍ୱପୂର୍ଣ୍ଣ ହୋଇଉଠିବ । ମାନବଜାତିର ଆତ୍ମରକ୍ଷାଲାଗି ଏହି ଠାକୁରାଣୀର ଦାନ୍ତସବୁ ଓପାଡ଼ି ଦେବାକୁ ପଡ଼ିବ; ଅର୍ଥାତ୍‌ ମୁଁ କହିବାକୁ ଚାହେଁ ଯେ, ଏହି ସ୍ଥାନୀୟ ରାଷ୍ଟ୍ରଗୁଡ଼ିକୁ ସେମାନଙ୍କର ଯୁଦ୍ଧ କରିବାର ପରମ୍ପରାରୁ ବଞ୍ଚିତ କରିବାକୁ ପଡ଼ିବ-। କିନ୍ତୁ ଏଇ କୁତ୍ସିତ ଦାନ୍ତସବୁ ଓପାଡ଼ିଦେବା ଫଳରେ ସେମାନେ ଯେପରି ଅଣରୋମାଣ୍ଟିକ୍‌ ହୋଇନଯାନ୍ତି । ଆଗଠାରୁ ସେମାନଙ୍କର ଭୂମିକା ଆହୁରି ରୋମାଣ୍ଟିକ୍‌ ହୋଇପାରେ; କାରଣ ଏକ ସଂଯୁକ୍ତ ପୃଥିବୀରେ ଏକରେ ବହୁର ବୈଚିତ୍ର୍ୟ ପାଇବାଲାଗି ଆମେ ସେହିମାନଙ୍କ ଉପର ହିଁ ନିର୍ଭର କରିବୁ, କାରଣ ସ୍ୱାସ୍ଥ୍ୟବାନ୍‌ଓ ସୁଖକର ଜୀବନଲାଗି ବୈଚିତ୍ର୍ୟ ଗୋଟିଏ ପ୍ରୟୋଜନୀୟ ଉପକରଣ-

 

ମନୁଷ୍ୟର ଏକତା ଲାଗି ବିଶ୍ୱ-ସଂହତି ସ୍ତରରେ ଗୋଟିଏ ନିର୍ଦ୍ଦିଷ୍ଟ ମାନଦଣ୍ଡାନୁସାରେ ନିୟନ୍ତ୍ରିତ ଭେଦହୀନ ସାଦୃଶ୍ୟର ଆବଶ୍ୟକତା ରହିଛି । ଏଥି ସକାଶେ ଆମର ଉଦ୍ଭାବିତ ମାରଣାସ୍ତ୍ର (ଯାହା ଆମ ପକ୍ଷରେ ବ୍ୟବହାର କରିବା ବର୍ତ୍ତମାନ ସମ୍ଭବ ନୁହେଁ) ଯେ କେବଳ ଆମକୁ ବାଧ୍ୟ କରୁଛି ତା ନୁହେଁ, ଯେଉଁ ମନୋଭାବ କଥା ମୁଁ ଆଗରୁ କହୁଥିଲି, ଅର୍ଥାତ୍‌ସବୁ ଗୁରୁତ୍ୱପୂର୍ଣ୍ଣ ମାନବିକ କାର୍ଯ୍ୟକଳାପ ପୃଥିବୀବ୍ୟାପୀ ପ୍ରସାରିତ ହେବା ଯେଉଁ ସୂଚନା ଦେଖାଦେଇଛି ତାହା ମଧ୍ୟ ଆମକୁ ଏ ଦିଗରେ ପ୍ରଭାବିତ କରୁଛି । କାରିଗରୀ ପ୍ରୟୋଗବିଜ୍ଞାନ ଦୃଷ୍ଟିକୋଣ ଛାଡ଼ିଦେଇ ନୈତିକ ଦୃଷ୍ଟିକୋଣରୁ ବିଚାର କଲେ ଏଇ ବିଶ୍ୱ-ଐକ୍ୟ ମନୁଷ୍ୟ ମନରେ ବିଷର୍ଣ୍ଣତା ପରିବର୍ତ୍ତରେ ପ୍ରେରଣା ଆଣିଦେବ । ସମଗ୍ର ମାନବଜାତିକୁ ଆଲିଙ୍ଗନ କରି ଏକ ମାନବିକ ଭ୍ରାତୃତ୍ୱବୋଧର ଧାରଣା ନିଶ୍ଚୟ ଗୋଟିଏ ପ୍ରକାର ଉନ୍ନତ ଆଧ୍ୟାତ୍ମିକ ଉଲ୍ଲାସ ସୃଷ୍ଟି କରିବ । ମୋଟ ଉପରେ କାରିଗରୀ ଏବଂ ନୈତିକ କ୍ଷେତ୍ରରେ ଏହି ବାଞ୍ଛନୀୟ ଏବଂ ଅପରିହାର୍ଯ୍ୟ ଏକତାର ଭାରସାମ୍ୟ ରକ୍ଷା କରିବା ସାଂସ୍କୃତିକ କ୍ଷେତ୍ରର ଅବିଚ୍ଛିନ୍ନ ବୈଚିତ୍ର୍ୟଦ୍ୱାରା ହିଁ ସମ୍ଭବ ହେବ ଏବଂ ଏହି କାମ ସ୍ଥାନୀୟ ରାଷ୍ଟ୍ରଗୁଡ଼ିକ ନିରବଚ୍ଛିନ୍ନ ଭାବରେ କରିପାରବେ ।

 

ଉଦାହରଣସ୍ୱରୂପ ଭାଷା କଥା ଧରାଯାଉ । ଆମେ ବିଶ୍ୱସଂହତିର ଏପରି ଗୋଟିଏ ଅବସ୍ଥାରେ ପହଞ୍ଚିଲୁଣି, ଯେତେବେଳେ କି ଯେକୌଣସି ଲୋକ ଆନ୍ତର୍ଜାତିକ ସଭାସମିତିର ଯୋଗଦେଲେ ବା ପଦାର୍ଥବିଜ୍ଞାନରେ ଗୋଟିଏ ବହି ଲେଖିଲେ ତାକୁ ସମଗ୍ର ପୃଥିବୀରେ ପ୍ରଚଳିତ ଯୋଡ଼ିଏ ତିନୋଟି ଭାଷା ଭିତରୁ ଗୋଟିକର ମାଧ୍ୟମରେ ଏହା କରିବାକୁ ପଡ଼ିବ । ସମଗ୍ର ପୃଥିବୀରେ ବାଣିଜ୍ୟ-ବ୍ୟବସାୟ କରିବାଲାଗି ଯେଉଁ ଭାଷା ବହୁତ ବେଶି ପ୍ରଚଳିତ, ଏପରି ଗୋଟିଏ ଭାଷାକୁ ମାଧ୍ୟମରୂପେ ତାକୁ ବାଛିବାକୁ ପଡ଼ିବ ଏବଂ ତା’ର ଭାଷା ନିର୍ବାଚନ ବଜାରର ଚାହିଦା ଅନୁସାରେ ବହୁତ ସଂକୀର୍ଣ୍ଣ ଭାବରେ ନିୟନ୍ତ୍ରିତ ହେବାକୁ ବାଧ୍ୟ । ଅନ୍ୟପକ୍ଷରେ ଜଣେ କବି ଲାଗି ଆନ୍ତର୍ଜାତିକ ଭାଷା ଯଦି ତା’ର ନିଜର ମାତୃଭାଷା ନ ହୋଇଥାଏ ତା ହେଲେ ସେ ଭାଷା ଆଦୌ ଅନୁକୂଳ ନୁହେଁ । ଗ୍ରୀକ୍‌, ରୋମାନ୍‌, ସଂସ୍କୃତ ପ୍ରଭୃତି ପ୍ରସିଦ୍ଧ ପ୍ରାଚୀନ ଭାଷାରେ ମହାକାବ୍ୟ ରଚନା ହେବାର ଉଦାହରଣ ଯଦିଚ ଅବିଦିତ ନୁହେଁ, ତଥାପି ଏହା ନିଶ୍ଚୟ ବିରଳ । ମୁଁ ଖ୍ରୀଷ୍ଟ୍ରୀୟ ଦ୍ୱାଦଶ ଶତାବ୍ଦୀରେ ଫରାସୀ ଓ ଜର୍ମାନ୍‌ ଭାଷାଭାଷୀ ପାଶ୍ଚାତ୍ୟବାସୀଙ୍କ ଦ୍ୱାରା ଲିଖିତ କେତେକ ଲାଟିନ୍‌ କବିତା କଥା ଜାଣେ ଏବଂ ମୁଁ ଭାବୁଛି ଏହି ଲାଟିନ୍‌ କବିତା ପରି କବିତା ସଂସ୍କୃତରେ ମଧ୍ୟ ଥିବ । ତେବେ ଯାହା ହେଉ ନା କାହିଁକି ଜଣେ କବିପକ୍ଷରେ ମାତୃଭାଷା ହେଲା ତା’ର ସ୍ୱାଭାବିକ ମାଧ୍ୟମ । ଏଥିରୁ ଜଣାପଡ଼ୁଛି ଯେ ଏପ୍ରକାର ଗୋଟିଏ ବିଶ୍ୱଗୋଷ୍ଠୀ ଭିତରେ ବହୁ ଶିକ୍ଷିତ ଲୋକଙ୍କୁ ଦ୍ୱିଭାଷୀ ବା ତ୍ରିଭାଷୀ ହେବାକୁ ପଡ଼ିବ । ତା’ଛଡ଼ା ଆଜିକାଲି ମଧ୍ୟ ସୁଇଜରଲ୍ୟାଣ୍ଡ ଓ ନେଦରଲ୍ୟାଣ୍ଡସ୍‌ର ଅଧିକାଂଶ ଲୋକ ତିନିଟା ଭାଷା କହନ୍ତି । ଡାଚ୍‌ ବା ମାଲୟାଲମ୍‌ ପରି ଯେଉଁ ଭାଷା ଆନ୍ତର୍ଜାତିକ ହେବା ଦୂରେଥାଉ ସେହି ଅଞ୍ଚଳର ସର୍ବତୋଭାବ ସ୍ଥାନୀୟ ଭାଷା ମଧ୍ୟ ନୁହଁ, ସେପରି ଭାଷା ନିଜର ମାତୃଭାଷା ହେଲେ ବୌଦ୍ଧିକ ପ୍ରରୋଚନା ଆଣିଦିଏ । ଯଦି ଜଣକର ମାତୃଭାଷା ଏପରି ଯେ, ସେ ଭାଷା ଅନ୍ୟମାନଙ୍କର ନ ଶିଖିଲେ ଚଳିବ ତେବେ ନିଜଆଡ଼ୁ ନିଜର ମାତୃଭାଷା ଛଡ଼ା ଅନ୍ୟ ଭାଷା କହିବାରେ, ଲେଖିବାରେ ଓ ଶିଖିବାରେ ତା’ର ପ୍ରବୃତ୍ତି ହେବ । ଅନ୍ୟପକ୍ଷରେ, ଉଦାହରଣସ୍ୱରୂପ କୁହାଯାଇପାରେ ଯେ ହିନ୍ଦୀ ଭାଷାଭାଷୀ ବା ଇଂରେଜୀ ଭାଷାଭାଷୀମାନଙ୍କ ପକ୍ଷରେ ନିଜର ମାତୃଭାଷା ଜାତୀୟ ବା ଆନ୍ତର୍ଜାତୀୟ ଭାଷା ହୋଇଯିବ ଫଳରେ ବୌଦ୍ଧିକ ବିକାଶଲାଗି ଏହା ଏକ ପ୍ରତିବନ୍ଧକରୂପେ ଦେଖାଦେଇପାରେ । ବର୍ତ୍ତମାନ ପୃଥିବୀରେ ଇଂରେଜୀଭାଷୀ ଓ ଫରାସୀଭାଷୀ ଲୋକମାନେ ସବୁଠାରୁ ଖରାପ ଭାଷାବିଦ୍‌ବୋଲି କୁଖ୍ୟାତ । ମୁଁ ଭାବୁଛି ଅନ୍ୟ ମାନବଜାତି ତୁଳନାରେ ସେମାନଙ୍କର ମୌଳିକ ବୁଦ୍ଧିର ପରିମାଣ କିଛି ଊଣା ନୁହେଁ; କିନ୍ତୁ ସେମାନେ ନିଜର ମାତୃଭାଷା ଛଡ଼ା ଅନ୍ୟ ଭାଷା ନ ଶିଖି ମଧ୍ୟ ଦୁନିଆରେ ଚଳିଯାଉଥିବାରୁ ସ୍ୱାଭାବିକ ଆଳସ୍ୟବଶତଃ ସେମାନେ ଅନ୍ୟ ଭାଷା ଶିଖିବାକୁ ଚେଷ୍ଟା କରନ୍ତି ନାହିଁ-। ହିନ୍ଦୀ ଯେପରି କ୍ରମଶଃ ନିଖିଳ ଭାରତୀୟ ଭାଷାର ସ୍ଥାନ ଅଧିକାର କରିବାକୁ ଯାଉଛି, ହିନ୍ଦୀଭାଷୀମାନେ ମଧ୍ୟ ଏହିପ୍ରକାର ପ୍ରଲୋଭନର ସମ୍ମୁଖୀନ ହେବେ ବୌଦ୍ଧିକ ବିକାଶ ଦୃଷ୍ଟିରୁ ସେମାନଙ୍କର ଭବିଷ୍ୟତ ଅବଶ୍ୟ ଇଂରାଜୀଭାଷୀଙ୍କ ଅବସ୍ଥା ପରି ଏତେ ମଳିନ ନୁହେଁ; କାରଣ ବିଶ୍ୱଦରବାରରେ ଚଳିବାଲାଗି ସେମାନଙ୍କୁ ଇଂରାଜୀ, ଫରାସୀ ବା ରୁଷିଆନ୍‌ ଭାଷା ଶିଖିବାକୁ ପଡ଼ିବ; କିନ୍ତୁ ହିନ୍ଦୀଭାଷୀମାନଙ୍କର ଏ କଥା ଆଶଙ୍କା କରିବା ଉଚିତ ଯେ ଭବିଷ୍ୟତରେ ଦ୍ରାବିଡ଼ ଭାଷାଭାଷୀ ଲୋକମାନେ ସେମାନଙ୍କୁ ବୁଦ୍ଧିବଳରେ ଯପିଯିବେ । କାରଣ ନୂଆଦିଲ୍ଲୀରେ କାମ ଚଳାଇବାଲାଗି ସେମାନଙ୍କୁ ହିନ୍ଦୀ ଶିଖିବାକୁ ପଡ଼ିବ, ନିଉୟର୍କ ବା ଟୋକିଓର କାମ ଚଳେଇବାଲାଗି ଇଂରାଜୀ ଶିଖିବାକୁ ପଡ଼ିବ ଏବଂ ସାୟଗନ ବା ଲିଓପୋଲ୍‌ଡଭିଲେର କାମ ଲାଗି ଫରାସୀ ଭାଷା ଶିଖିବାକୁ ପଡ଼ିବ ।

 

ଯଦି ମଣିଷଜାତି ନିଜକୁ ଆତ୍ମଧ୍ୱଂସରୁ ରକ୍ଷା କରିବାକୁ ସମର୍ଥ ହୁ, (ଏବଂ ମୁଁ ଭାବୁଛି ଆମେମାନେ ନିଶ୍ଚୟ ସମର୍ଥ ହେବୁ), ତେବେ ଆମର ଜାତୀୟତା ପ୍ରତି ମନୋଭାବ ଓ ନୀତିର ପରିବର୍ତ୍ତନ କରିବାକୁ ପଡ଼ିବ । ବର୍ତ୍ତମାନ ଯୁଗରେ ଆମେ ସମୟର ବାଧା ଆଡ଼େଇ ଗୋଟିଏ ବିଶ୍ୱଗୋଷ୍ଠୀ ଗଢ଼ିବା ଲାଗି ଲଢ଼ୁଛୁ । କାରଣ ଏ ଦିଗରେ ଯଦି ଆମେ ଅସମର୍ଥ ହେଉ ବା ଲକ୍ଷ୍ୟ ହାସଲ କରିବା ଲାଗି ଆମ ଗତିର ମାତ୍ରା ବହୁତ କମିଯାଏ, ତେବେ ମନେରଖିବାକୁ ହେବ ଯେ ଆମ ସାମନାରେ ଝୁଲୁଛି ଆତ୍ମବିନାଶର ଏକ ଆତଙ୍କ ! ଜାତୀୟତାବାଦ ବିଶ୍ୱଏକତା ପଥର ପ୍ରଧାନ ପ୍ରତିବନ୍ଧକ, ତେଣୁ ସମକାଳୀନ ବିଶ୍ୱଇତିହାସରେ ଜାତୀୟତାବାଦ ଏକନମ୍ୱର ଶତ୍ରୁର ସ୍ଥାନ ଅଧିକାର କରିଛି ଏବଂ ଆମର ବର୍ତ୍ତମାନ କାମ ହେଲା ଜାତୀୟତାବାଦର ଏହି ବିଷଦାନ୍ତ ଓପାଡ଼ିବା-। ମନେ କରାଯାଉ, ଆମେ ବିଶ୍ୱଗୋଷ୍ଠୀ ସ୍ଥାପନ କରିବାର ସମର୍ଥ ହେଲୁ, ତାହେଲେ ପରିଣାମରେ ଦେଖାଯିବ ଯେ ଅଧୀନସ୍ଥ ଜାତୀୟ ସଂସ୍ଥାଗୁଡ଼ିକର କ୍ଷମତା ବିନିମୟରେ ଏହାର କ୍ଷମତା ବଢ଼ିଚାଲିବ ଏବଂ ଶେଷରେ ଆମେ ଏମିତି ଏକ ଅବସ୍ଥାରେ ଆସି ହୁଏତ ପହଞ୍ଚିବୁ, ଯେତେବେଳେ ଜାତୀୟତାବାଦକୁ ଅବଦମିତ ନ କରି ତାକୁ ବଞ୍ଚେଇ ରଖିବାଲାଗି ଆମେ ପୁଣି ଉଦ୍ୟମ କରିବୁ-। କାରଣ ଜାତୀୟ ସଂସ୍ଥାଗୁଡ଼ିକର ଯଥେଷ୍ଟ ଜୀବନୀଶକ୍ତି ନ ଥିଲେ ସେମାନଙ୍କ ପକ୍ଷରେ ସେମାନଙ୍କର ପ୍ରୟୋଜନୀୟ କାର୍ଯ୍ୟ କରିପାରିବା ସମ୍ଭବପର ହେବନାହିଁ । ଯଦି ନାଗରିକମାନେ ସ୍ଥାନୀୟ ସଂସ୍ଥାଗୁଡ଼ିକରର ଯତ୍ନ ନ ନିଅନ୍ତି ଓ ସେଥିପ୍ରତି ଆଗ୍ରହ ନ ଦେଖାନ୍ତି, ତାହେଲେ ସ୍ଥାନୀୟ ସ୍ୱାୟତ୍ତଶାସନର ଅବସାନ ହେବା ସଙ୍ଗେ ସଙ୍ଗେ ପୃଥିବୀର ବିଭିନ୍ନ ଆଞ୍ଚଳିକ ବୈଚିତ୍ର୍ୟର ମଧ୍ୟ ସମାପ୍ତି ଘଟିବ ଏବଂ ବିଶ୍ୱବ୍ୟାପୀ ପୂର୍ଣ୍ଣ କେନ୍ଦ୍ରୀକରଣ ଓ ସମତା ମାନବଜୀବନରେ ଏକ ଶୋଚନୀୟ ଦୁର୍ବଳତାରୂପେ ଦେଖାଯିବ । ଏହା ଫଳରେ ଭଲଭାବରେ ବାଛି କାମ କରିବା ଓ ଆଗଭର ହୋଇ କୌଣସି କାମ କରିପାରିବାଭଳି ଲୋକଙ୍କ ସଂଖ୍ୟା ବହୁତ ପରିମାଣରେ କମିଯିବ-। ‘ଅଗଷ୍ଟାନ୍‌ ଶାନ୍ତି ଚୁକ୍ତି’ ସ୍ଥାପନ ହେଲାପରେ ରୋମାନ୍‌ ସାମ୍ରାଜ୍ୟରେ ଘଟଥିବା ଘଟଣାବଳୀରେ ଏ ପ୍ରକାର ବିପଦର ଚିତ୍ର ମିଳେ । ମହାନ୍‌ ସଂଗନଠମୂଳକ ରାଜନୈତିକ ନେତୃତ୍ୱ ଗ୍ରୀକ୍‌-ରୋମାନ୍‌ ସମାଜକୁ ଧ୍ୱଂସର କବଳରୁ ରକ୍ଷା କରିଥିଲା । ଗ୍ରୀକ୍‌-ରୋମାନ୍‌ ସଭ୍ୟତାକୁ ତତ୍କାଳୀନ ନଗର-ରାଷ୍ଟ୍ରଗୁଡ଼ିକ (ଯାହାକି ଆଧୁନିକ ପୃଥିବୀର ଜାତୀୟ ରାଷ୍ଟ୍ର ସହିତ ତୁଳନୀୟ) ନିଜ ନିଜ ମଧ୍ୟରେ ଅବିରାମ ବିବାଦଦ୍ୱାରା ପ୍ରାୟ ଧ୍ୱଂସକରି ଆଣିଥିଲେ । କିନ୍ତୁ ପରେ ସେମାନେ ଯୁଦ୍ଧରୁ ବିରତ ହେଲେ ଏବଂ ତା’ ପରବର୍ତ୍ତୀ ଲକ୍ଷ୍ୟ ଥିଲା ଯେ ସେମାନଙ୍କ ହାତରୁ କେବଳ ବିଶ୍ୱଶାନ୍ତି ବିପନ୍ନ କଲାପରି ବହୁ ଅପବ୍ୟବହୃତ କ୍ଷମତାକୁ ହରଣ କରିନେବା ଏବଂ ସେମାନଙ୍କର ଅନ୍ୟାନ୍ୟ କ୍ଷମତା ସେମାନଙ୍କ ହାତରେ ଛାଡ଼ିଯିବା; ଅର୍ଥାତ୍‌ ଏମାନଙ୍କ ହାତରେ କେନ୍ଦ୍ରୀୟ ଶାସନଭାର ଅତି ନଗଣ୍ୟ ଓ ସ୍ଥାନୀୟ ଶାସନଭାରର ପ୍ରଧାନ ଭାବରେ ଦିଆଯାଇଥିଲା । ଏ ପ୍ରକାର ଦ୍ୱି-ସ୍ତରୀୟ ରାଜନୈତିକ ଗଠନ ଏକ ଆଶାପୂର୍ଣ୍ଣ ପରୀକ୍ଷାମୂଳକ କାର୍ଯ୍ୟ; ମାତ୍ର ଏହାର ସାଫଲ୍ୟ ନିର୍ଭର କରୁଛି ଏହି ଦୁଇସ୍ତର ପ୍ରତି ଆନୁଗତ୍ୟର ଯଥାଯଥ ସମତା ଉପରେ-ପ୍ରଥମତଃ ରୋମର କେନ୍ଦ୍ରୀୟ ଶାସନସଂସ୍ଥାପ୍ରତି ସର୍ବପ୍ରଥମ ଓ ସର୍ବପ୍ରଧାନ ଆନୁଗତ୍ୟ, ଏବଂ ଦ୍ୱିତୀୟରେ ନଗର-ରାଷ୍ଟ୍ରଗୁଡ଼ିକ (ଯାହାକି ରୋମାନ୍‌ ସାମ୍ରାଜ୍ୟ ଦେହରେ ସ୍ୱାୟତ୍ତଶାସନ ସଂସ୍ଥାରୂପକ କ୍ଷୁଦ୍ର କ୍ଷୁଦ୍ର କୋଷ ପରି ରହିଥିଲା) ପ୍ରତି ମଧ୍ୟମ ଧରଣର ଆନୁଗତ୍ୟ । ରୋମାନ୍‌ ଶାନ୍ତିଚୁକ୍ତିର ପ୍ରଥମ ପର୍ଯ୍ୟାୟରେ ଆନୁଗତ୍ୟର ଏହି ସୂକ୍ଷ୍ମ ଭାରସାମ୍ୟ ରକ୍ଷା କରାଯାଇ ପାରିଥିଲା; ଯଥା-ସେଣ୍ଟପଲ୍‌ ନିଜେ ରୋମ ବିଶ୍ୱ-ରାଜ୍ୟର ନାଗରିକ ବୋଲି ଗୌରବବୋଧ କରୁଥିଲେ ଏବଂ ତା’ ସଙ୍ଗେ ସଙ୍ଗେ ଏକ ସ୍ଥାନୀୟ ନଗର-ରାଜ୍ୟ, ଟାରମାସ୍‌ ଯାହାକି ତାଙ୍କର ଜନ୍ମସ୍ଥାନ ଥିଲା - ସେଠାକାର ନାଗରିକ ବୋଲି ମଧ୍ୟ ନିଜକୁ ଗୌରବାନ୍ୱିତ ମନେ କରୁଥିଲେ । ଅବଶ୍ୟ, କ୍ରମଶଃ ରୋମ୍‌-ସାମ୍ରାଜ୍ୟର ଅଧିବାସୀମାନେ ନଗର-ଶାସନ ସଂକ୍ରାନ୍ତ କାର୍ଯ୍ୟକଳାପରେ ଆଗ୍ରହ ହରାଇଲେ; ନଗର-ଶାସନ ସଂସ୍ଥାଗୁଡ଼ିକ ଭାଙ୍ଗିଗଲା । କେନ୍ଦ୍ର ସରକାରଙ୍କୁ ଏସବୁ କାମ ହାତକୁ ନେବାକୁ ପଡ଼ିଲା । ପରିଣାମରେ ଶାସନ-ସଂସ୍ଥାର ଉପର ଅଂଶର ଓଜନ ବହୁତ ବେଶି ବଢ଼ିଗଲା ଏବଂ ଶେଷରେ ରୋମ ସାମ୍ରାଜ୍ୟର କ୍ଷୟ ଓ ପତନ ହେବାର ଏହିଗୁଡ଼ିକ ହିଁ ହେଲା ପ୍ରଧାନ କାରଣ । ଆଜି ଯେତେବେଳେ ଆମେ ବିଶ୍ୱ-ରାଷ୍ଟ୍ର ପ୍ରସ୍ତୁତିପଥରେ ଚାଲିଛେ, ସେତେବେଳେ ଆମେ ଇତିହାସର ଏହି ପୂର୍ବଦୃଷ୍ଟାନ୍ତରୁ ବର୍ତ୍ତମାନ ପାଇଁ ଭୁଲିଯାଇପାରୁ; କିନ୍ତୁ ଭବିଷ୍ୟତରେ ଯେତେବେଳେ ଆମର ବିଶ୍ୱ-ରାଷ୍ଟ୍ର ପ୍ରତିଷ୍ଠା ସଫଳ ହେବ, ସେତେବେଳେ ରୋମାନ୍‌ ଇତିହାସର ଏହି ଅଧ୍ୟାୟ ସ୍ମରଣ ତଥା ହୃଦୟଙ୍ଗମ କରିପାରିଲେ ଆମେ ବୁଦ୍ଧିମତ୍ତାର ପରିଚୟ ଦେବୁ ।

 

ଏଥିମଧ୍ୟରେ, ଆମର ବର୍ତ୍ତମାନ କାମ ହେଲା-ଏବଂ ଏହା ମଧ୍ୟ ଗୋଟିଏ ଜରୁରୀ କାମ ଯେ, ଜାତୀୟତାବାଦର ଐକ୍ୟନାଶକାରୀ ଶକ୍ତିଗୁଡ଼ିକୁ ଆୟତ୍ତାଧୀନ କରିବା ଏବଂ ମାନବିକ ଘଟଣାପ୍ରବାହର ଯେଉଁ ସ୍ରୋତ ବିଶ୍ୱ-ଏକତା ଅଭିମୁଖରେ ପ୍ରବାହିତ, ତା’ର ଗତିକୁ ସୁଦୃଢ଼ କରିବା । ଆମର ବର୍ତ୍ତମାନର ଏହି କାମ ଅତ୍ୟନ୍ତ କଠୋର ଏବଂ ହୁଏତ ସମୟ ସମୟରେ ଆମେ ଏ ଦିଗରେ ହତୋତ୍ସାହ ହୋଇଯାଇପାରୁ । ମନର ଏହିପ୍ରକାର ବିଷଣ୍ଣ ଅବସ୍ଥାରେ ଆମେ ପୃଥିବୀଇତିହାସର ବର୍ତ୍ତମାନ ଅଧ୍ୟାୟକୁ ଭବିଷ୍ୟତ ଦୃଷ୍ଟିରୁ ଦେଖିଲେ ନିଜର ସାହସ ଫେରିପାଇବା-। ଆମେ ଯଦି ଏହାକୁ ଅତୀତର ଐତିହାସିକ ଦୃଷ୍ଟିରୁ ଦେଖିବୁ, ତା ହେଲେ ଜାଣିପାରିବୁ ଯେ ଏହି ବିଶ୍ୱ ଏକତାଭିମୁଖୀ ଆନ୍ଦୋଳନ ସଭ୍ୟତା ପରି ସୁପ୍ରାଚୀନ ଏବଂ ଦକ୍ଷିଣ-ପଶ୍ଚିମ ଏସିଆରେ ଆଦି ସଭ୍ୟତାର ଅଭ୍ୟୁଦୟ ଦିନଠାରୁ ପାଞ୍ଚହଜାର ବର୍ଷଧରି ଏହା ଶକ୍ତିସଂଗ୍ରହ କରିଆସିଛି ।

 

ପ୍ରାୟ ୨୫୦୦ ବର୍ଷତଳେ ଉନ୍ନତ ଧର୍ମଗୁଡ଼ିକର ପ୍ରାରମ୍ଭିକ ଅଭ୍ୟୁଦୟ ଫଳରେ ଏହି ଏକତାଭିମୁଖୀ ଆନ୍ଦୋଳନ ବିପୁଳ ପ୍ରେରଣା ଲାଭ କରିଥିଲା । ଏଇ ବିପ୍ଳବୀ ଧର୍ମନୀତିଗୁଡ଼ିକର ଚରମ ଉଦ୍ଦେଶ୍ୟ ଥିଲା ମଣିଷକୁ ଶାଶ୍ୱତ ଆଧ୍ୟାତ୍ମିକ ସତ୍ତାର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆଣିବା ଓ ମନୁଷ୍ୟମାନଙ୍କର ଜୀବନଯାପନରେ ସମନ୍ୱୟ ସୃଷ୍ଟିକରିବା । ଏହି ଅପାର୍ଥିବ ଲକ୍ଷ୍ୟ ସାଧନ ପଥରେ ମନୁଷ୍ୟକୁ ସାହାଯ୍ୟ କରିବା ସାଙ୍ଗେ ସାଙ୍ଗେ ସେମାନଙ୍କୁ ପ୍ରସଙ୍ଗକ୍ରମ ମନୁଷ୍ୟମାନଙ୍କର ପରସ୍ପର ସହିତ ସମ୍ପର୍କ ସ୍ଥାପନ ଲାଗି ଯେଉଁ ବ୍ୟବସ୍ଥା ଥିଲା, ସେ ସବୁ ସହିତ ମଧ୍ୟ ଏମାନେ ନିକୁ ବ୍ୟାପୃତ ରଖୁଥିଲେ । ଯେତେବେଳେ ଥରେ କୌଣସି ଏକ ଧର୍ମନୀତି ମଣିଷକୁ ଶାଶ୍ୱତ ଆଧ୍ୟାତ୍ମିକ ସତ୍ତା ସହିତ ମିଳିତ କରିବାଲାଗି ପନ୍ଥା ସ୍ଥିର କରେ, ସେତେବେଳେ ତା’ କଦାପି ନିଜର କାର୍ଯ୍ୟକଳାପକୁ କୌଣସି ଗୋଟିଏ ସ୍ଥାନୀୟ ସମ୍ପ୍ରଦାୟର ସୀମାରେଖା ଭିତରେ ସୀମିତ କରିପାରିବ ନାହିଁ । ତାହା ସାରା ପୃଥିବୀର ସମଗ୍ର ମାନବସମାଜ ଆଗରେ ନିଜକୁ ଉପସ୍ଥାପିତ କରିବ ଏବଂ ପୃଥିବୀବ୍ୟାପୀ ଏହି ଆଧ୍ୟାତ୍ମିକ ପ୍ରଚାର ଲାଗି ନତନ ପଦ୍ଧତି ଓ ନୂତନ ପ୍ରଥାର ସୃଷ୍ଟି କରିବାକୁ ସେ ବାଧ୍ୟ ହେବ ।

 

ଧର୍ମ ପ୍ରଚାର ପାଇଁ ଉଦ୍ଦିଷ୍ଟ ଖ୍ରୀଷ୍ଟ୍ରୀୟ ଧର୍ମାନୁଷ୍ଠାନ ଗୁଡ଼ିକ ହିଁ ପୃଥିବୀବ୍ୟାପୀ ମାନବିକ ଅନୁଷ୍ଠାନଗୁଡ଼ିକର ଅଗ୍ରଦୂତ । ଧର୍ମପ୍ରଚାରକମାନେ ହିଁ ମାନବଜାତିକୁ ସାମଗ୍ରିକ ଭାବରେ ଆବେଦନ ଜଣାଇବା ଦିଗରେ ସର୍ବପ୍ରଥମ ପରୀକ୍ଷା ଚଳାଇଥିଲେ । ଧାର୍ମିକ ମିଶନାରୀମାନଙ୍କର ଉଦ୍ଭାବିତ ଏହି ପ୍ରଚାର ପଦ୍ଧତି ରାଜନୀତିଜ୍ଞ ଓ ପଣ୍ୟବ୍ୟବସାୟୀମାନଙ୍କ ଦ୍ୱାରା ବ୍ୟବହୃତ ହେବା ଫଳରେ ଏହା ସେମାନଙ୍କର ଅପେକ୍ଷାକୃତ ହୀନ ଉଦ୍ଦେଶ୍ୟ ସାଧନରେ ସହାୟତା କରିଛି । ପ୍ରଚାର ବା ଏହାର ଇଂରାଜୀ ପ୍ରତିଶବ୍ଦ Propaganda ଯେ ଧର୍ମଯାଜକମାନଙ୍କ ଦ୍ୱାରା ପ୍ରଥମେ ପ୍ରଚଳିତ, ତାହା ଏହି Propaganda ଶବ୍ଦରୁ ହିଁ ସୂଚିତ ହେଉଅଛି । ଅବଶ୍ୟ ରୋମାନ୍‌ କାଥଲିକ୍‌ ଖ୍ରୀଷ୍ଟୀୟାନ ଅନୁଷ୍ଠାନର ଏକ ଶାଖା ଯାହାର ନାଆଁ ହେଲା Congregation de propaganda fide, ସେଇଥିରୁ ହିଁ ଏହି ଶବ୍ଦଟି ଆସିଛି । ରୋମ୍‌ରେ ଥିବା ଏହି ସ୍ଥାୟୀ Ecclesiastical Commission ଉପରେ ସମଗ୍ର ପୃଥିବୀରେ ରୋମାନ୍‌ କାଥଲିକ୍‌ ଧର୍ମ ପ୍ରଚାର କରିବାର ଦାୟିତ୍ୱ ରହିଛି । ଆମ ଜାଣିବାରେ ପ୍ରଚାର କୌଶଳର ଅପବ୍ୟବହାର କରାଯାଇପାରେ ଏବଂ କରାହୋଇଛି ମଧ୍ୟ । ଏ କଥା ଏହାର ଧାର୍ମିକ ଉଦ୍ଭାବକ ଓ ଅନ୍ୟାନ୍ୟ ଧର୍ମନିରପେକ୍ଷ ପ୍ରଚାରକ-ଯେଉଁମାନେ କି ନିଜର ଲକ୍ଷ୍ୟସାଧନ ଉଦ୍ଦେଶ୍ୟରେ ଏକ କୌଶଳ ଅପହରଣ କରିଥିଲେ–ଏକ ଉଭୟଙ୍କ ଦ୍ୱାରାହିଁ ଏହାର ଅପବ୍ୟବହାର ହୋଇଛି । ମୋଟ ଉପରେ ଏହି ଜନମନୋଗ୍ରାହୀ କୌଶଳ ଗଣତାନ୍ତ୍ରିକ ଯୁଗରେ ବିଶ୍ୱସମ୍ପ୍ରଦାୟର ସାଂଗଠନିକ ଯନ୍ତ୍ରର ଏକ ଅପରିହାର୍ଯ୍ୟ ଅଙ୍ଗ । ଯେତେବେଳେ ଗଣତାନ୍ତ୍ରିକ ପଦ୍ଧତିରେ ବିଶ୍ୱ-ଗୋଷ୍ଠୀ ଗଠନର ଦାୟିତ୍ୱ ଆମ କାଳର ଲୋକଙ୍କ ଉପରେ ଆସି ପଡ଼ିଛି ସେତେବେଳେ ଏହା ଆମପକ୍ଷରେ ଗୋଟିଏ ସୌଭାଗ୍ୟର ବିଷୟ ଯେ ପ୍ରାୟ ଗତ ୨୫୦୦ ବର୍ଷ ଧରି ପ୍ରଚଳିତ ପ୍ରଚାର ପଦ୍ଧତିର ସଦ୍‌ବ୍ୟବହାର ଓ ଅପବ୍ୟହାରର କ୍ରମବର୍ଦ୍ଧମାନ ଅଭିଜ୍ଞତା ଆମରି ପାଖରେ ରହିଛି ।

 

ଆମର ଆହୁରି ସୌଭାଗ୍ୟର ବିଷୟ ଯେ ସମଗ୍ର ମାନବଜାତିକୁ ଏକତ୍ରିତ କରିବାର ପ୍ରଚେଷ୍ଟା କରି ଆସଥିବା ଦଳମାନଙ୍କ ଭିତରୁ ଆମେ ସର୍ବପ୍ରଥମ ନୋହୁଁ । ଉନ୍ନତ ଧର୍ମଗୁଡ଼ିକର ପଚାରକମାନେ ଏହି ଉଦ୍ଦେଶ୍ୟ ସାଧନରେ ଜାଣିଶୁଣି ଲାଗିଥିଲେ । ଏହି ଧର୍ମଗୁଡ଼ିକ ମଧ୍ୟରୁ ଅନ୍ତତଃ ତିନୋଟି-ବୌଦ୍ଧଧର୍ମ, ଖ୍ରୀଷ୍ଟଧର୍ମ ଓ ଇସଲାମ୍‌ ଧର୍ମ-ଭିତରୁ ପ୍ରତ୍ୟେକଟି ସମଗ୍ର ମାନବ-ସମ୍ପ୍ରଦାୟକୁ ନିଜର ଗଣ୍ଡି ଭିତରକୁ ଟାଣି ଆଣିବାର ସ୍ଥିର ଲକ୍ଷ୍ୟ ନିଜର ଆଖିଆଗରେ ରଖିଥିଲେ । ଏପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କୌଣସି ଗୋଟିଏ ହେଲେ ଧର୍ମ ଏହି ଲକ୍ଷ୍ୟରେ ପହଞ୍ଚିପାରିନାହାନ୍ତି-। ଏହି ତିନୋଟି ଧର୍ମମତ ଯେପରି ଭାବରେ ଆଜି ସଦାବସ୍ଥାନ କରୁଛନ୍ତି, ସେହିଥିରୁ ଜଣାଯିବ ଯେ ସେମାନେ ନିଜର ଲକ୍ଷ୍ୟ ସାଧନଲାଗି ଯେଉଁ ସମାନ କର୍ମପଦ୍ଧତି ରଚନା କରିଥିଲେ ତା’ଠାରୁ ପ୍ରତ୍ୟେକେ କେତେ ଦୂରରେ ଅଛନ୍ତି । ସେମାନେ ଯଦିଚ ସମଗ୍ର ପୃଥିବୀକୁ ନିଜ ଧର୍ମରେ ଦୀକ୍ଷିତ କରିପାରିନାହାନ୍ତି, ତଥାପି ପ୍ରତ୍ୟେକେ ଏକାଧିକ ମହାଦେଶରେ ସଫଳଭାବରେ ସ୍ୱଧର୍ମ ବିସ୍ତାର କରିପାରିଛନ୍ତି । ଏହା ନିଶ୍ଚୟ ଗୋଟିଏ ଅସାଧାରଣ କୀର୍ତ୍ତି; କାରଣ ଆଧୁନିକ ଯନ୍ତ୍ରବିଦ୍ୟାଦ୍ୱାରା ନିକଟରେ ଯେଉଁ ଦୂରତ୍ୱର ବିଲୟ ଘଟିଛି ତା’ର ବହୁପୂର୍ବରୁ ଏହା ସମ୍ଭବ ହୋଇ ପାରିଛି । ବିଶ୍ୱର ଏକୀକରଣ ଦିଗରେ ଆମର ବର୍ତ୍ତମାନର ପ୍ରଚେଷ୍ଟାକୁ, ଜଡ଼-ପ୍ରକୃତିର ଶକ୍ତିକୁ ଆୟତ୍ତାଧୀନ କରିବାରେ ଆମର ଯେଉଁ ପୂର୍ବଲବ୍ଧ ସାଫଲ୍ୟ ତାହା ବହୁତ ସାହାଯ୍ୟ କରୁଛି । ଏହା ଅତି ଭୀଷଣ ଭୌତିକ-ବିପଦ ସୃଷ୍ଟି କଲେ ମଧ୍ୟ ଆମ ହାତରେ ବହୁ ଶକ୍ତିଶାଳୀ ଭୌତିକ-ଅସ୍ତ୍ର ଆଣିଦେଇଛି-। ଧର୍ମପ୍ରଚାରକମାନଙ୍କର ଆୟତ୍ତରେ ନୌ-ଚାଳନାରେ ପ୍ରଯୁକ୍ତ ବାୟୁ-ଶକ୍ତି ବ୍ୟତୀତ ଅନ୍ୟ କୌଣସି ପ୍ରାକୃତିକ ଶକ୍ତି ନଥିଲା । ସ୍ଥଳଉପରେ ସେମାନଙ୍କୁ ମଣିଷ ଓ ଗୃହପାଳିତ ଜୀବଜନ୍ତୁମାନଙ୍କର ପେଶୀଜାତ-ଶକ୍ତି ଉପରେ ନିର୍ଭର କରିବାକୁ ପଡ଼ିଥିଲା । ତଥାପି ଯୋଗାଯୋଗର ଏହି ଅନୁନ୍ନତ ଉପାୟର ସାହାଯ୍ୟ ନେଇ ମଧ୍ୟ ସେମାନେ ପୃଥିବୀର ଶେଷ ସୀମା ପର୍ଯ୍ୟନ୍ତ ସେମାନଙ୍କର ଧର୍ମବାଣୀ ପ୍ରଚର କରିବାକୁ ସମର୍ଥ ହୋଇପାରିଥିଲା ।

 

ଆଧୁନିକ ଯୋଗାଯୋଗର ଉପାୟ ଉନ୍ନତ ଧର୍ମଗୁଡ଼ିକର ଆୟତ୍ତରେ ନ ଥାଇ ସୁଦ୍ଧା ସମଗ୍ର ମାନବଜାତିକୁ ଦୀକ୍ଷାନ୍ତର କରିବାର ଯେଉଁ ସ୍ପର୍ଦ୍ଧିତ ପ୍ରଚେଷ୍ଟାରେ ସେମାନେ ବ୍ରତୀ ହୋଇଥିଲେ, ସେଦିଗରେ ଅନ୍ତତଃପକ୍ଷରେ ସୁବିଧାରେ ଆରମ୍ଭ କରିବାର ପ୍ରାଥମିକ ସୁଯୋଗ ସେମାନେ ପାଇଥିଲେ । ଏକ ଭିନ୍ନ ପ୍ରକାରର ପୂର୍ବବର୍ତ୍ତୀ ଅନୁଷ୍ଠାନ ସେମାନଙ୍କୁ ଏହି ସୁବିଧା ଦେଇଥିଲା । ତଥାକଥିତ ବିଶ୍ୱ-ସାମ୍ରାଜ୍ୟ ଗୁଡ଼ିକ କଥା ନିଆଯାଉ । ପ୍ରକୃତରେ ଦେଖିବାକୁ ଗଲେ ଭୁଲ୍‌ରେ ଏହାକୁ ବିଶ୍ୱ-ସାମ୍ରାଜ୍ୟ ବୋଲି କୁହାଯାଏ, କାରଣ ସେଗୁଡ଼ିକ ଆକ୍ଷରିକ ଅର୍ଥରେ ପ୍ରଚାରଧର୍ମୀ ଧର୍ମଗୁଡ଼ିକଠାରୁ ଅଧିକ ପରିମାଣରେ ବିଶ୍ୱବ୍ୟାପୀ ନ ଥିଲେ । ଏହି ବିଶ୍ୱ-ସାମ୍ରାଜ୍ୟ ଗୁଡ଼ିକ ଆକ୍ଷରିକ ଅର୍ଥରେ ବିଶ୍ୱବ୍ୟାପୀ ନ ଥିଲେ ସୁଦ୍ଧା ବିଶାଳ ଭୂଖଣ୍ଡରେ ଶାନ୍ତି, ଆଇନ ଓ ଶୃଙ୍ଖଳା ରକ୍ଷା କରୁଥିଲେ ଏବଂ କେତେକ କ୍ଷେତ୍ରରେ ଏହା କେତେ ଶତାବ୍ଦୀ ଧରି ବିଶୃଙ୍ଖଳା ବା ସ୍ୱୈରାଚାରର ସୂଚନା ନ ଥାଇ ଚାଲି ଆସିଥିଲା ଏବଂ ନିଜ ରାଜ୍ୟ ମଧ୍ୟରେ ଥିବା ଜଳପଥ ଓ ସ୍ଥଳପଥର ନୀତି ନିୟନ୍ତ୍ରଣ କରୁଥିଲେ । ସେମାନେ ସମୁଦ୍ରଯାତ୍ରା ଲାଗି ବନ୍ଦରମାନ ଓ ସ୍ଥଳପଥରେ ସେତୁ, ବିଶ୍ରାମାଗାର ନିର୍ମାଣ ଓ ଅଶ୍ୱ ସାହାଯ୍ୟରେ ସମ୍ବାଦ ପ୍ରେରଣର ବ୍ୟବସ୍ଥାମାନ କରିବା ସଙ୍ଗେ ସଙ୍ଗେ ଏଗୁଡ଼ିକର ବୈଷୟିକ ଉନ୍ନତି ସାଧନ ମଧ୍ୟ କରିଥିଲେ ।

 

ଏହି ଉନ୍ନତ ଧର୍ମମତଗୁଡ଼ିକ ନିଜ ପ୍ରଚାର କାର୍ଯ୍ୟଲାଗି ଏକ ବା ଅପର ବିଶ୍ୱ-ସାମ୍ରାଜ୍ୟ ପ୍ରଦତ୍ତ ସୁବିଧାଗୁଡ଼ିକର ସୁଯୋଗ ଗ୍ରହଣ କରିପାରିଥିଲେ । ରୋମ୍‌ ସାମ୍ରାଜ୍ୟ ପ୍ରଦତ୍ତ ସୁବିଧାଗୁଡ଼ିକ ଖ୍ରୀଷ୍ଟଧର୍ମପକ୍ଷରେ ଏତେ ମୂଲ୍ୟବାନ ଥିଲା ଯେ, ଏପରିକି ପ୍ରାକ୍‌-କନ୍‍ଷ୍ଟାଣ୍ଟାଇନ୍‌ ଯୁଗରେ-ଯେତେବେଳେ ଖ୍ରୀଷ୍ଟଧର୍ମ ରୋମାନ୍‌ରାଜ-କର୍ତ୍ତୃପକ୍ଷଙ୍କ ଦ୍ୱାରା ବେଳେ ବଳେ ଅତ୍ୟାଚାରିତ କିମ୍ୱା ଅସ୍ୱୀକୃତ ହେଉଥିଲା-ସେତେବେଳେ ମଧ୍ୟ ଖ୍ରୀଷ୍ଟୀୟ ଧର୍ମତତ୍ତ୍ୱଜ୍ଞମାନେ କଳ୍ପନା କରିଥିଲେ ଯେ ‘ଈଶ୍ୱର’ ନିଜର ଐଶ୍ୱରିକ ଶକ୍ତି ବଳରେ ଏପରି ବ୍ୟବସ୍ଥା କରିଛନ୍ତି ଯେ ପାଲେଷ୍ଟାଇନ୍‌ରେ ଯୀଶୁଙ୍କର ଜନ୍ମର ପ୍ରାକ୍‌କାଳରେ ଭୂମଧ୍ୟସାଗରର ତୀରବର୍ତ୍ତୀ ଦେଶଗୁଡ଼ିକର ରାଜନୈତିକ ଏକତ୍ରୀକରଣ ରୋମାନ୍‌ଶାନ୍ତି ଚୁକ୍ତିର ଛତ୍ରତଳେ ନିଶ୍ଚୟ ସଂଘଠିତ ହେବ । ଅବଶ୍ୟ ରୋମାନ୍‌ କର୍ତ୍ତୃପକ୍ଷ ନିଜେ ଏହାକୁ ଏପରି ଭାବରେ ଦେଖୁ ନ ଥିଲେ । ରୋମାନ୍‌ ସାମ୍ରାଜ୍ୟ ଏବଂ ଅନ୍ୟାନ୍ୟ ବିଶ୍ୱ-ସାମ୍ରାଜ୍ୟଗୁଡ଼ିକ ନିଜ ନିଜ ସୁବିଧା ଲାଗି ଏହିସବୁ ରାଜକୀୟ ସୁବିଧାର ପ୍ରବର୍ତ୍ତନ କରିଥିଲେ । ସେମାନେ ମିଶନାରୀ (ପ୍ରଚାରଧର୍ମ) ଧର୍ମମତ ଗୁଡ଼ିକର ବିସ୍ତୃତି ଦିଗରେ ସାହାଯ୍ୟ କରିବାଲାଗି ଏସବୁ ସୃଷ୍ଟି କରିନଥିଲେ । ପ୍ରକୃତରେ ଯେତେବେଳେ ମିଶନାରୀ ପ୍ରଚାରକମାନଙ୍କର କାର୍ଯ୍ୟକଳାପ ସେମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ସେମାନେ ବରାବର ସେଗୁଡ଼ିକୁ ବାଧା ଦେଉଥିଲେ ଏବଂ ସମୟ ସମୟରେ କଠୋର ଭାବରେ ଦମନ ମଧ୍ୟ କରୁଥିଲେ । ପ୍ରାକ୍‌-କନ୍‌ଷ୍ଟାଣ୍ଟାଇନ୍‌ ଯୁଗରେ ଯେତେବେଳେ ଖ୍ରୀଷ୍ଟଧର୍ମ ସହିତ ରୋମାନ୍‌ ରାଜତନ୍ତ୍ରର ପରିଚୟ ଘଟିଥିଲା ସେତେବେଳେ ଖ୍ରୀଷ୍ଟଧର୍ମ ପ୍ରତି ଏହା ହିଁ ଥିଲା ରୋମାନ୍‌ ସାମ୍ରାଜ୍ୟର ନୀତି । ଏପରିକି ଖଲିଫାତ୍‌ ପ୍ରଥା ଯାହାକି ମୁସଲମାନମାନେ ସୃଷ୍ଟି କରିଥିଲେ ଏବଂ ସେମାନଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିଲା, ସେହି ରାଜତନ୍ତ୍ର ଇସଲାମ୍‌ ଧର୍ମ ପ୍ରସାରର ଅଭିବୃଦ୍ଧି ଦିଗରେ ବିଶେଷ ଉତ୍ସାହୀ ନଥିଲା; କାରଣ ଏମାନଙ୍କର ଅଣ-ମୁସଲମାନ ସଂଖ୍ୟାଗରିଷ୍ଠ ପ୍ରଜା-ସମ୍ପ୍ରଦାୟ ଅଧିକ ଧର୍ମକର ଦେଉଥିଲେ ଏବଂ ସେମାନେ ସ୍ୱଧର୍ମାବଲମ୍ୱୀମାନଙ୍କ ଅପେକ୍ଷା ଅଧିକ କର ଦେଉଥିବା ପ୍ରଜାମାନଙ୍କୁ ବେଶି ପସନ୍ଦ କରୁଥିଲେ । ଜରୋଷ୍ଟିଆନବାଦ ଓ ଇହୁଦୀ ଧର୍ମ ପ୍ରତି ପାରସ୍ୟ ସାମ୍ରାଜ୍ୟର ଅଧିକତର ଉଦାର ମନୋଭାବ ଥିଲା; ଅନ୍ତତଃପକ୍ଷରେ ତିନିଜଣ ବିଶ୍ୱାଧିପତି-ଅଶୋକ, କନିଷ୍କ ଓ କନ୍‌ଷ୍ଟାଣ୍ଟାଇନ୍‌ ବିଶ୍ୱଧର୍ମଗୁଡ଼ିକ ମଧ୍ୟରୁ କୌଣସି ଏକ ଧର୍ମର ଉତ୍ସାହୀ ପୃଷ୍ଠପୋଷକ ହିସାବରେ ଏବଂ ଏହାର ସମର୍ଥନ ଲାଗି ନିଜ ସାମ୍ରାଜ୍ୟର ସମ୍ପଦ ସ୍ୱଇଚ୍ଛାରେ ବିନିଯୋଗ କରି ଅମର ଯଶ ଲାଭ କରିଛନ୍ତି । ଅଶୋକ ମୌର୍ଯ୍ୟ ସାମ୍ରାଜ୍ୟକୁ ଥେରାବାଦ ବୌଦ୍ଧଧର୍ମର ସେବାରେ ନିଯୁକ୍ତ କରିଥିଲେ; କନିଷ୍କ ମହାଯାନ ବୌଦ୍ଧଧର୍ମର ସେବାରେ କୁଷାଣ ସାମ୍ରାଜ୍ୟକୁ ବିନିଯୋଗ କରିଥିଲେ; କନ୍‌ଷ୍ଟାଣ୍ଟାଇନ୍‌ ଖ୍ରୀଷ୍ଟଧର୍ମର ସେବାରେ ରୋମ୍‌ସାମ୍ରାଜ୍ୟକୁ ନିଯୁକ୍ତ କରିଥିଲେ ।

 

ଏହି ଭାବରେ ବିଶ୍ୱ-ସାମ୍ରାଜ୍ୟ ଗୁଡ଼ିକ ବିଶ୍ୱଧର୍ମର ଅଭିବୃଦ୍ଧିଲାଗି କେତେକ କ୍ଷେତ୍ରରେ ଅନିଚ୍ଛାକୃତ ଭାବେ ଏବଂ କେତେକ କ୍ଷେତ୍ରରେ ସ୍ୱେଚ୍ଛାରେ ସାହାଯ୍ୟ କରିଥିଲେ; କିନ୍ତୁ ସେ ଯାହାହେଉ ନା କାହିଁକି ଏହି ଦୁଇଟି ଅନୁଷ୍ଠାନ ପରସ୍ପରର ସ୍ୱାଭାବିକ ଅଂଶୀଦାର; କାରଣ ସେମାନେ ସେହି ଗୋଟିଏ ପ୍ରକାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଲିପ୍ତ ଥିଲେ । ବିଶ୍ୱ-ଧର୍ମ ଓ ବିଶ୍ୱ-ସାମ୍ରାଜ୍ୟ ମଧ୍ୟରେ ଏହି ସାଦୃଶ୍ୟ ଥିଲା ଯେ, ସେମାନଙ୍କର ମୂଳ ଚେଷ୍ଟା ଓ ଉଦ୍ଦେଶ୍ୟ ହେଲା ସମଗ୍ର ମାନବଜାତିକୁ ଏକ ସମ୍ପ୍ରଦାୟଭୁକ୍ତ କରି ଏକତ୍ରିତ କରିବା-ଅବଶ୍ୟ ଏ ପ୍ରକାର ଚେଷ୍ଟା ଭିନ୍ନ ଭିନ୍ନ ଦୃଷ୍ଟି କୋଣରୁ ଆରମ୍ଭ କରାହୋଇଥିଲା । ଆହୁରି ଏକ ବିଷୟରେ ମଧ୍ୟ ସେମାନଙ୍କର ପରସ୍ପର ସହିତ ସାଦୃଶ୍ୟ ରହିଛି; ସେ ସାଦୃଶ୍ୟ ହେଲା ଯେ ସେମାନେ ଗୋଟିଏ ପ୍ରକାର ଦୁର୍ବିପାକର ପ୍ରତିକ୍ରିୟାରୁ ଜନ୍ମ ନେଇଛନ୍ତି ଓ ଏହି ଦୁର୍ବିପାକରୁ ରକ୍ଷା ପାଇବାର ଏମାନେ ହେଲେ ଏକ ଗଠନମୂଳକ ପ୍ରଚେଷ୍ଟା ।

 

ଏହି ଦୁର୍ବିପାକ ଆଦି ଆଞ୍ଚଳିକ ସଭ୍ୟତାର ବ୍ୟର୍ଥତା ଯୋଗୁ ଦେଖା ଦେଇଥିଲା । ଗୃହ ବିବାଦ ହେଲା ଏହି ବ୍ୟର୍ଥତା’ର କାରଣ ଏବଂ ଅନୈକ୍ୟ ହେଲା । ଏହି ବିରୋଧର ଉତ୍ପତ୍ତିସ୍ଥାନ । ସେହି ଆଦିସଭ୍ୟତା ଆମରି ଆଜିକାର ସଭ୍ୟତା ପରି ରାଜନୈତିକ କ୍ଷେତ୍ରରେ ବହୁ ସ୍ୱୟଂଶାସିତ ସ୍ଥାନୀୟ ସ୍ୱାଧୀନ ରାଷ୍ଟ୍ରରେ ବିଭକ୍ତ ଥିଲା, ଏହି ରାଜ୍ୟଗୁଡ଼ିକ ପରସ୍ପର ସହିତ ଯୁଦ୍ଧ କରିବା ଲାଗି ଅବାଧ ସ୍ୱାଧୀନତା ପାଇଥିଲେ ଏବଂ ସେମାନଙ୍କର ନିଜ ନିଜ ଆଞ୍ଚଳିକ ସ୍ୱାର୍ଥ ନେଇ ଯେଉଁ ଅବଶ୍ୟମ୍ଭାବୀ ବିରୋଧ ଉପୁଜିଲା ସେଥିଯୋଗୁଁ ସେମାନେ ଯୁଦ୍ଧ କରୁଥିଲେ ଏବଂ ଏହି ଯୁଦ୍ଧ କ୍ରମଶଃ ଅଧିକରୁ ଅଧିକତର ଧ୍ୱଂସାତ୍ମକ ହୋଇ ଉଠିଥିଲା । ବୈଷୟିକ ଅବନତିର ପରିମାଣ ଅପେକ୍ଷା ନୈତିକ ଅବନତିର ପରିମାଣ ଅଧିକ ଥିଲା ଏବଂ ନୈତିକ ଅବନତିର ପୁନର୍ନିମାଣ ଅଧିକ କଷ୍ଟସାଧ୍ୟ ଅଟେ । ଏହି ମନ୍ଦବ୍ୟାଧିକୁ ରୋଧ କରିବାଲାଗି ବିଶ୍ୱ-ସାମ୍ରାଜ୍ୟଗୁଡ଼ିକ ପ୍ରତିଷ୍ଠିତ; କିନ୍ତୁ ଯେଉଁ ଉପାୟର ପ୍ରୟୋଗଦ୍ୱାରା ଏହାକୁ ରୋକିବାକୁ ଚେଷ୍ଟା ହେଲା ତାହା ବସ୍ତୁତଃ ଏହି ବ୍ୟାଧିର ଉତ୍ପତ୍ତିସ୍ଥଳର ସମପର୍ଯ୍ୟାୟଭୁକ୍ତ । ଏହି ସାମ୍ରାଜ୍ୟଗୁଡ଼ିକ ଯୁଯୁତ୍ସୁ ସ୍ଥାନୀୟ ରାଷ୍ଟ୍ରଗୁଡ଼ିକୁ ଭାଙ୍ଗିଦେଇ କିମ୍ୱା ସେମାନଙ୍କୁ ନିଜ ନିଜର ଆୟତ୍ତାଧୀନ କରି ଶାନ୍ତି ସ୍ଥାପନ କରୁଥିଲେ ଏବଂ ଏମାନଙ୍କ ଭିତରୁ ଗୋଟିଏ ଗୋଟିଏ ରାଜ୍ୟ କ୍ରମାନ୍ୱୟ ଆନ୍ତର୍ରାଜ୍ୟ ଯୁଦ୍ଧଗୁଡ଼ିକରୁ ଏକମାତ୍ର ଉଦ୍‌ବର୍ତ୍ତିତ ରାଜ୍ୟ ହିସାବରେ ଉଦୟ ହୋଇଥିବାରୁ ନିଜକୁ ବିଶ୍ୱ-ରାଜ୍ୟ ପର୍ଯ୍ୟାୟକୁ ଉନ୍ନୀତ କରୁଥିଲେ; କିନ୍ତୁ ବିଶ୍ୱ-ଧର୍ମ ଏହି ମନ୍ଦବ୍ୟାଧିର ଯେଉଁ ଆରୋଗ୍ୟର ଉପାୟ ଅବଲମ୍ୱନ କରିଥିଲେ ବରଂ ତାହା ଏଇ ବିଷୟର ଗଭୀରତମ ପ୍ରଦେଶରେ ପ୍ରବେଶ କରିଥିଲା । ବିଶ୍ୱ-ଧର୍ମର ସ୍ଥାପୟିତା ଓ ଉନ୍ନୟନକାରୀମାନେ ଦେଖିଲେ ଯେ ଧ୍ୱଂସାତ୍ମକ ଆନ୍ତର୍ରାଜ୍ୟ ଯୁଦ୍ଧବିବାଦର ରାଜନୈତିକ ଆବରଣ ଭିତରେ ଗୋଟିଏ ନୈତିକ ଉତ୍ସ ରହିଛି ଏବଂ ସେଥିଲାଗି ନୈତିକ ସ୍ତରରେ ହିଁ ଏହାର ସମାଧାନର ଫଳପ୍ରଦ ସନ୍ଧାନ ମିଳିପାରିବ । ପ୍ରତ୍ୟେକ ପୁରୁଷ କିମ୍ୱା ସ୍ତ୍ରୀକୁ ବ୍ୟକ୍ତିଗତ ଭାବରେ ଶାଶ୍ୱତ ଆଧ୍ୟାତ୍ମିକ ସତ୍ୟର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆଣିବା ଏବଂ ସେହି ପରମାତ୍ମାଙ୍କ ସହିତ ପ୍ରକୃତ ଯୋଗାଯୋଗ ଘଟାଇବା ଦିଗରେ ସାହାଯ୍ୟ କରିବା ହେଲା ଏହାର ପ୍ରଧାନ ଲକ୍ଷ୍ୟ । ମୋ ମତରେ ଏହି ଆଧ୍ୟାତ୍ମିକ ଅନୁସନ୍ଧାନ ସବୁ ଉନ୍ନତ ଧର୍ମର ସାର୍ବଜନୀନ ବିଷୟ, ଯଦିଚ ଆମ ଜାଣିବାରେ ସେମାନେ ପ୍ରତ୍ୟେକେ ପ୍ରତ୍ୟେକଙ୍କଠାରୁ ପୃଥକ ଏବଂ ପ୍ରକୃତ ସତ୍ୟର ସ୍ୱରୂପ ନିର୍ଦ୍ଧାରଣ କରିବାରେ ଓ ପବିତ୍ର ଜୀବନଯାପନର ଉପାୟ ନିର୍ବାଚନ ବିଷୟ ନେଇ ସେମାନଙ୍କ ମଧ୍ୟରେ ବିରାଟ ମତଭେଦ ରହିଛି । ମୁଁ ଆଗରୁ କହିଛି ଯେ ଏହି ବିଶ୍ୱ-ଧର୍ମ ବା ବିଶ୍ୱ-ସାମ୍ରାଜ୍ୟ ଭିତରୁ କେହି ଗୋଟିଏ ହେଲେ ଏପର୍ଯ୍ୟନ୍ତ ଆକ୍ଷରିକ ଅର୍ଥରେ ସମଗ୍ର ମାନବଜାତିକୁ ନେଇ ଏକ ପୃଥିବୀ ବ୍ୟାପୀ ସମ୍ପ୍ରଦାୟରେ ପରିଣତ କରିପାରି ନାହାନ୍ତି । ଆକ୍ଷରିକ ଅର୍ଥରେ ଏକ ପୃଥିବୀବ୍ୟାପୀ ସମ୍ପ୍ରଦାୟର ବାସ୍ତବତା ବର୍ତ୍ତମାନ ହିଁ ସମ୍ଭବ ହୋଇପାରିବ ଏବଂ ଏହାର ଜରୁରୀ ପ୍ରୟୋଜନ ମଧ୍ୟ ବର୍ତ୍ତମାନ ରହିଛି ଏବଂ ଆଧୁନିକ ଯନ୍ତ୍ରବିଦ୍ୟା ‘ଦୂରତ୍ୱର ବଳୟ ସାଧନ’ରେ ସମର୍ଥ ହୋଇଥିବାରୁ ଆମରି ଯୁଗରେ କେବଳ ଏ ପ୍ରକାର ବିଶ୍ୱସମ୍ପ୍ରଦାୟର ସମ୍ଭାବନା ରହିଛି । ପୃଥିବୀବ୍ୟାପୀ ଏକତ୍ରୀକରଣର ପ୍ରଚେଷ୍ଟା ବ୍ୟତୀତ ଅନ୍ୟ କିଛି ମାନବଜାତିକୁ ଆତ୍ମଧ୍ୱଂସରୁ ରକ୍ଷା କରିପାରିବ ନାହିଁ । ବର୍ତ୍ତମାନ ପରିସ୍ଥିତିରେ ଆମ ଆଗରେ ଦେଖାଦେଇଥିବା ଏହି କାର୍ଯ୍ୟଟି ଯେପରି କଷ୍ଟସାଧ୍ୟ, ସେହିପରି ଜରୁରୀ ମଧ୍ୟ । ତେଣୁ ଆମର ପୂର୍ବପୁରୁଷମାନଙ୍କର ଅଭିଜ୍ଞତାରୁ ଆମେ ଯେଉଁ ଶିକ୍ଷା ପାଇଛୁ, ତାହାର ପ୍ରୟୋଗ ଓ ଶିକ୍ଷଣଦ୍ୱାରା ନିଜକୁ ସାହାଯ୍ୟ କଲେ ବିଜ୍ଞତାର ପରିଚୟ ମିଳିବ ।

 

ମୋ ମତରେ ଗୋଟିଏ ଶିକ୍ଷା ଅତି ସ୍ପଷ୍ଟ । ଆଣବିକ ଯୁଗରେ ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ବିଶ୍ୱର ଏକତ୍ରୀକରଣ, ସାମରିକ ପଦ୍ଧତି-ଯାହାକି ଅତୀତରେ ବିଶ୍ୱ-ସାମ୍ରାଜ୍ୟର ପ୍ରତିଷ୍ଠାତାମାନେ ପ୍ରୟୋଗ କରିଥିଲେ-ପ୍ରୟୋଗଦ୍ୱାରା ସମ୍ଭବ ହେବ ନାହିଁ । ତୀର-ଧନୁ ଯୁଗର ଯୁଦ୍ଧବିଗ୍ରହରେ ମଧ୍ୟ ଯୁଦ୍ଧ ଓ ବିଜୟଦ୍ୱାରା ବିଶ୍ୱରର ରାଜନୈତିକ ଏକତ୍ରୀକରଣ ଲାଗି ଯେଉଁ ନୈତିକ ଓ ବୈଷୟିକ ମୂଲ୍ୟ ଦେବାକୁ ପଡ଼ୁଥିଲା ତା’ର ପରିମାଣ ଅତ୍ୟନ୍ତ ବେଶି । ପ୍ରତ୍ୟେକ ଥର, ଯେତେବେଳେ ଏହି ପଦ୍ଧତିରେ ସେହି ଐକ୍ୟ ହାସଲ କରାଯାଉଥିଲା ଏବଂ ଯୁଦ୍ଧ ପୃଥିବୀବ୍ୟାପୀ ବିସ୍ତୃତ ନ ହୋଇ ତଥାକଥିତ ବିଶ୍ୱ-ସାମ୍ରାଜ୍ୟ ଭିତରେ ଆବଦ୍ଧ ରହୁଥିଲେ ସୁଦ୍ଧା-ଯେଉଁ ଅଭିଶପ୍ତ ସମାଜ ଏହି ବର୍ବର ଓ ନୃଶଂସ କାର୍ଯ୍ୟ ସହିତ ନିଜକ ସମ୍ପୃକ୍ତ କରୁଥିଲା, ସେ ସମାଜ ଏହି ପ୍ରକ୍ରିୟାଦ୍ୱାରା ନିଜ ଲାଗି ଅପୂରଣୀୟ ସର୍ବନାଶ ଡାକି ଆଣୁଥିଲା ।

 

ଏହା ନିଶ୍ଚିତଭାବରେ କୁହାଯାଇ ପାରିବ ଯେ, ଆଣବିକ ଯୁଗରେ ବଳପ୍ରୟୋଗଦ୍ୱାରା ମାନବଜାତିକୁ ଏକତ୍ରିତ କରିବାର ଯେ କୌଣସି ପ୍ରଚେଷ୍ଟାର ପରିଣାମରେ ମାନବର ଏକତ୍ରୀକରଣ ପରିବର୍ତ୍ତେ ମାନବର ଆତ୍ମ-ଧ୍ୱଂସ ହିଁ ଘଟିବ । ଅନ୍ୟାନ୍ୟ କ୍ଷେତ୍ରପରି ରାଜନୈତିକ କ୍ଷେତ୍ରରେ ମଧ୍ୟ ମିଶନାରୀ ଧର୍ମପ୍ରଚାରକମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ପ୍ରରୋଚନା ପ୍ରଣାଳୀ ଅନୁସରଣୀୟ ଏବଂ ଆଜି ଐକ୍ୟ ସାଧନ ଲାଗି ଏହା ହେଲା ଏକମାତ୍ର ସମ୍ଭାବ୍ୟ ପନ୍ଥା । ଯେଉଁ ଯୁଗର ରାଜନୈତିକ ଆଦର୍ଶ ହେଲା ଗଣତନ୍ତ୍ର ଓ ଯେଉଁ ସମାଜର ଆୟତନ ଏତେ ବିଶାଳ, ସେଠାରେ ଏ ପ୍ରକାର ଜନମନୋଗ୍ରାହୀ ପ୍ରରୋଚନାମୂଳକ କୌଶଳ ଅବଲମ୍ୱନ କରିବାକୁ ଆମେ ବାଧ୍ୟ; ଯାହାକୁ ବିଧିମତ Propaganda ବା ପ୍ରଚାର ବୋଲି କୁହାଯାଇପାରେ । ଯେଉଁ କୌଶଳର ଅପବ୍ୟବହାର ହେବା ସହଜସାଧ୍ୟ, ତାହା ଯେପରି କେବଳ ମାତ୍ର ଆଇନସଙ୍ଗତ ଉପାୟରେ ବ୍ୟବହୃତ ହୁଏ, ସେ ବିଷୟରେ ଆମକୁ ସଦା ଜାଗ୍ରତ ରହିବାକୁ ପଡ଼ିବ । କିନ୍ତୁ ଆଣବିକ ଯୁଦ୍ଧର ବିପଦ ସହିତ ବେଆଇନ ପ୍ରଚାରର ବିପଦ ତୁଳନା କଲେ, ବେଆଇନ ପ୍ରଚାରର ବିପଦ ଅତି ସାମାନ୍ୟ ବୋଲି ଜଣାଯିବ ।

 

ଯଦିଚ ବିଶ୍ୱ-ଧର୍ମ ଓ ବିଶ୍ୱ-ସାମ୍ରାଜ୍ୟ କେହି ଆକ୍ଷରିକ ଅର୍ଥରେ ସାରା ପୃଥିବୀ ଧରି ବିସ୍ତୃତ ନଥିଲେ, ତଥାପି ସେମାନେ ପ୍ରତ୍ୟେକେ ତତ୍କାଳୀନ ଧାରଣାନୁଯାୟୀ ପ୍ରଜା କିମ୍ୱା ବିଭିନ୍ନ ଧର୍ମାବଲମ୍ୱୀମାନଙ୍କ ଲାଗି ଦୃଶ୍ୟତଃ ଓ ଅନୁଭବଗତ ଅର୍ଥରେ ସମଗ୍ର ପୃଥିବୀ ସହିତ ସମ-ବିସ୍ତୃତ ହୋଇ ରହିଥିଲେ; ଯଥା-ହିନ୍ଦୁଧର୍ମ, ବୌଦ୍ଧଧର୍ମ, ଖ୍ରୀଷ୍ଟିୟାନଧର୍ମ ଓ ମୁସଲମାନ ଧର୍ମ । ପ୍ରତ୍ୟେକେ ନିଜ ନିଜ ଧର୍ମାବଲମ୍ୱୀମାନଙ୍କ ଆଖିରେ ଥିଲା ବିଶ୍ୱ-ଧର୍ମ; ଯଦିଚ ଏହି ଚାରୋଟିଯାକ ଧର୍ମମତ ପ୍ରକୃତରେ ପାଖାପାଖି ରହିଥିଲେ । ସେହିପରି ଚୀନ ସାମ୍ରାଜ୍ୟ ଏପରି ଏକ ସମୟରେ ତା’ର ପ୍ରଜା ଆଖିରେ ‘ସ୍ୱର୍ଗ ତଳେ ଯାହା କିଛି ଅଛି ସବୁ ସେହିଠାରେ’ ବୋଲି ଜଣାଯାଉଥିଲା । ଠିକ୍‌ ସେତିକିବେଳେ ମଧ୍ୟ ରୋମାନ୍‌ ସାମ୍ରାଜ୍ୟର ପ୍ରଜା ପାଖରେ ‘ରୋମାନ୍‌ ସାମ୍ରାଜ୍ୟ ଥିଲା ସମଗ୍ର ମାନବ ଅଧ୍ୟୁଷିତ ପୃଥିବୀ’ । ବ୍ୟକ୍ତିଗତ ଅନୁଭୂତି ଅନୁସାରେ ଏହି ଦିଓଟି ଯାକ ସାମ୍ରାଜ୍ୟ, ବିଶ୍ୱସମ୍ରାଜ୍ୟ ବୋଲି ପରିଗଣିତ ହେଉଥିଲେ ସୁଦ୍ଧା ସେମାନେ ଏହି ପୃଥିବୀ-ପୃଷ୍ଠରେ ପରସ୍ପରର ସମସାମୟିକ ରାଜ୍ୟ ଥିଲେ । ଯଦିଚ ସେମାନେ ସମଗ୍ର ପୃଥିବୀବ୍ୟାପୀ ନିଜର ରାଜ୍ୟ ଅଧିକାର ଅଛି ବୋଲି ଭାବୁଥିଲେ, ତଥାପି ସେମାନେ ଏକ ସହସ୍ର ବର୍ଷର ପ୍ରାୟ ଏକ-ଚତୁର୍ଥାଂଶ ସମୟକାଳ ମଧ୍ୟରେ ପରସ୍ପର ଭିତରେ ବହୁତ କମ୍‌ ସଂସ୍ପର୍ଶରେ ଆସିଥିଲେ । କିନ୍ତୁ ସେ ଯାହା ହେଉନା କାହିଁକି, ଏକ ବିଶ୍ୱସମ୍ପ୍ରଦାୟର ସଭ୍ୟ ହେବାର ପ୍ରକୃତ ଅନୁଭୂତି, ଯାହାକି ବିଶ୍ୱ-ସାମ୍ରାଜ୍ୟର ପ୍ରଜା ଓ ବିଶ୍ୱଧର୍ମାବଲମ୍ୱୀମାନଙ୍କର ଅଭିଜ୍ଞତାରେ ଏତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା, ସେ ବିଷୟରେ ମନସ୍ତାତ୍ତ୍ୱିକ ଅନୁସନ୍ଧାନ କରିବା ଆମ ପକ୍ଷରେ ନିତାନ୍ତ ଆବଶ୍ୟକ । ଏଠାରେ ଭବିଷ୍ୟତରେ ଏକତ୍ରିତ ମାନବପରିବାରର ସଭ୍ୟ ହେଲେ ଆମକୁ କିପରି ଲାଗିବ ତା’ର ପୂର୍ବ-ସ୍ୱାଦ ଲାଭ କରିଛୁ ଏବଂ ଆମର ଭବିଷ୍ୟତ ପରିସ୍ଥିତିରେ ଏହି ପୂର୍ବଜ୍ଞାନ ଆମଲାଗି ବିଶେଷ ସୂଚନାପୂର୍ଣ୍ଣ ହେବ । ଆକ୍ଷରିକ ଅର୍ଥରେ ପୃଥବୀବ୍ୟାପୀ ମାନବସମାଜର ଏକତ୍ରୀକରଣ ହେଲାପରେ-ଅବଶ୍ୟ କେବେ ଯଦି ଆମେ ଏ ଦିଗରେ ପ୍ରକୃତରେ କୃତକାର୍ଯ୍ୟ ହେଉ, ଏହା ଆମର କେତେକ ସମସ୍ୟାର ସମାଧାନ କରିବ; କିନ୍ତୁ ଏଗୁଡ଼ିକର ସମାଧାନ କଲେ ମଧ୍ୟ ଏହା ସୁନିଶ୍ଚିତ ଯେ ଆମ ଲାଗି ପୁଣି ଏହା ନୂତନ ସମସ୍ୟାମାନ ସୃଷ୍ଟି କରିବ । ଆମର ପୂର୍ବ-ପୁରୁଷମାନଙ୍କର ଅଭିଜ୍ଞତା ଏ ଦିଗରେ ଆମ ଲାଗି କିଞ୍ଚିତ୍‌ ଆଲୋକପାତ୍‌ କରିପାରେ ।

 

ଆଞ୍ଚଳିକ ସଭ୍ୟତାର ଧ୍ୱଂସମୂଳକ ବ୍ୟର୍ଥତାରୁ ମାନବସମାଜକୁ ରକ୍ଷା କରିବା ଲାଗି ବିଶ୍ୱ-ସାମ୍ରାଜ୍ୟ ଓ ବିଶ୍ୱ-ଧର୍ମଗୁଡ଼ିକ ବର୍ତ୍ତମାନ ସୁଦ୍ଧା ବାରମ୍ୱାର ଚେଷ୍ଟା କରୁଛନ୍ତି ଏବଂ ଏଗୁଡ଼ିକ ହେଲେ ସାମାଜିକ ଧ୍ୱଂସମୁଖରୁ ଅବ୍ୟାହତି ପାଇବାର ଉପାୟ ଓ ମାନବ ଜାତିର ଏକତ୍ରୀକରଣ ପଥରେ ଦୁଇଟ ପଥନିର୍ଦ୍ଦେଶକ ପ୍ରସ୍ତର ସ୍ତମ୍ଭ; କିନ୍ତୁ କେବଳ ସାମାଜିକ ବିଶୃଙ୍ଖଳା ମାନବକୁ ଏକତା ପଥରେ ଚାଳିତ କରୁନାହିଁ । ପୂର୍ବବର୍ତ୍ତୀ ସଭ୍ୟତାର ଅଭ୍ୟୁଦୟ ହିଁ ହେଲା ଏକତାଭିମୁଖୀ ଆନ୍ଦୋଳନର ପ୍ରଥମ ସୋପାନ ଓ ଏହି ସଭ୍ୟତାର ପରବର୍ତ୍ତୀ ଧ୍ୱଂସାବସ୍ଥା ହିଁ ଏ ଦିଗରେ ଅଧିକ ଅନୁପ୍ରେରଣା ଆଣିଦେଲା ।

 

ମୋ ମତରେ ସଭ୍ୟତାର ପ୍ରାରମ୍ଭରୁ ଯେଉଁସବୁ ବିପଦ ମାନବ ନିଜ ଲାଗି ଡାକି ଆଣିଛି, ସେହି ସମସ୍ତ ବିପଦର ପ୍ରଧାନ କାରଣ ଅନୈକ୍ୟ ବୋଲି କହିବାଟା ମିଛ ହେବ ନାହିଁ । ଏହି ଅନୈକ୍ୟର କାରଣ ହେଲା, ସ୍ଥାନବିଶେଷ ପ୍ରତି ଆମର ବଦ୍ଧମୂଳ ଚରମ ଅନୁରକ୍ତି ଓ ସ୍ଥାନୀୟ ସମ୍ପ୍ରଦାୟଗୁଡ଼ିକ ପ୍ରତି ଅବାଧ ଆନୁଗତ୍ୟ । ଆଜି ଯେତେବେଳେ ପୂର୍ବାପେକ୍ଷା ଆମ ପକ୍ଷରେ ଐକ୍ୟସାଧନ ଅତ୍ୟନ୍ତ ଜରୁରୀ ହୋଇ ଉଠିଛି, ସେତେବେଳେ ମଧ୍ୟ ଏହି କାରଣଗୁଡ଼ିକ ଐକ୍ୟସାଧନ ପଥରେ ପ୍ରଧାନ ଅନ୍ତରାୟ ହୋଇ ରହିଛି । ପ୍ରାୟ ୫୦୦୦ ବର୍ଷ ପୂର୍ବେ ଆଦି ସଭ୍ୟତାର ଅଭ୍ୟୁଦୟର ପ୍ରାକ୍‌-କାଳରେ ଅଧିକତର ଉନ୍ନତ ମାନବସମ୍ପ୍ରଦାୟ ଯେଉଁ ପରିସ୍ଥିତିରେ ରହୁଥିଲେ, ସେହି ସମୟରୁ ଏହି ଅତ୍ୟଧିକ ଆଞ୍ଚଳିକ ଅନୁରକ୍ତି ସେହିପରି ଦୁର୍ଦ୍ଦମନୀୟ ଓ ବିପଜ୍ଜନକ ଭାବରେ ଜୀବିତ ହୋଇ ରହିଅଛି ।

 

ମନୁଷ୍ୟ ଜୀବନର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଏ ପର୍ଯ୍ୟନ୍ତ ଘଟିଥିବା ସର୍ବାପେକ୍ଷା ବୈପ୍ଳବିକ ଘଟଣା ହେଲା କୃଷିର ଉଦ୍ଭବାନ । କୃଷିର ଅନୁଶୀଳନ ଫଳରେ ପୁରୁଷ ତା’ର ଧାନକ୍ଷେତରେ ଓ ସ୍ତ୍ରୀଲୋକ ଆଳୁପରି ଗୋଟିଏ ପ୍ରକାର ମୂଳଜଜାତୀୟ ପରିବା ଉତ୍ପାଦନ ଲାଗି ଛୋଟିଆ ପରିବା କିଆରୀରେ ଲାଗିରହିଲେ । ପ୍ରାକ୍‌-କୃଷି ଯୁଗର ଶିକାରୀ ଓ ଖାଦ୍ୟସଂଗ୍ରହକାରୀମାନେ ଆଧୁନିକ କଳକାରଖାନାରେ କାମ କରୁଥିବା ମଜୁରିଆଙ୍କ ପରି ଆଞ୍ଚଳିକ ବନ୍ଧନରୁ ଅପେକ୍ଷାକୃତ ମୁକ୍ତ ଥିଲେ । ଏହି ଦୁହିଙ୍କୁ ତୁଳନା କଲେ ଦେଖାଯିବ ଯେ, କୃଷକ ଯେଉଁ କାମ କରି ଜୀବିକା ନିର୍ବାହ କରେ, ସେ କାମର ପ୍ରକୃତି ଏପରି ଯେ ତାହା ତାକୁ ସ୍ଥାଣୁ କରି ରଖିଦିଏ ଆପଣମାନେ ଜାଣିଛନ୍ତି ଯେ କୃଷକଲାଗି ତା’ର ସ୍ଥାନୀୟ ଗ୍ରାମ୍ୟ-ଗୋଷ୍ଠୀ ହିଁ ତା ପକ୍ଷରେ ସମଗ୍ର ଦୁନିଆ ଅଟେ । ଏହି ସଂକୀର୍ଣ୍ଣ ସୀମାରେଖା ତା’ର ଦିଗ୍‌ବଳୟକୁ ସୀମିତ କରିଛି । ସଭ୍ୟତାଯୁଗର ପ୍ରତି ସ୍ଥାନୀୟ ଗୋଷ୍ଠୀ ଏହି ପଲ୍ଲୀ-ସମାଜର ସମ୍ପ୍ରସାରିତ ସଂସ୍କରଣ ମାତ୍ର । ପରେ ଯେତେବେଳେ ଏହି ସ୍ଥାନୀୟ ଗୋଷ୍ଠୀଗୁଡ଼ିକ ବର୍ତ୍ତମାନ ଯୁଗର ଭାରତ, ଚୀନ, ସୋଭିଏଟ ୟୁନିୟନ ବା ଯୁକ୍ତରାଷ୍ଟ୍ରର ଆକାର ଧାରଣ କଲା, ସେତେବେଳେ ମଧ୍ୟ ଏହି ଦେଶମାନଙ୍କର ନାଗରିକମାନଙ୍କର ମନୋବୃତ୍ତି ସେହି ଗ୍ରାମ୍ୟ ମନୋବୃତ୍ତି ହୋଇ ହିଁ ରହିଗଲା ।

 

ଏହି ସ୍ଥାନୀୟ ଭିତ୍ତିର ମୂଳୋତ୍ପାଟନ କରି ମନୁଷ୍ୟକୁ ପରିଶେଷରେ ଏକତାବଦ୍ଧ ହେବାଲାଗି ମୁକ୍ତ କରିବା ଦିଗରେ ସଭ୍ୟତା ହେଲା ଗୋଟିଏ ମୁଖ୍ୟ ଆନ୍ଦୋଳନ । କୌଣସି ଦୁର୍ଘଟଣା ନ ଘଟିଲେ ସମଗ୍ର ମାନବଜାତିକୁ ଏକତାବଦ୍ଧ କରିବା ସମ୍ଭବ ହୋଇପାରିବ । ଜଣେ ବିଖ୍ୟାତ ଆମେରିକାନ୍‌ ନୃତତ୍ତ୍ୱବିତ୍‌ ରବାର୍ଟ ରେଡ଼ଫିଲ୍‌ଡ଼ କହିଛନ୍ତି, ‘‘ସଭ୍ୟତା ଜାତିଗତ ଭିତ୍ତିକୁ କୋହଳ କରିଦିଏ ।’’ ଏହା ଯଥାର୍ଥରେ ସତ୍ୟ । ଏ ପର୍ଯ୍ୟନ୍ତ କୃଷକକୁଳଙ୍କର ନିର୍ଭିର୍ତ୍ତିକରଣ ଦିଗରେ ପ୍ରଥମ ପଦକ୍ଷେପ ହେଲା ଜୋର୍ଡ଼ାନ ଉପତ୍ୟକାରେ ‘ଜେରିକୋ’ ନଗରୀର ମୂଳପତ୍ତନ । ଆମ ଜାଣିବାରେ ଏହା ପୃଥିବୀର ସର୍ବାପେକ୍ଷା ପୁରାତନ ନଗରୀ ଏବଂ ସେହିଦିନଠାରୁ ନଗର-ସଭ୍ୟତାର ଏହି ମୂଳୋତ୍ପାଟନ ପ୍ରକ୍ରିୟା ଆଗେଇ ଚାଲିଛି ଏବଂ ଆମ ସମୟରେ ପୃଥିବୀର ସମଗ୍ର ଅଧ୍ୟୁଷିତ ଅଞ୍ଚଳ ଏକ ବିରାଟ ନିରବଚ୍ଛିନ୍ନ ସହରରେ ପରିଣତ ହେବାପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିଥିବ । ଅବଶ୍ୟ ସଂଖ୍ୟାଦିଗରୁ ଦେଖିବାକୁ ଗଲେ ପୃଥିବୀରେ ମନୁଷ୍ୟ ଏ ପର୍ଯ୍ୟନ୍ତ ଯେତିକି ଶ୍ରେଣୀରେ ବିଭକ୍ତ ହୋଇଛି ସେମାନଙ୍କ ଭିତରେ କୃଷକକୁଳ ସର୍ବାପେକ୍ଷା ସଂଖ୍ୟାଗରିଷ୍ଠ ପେଶାଦାର ଗୋଷ୍ଠୀ ଅଟନ୍ତି । କୃଷକମାନେ ଆଉ ‘ବିଶିଷ୍ଟ କର୍ମୀ’ ହିସାବରେ ରହିନାହାନ୍ତି, କାରଖାନାର ଯନ୍ତ୍ର ଚଳାଉଥିବା ଶ୍ରମିକ ବର୍ତ୍ତମାନ କୃଷକର ଏହି ଭୂମିକା ଗ୍ରହଣ କରିଛି । ଏ ଯୁଗର ପ୍ରତିନିଧିମୂଳକ ଯନ୍ତ୍ରଚାଳକ ମନୁଷ୍ୟଟି କୌଣସି କାରଖାନାରେ ସ୍ଥାଣୁଯନ୍ତ୍ରକୁ ଚଳାଉଥିବା ପୁରୁଷ ବା ସ୍ତ୍ରୀଲୋକ ନୁହେଁ; ସେ ଆଜି ଜଳପଥ, ସ୍ଥଳପଥ ବା ଆକାଶପଥରେ ଗତି କରୁଥିବା କୌଣସି ଯନ୍ତ୍ରଯାନର ଚାଳକ ଅଟେ । କୃଷିର ଉଦ୍ଭାବନ ପରେ ମନୁଷ୍ୟ ସାମୟିକ ଭାବରେ ଅଚଳ ହୋଇ ରହିବା ପରେ, ପୁନରାୟ ସେ ଆହୁରି ଥରେ ଗତିଶୀଳ ହୋଇଉଠିଛି । ଏହି ଆନ୍ଦୋଳନ ହେଲା ପୃଥିବୀବ୍ୟାପୀ ଏକତା ଲାଗି ଅଭିଯାନ । ଆମ ଆଜିକି ପ୍ରାୟ ପାଞ୍ଚହଜାର ବର୍ଷଧରି ଏହି ଲକ୍ଷ୍ୟ ଅଭିମୁଖ୍ୟରେ ଅଗ୍ରସର ହେଉଛୁ-ତଥାପି ଆମର ସାମାଜିକ ମନୋବୃତ୍ତି ନିଓଲିଥିକ ଯୁଗରେ ହିଁ ରହିଯାଇଛି । ଆମେ ଏପର୍ଯ୍ୟନ୍ତ ଏପରି ବ୍ୟବହାର କରୁ, ଯେଉଁଥିରୁ ଜଣାପଡ଼େ ଯେ ଆମେ ଏବେ ମଧ୍ୟ ବହୁ ସ୍ୱତନ୍ତ୍ର ପଲ୍ଲୀ-କୃଷି ଗୋଷ୍ଠୀର ଅଧିବାସୀ ହୋଇ ରହିଛୁ ।

 

ମୋ ମତରେ ଆତ୍ମକେନ୍ଦ୍ରିକତାରୂପକ ମୌଳିକ ମାନବିକ ଦୁର୍ବଳତା ବ୍ୟତୀତ ଆଉ ଯେଉଁ ପରବର୍ତ୍ତୀ ମୁଖ୍ୟ କାରଣ ସଭ୍ୟତା-ଯୁଗର ଭୟଙ୍କର ବିପଦ ଡାକି ଆଣିଛି, ସେ କାରଣ ହେଲା ନିଓଲିଥିକ (ପ୍ରସ୍ତର) ଯୁଗସୁଲଭ ସ୍ଥାନୀୟ ଆନୁଗତ୍ୟପୂର୍ଣ୍ଣ ପୁରାତନ ମନୋଭାବର ଉପସ୍ଥିତି-। ବର୍ତ୍ତମାନ ଆମେ ଯେତେବେଳେ ଆଣବିକ ଯୁଗରେ ପ୍ରବେଶ କରୁଛୁ, ସେତେବେଳେ ଆମର ଏହି ପରାତନ ଚିନ୍ତାଧାରା ଓ ଅନୁଭୂତି ଆମଲାଗି ମାରାତ୍ମକ ଅଟେ । ଐକ୍ୟସାଧନ ବା ଆତ୍ମବିନାଶ ଏହି ଦୁଇଟି ମଧ୍ୟରୁ ଗୋଟିକୁ ମନୁଷ୍ୟକୁ ବାଛିନେବାକୁ ପଡ଼ିବ । ଆମେ ଏ ଦୁନିଆରେ ରହିବୁ ନା ରହିବୁନି-ଏହି ପ୍ରଶ୍ନ ଉତ୍ତର ଦେବାର ଗୁରୁତର ସିଦ୍ଧାନ୍ତରେ ପହଞ୍ଚିବାରେ ବିଳମ୍ୱ ଆମ ପକ୍ଷରେ ଆଉ ସମ୍ଭବ ନୁହେଁ ।

Image

 

Unknown

ବିଶ୍ୱ-ଐକ୍ୟ ସାଧନରେ ଭାରତର ଅବଦାନ

 

ମୋର ତୃତୀୟ ଓ ସର୍ବଶେଷ ବକ୍ତୃତାର ବିଷୟବସ୍ତୁ ଜଣେ ବିଦେଶୀ ପକ୍ଷରେ ଆଲୋଚନା କରିବାଟା ସଂକୋଚଜନକ । କିନ୍ତୁ ମୋର ମୂଳ ବିଷୟବସ୍ତୁର ଏହା ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ମୁଁ ଏ ବିଷୟରେ କିଛି କହିବାକୁ ଚେଷ୍ଟା କରୁଛି । କିନ୍ତୁ ସଶଂକ ଚେତନା ମୋ ମନରେ ବାରମ୍ୱାର ଖେଳିଯାଉଛି । ଯେଉଁ ବିଷୟର ଅସଲ ପ୍ରକୃତି ସମ୍ବନ୍ଧରେ ମୋର ଶ୍ରୋତାମାନଙ୍କର ଗଭୀର ଭାବରେ ଅଭିଜ୍ଞତା ଓ ସୂକ୍ଷ୍ମଦୃଷ୍ଟି ରହିଛି, ସେ ବିଷୟରେ ମୁଁ ବାହାରର ଲୋକ ହୋଇ ଆଲୋଚନା କରିବାକୁ ଯାଉଛି । ଏ ବିଷୟ ଆପଣମାନଙ୍କର ବ୍ୟକ୍ତିଗତ ଓ ଜାତୀୟ ଅଭିଜ୍ଞତାପ୍ରସୂତ । ଏଥିରୁ କେତେକ ବିଷୟ ବାଦବିସମ୍ୱାଦମୂଳକ ଓ ଗୁରୁତ୍ୱପୂର୍ଣ୍ଣ । ସେଥିଲାଗି ଏହା ସହଜରେ ଜନସାଧାରଣଙ୍କର ଅନୁଭୂତିକୁ ଆଲୋଡ଼ିତ କରିପାରେ । ତେଣୁ ଆଜି ବିଶେଷ କରି ଏହି ଶ୍ରୋତୃବୃନ୍ଦଙ୍କୁ କହିଲାବେଳେ ମୁଁ ଅନ୍ୟଦିନ ଅପେକ୍ଷା ବିଶେଷ ପରିମାଣରେ ଭୟାତୁର ହୋଇପଡ଼ିଛି ।

 

ମୁଁ ତିନୋଟି ବିଷୟରେ ଆଲୋଚନା କରିବାକୁ ଚାହେଁ । ଅବଶ୍ୟ ସେଗୁଡ଼ିକ ସବୁ ଜଣାଶୁଣା କଥା; କିନ୍ତୁ ଏହି କାରଣଯୋଗୁଁ ସେଗୁଡ଼ିକୁ ବିବେଚନାର ଅଯୋଗ୍ୟ ବୋଲି ଭାବିବା ଠିକ୍‌ନୁହେଁ । ମୋର ପ୍ରଥମ କଥା ହେଲା ଯେ ଭାରତ ପୃଥିବୀରେ ଏକ କେନ୍ଦ୍ର ଆସନ ଅଧିକାର କରିଛି ଏବଂ ପ୍ରାରମ୍ଭରେ ସଭ୍ୟତା ଯେତେବେଳେ ପୂର୍ବ ପଶ୍ଚିମ ଚାରିଆଡ଼େ ନିଜର ଆଦି ଜନ୍ମଭୂମିରୁ (ଯାହାକି ବର୍ତ୍ତମାନର ଇରାକ୍‌) ପ୍ରସରିଯାଇଥିଲା, ସେହିଦିନଠାରୁ ଭାରତ ଏହି ଆସନରେ ରହିଛି । ମୋର ଦ୍ୱିତୀୟ କଥା ହେଲା ଯେ ଭାରତ ଆଧୁନିକ ପୃଥିବୀର ଏକ ସଂକ୍ଷିପ୍ତସାର ସଂସ୍କରଣ । ଆଜି ମାନବଜାତି ଯେଉଁ କେତେକ ପ୍ରଧାନ ପ୍ରଧାନ ସମସ୍ୟାର ସମ୍ମୁଖୀନ ହୋଇଛି, ସେହି ସମସ୍ୟାତକ ଭାରତର ସୀମାଭିତରେ ମଧ୍ୟ ସ୍ପଷ୍ଟଭାବରେ ରହିଛି ଏବଂ ସେଗୁଡ଼ିକ ଭାରତର ଜାତୀୟ ସମସ୍ୟାରୂପରେ ଦେଖାଦେଇଥିବାରୁ ଭାରତର ଜନସାଧାରଣ ତଥା ଭାରତ ସରକାର ଆଜି ସେସବୁ ସାଙ୍ଗରେ ଲଢ଼ୁଛନ୍ତି । ମୋର ତୃତୀୟ କଥା ହେଲା ଭାରତରେ ଜୀବନପ୍ରତି ଏକ ଦୃଷ୍ଟିକୋଣ ରହିଛି-ମାନବ ସମ୍ପର୍କୀୟ ବିଷୟ ପରିଚାଳନାରେ ଏକ ବିଶେଷ ଦୃଷ୍ଟିଭଙ୍ଗୀ ରହିଛି-ଯାହାକି ବର୍ତ୍ତମାନ ପରିସ୍ଥିତିର ଅଭାବ ମେଣ୍ଟାଇବାଲାଗି ଉପଯୁକ୍ତ ଉତ୍ତର ଦେଇପାରିବ ଏବଂ ଏହା କେବଳ ଭାରତ ପାଇଁ ନୁହେଁ, ସମଗ୍ର ପୃଥିବୀ ପାଇଁ ଉତ୍ତର ଦେଇପାରିବ ବୋଲି ମୁଁ ଭାବୁଛି । ତେଣୁ ମୁଁ ସେସବୁ ବିଷୟଗୁଡ଼ିକ ଗୋଟି ଗୋଟି କରି ଆଲୋଚନା କରିବି । ଭାରତର ଗୁରୁତ୍ୱପୂର୍ଣ୍ଣ ଅବସ୍ଥିତି ବିଷୟରେ ମୁଁ ଦୃଷ୍ଟି ଆକର୍ଷଣ କରୁଛି । ବାସ୍ତବିକ ଘଟଣାବଳୀ ଏ ବିଷୟରେ ଅତି ସ୍ପଷ୍ଟ । ତେଣୁ ଏ ପ୍ରକାର ଘଟଣାବଳୀକୁ କେବଳ ଅନାବୃତ କରିବା ଦରକାର; ଏହାର ଯୁକ୍ତିଯୁକ୍ତ ପ୍ରମାଣର ଆବଶ୍ୟକତା ନାହିଁ । ଯେଉଁ ଆଞ୍ଚଳିକ ସଭ୍ୟତା ସୁଦୂର ଉତ୍ତରପୂର୍ବ ଜାପାନରୁ ଆରମ୍ଭ କରି ବହୁଦୂର ଉତ୍ତର-ପଶ୍ଚିମ ଆୟର୍ଲାଣ୍ଡ ପର୍ଯ୍ୟନ୍ତ ବିସ୍ତୃତ ହୋଇ ରହିଛି, ଭାରତ ସେହି ବିରାଟ ବିସ୍ତୃତିର କେନ୍ଦ୍ରଅଂଶ । ଏହି ଦୁଇ ଶେଷସୀମା ମଧ୍ୟରେ ଏହି ମାଳାଟି ବିଲମ୍ୱମାନ ହୋଇ ବିଷୁବରେଖା ଅତିକ୍ରମ କରି ଇଣ୍ଡୋନେସିଆ ପର୍ଯ୍ୟନ୍ତ ଦକ୍ଷିଣ ଆଡ଼କୁ ଯେପରି ଝୁଲିଯାଇଛି-। ଅପେକ୍ଷାକୃତ ପ୍ରାଚୀନ ଏହି ‘ପୁରାତନ ପୃଥିବୀ’ର ସଭ୍ୟତାର ଏକ ନାମ ସୁପ୍ରାଚୀନ ଗ୍ରୀକ୍‌-ଭାଷାରେ ରହିଛି । ଗ୍ରୀକ୍‌ମାନେ ଏହାକୁ ସମଷ୍ଟିଗତ ଭାବରେ Oikoumene ବୋଲି କହୁଥିଲେ-ଯାହାର ଅର୍ଥ ହେଉଛି ‘ପୃଥିବୀର ମାନବ-ଅଧ୍ୟୁଷିତ ଅଞ୍ଚଳ’ ଏବଂ ସେମାନେ କ୍ରମଶଃ ଏହାର ପରିସର ସହିତ ପରିଚିତ ହୋଇଥିଲେ । ଖ୍ରୀଷ୍ଟ୍ରୀୟ ଯୁଗର ଦ୍ୱିତୀୟ ଶତାବ୍ଦୀର ଆଲେକ୍‌ଜାନ୍ଦ୍ରୀୟ ଗ୍ରୀକ୍‌-ଭୌଗୋଳିକ ଟଲେମିଙ୍କ ସମୟରୁ ଏହି ‘ଓଇକୁମିନି’ର ପରିସର ଅବଶ୍ୟ ଅନେକାଂଶରେ ବର୍ଦ୍ଧିତ ହୋଇଛି । ଏହା ରୁଷିଆ, ଉତ୍ତର ୟୁରୋପ, ଆମେରିକା କ୍ରାନ୍ତିବଳୟର ଆଫ୍ରିକା, ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡକୁ ଅନ୍ତର୍ଗତ କରିଛି । ଆଜି ଏହା ପୃଥିବୀପୃଷ୍ଠର ସମଗ୍ର ମାନବ-ଅଧ୍ୟୁଷିତ ଓ ଗତାୟତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିଛି ଏବଂ ଏହା ଆଧୁନିକ କାରିଗରୀ ଯୁଗର ପୃଥିବୀପୃଷ୍ଠର ପ୍ରାୟ ସମଗ୍ର ଅଂଶକୁ ମଧ୍ୟ ଅନ୍ତର୍ଭୁକ୍ତ କରି ରହିଛି । ପୂର୍ବରେ ଚୀନ ଓ ପଶ୍ଚିମରେ ୟୁରୋପ ଆଡ଼େ ସଭ୍ୟତାର ଆଦିବିସ୍ତୃତି ଘଟିଥିଲାବେଳେ ଭାରତ ଯେଉଁ କେନ୍ଦ୍ରସ୍ଥାନ ଅଧିକାର କରିଥିଲା, ଏହି ସମସ୍ତ ପରିବର୍ତ୍ତନ ମଧ୍ୟରେ ମଧ୍ୟ ଭାରତ ନିଜର ସେହି କେନ୍ଦ୍ର ସ୍ଥାନ ଅଧିକାର କରି ରହିଛି ।

 

କେବଳ ଭୌଗୋଳିକ ଅର୍ଥରେ ସେ ଭାରତ କେନ୍ଦ୍ରସ୍ଥାନ ଅଧିକାର କରିଛି ତାହା ନୁହେଁ-। ଉଦାହରଣ ସ୍ୱରୂପ, ଅଧିକାଂଶ ଲୋକ ସ୍ୱୀକାର କରିବେ ଯେ, ଭାରତ ପୃଥିବୀବ୍ୟାପୀ ପ୍ରଚଳିତ ପ୍ରତିଦ୍ୱନ୍ଦ୍ୱୀ ଆଦର୍ଶବାଦ ମଧ୍ୟରେ ଭାରସାମ୍ୟ ରକ୍ଷା କରୁଛି । ଆଜି ଭାରତ ନିଜର ରାଜନୈତିକ ଜୀବନରେ ବିଧାନସଭା-ଆଶ୍ରୟୀ ଗଣତନ୍ତ୍ର ନୀତିକୁ ସ୍ୱୀକାର କରି ନେଇଥିବା ଯୋଗୁଁ ଏସିଆରେ ଏହାର ପ୍ରାଧାନ୍ୟ ରହିଛି । ଯଦି ଭାରତ ଏହି ବିଷୟରେ ତା’ର ନୀତି ପରିବର୍ତ୍ତନ କରେ ତେବେ ସେ ପରିବର୍ତ୍ତନ କେବଳ ଭାରତରେ ଅନୁଭୂତ ହେବନାହିଁ, ଭାରତ ମହାସାଗର ତୀରବର୍ତ୍ତୀ ସମଗ୍ର ଅଞ୍ଚଳରେ, ଏସିଆ ଓ ଆଫ୍ରିକାର ମଧ୍ୟଭାଗରେ ମଧ୍ୟ ସେ ପରିବର୍ତ୍ତନ ଅନୁଭୂତ ହେବ । ଅବଶ୍ୟ ରାଜନୀତି ମାନବର କାର୍ଯ୍ୟକଳାପ ଏକ ବାହ୍ୟିକ ସ୍ତର ମାତ୍ର । ଧର୍ମ ମଣିଷଜୀବନର ଆହୁରି ଗଭୀର ସ୍ତରକୁ ସ୍ପର୍ଶ କରିଛି ଏବଂ ଏହି ଧର୍ମକ୍ଷେତ୍ରରେ ମଧ୍ୟ ଭାରତର ଭୂମିକା ଗ୍ରହୀତାର ନୁହେଁ, ଦାତାର । ପ୍ରଚଳିତ ଉନ୍ନତ ଧର୍ମମତଗୁଡ଼ିକ ଭିତରୁ ଅର୍ଦ୍ଧେକରୁ ବେଶି ସଂଖ୍ୟାର ଉତ୍ପତ୍ତି ଭାରତରେ ହୋଇଛି । ମାନବଜାତିର ପ୍ରାୟ ଅର୍ଦ୍ଧଭାଗ ହିନ୍ଦୁଧର୍ମ ବା ବୌଦ୍ଧଧର୍ମାବଲମ୍ୱୀ । ବିଶ୍ୱ-ଇତିହାସରେ ଭାରତ ଅର୍ଥନୈତିକ ପରି ଆଉ ଏକ ସମ୍ପୂର୍ଣ୍ଣ ଭିନ୍ନ ଦିଗରେ ମଧ୍ୟ ଏକ ପ୍ରଧାନ ଶକ୍ତିରୂପରେ ପରିଗଣିତ ହୋଇଥିଲା । ପ୍ରଥମ ଡେରିୟସ୍‌ଙ୍କ ରାଜତ୍ୱକାଳର ପାରସ୍ୟ ସାମ୍ରାଜ୍ୟର ଅର୍ଥନୈତିକ ଇତିହାସ ବିବେଚନା କରନ୍ତୁ, ଖ୍ରୀ: ପୂ: ଦ୍ୱିତୀୟ ଶତାବ୍ଦୀରେ ମିଶର ଓ ସିନ୍ଧୁ ଉପତ୍ୟକା ମଧ୍ୟରେ ସମୁଦ୍ରପଥ ଆବିଷ୍କାର ହେଲା ପରେ ଗ୍ରୀକ୍‌-ରୋମାନ୍‌ ଜଗତର କଥା ବିବେଚନା କରନ୍ତୁ, ଭେନିସ୍‌ର ଅଭ୍ୟୁତ୍‌ଥାନ ପରେ ମଧ୍ୟଯୁଗୀୟ ଖ୍ରୀଷ୍ଟଧର୍ମାବଲମ୍ୱୀ ଦେଶଗୁଡ଼ିକର କଥା ବିବେଚନା କରନ୍ତୁ ଏବଂ ଭାସ୍କୋଡ଼ାଗାମା କାଲିକଟ୍‌ରେ ଅବତରଣ କଲାପରେ ଆଧୁନିକ ପାଶ୍ଚାତ୍ୟ ଜଗତର କଥା ଆଲୋଚନା କରନ୍ତୁ; ଆପଣମାନେ ଦେଖିପାରିବେ ଯେ ଏହି ପ୍ରତ୍ୟେକଟି କ୍ଷେତ୍ରରେ ଭାରତର ଅଂଶ ବିବେଚନା କଲାପରେ ହିଁ ଏହି କାହାଣୀଗୁଡ଼ିକର ତାତ୍ପର୍ଯ୍ୟ ବୋଧଗମ୍ୟ ହେଉଛି । ରାଜନୀତି ଦିଗରେ ଦେଖିବାକୁ ଗଲେ, ଅତୀତ ପ୍ରତି ଦୃଷ୍ଟିପାତ କରି ଯେଉଁ ରାଜ୍ୟଗୁଡ଼ିକୁ ଆମେ ଆକ୍ଷରିକ ଅର୍ଥରେ ବିଶ୍ୱ-ରାଷ୍ଟ୍ରର ପରୀକ୍ଷାମୂଳକ ମଡ଼େଲ୍‌ ବା ଆଦର୍ଶ ବୋଲି ସ୍ୱୀକାର କରିବା, ଭାରତର ସେହି ପ୍ରକାର ଚାରୋଟି ସାମ୍ରାଜ୍ୟ ମୂଳଭୂମି ହୋଇଥିଲା । ଏଥିମଧ୍ୟରୁ ମୌର୍ଯ୍ୟ ଓ ଗୁପ୍ତ ଉଭୟ ସାମ୍ରାଜ୍ୟ ସମ୍ପୂର୍ଣ୍ଣଭାବରେ ଭାରତୀୟମାନଙ୍କଦ୍ୱାରା ନିର୍ମିତ ହୋଇଥିଲା ଓ ସେମାନେ ଏହାର ରକ୍ଷଣାବେକ୍ଷଣ କରିଥିଲେ ଏବଂ ମୋଗଲ ବ୍ରିଟିଶ୍‌ ସାମ୍ରାଜ୍ୟର ଅଣଭାରତୀୟ ନିର୍ମାତାମାନେ ଯଦି ବହୁ ପରିମାଣରେ ଭାରତୀୟ ସହକାରୀମାନଙ୍କର ସାହାଯ୍ୟ ଲାଭ କରିନଥାନ୍ତେ, ତେବେ ଏହି ସାମ୍ରାଜ୍ୟ-ସମୂହର ପତନ ଓ ରକ୍ଷଣାବେକ୍ଷଣ କେବେହେଁ ସମ୍ଭବ ହୋଇନଥାନ୍ତା ।

 

ଏହାପରେ ହିଁ ସମସାମୟିକ କେତେକ ବିଶ୍ୱ-ସମସ୍ୟାର ଆଲୋଚନା କରିବି । ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକ ପରି ଭାରତ ମଧ୍ୟ ଏ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଛି ଓ ଭାରତୀୟ ଉପାୟରେ ଏହି ସମସ୍ୟାଗୁଡ଼ିକର ସମାଧାନ କରିବୁ ଚାହୁଁଛି । ଭାରତ କିପରି ଭାବରେ ମାନବଜାତିର ଏହି ସାଧାରଣ ସମସ୍ୟାଗୁଡ଼ିକ ଭାରତୀୟ ରୀତିରେ ପରିଚାଳନା କରୁଚି, ତାହା ପୃଥିବୀର ଅନ୍ୟାନ୍ୟ ଦେଶସବୁ ପ୍ରଚୁର କୌତୂହଳ ସହ ଲକ୍ଷ୍ୟ କରୁଛନ୍ତି । କାରଣ ଭାରତୀୟ ଦୃଷ୍ଟିଭଙ୍ଗୀ ଓ ଭାରତୀୟ ଅଭିଜ୍ଞତା–ଅନ୍ୟ ଦେଶର ଯେଉଁ ଜନସାଧାରଣ ଏହି ଏକାପ୍ରକାରର ସମସ୍ୟା ସାଙ୍ଗରେ ଯୁଦ୍ଧ କରିଛନ୍ତି, ସେମାନଙ୍କ ଲାଗି ନିର୍ଦ୍ଦେଶସୂଚକ ହୋଇପାରେ ।

 

ମୁଁ ମୋର ଦ୍ୱିତୀୟ ବକ୍ତୃତାରେ ସଂସ୍କୃତିର କୃଷି ପର୍ଯ୍ୟାୟ ବିଷୟରେ କିଛି କହିଥିଲି । ଏହା ପ୍ରତ୍ନତାତ୍ତ୍ୱିକମାନଙ୍କ ଦ୍ୱାରା ନିଓଲିଥିକ (ଯୁଗ) ନାମରେ ଅଭିହିତ ହୋଇଛି ଏବଂ ଦକ୍ଷିଣ-ପଶ୍ଚିମ ଏସିଆର ‘ଉର୍ବର ଚନ୍ଦ୍ରକଳା ଭୂଖଣ୍ଡ’ରେ ସର୍ବପ୍ରାଚୀନ ସଭ୍ୟତାର ଉଦୟର ଠିକ୍‌ ଅବ୍ୟବହତ ପୂର୍ବରୁ ଏହାର ରୂପାୟନ ହୋଇଥିଲା । ସଂସ୍କୃତିର ନୂତନ ପର୍ଯ୍ୟାୟ ଆରମ୍ଭ ହବା ପରେ ମଧ୍ୟ ପୂର୍ବବର୍ତ୍ତୀ ସାଂସ୍କୃତିକ ସ୍ତରର ବିଲୁପ୍ତି ଘଟିଲା ନାହିଁ-ପୁରାତନ ସ୍ତର ଉପରେ ନୂତନ ସ୍ତର ଉପସ୍ଥାପିତ ହେଲା । ପୁରାତନ ସଂସ୍କୃତି ଗଭୀର ଭାବରେ ପ୍ରବାହିତ ହେଲା; କିନ୍ତୁ ସମ୍ପୂର୍ଣ୍ଣରୂପେ ବିଲୁପ୍ତ ହେଲା ନାହିଁ । ବିଗତ ପାଞ୍ଚହଜାର ବର୍ଷର ସଭ୍ୟତା ନିଓଲିଥିକ୍‌ କୃଷକମାନଙ୍କ ପୃଷ୍ଠରେ ଆରୂଢ଼ ହୋଇ ଚାଲିଆସିଛି । ମାତା ଧରିତ୍ରୀବକ୍ଷରେ କୃଷକକୁଳଙ୍କ ଶ୍ରମରେ ଗଠିତ ପିରାମିଡ଼ର ଭାର ପରି ଏହି ଭାର ମଧ୍ୟ ସେମାନଙ୍କ ଉପରେ ଅତ୍ୟନ୍ତ କଠିନ ଭାବରେ ଚାପିହୋଇ ବସିଛି-ସେହି ଦେବୀ ମାତା ଧରିତ୍ରୀକୁ ମଧ୍ୟ କଠୋର ପରିଶ୍ରମୀ କୃଷକକୁଳ ନିଜର କର୍ଷଣଜନିତ କୃଷିଶ୍ରମଦ୍ୱାରା ସୁଫଳା କରିଛନ୍ତି । ଗତ ପାଞ୍ଚ ହଜାର ବର୍ଷଧରି କୃଷକକୁଳ ନଗରବାସୀ, ସଂଖ୍ୟାଲଘୁ ଶାସକ ସମ୍ପ୍ରଦାୟଙ୍କୁ ସଭ୍ୟତାର ସମସ୍ତ ସୁଖ-ସୁବିଧା ଯୋଗାଇଦେବା ଲାଗି ଶୋଷିତ ହେବାରେ ଅଭ୍ୟସ୍ତ ହୋଇ ନିଜ ଭାଗ୍ୟ ନିକଟରେ ନିଜକୁ ଆତ୍ମସମର୍ପଣ କରିଛନ୍ତି । ଅଥଚ ଏହି ସଭ୍ୟତାଜନିତ ସ୍ୱାଚ୍ଛନ୍ଦ୍ୟରେ ଉତ୍ପାଦକ କୃଷକକୁଳଙ୍କର କୌଣସି ଭାଗ ନଥିଲା । ବିଶ୍ୱର କୃଷକକୁଳ ଅନାହାର ଅବସ୍ଥାର ସାମାନ୍ୟ ଟିକିଏ ଉପର ସ୍ତରରେ ଥାଇ ଜୀବିକା ନିର୍ବାହ କରୁଥିଲେ ଏବଂ ସେମାନଙ୍କର ଉତ୍ପାଦନର ଉଦ୍‌ବୃତ୍ତ ସେମାନଙ୍କଠାରୁ ଛଡ଼ାଇନେଇ ତଦ୍ଦ୍ୱାରା ଗୋଟିକ ପରେ ଗୋଟିଏ ସଭ୍ୟତାର ସୃଷ୍ଟି ବା ଧ୍ୱଂସ କରାହେଉଥିଲା । ‘ସଭ୍ୟତା ଯୁଗ’ରେ ମଧ୍ୟ କୃଷକକୁଳଙ୍କର ଜୀବନ ସମ୍ୱନ୍ଧରେ ବିଷଣ୍ଣ ଅଭିଜ୍ଞତା ଉଦାସୀନ ଓ ସ୍ଥବିର କରି ଦେଇଛି । ସେମାନେ ସେମାନଙ୍କର କଠୋର ଜୀବନକୁ ସ୍ୱୀକାର କରିନେବାକୁ ଶିଖିଛନ୍ତି । ସେମାନେ କେବେହେଁ ସ୍ୱପ୍ନରେ ସୁଦ୍ଧା ଭାବି ନାହାନ୍ତି ଯେ ନିଜ କାମଦ୍ୱାରା ନିଜ ଜୀବନକୁ ମହତ୍ତର କରି ତୋଳିବାର କ୍ଷମତା ସେମାନଙ୍କର ରହିଛି । ଅଳ୍ପଦିନତଳ ପର୍ଯ୍ୟନ୍ତ ସମ୍ଭବତଃ କୃଷକମାନଙ୍କର ଏହି ଔଦାସୀନ୍ୟ ବାସ୍ତବ ଘଟଣାବଳୀ ସହିତ ମେଳ ଖାଇ ଚାଲିଥିଲା । ଯେତେବେଳେ ଏହି ସଭ୍ୟତା ଅବଶେଷରେ ଅର୍ଥନୈତିକ କ୍ଷେତ୍ରରେ ପରାଶ୍ରୟୀ ହେବା ପରିବର୍ତ୍ତେ ଉତ୍ପାଦନଶାଳୀ ହୋଇଉଠିଲା, ସେତେବେଳେ କୃଷକମାନଙ୍କର ଅବସ୍ଥାର ଉନ୍ନତି ହେବାର ସମ୍ଭାବନା ଦେଖାଦେଲା । ଦୁଇଶହ ବର୍ଷ ତଳେ ଶିଳ୍ପ-ବିପ୍ଳବର ସୂତ୍ରପାତ ନ ହେବା ପର୍ଯ୍ୟନ୍ତ, ଏ ପ୍ରକାର ଚେତନା ଦେଖାଦେଇ ନଥିଲା । ବର୍ତ୍ତମାନ ସୁଦ୍ଧା ଯେତେ ଯେତେ କାରିଗରୀ ଉନ୍ନତି ଘଟିଛି, ସେଗୁଡ଼ିକ ବିକ୍ଷିପ୍ତଭାବରେ ଓ ମଝିରେ ମଝିରେ କାରିଗରୀ ଅଚଳତାର ଦୀର୍ଘ ବିରତିକାଳ ପରେ ଯାଇ ଘଟିଛି । ଆମର କୌଣସି କୃଷକ ବା ପ୍ରାକ୍‌-କୃଷକ ପୂର୍ବପୁରୁଷ ଯେଉଁ ଦିନ ସର୍ବପ୍ରଥମ ଯନ୍ତ୍ର ସାହାଯ୍ୟରେ ପଥର କାଟିପାରିଲା, ସେଦିନ ପ୍ରଥମ କରି ହଠାତ୍‌ ଏହି କର୍ମର ଉତ୍ସ ଦେଖାଦେଲା । ତା’ ପରେ ହେଲା କୃଷିର ଉଦ୍ଭାବନ-ଯାହାକି ଗୃହରେ ପଶୁପାଳନ ପର୍ଯ୍ୟାୟ ସାଙ୍ଗରେ ଏକତ୍ରିତ ହୋଇ ନିଓଲିଥିକ୍‌ ସଭ୍ୟତାର ଉତ୍ପତ୍ତି କଲା । ତା’ପରେ ସେହି ଅନ୍ତର୍ବର୍ତ୍ତୀ ଯୁଗ, ଯାହାକି ‘ପୁରାତନ ପୃଥିବୀ’ର ସଭ୍ୟତାର ଅଭ୍ୟୁଦୟ ଘୋଷଣା କରିଥିା । ସେହି ଯୁଗରେ ଉଦ୍‌ଭାବନର ଆଉ ଏକ ପ୍ରଚଣ୍ଡ ଉତ୍ସ ଦେଖାଗଲା । ଏ ସମ୍ପର୍କରେ ଚକ, ପାଲ, ଲଙ୍ଗଳ, ଧାତୁର ବ୍ୟବହାର ଇତ୍ୟାଦି ଉଲ୍ଲେଖଯୋଗ୍ୟ ଘଟଣା; କିନ୍ତୁ ସଭ୍ୟତାର ପରବର୍ତ୍ତୀ ଅଭ୍ୟୁତ୍‌ଥାନ କୌଣସି କାରିଗରୀ ବିପ୍ଳବ ସାଙ୍ଗରେ ଦେଖାଦେଇ ନଥିଲା କିମ୍ୱା ଏହି ଅଭ୍ୟୁତ୍‌ଥାନକୁ କୌଣସି ‘କାରିଗରୀ ବିପ୍ଳବ’ ବୋଲି ମଧ୍ୟ କହି ହେବନାହିଁ । ଅବଶ୍ୟ ଏହାକୁ ଗୋଟିଏ ପ୍ରତିଭାମଣ୍ଡିତ ବିପ୍ଳବ ବୋଲି କୁହାଯିବ-କିନ୍ତୁ ମଣିଷ ଜୀବନର ଏହି ଉଦ୍ଭାବନ ଘଟିଥିଲା ସାମାଜିକ ଏବଂ ରାଜନୈତିକ ସଂଗଠନ କ୍ଷେତ୍ରରେ, ଶିଳ୍ପ କ୍ଷେତ୍ରରେ ନୁହେଁ ।

 

ସଭ୍ୟତାର ଚରମ ରାଜନୈତିକ କର୍ମ ସାଫଲ୍ୟ ହେଲା, କୃଷକର ଉତ୍ପାଦନର କିୟଦଂଶ ଖାଦ୍ୟ ଉତ୍ପାଦନକାରୀର ପରିବାରବର୍ଗଙ୍କୁ ବଞ୍ଚେଇ ରଖିବାଲାଗି ଦେଇ, ଉଦ୍‌ବୃତ୍ତ ଖାଦ୍ୟକୁ ନିଜ ହାତକୁ ନେଇଯିବା । ସଭ୍ୟତା ଏହି ଅପହୃତ ଉଦ୍‌ବୃତ୍ତ ଉତ୍ପାଦନକୁ ସଂଖ୍ୟାଲଘୁ ‘ସୁବିଧାଭୋଗୀ’ ଶ୍ରେଣୀଙ୍କର ରକ୍ଷଣାବେକ୍ଷଣରେ ନିୟୋଗ କରୁଥିଲା । ଦୈନନ୍ଦିନ କାର୍ଯ୍ୟରେ ଅଂଶଗ୍ରହଣ କରିବା, ଖାଦ୍ୟ ଉତ୍ପାଦନ, ଶିଳ୍ପ କର୍ମ କିମ୍ୱା ପ୍ରୟୋଜନୀୟ ବସ୍ତୁର ପ୍ରସ୍ତୁତ କର୍ମରେ ନିଯୁକ୍ତ ରହିବା ଇତ୍ୟାଦି ଯେଉଁ ସାଧାରଣ କାର୍ଯ୍ୟରେ ଅବଶିଷ୍ଟ ଜନସାଧାରଣ ସମସ୍ତ ସମୟ ନିଯୁକ୍ତ ହୋଇ ରହୁଥିଲେ, ଏହି ସଂଖ୍ୟାଲଘୁ ସମ୍ପ୍ରଦାୟ ସେ ସବୁ କାମରୁ ଅବ୍ୟାହତି ଲାଭ କରିବାର ସୁଯୋଗ ପାଇଥିଲେ; ଫଳରେ ଏହି ସଂଖ୍ୟାଲଘୁ ଗୋଷ୍ଠୀ ଅନ୍ୟ କାମରେ ମନ ଦେବାଲାଗି ଅବସର ପାଇଥିଲେ ଏବଂ ଏହି ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରୁ ଆଉ ଏକ କ୍ଷୁଦ୍ର ସଂଖ୍ୟାଲଘୁ ସମ୍ପ୍ରଦାୟ, ଯେଉଁମାନେ କି ନିଜର ଅବସରକାଳ ସୃଜନଶୀଳ କର୍ମରେ ବ୍ୟର୍ଥ କରିଥିଲେ, ସେହିମାନଙ୍କୁ ଆଧୁନିକ ସଭ୍ୟତାର କୀର୍ତ୍ତିକଳାପ ଲାଗି ବାହାଦୁରୀ ଦିଆଯାଉଛି ଏବଂ ଏହି ସଂଖ୍ୟାଲଘୁ ଗୋଷ୍ଠୀର ସଂଖ୍ୟାଗରିଷ୍ଠ ଅଂଶ ସଭ୍ୟତାର ସମସ୍ତ ଅପରାଧ ଓ ପାପ ଲାଗି ଦାୟୀ । ସୁବିଧାଭୋଗୀ ସଂଖ୍ୟାଲଘୁ ସମ୍ପ୍ରଦାୟର ଏହି ସୃଜନଶୀଳ ସଂଖ୍ୟାଲଘୁ ଗୋଷ୍ଠୀ ମଧ୍ୟ ଇତିହାସର ସଭ୍ୟଯୁଗରେ ପ୍ରାୟ ପାଞ୍ଚହଜାର ବର୍ଷ ଲାଗି ଶିଳ୍ପବିଦ୍ୟାର ଅଗ୍ରଗତିକୁ ଅଚଳ ହୋଇ ରହିବାକୁ ଦେଇଥିଲେ । ଏହି ପାଞ୍ଚସହସ୍ର ବର୍ଷ ମଧ୍ୟରେ ଅବସର ଉପଭୋଗୀ ସଂଖ୍ୟାଲଘୁ ଗୋଷ୍ଠୀର ହୃଦୟ ଓ ମନ ଅନ୍ୟ ବିଷୟରେ ନିବିଷ୍ଟ ଥିଲା । ଉଦାହରଣସ୍ୱରୂପ-ସ୍ଥପତି ଶିଳ୍ପ, ଚିତ୍ରକଳା, କାବ୍ୟ, ଜ୍ୟୋତିର୍ବିଦ୍ୟା ଓ ଯୁଦ୍ଧବିଦ୍ୟା ପ୍ରଭୃତି କାର୍ଯ୍ୟ ଯେଉଁମାନେ ଚଳେଇପାରୁଥିଲେ ସେହିମାନଙ୍କ ଲାଗି ଆଡ଼ମ୍ୱରପୂର୍ଣ୍ଣ ଜୀବନଯାତ୍ରା ସମ୍ଭବ ହେଉଥିଲା ଗିଜାର ପିରାମିଡ଼, ଆଗ୍ରା, ପେକିଂ ଓ ଭର୍ସେଲିସ୍‌ର ପ୍ରାସାଦସମୂହ ପ୍ରଭୃତ ରାଜନୈତିକ ସ୍ମୃତିସୌଧ ହେଲା ସଂଖ୍ୟାଲଘୁ ଶାସକ ସମ୍ପ୍ରଦାୟଙ୍କର ଆତ୍ମପ୍ରକାଶର ପ୍ରତୀକ ଏବଂ ଏମାନଙ୍କର ଧର୍ମଗତ ଆକାଙ୍‌କ୍ଷା ରୂପାୟିତ ହୋଇଛି ଆଙ୍ଗକାର ଓ୍ୱାତ୍‌ବା ବୋରବୁଦୁର ସ୍ମୃତିସୌଧ, ପେକିଂର ‘ଅଲ୍‌ଟାର’ (ବେଦୀ) ଓ ଟେମ୍ପଲ ଅଫ୍‌ ହେଭେନ୍‌ (ସ୍ୱର୍ଗମନ୍ଦିର), ଡାରହାମ ବା ଚାର୍ଟେସର ଗୀର୍ଜା ଓ ଆଥେନ୍ସର ୟ୍ୟାକ୍ରୋପଲିଶଠାରେ ଥିବା ମନୋରମ ହର୍ମ୍ୟମାଳାରେ । (ଶେଷ ସୌଧଟି ତିଆରି ହୋଇଥିଲା ଆଥେନ୍ସର ମିତ୍ରଶକ୍ତିମାନଙ୍କଠାରୁ ଆଦାୟ ହୋଇଥିବା ଅନ୍ୟାୟ ଅର୍ଥରୁ; ଆଥେନ୍ସ ଅନ୍ୟାୟ ବଳପ୍ରୟୋଗ କରି ଏହି ମିତ୍ରଶକ୍ତିଙ୍କୁ ନିଜର ପ୍ରଜା କରି ରଖିଥିଲା ।)

 

ଏହି ବିଗତ ଦୁଇଶହ ବର୍ଷ ହେଲା ସଭ୍ୟତାର ସୃଷ୍ଟ ଅବସରଭୋଗୀ । ସଂଖ୍ୟାଲଘୁ ସମ୍ପ୍ରଦାୟ ଶିଳ୍ପବିଦ୍ୟା ଆଡ଼କୁ ପ୍ରକୃତରେ ଦୃଷ୍ଟି ଫେରାଇଅଛନ୍ତି । ତା’ ଫଳରେ ଶିଳ୍ପ ଉତ୍ପାଦନର ନୂତନ ଉତ୍ସ ଦେଖାଗଲା ଏବଂ ସମଗ୍ର ମାନବଜାତି ସଭ୍ୟତାର ସୁଖ-ସୁବିଧାରେ ଯଥାର୍ଥ ଅଂଶ ଆମରି ଜୀବନକାଳ ଭିତରେ ପାଇବାକୁ ସମର୍ଥ ହେଲେ ।

 

ବର୍ତ୍ତମାନ ଏହା ହିଁ ହେଲା ସମଗ୍ର ପୃଥିବୀ, ବିଶେଷ କରି ଭାରତର ପରିସ୍ଥିତି । ପୃଥିବୀର ଶତସହସ୍ର ସଂଖ୍ୟକ କୃଷକ ପଲ୍ଲୀ-ସମ୍ପ୍ରଦାୟର ଗୋଟିଏ ବିରାଟ ଅଂଶ ଭାରତରେ ରହିଛନ୍ତି ଏବଂ ଅବଶେଷରେ କୃଷକକୁଳଙ୍କୁ ତାଙ୍କର ଯଥାର୍ଥ ପ୍ରାପ୍ୟ ଦେବାଲାଗି ଭାରତର ଜନସାଧାରଣ ତଥା ଭାରତ ସରକାର ଏକ ବିରାଟ କାର୍ଯ୍ୟପନ୍ଥା ଆରମ୍ଭ କରିଛନ୍ତି । ଏଥର ଆସିବା ପୂର୍ବରୁ ମୁଁ ଆଉଥରେ ଯେତେବେଳେ ଭାରତ ଆସିଥିଲି, ପଶ୍ଚିମବଙ୍ଗ, ପଞ୍ଜାବ ଓ ତାମିଲ ରାଜ୍ୟରେ ପଲ୍ଲୀଉନ୍ନୟନ ପରିକଳ୍ପନାର କାର୍ଯ୍ୟକଳାପର କିୟଦଂଶ ଦେଖିବାର ସୁଯୋଗ ମୋର ହୋଇଥିଲା । ମୁଁ ଅନୁମାନ କରୁଛି, ଏହି ଯୋଜନାଗୁଡ଼ିକର ମୂଳକଥା ହେଲା ଯେ କୃଷକକୁଳ ନିଜେ କିପରି ନିଜକୁ ସାହାଯ୍ୟ କରିପାରିବେ ସେ ଦିଗରେ ସେମାନଙ୍କୁ ସାହାଯ୍ୟ କରିବା । ମୁଁ ଆହୁରି ମଧ୍ୟ ଭାବୁଛି ଯେ, ନିଜ ଗୋଡ଼ରେ ନିଜେ ଠିଆ ହେବାଲାଗି ଏହି ଯେଉଁ ସାହାଯ୍ୟ, ତା’ର ଉଦ୍ଦେଶ୍ୟ ହେଲା ସେମାନଙ୍କ ମନରେ ପ୍ରଧାନତଃ ନୂତନ ଆଶା, ଆତ୍ମପ୍ରତ୍ୟୟ, ସ୍ଥିର ସଂକଳ୍ପ ଓ ଉତ୍ସାହର ସ୍ଫୁଲିଙ୍ଗକୁ ପ୍ରଜ୍ଜ୍ୱଳିତ କରିବା । ମୋ ମତରେ ବାସ୍ତବ କ୍ଷେତ୍ରରେ ନିଜକୁ ନିଜେ ସାହାଯ୍ୟ କରିବା ଲାଗି ଯେଉଁ ପ୍ରାଥମିକ ପରୀକ୍ଷାମୂଳକ କାମ ହେବ, କୃଷକକୁଳଙ୍କୁ ଅନୁପ୍ରାରିତ କରିବାଲାଗି ସେଗୁଡ଼ିକ ଆଧ୍ୟାତ୍ମିକ ପ୍ରେରଣା କାର୍ଯ୍ୟ କରିବ ଏବଂ ଏ ପ୍ରକାର ଭୌତିକ ଉନ୍ନତି ପରିଣାମରେ ଅଧିକତର ଅଭୌତିକ ଉନ୍ନତି ଲାଗି ଏକ ପ୍ରୟୋଜନୀୟ ପରିସ୍ଥିତି ହୋଇ ଦେଖାଦେବ । ଭାରତ ଯେଉଁ ବିରାଟ କାର୍ଯ୍ୟପନ୍ଥା ନିଜ ହାତକୁ ନେଇଛି, ସେ ବିଷୟରେ ମୋର କିଛି ଧାରଣା ଅଛି । ଏପରି ଗୋଟିଏ ବିରାଟ ବିପ୍ଳବ ଏମିତି ଏକ ବିରାଟ ଆକାରରେ ଘଟୁଥିବା ହେତୁ ବହୁକ୍ଷେତ୍ରରେ ହତାଶାଜନକ ବିଳମ୍ୱ ଓ ବାଧା ଦେଖାଦେବା ସ୍ୱାଭାବିକ । ଏଥିମଧ୍ୟରେ ଭାରତରେ ହେଉଥିବା ପଲ୍ଲୀଉନ୍ନୟନ ପରିକଳ୍ପନାରେ ଭାଗ୍ୟ ଅବଶିଷ୍ଟ ପୃଥିବୀ ଲାଗି ପରମ ଆଗ୍ରହ ଓ ଚିନ୍ତାର ବିଷୟ । ଏ ବିଷୟ ନେଇ ସମଗ୍ର ପୃଥିବୀର ଆଖି ଭାରତ ଉପରେ ରହିଛି; କାରଣ ଭାରତ ବଳପ୍ରୟୋଗ ନ କରି କୃଷକକୁଳଙ୍କୁ କେବଳ ଉଦ୍ଦୀପିତ କରି ପୁନରାୟ ଗତିଶୀଳ କରିବାକୁ ଚେଷ୍ଟା କରୁଛି । ଏ କ୍ଷେତ୍ରରେ ଭାରତର ସାଫଲ୍ୟ ବା ବିଫଳତା ସମଗ୍ର ପୃଥିବୀରେ ଏ ପ୍ରକାର କର୍ମପନ୍ଥାର ସାଫଲ୍ୟ ଓ ବିଫଳତାର ଭବିଷ୍ୟତ ଦିଗ୍‌ଦର୍ଶକରୂପେ କାର୍ଯ୍ୟ କରିବ । ପୃଥିବୀର ବହୁ ଯୁଗଧରି ଶୋଷିତ କୃଷକକୁଳଙ୍କୁ ମୁକ୍ତ କରିବାଟା ପ୍ରକୃତ ବିଶ୍ୱ-ସମ୍ପ୍ରଦାୟ ସ୍ଥାପନା ଲାଗି ଏକ ଅତ୍ୟନ୍ତ ପ୍ରୟୋଜନୀୟ ପ୍ରାରମ୍ଭିକ ପ୍ରଚେଷ୍ଟା ବୋଲି ଧରାଯିବ ।

 

ଜନସଂଖ୍ୟା ସମସ୍ୟା ହେଲା ବର୍ତ୍ତମାନର ସମୟର ଏକ ପ୍ରଧାନ ବିଶ୍ୱ-ସମସ୍ୟା ଏବଂ ଏହା ମଧ୍ୟ ଭାରତର ଆଞ୍ଚଳିକ ସମସ୍ୟା । ପୃଥିବୀର ଜନ୍ମସଂଖ୍ୟା ଆନୁପାତିକ ହିସାବରେ ହ୍ରାସ ନକରି ପୃଥିବୀର ମୃତ୍ୟୁସଂଖ୍ୟା ହ୍ରାସ କରିବାରେ ସକ୍ଷମ ହେବାଫଳରେ ଜନସଂଖ୍ୟା ଅକଳନ ଭାବରେ ବଢ଼ିଚାଲିଛି । ମୁଁ ମୋର ପ୍ରଥମ ବକ୍ତୃତାରେ ଏ ବିଷୟ ନେଇ ଆଲୋଚନା କରିଥିବା ଯୋଗୁ, ମୋର ଆଜି ଏ ବିଷୟରେ ଆଉ କିଛି କହିବା ଦରକାର ନାହିଁ । ମୋର ମାତ୍ର ଏତିକି କହିବା କଥା ଯେ, ଭାରତ ସରକାର ଏ ଦିଗରେ ଅନ୍ୟ ସରକାରମାନଙ୍କ ଆଗରେ ଗୋଟାଏ ଉତ୍ତମ ଦୃଷ୍ଟାନ୍ତ ଦେଖେଇଥିବା ହେତୁ ଏହା ଅଭିନନ୍ଦିତ ହେବାର ଯୋଗ୍ୟ । ଭାରତ ସରକାର ଅତି ସ୍ପଷ୍ଟଭାବରେ ଏ ସମସ୍ୟାର ସମ୍ମୁଖୀନ ହୋଇ ଅଛନ୍ତି ଏବଂ ଏ ସମସ୍ୟାକୁ ଆୟତ୍ତାଧୀନ କରିବାଲାଗି ବାସ୍ତବ କର୍ମପନ୍ଥା ଗ୍ରହଣ କରିଛନ୍ତି । ନିଜର ଇଚ୍ଛା ଅନୁସାରେ ସନ୍ତାନ ସନ୍ତତି ସଂଖ୍ୟା ସୀମାବଦ୍ଧ କରାଯାଇପାରେ ଏବଂ ଏହା କରିବା ଉଚିତ-ଏ କଥା ହଜାର ହଜାର ସ୍ୱାମୀ-ସ୍ତ୍ରୀଙ୍କୁ ବୁଝେଇପାରିବାଟା ବାସ୍ତବିକ ଏକ ବିରାଟ ଶିକ୍ଷା-ସମସ୍ୟା । ଭାରତ ସରକାର କୁସଂସ୍କାରଦ୍ୱାରା ବାଧାଗ୍ରସ୍ତ ନ ହୋଇ ଏପରି ପରିକଳ୍ପନାରେ ହାତ ଦେଇଛନ୍ତି । ମୁଁ ଆଶାକରେ ଏହି ଉଦାହରଣ ଅନ୍ୟାନ୍ୟ ସରକାରଙ୍କୁ ଏ ପ୍ରକାର କାମରେ ସାହସ ଓ ପ୍ରେରଣା ଦେଇପାରିବ । ଏହା ଏପରି ଗୋଟିଏ କାମ ଯାହାକୁ ମାନବଜାତି ଅଗ୍ରାହ୍ୟ କରି ରହିପାରିବ ନାହିଁ ।

 

ଆଉ ଏକ ସମସ୍ୟା ଯାହାକି ପ୍ରାୟ ଆଜିକୁ ତିନିହଜାର ବର୍ଷ ହେବ ଭାରତର ସମସ୍ୟା ହୋଇ ରହିଛି ଏବଂ ଯାହାକି ବିଗତ ସାଢ଼େ ତିନି ଶତାବ୍ଦୀ ଧରି ପଶ୍ଚିମ ୟୁରୋପୀୟମାନେ ସମୁଦ୍ର ପାରି ହୋଇ ଅନ୍ୟାନ୍ୟ ରାଜ୍ୟରେ ବସତି ସ୍ଥାପନ କରିବା ଫଳରେ ସମଗ୍ର ପୃଥିବୀବ୍ୟାପୀ ଗୋଟିଏ ସମସ୍ୟା ହୋଇଉଠିଛି - ଏହା ହେଉଛି Apartheid (ବର୍ଣ୍ଣଭେଦ) ସମସ୍ୟା । ଏହା ଗୋଟିଏ ସାମାଜିକ ଓ ନୈତିକ ସମସ୍ୟା । ଏହାର ଉଦ୍ଭବ ଜାତିଭେଦ ପ୍ରଥାରୁ କିପରି ହୋଇଛି ସେ ବିଷୟରେ ମୁଁ କହିବି । Apartheid, ଏହି ଓଲନ୍ଦାଜ ଶବ୍ଦଟି ପର୍ତ୍ତୁଗୀଜ ଶବ୍ଦ Caste ଏବଂ ସଂସ୍କୃତ ଶବ୍ଦ ବର୍ଣ୍ଣର ଅନୁରୂପାର୍ଥକ ।

 

ଏହି ପ୍ରଥାର ଉତ୍ପତ୍ତି ଅତ୍ୟନ୍ତ ସୁସ୍ପଷ୍ଟ । ମାନବଜାତିର ଭିନ୍ନ ସଂସ୍କୃତି ଓ ଭିନ୍ନ ଆକୃତିର ଗୋଷ୍ଠୀମାନଙ୍କ ମଧ୍ୟରେ ହଠାତ୍‌ ମିଶ୍ରଣର ପରିଣାମରେ ଏହାର ଉଦ୍ଭବ ହୋଇଛି । ଗୋଟିଏ ଗୋଷ୍ଠୀଦ୍ୱାରା ଅନ୍ୟ ଗୋଟିଏ ଗୋଷ୍ଠୀ ବିଜିତ ହେବା ଫଳରେ କିମ୍ୱା ଅନ୍ୟ ଏକ ସମ୍ପ୍ରଦାୟ ଅପର ସମ୍ପ୍ରଦାୟର ଲୋକମାନଙ୍କୁ କ୍ରୀତଦାସ କରି ରପ୍ତାନି କରିବା ଫଳରେ, ଭିନ୍ନ ଭିନ୍ନ ଆକୃତି ଓ ସଂସ୍କୃତିର ଲୋକେ ପରସ୍ପର ସହିତ ମିଶିଲେ । ଅନ୍ୟ ଦେଶ ବିଜୟ ଫଳରେ ଯେଉଁ ପ୍ରକାର ସମ୍ମିଶ୍ରଣ ସମ୍ଭବ ହୋଇଥିଲା ତା’ର ଗୋଟିଏ ପ୍ରାଚୀନ ଉଦାହରଣ ହେଲା-ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ସହସ୍ରାବ୍ଦର ଶେଷଭାଗରେ ଏହି ଉପମହାଦେଶର ବିଶାଳ ଅଂଶ ମଧ୍ୟ-ଏସିଆ ଆର୍ଯ୍ୟଭାଷାଭାଷୀ ବର୍ବରମାନଙ୍କର ଅଗ୍ରଗାମୀ ବିଜୟ ଫଳରେ ଅଧିକୃତ ହେଲା । କ୍ରୀତଦାସ ବାଣିଜ୍ୟ ହେତୁ ସମ୍ମିଶ୍ରଣର ଗୋଟିଏ ପ୍ରାଚୀନ ଉଦାହରଣ ହେଲା ୧୮୬୧-୬୫ରେ ଶେଷ ହେଉଥିବା ସହସ୍ରାବ୍ଦର ଶେଷ ଚତୁର୍ଥାଂଶରେ ମାର୍କିନ ଗୃହଯୁଦ୍ଧ ସମୟରେ ଯୁକ୍ତରାଷ୍ଟ୍ରର ଦକ୍ଷିଣ-ପୂର୍ବ ଭୂଖଣ୍ଡରେ ଏହି କ୍ରୀତଦାସମାନଙ୍କର ବସତି ସ୍ଥାପନ । ଏହି ଦୁଇଟି କ୍ଷେତ୍ରରେ ଏବଂ ଅନ୍ୟାନ୍ୟ ସ୍ଥାନରେ; ଯଥା-ଦକ୍ଷିଣ ଆଫ୍ରିକାରେ ଏହି ମିଶ୍ରିତ ବର୍ଣ୍ଣଶଙ୍କର ସମ୍ପ୍ରଦାୟମାନଙ୍କ ମଧ୍ୟରୁ ଯେଉଁ ଗୋଷ୍ଠୀ ପ୍ରଭାବଶାଳୀ ହୋଇପାରିଛି, ସେ ଅପର ଗୋଷ୍ଠୀକୁ ଆନୁଷ୍ଠାନିକଭାବରେ ସ୍ୱତନ୍ତ୍ର କରି ରଖିଛି । ପ୍ରଭାବଶାଳୀ ହେବା ଅର୍ଥ ଏହା ନୁହେଁ ଯେ ସେମାନେ ସଂଖ୍ୟାଗରିଷ୍ଠ ବା ଅପେକ୍ଷାକୃତ ସଭ୍ୟ ଓ ମାର୍ଜିତ । ଆମେରିକା ବା ଦକ୍ଷିଣଆଫ୍ରିକାର ତଥାକଥିତ ଦରିଦ୍ର ଶ୍ୱେତାଙ୍ଗମାନେ ଯେ ସ୍ୱଦେଶବାସୀ ଆଫ୍ରିକାନ୍‌ମାନଙ୍କଠାରୁ ଅଧିକତର ସଭ୍ୟ ଏହା ପୃଥିବୀର ଅବଶିଷ୍ଟ ଲୋକଙ୍କୁ ବୁଝାଇବା କଷ୍ଟସାଧ୍ୟ ଏବଂ ଏହା ମଧ୍ୟ ଜଣାଯାଇଛି ଯେ ଭାରତ ଆକ୍ରମଣକାରୀ ଆର୍ଯ୍ୟମାନେ ସିନ୍ଧୁସଭ୍ୟତାର ଦାୟାଦମାନଙ୍କ ତୁଳନାରେ ସଂଖ୍ୟାରେ ଓ ସଭ୍ୟତାରେ ମଧ୍ୟ ଊଣା ଥିଲେ । ଅଥଚ ଏହି ସଂଖ୍ୟାଧିକ ଅଧିବାସୀମାନଙ୍କୁ ଆର୍ଯ୍ୟ-ବିଜେତାମାନେ ଏକ ହୀନଜାତିର ପର୍ଯ୍ୟାୟଭୁକ୍ତ କରିଥିଲେ । ଏହି ଉପମହାଦେଶର ବର୍ତ୍ତମାନ ଜନସଂଖ୍ୟାର ଅଧିକ ସଂଖ୍ୟକ ଲୋକ ନିଶ୍ଚୟ ଆର୍ଯ୍ୟ ପୂର୍ବପୁରୁଷ ଓ ସେମାନଙ୍କର ପରାଜିତ ଗୋଷ୍ଠୀରୁ ଜାତ ହୋଇଥିବେ ଏବଂ ସେମାନଙ୍କ ଶିରାରେ ହୁଏତ ବର୍ବର ଆର୍ଯ୍ୟରକ୍ତରୁ ଏକ ବିନ୍ଦୁ ଥାଇପାରେ ବା ନ ଥାଇପାରେ ମଧ୍ୟ ।

 

ମୋର ନିଜର ଜନ୍ମସ୍ଥଳରେ ଦୁଇଟି ବର୍ବର ବଂଶର ଧାରା ରହିଛି । ମୋର ପରିବାର ଇଂଲଣ୍ଡର ପୂର୍ବପ୍ରଦେଶ ଭିତରୁ ଗୋଟିକର ଅଧିବାସୀ । ପଶ୍ଚିମରେ ରୋମାନ୍‌-ସାମ୍ରାଜ୍ୟର ପତନ ପରେ ଏହି ଅଞ୍ଚଳ ଦୁଇଥର ବର୍ବର ଆକ୍ରମଣକାରୀଙ୍କ ଦ୍ୱାରା ଆକ୍ରାନ୍ତ ହୋଇଛି । ସତେ ଯେପରି ଅସଭ୍ୟ ଇଂରେଜ ଆକ୍ରମଣକାରୀ ପ୍ରବେଶ ଦୁର୍ଦ୍ଦଶାର ଚୂଡ଼ାନ୍ତ କରିପାରିଲାନି–ତେଣୁ ରୋମ ସାମ୍ରାଜ୍ୟର ଏହି ହତଭାଗ୍ୟ କ୍ଷିୟଷ୍ଣୁ ଅଂଶ, ଅସଭ୍ୟ ଡେନ୍‌ ଆକ୍ରମଣକାରୀଙ୍କ ଦ୍ୱାରା ଦ୍ୱିତୀୟ ଥର ଲାଗି ଆକ୍ରାନ୍ତ ହେଲା । ମୁଁ ନିଜେ ହେଲି ବର୍ବର ଡେନ୍‌ ଆକ୍ରମଣକାରୀଙ୍କ ଦ୍ୱିତୀୟ ତରଙ୍ଗରୁ ନିକ୍ଷିପ୍ତ ଏକ ଅଂଶ । ମୋର ପଦବୀରୁ ବର୍ବର ଡେନ୍‌ ବଂଶଧାରାର ସୂଚନା ମିଳୁଛି । ଏହି ଶ୍ରୋତାମାନଙ୍କ ମଧ୍ୟରେ ଯଦି କେହି ପଞ୍ଜାବୀ ଥାନ୍ତି ତେବେ ତାଙ୍କର ମୋ ପ୍ରତି ଆତ୍ମୀୟତା ଜନ୍ମିବ; କାରଣ ପଞ୍ଜାବ ଲିଙ୍କଲନ୍‌ ଶାୟାର ପରି ଥରକରୁ ବେଶି ଆର୍ଯ୍ୟ-ଭାଷାଭାଷୀ ଓ ଇରାକ୍‌-ଭାଷାଭାଷୀ ଆକ୍ରମଣକାରୀଙ୍କ ଦ୍ୱାରା ପ୍ଳାବିତ ହୋଇଥିଲା । ବିଶାଳ ଇନ୍ଦୋ-ୟୁରୋପୀୟ ଭାଷାଗୋଷ୍ଠୀର ଦୁଇ ଚରମ ଶାଖା ହେଲେ, ଆର୍ଯ୍ୟ-ଭାଷାଭାଷୀ ଓ ଟିଉଟୋନିକ୍‌-ଭାଷାଭାଷୀ ସମ୍ପ୍ରଦାୟ ଓ ଏମାନେ ବିଗତ ତିନି ଚାରି ହଜାର ବର୍ଷଧରି Oikumeneରେ (ମାନବ ଅଧ୍ୟୁଷିତ ଅଞ୍ଚଳରେ) ଆକ୍ରମଣାତ୍ମକ ଅଭିଯାନ ଚଳାଇ ଆସିଛନ୍ତି । କାହିଁକି ଏଇ ଦୁଇଟି ଗୋଷ୍ଠୀ ଏତେ ତୀବ୍ରଭାବରେ ନିଜର ‘ଜାତି’ ବିଷୟରେ ସଚେତନ ହୋଇ ଆସିଛନ୍ତି ? କାହିଁକି ଏମାନେ ଅନ୍ୟ ଆକୃତିର ଲୋକମାନଙ୍କଠାରୁ ଅତ୍ୟନ୍ତ ଅନୁଦାର ଭାବରେ ନିଜକୁ ସ୍ୱତନ୍ତ୍ର କରି ରଖିଛନ୍ତି ? ଯେତେବେଳେ ଆର୍ଯ୍ୟ ବା ଟିଉଟନ୍‌ ଏହି ଦୁଇ ଗୋଷ୍ଠୀଙ୍କ ମଧ୍ୟରୁ ଯେ କେହି ଗୋଷ୍ଠୀ କୌଣସିଠାରେ କ୍ଷମତାସୀନ ହୋଇଅଛନ୍ତି, ସେମାନେ ସବୁବେଳେ କାହିଁକି ଅନ୍ୟମାନଙ୍କୁ ଏକ ହୀନସ୍ତରରେ ଅବଦମିତ କରି ରଖିଛନ୍ତି ? ସେହି ଗୋଟିଏ ସ୍ଥାନରୁ ଆମ ମାତୃଭାଷାଗୁଡ଼ିକର ଉତ୍ପତ୍ତି ହୋଇଥିବା ହେତୁ ଆମର ଏହି ଟିଉଟନ୍‌ ଆର୍ଯ୍ୟ-ଜାତ୍ୟାଭିମାନ ହୋଇଛି ବୋଲି କହି ହେବନାହିଁ । କାରଣ ରାଜନୈତିକ ବ୍ୟବହାର, ବିଧି ଓ ଭାଷା ମଧ୍ୟରେ କୌଣସି ଯୁକ୍ତିଯୁକ୍ତ ସମ୍ପର୍କ ନାହିଁ ଏବଂ ଏତଦ୍‌ବ୍ୟତୀତ ଆହୁରି ଅନେକ ଲୋକ ରହିଛନ୍ତି ଯାହାଙ୍କ ଭାଷା ପରି ଇନ୍ଦୋ-ୟୁରୋପୀୟ; କିନ୍ତୁ ଜାତିଆଣବୋଧ ବିଷୟରେ ରୋମାନଙ୍କର ଇତିହାସ ଆମ ଅପେକ୍ଷା ଅନେକଂଶରେ ଶ୍ରେଷ୍ଠ । ମୁଁ ଏଠି ବିଶେଷ ଭାବରେ ଲାଟିନ୍‌ଭାଷୀ ଲୋକଙ୍କ କଥା ଭାବୁଛି ଏବଂ ଏମାନଙ୍କ ମଧ୍ୟରୁ ବିଶେଷତଃ ସ୍ପାନିସ୍‌ ଓ ପର୍ତ୍ତୁଗୀଜ୍‌ମାନଙ୍କ କଥା ମନେପକାଉଛି । ଟିଉଟନ୍‌ ଓ ଆର୍ଯ୍ୟମାନେ ଯେଉଁ ପ୍ରଲୋଭନ ନିକଟରେ ଆତ୍ମସମର୍ପଣ କରିଥିଲେ ସେମାନେ ମଧ୍ୟ ସେ ପ୍ରକାର ପ୍ରଲୋଭନର ସମ୍ମୁଖୀନ ହୋଇଛନ୍ତି । ସ୍ପାନିସ୍‌ ଓ ପର୍ତ୍ତୁଗୀଜ୍‌ମାନେ ଆମପରି ବିଦେଶୀ ଜନସାଧାରଣଙ୍କୁ ପରାଜିତ କରିଛନ୍ତି ଏବଂ ଏହି ପରାଜିତ ଜାତି ଏମାନଙ୍କଠାରୁ ସଂସ୍କୃତିରେ ଓ ଜାତିରେ ସ୍ୱତନ୍ତ୍ର ଥିଲେ । ଏମାନେ ମଧ୍ୟ ଆମେରିକାନ୍‌ ଇଂରାଜୀଭାଷୀ ଟିଉଟନ୍‌ଙ୍କ ପରି କ୍ରୀତଦାସ କ୍ରୟବିକ୍ରୟ କରୁଥିଲେ । ତଥାପି ସେହି ସମାନ ପରିସ୍ଥିତିରେ ମଧ୍ୟ ସେମାନେ ସମାନ ପ୍ରକାରର ଅମାନୁଷିକ ବ୍ୟବହାର ଦେଖାଇ ନାହାନ୍ତି ।

 

ମୁଁ ମୋର ନିଜ ଅଭିଜ୍ଞତାରୁ ଏ ବିଷୟରେ ଗୋଟାଏ ଉଦାହରଣ ଦେଇପାରେ । ଥରେ ମେକ୍‌ସିକୋ ବିଶ୍ୱବିଦ୍ୟାଳୟର ଉପାଚାର୍ଯ୍ୟ (Rector)ଙ୍କ ନିକଟରୁ ଉପାଧି ଲାଭ କରିବାର ସମ୍ମାନ ମୋତେ ମିଳିଥିଲା । ମୋ ଜାଣିବାରେ ତାଙ୍କ ଦେହରେ ୟୁରୋପୀୟ ରକ୍ତ ବୋହୁନଥିଲା; କିନ୍ତୁ ସେ ଜଣେ ବିଖ୍ୟାତ ପଦାର୍ଥବିଜ୍ଞାନୀ ଥିଲେ ଏବଂ ଅଧିକନ୍ତୁ ସେ ଜଣେ ବୈଶିଷ୍ଟ୍ୟପୂର୍ଣ୍ଣ ଚରିତ୍ର ଓ ଉଲ୍ଲେଖଯୋଗ୍ୟ ବ୍ୟକ୍ତିତ୍ୱର ଲୋକ ଥିଲେ । ତାଙ୍କର ଅଧ୍ୟାପକମାନେ ତାଙ୍କ ଅଧୀନରେ କାମ କରିବାରେ ଯେ ଗୌରବ ଅନୁଭବ କରୁଥିଲେ ଏହା ସୁସ୍ପଷ୍ଟ ଭାବରେ ଜଣା ଯାଉଥିଲା । ଏମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ବର୍ଣ୍ଣଶଙ୍କର, ଅନେକ ମଧ୍ୟ ଖାଣ୍ଟି ୟୁରୋପୀୟ ବଂଶରୁ ଆସିଥିଲେ; କିନ୍ତୁ ଉପାଚାର୍ଯ୍ୟଙ୍କ ସହିତ ଅଧ୍ୟାପକମାନଙ୍କର ଯେଉଁ ସମ୍ପର୍କ ଥିଲା ସେଥିରେ ଯେତେଦୂର ଜଣାଯାଏ ଜାତ୍ୟାଭିମାନର ବିନ୍ଦୁମାତ୍ର ଚିହ୍ନ ନଥିଲା । ମୁଁ ବ୍ରାଜିଲ୍‌ ଯାଇନାହିଁ; କିନ୍ତୁ ୧୯୪୬ରେ ପ୍ୟାରିସ୍‌ରେ ଶାନ୍ତି ସମ୍ମିଳନୀ ସମୟରେ ବ୍ରାଜିଲିଆନ୍‌ ପ୍ରତିନିଧିଦଳଙ୍କୁ ନିକଟରୁ ଦେଖିବାର ସୁଯୋଗ ମୋର ଘଟିଥିଲା । ସେମାନେ ଏବଂ ବ୍ରିଟିଶ୍‌ ପ୍ରତିନିଧିଦଳ (ମୁଁ ଯେଉଁ ଦଳ ଅନ୍ତର୍ଗତ ଥିଲି) ଏକା ହୋଟେଲରେ ରହୁଥିଲେ । ପାଲେଷ୍ଟାଇନ୍‌ରେ ‘ଗାଜା’ ଭୂଖଣ୍ଡରେ ଥିବା ଆନ୍ତର୍ଜାତିକ ବାହିନୀର ଅନ୍ତର୍ଭୁକ୍ତ ବ୍ରେଜିଲିଆନ୍‌ ସୈନ୍ୟବାହିନୀର ଗୋଟିଏ ବ୍ୟାଟାଲିଆନ୍‌କୁ ଦେଖିଥିଲି । ମୁଁ ବ୍ରାଜିଲିଆନ୍‌ ସାମରିକ ଓ ବେସାମରିକ କର୍ମଚାରୀ ଉଭୟଙ୍କଠାରୁ ଲକ୍ଷ୍ୟ କରିଥିଲି ଯେ ଏହି ପର୍ତ୍ତୁଗୀଜଭାଷୀ ଜାତିଟି ଯଦିଚ ମେକ୍ସିକୋବାସୀଙ୍କ ପରି ବହୁ ଭିନ୍ନ ଜାତିର ମିଶ୍ରଣରେ ଗଠିତ ହୋଇଛନ୍ତି ତଥାପି ସେମାନେ, ମେକ୍ସିକାନ୍‌ଙ୍କ ପରି ଜାତ୍ୟାଭିମାନ ବା ଜାତିବିଦ୍ୱେଷରୁ ମୁକ୍ତ । ମୁଁ ଗୋଆ ଯାଇନି, ଅବଶ୍ୟ ଭାରତବାସୀ ଗୋଆନିଜ୍‌ମାନଙ୍କୁ ମୁଁ ଭେଟିଛି । ଗୋଆରେ ମଧ୍ୟ ଜାତିଗତ ସମ୍ପର୍କ କିପରି ସେ ବିଷୟରେ ଜାଣିବାକୁ ମୋର ଇଚ୍ଛା ଅଛି ।

 

କାହିଁକି ପର୍ତ୍ତୁଗୀଜ୍‌ ବା ସ୍ପେନବାସୀ ଲୋକମାନେ ଜାତି-ବିଦ୍ୱେଷରୁ ଅପେକ୍ଷାକୃତ ମୁକ୍ତ ? ସମ୍ଭବତଃ ବର୍ତ୍ତମାନ ଯାହାକୁ ସ୍ପେନ ଓ ପର୍ତ୍ତୁଗାଲ ବୋଲି କହୁଛୁ ତାହା ବହୁ ଶତାବ୍ଦୀ ଧରି ମୁସଲମାନ ଶାସନାଧୀନ ଥିବାରୁ ଏପରି ଘଟିଛି । ଏକଥା ନିଶ୍ଚିତ ଯେ ସଂଖ୍ୟାଲଘୁ ମୁସଲମାନ ଶାସକ ସମ୍ପ୍ରଦାୟ ଲାଟିନ୍‌ ପ୍ରଜାମାନଙ୍କ ପ୍ରତି ସେମାନଙ୍କ ବ୍ୟବହାରରେ କୌଣସି ପ୍ରକାର ଜାତିଗତ ବିଦ୍ୱେଷର ଭାବ ଦେଖାଇନଥିଲେ ଏବଂ ଜାତି ବିଷୟରେ ଏହି ଉଦାରତା ପ୍ରାୟ ସବୁ ସ୍ଥାନରେ ମୁସଲମାନମାନଙ୍କ ଏକ ବୈଶିଷ୍ଟ୍ୟ । ମୋର ଧାରଣା ଯଦି ଠିକ୍‌ ହୋଇଥାଏ, ତେବେ ମୁଁ ଭାବୁଛି ଯେ ଶିଖ୍‌ମାନଙ୍କ ଭିତରେ ଜାତିଭେଦ ନ ମାନିବାଟା ମୁସଲମାନ୍‌ ପ୍ରଭାବରୁ ହୋଇଛି । ସ୍ପାନିସ୍‌ ଓ ପର୍ତ୍ତୁଗୀଜ୍‌ମାନେ ସମ୍ଭବତଃ ସେହି ଏହା ଜାଗାରୁ ଏକାପ୍ରକାର ଶିକ୍ଷା ପାଇଥିବେ । ଏକ ଦିଗରେ ହିନ୍ଦୁ ଧର୍ମର ସାମାଜିକ ଜୀବନରେ ପ୍ରଭାବ ଓ ଅନ୍ୟ ଦିଗରେ ମୁସଲମାନ, ରୋମାନ କାଥଲିକ୍‌ ଓ ଖ୍ରୀଷ୍ଟଧର୍ମର ପ୍ରଭାବ ମଧ୍ୟରେ ନିମ୍ନଲିଖିତ ପାର୍ଥକ୍ୟ ବିଚାର କରିବାଟା ବୋଧହୁଏ ଅସଙ୍ଗତ ହେବନାହିଁ । ଅନ୍ୟ ଜାତିର ଲୋକେ ମୁସଲମାନ ବା କ୍ୟାଥଲିକ୍‌ ଧର୍ମ ଗ୍ରହଣ କଲାପରେ ସେମାନଙ୍କ ଭିତରେ ଥିବା ଜାତିଗତ ବ୍ୟବଧାନ ଭାଙ୍ଗିଯାଏ । ବିପରୀତ ଦିଗରେ ହିନ୍ଦୁଧର୍ମ ସ୍ୱଧର୍ମାବଲମ୍ୱୀ ଓ ଅନ୍ୟ ଧର୍ମାବଲମ୍ୱୀମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଖ୍ରୀଷ୍ଟିୟାନ୍‌ ବା ମୁସଲମାନମାନଙ୍କ ପରି ଏତେ କଠୋର ଭାବରେ ଜୋର୍‌ଦିଏ ନାହିଁ । କିନ୍ତୁ ଶିଖ୍‌, ମୁସଲମାନ ବା ଖ୍ରୀଷ୍ଟିୟାନ୍‌ ଧର୍ମ ପରି ହିନ୍ଦୁଧର୍ମ ଭିନ୍ନ ଜାତିର ଓ ବର୍ଣ୍ଣର (Caste) ଭାରତୀୟମାନଙ୍କୁ ସେପରି ଭାବରେ ଏକତ୍ରିତ କରିପାରିନାହିଁ ।

 

ବର୍ତ୍ତମାନ ପୃଥିବୀରେ ଦୁଇପ୍ରକାର ଲୋକ ଅଛନ୍ତି ଯାହାଙ୍କଠାରେ ଜାତିଭେଦ ଏକ ସମସ୍ୟା ହୋଇ ରହିଛି । ସେଥିରୁ ଗୋଟିଏ ହେଲା ଆଫ୍ରିକା । ଆଫ୍ରିକାରେ କେତେଗୁଡ଼ିଏ ଉପନିବେଶ ରହିଛି ଯେଉଁଠି ଜନସଂଖ୍ୟାର ଗୋଟିଏ ଅଂଶ ହେଲେ ପ୍ରଭାବଶାଳୀ ସଂଖ୍ୟାଲଘୁ ୟୁରୋପୀୟାନ୍‌ ସମ୍ପ୍ରଦାୟର ଲୋକ । ଦକ୍ଷିଣ ଆଫ୍ରିକା, କେନ୍ଦ୍ର ଆଫ୍ରିକା ଏବଂ କେନିଆରେ ଏହି ସଂଖ୍ୟାଲଘୁ ସମ୍ପ୍ରଦାୟ ହେଲେ ଟିଉନିକ୍‌ ଭାଷାଭାଷୀ ଏବଂ ଆଲଜେରିଆର ସେମାନେ ହେଲେ ଲାଟିନ୍‌ଭାଷୀ ଏବଂ ମୁଁ ଦୁଃଖିତ ଯେ ଆଲଜେରିଆର ଫରାସୀ ଓ ଭୂତପୂର୍ବ ସ୍ପାନିଶ୍‌ ସଂଖ୍ୟାଲଘୁ ସମ୍ପ୍ରଦାୟ ଡାଚ୍‌ ଓ ଇଂରେଜଙ୍କ ପରି ସେଠାରେ ବ୍ୟବହାର କରୁଛନ୍ତି । ତା’ପରେ ଭାରତ ହେଲା ଆଉ ଗୋଟିଏ ସ୍ଥାନ ଯେଉଁଠି କି ଏହି ସମସ୍ୟା ଏପର୍ଯ୍ୟନ୍ତ ମଧ୍ୟ ଗୁରୁତର ହୋଇ ରହିଛି ।

 

ଭାରତୀୟମାନଙ୍କର ଆର୍ଯ୍ୟ ପୂର୍ବପୁରୁଷମାନେ ପରାଜିତ ଭାରତୀୟ ପ୍ରଜାକୁଳଙ୍କ ପ୍ରତି ଯେପରି ବ୍ୟବହାର କରିଥିଲେ, ସେମାନଙ୍କର ସେହି ଆର୍ଯ୍ୟବଂଶଧରମାନେ ଭାରତରେ ବ୍ରିଟିଶ୍‌ରାଜତ୍ୱ ସମୟରେ ଅଳ୍ପ ବହୁତେ ପ୍ରାୟ ସେହି ପ୍ରକାରର ବ୍ୟବହାର ବ୍ରିଟିଶ୍‌ମାନଙ୍କଠାରୁ ପାଇଥିଲେ । ଭାରତର ଜନସାଧାରଣ ଓ ଭାରତ ସରକାର ନିଜ ହାତକୁ କ୍ଷମତା ହସ୍ତାନ୍ତର ପରେ ଏହି କଠିନ ସମସ୍ୟାର ଶେଷ ସମାଧାନ କରିବାଟା ନିଜର ପ୍ରଧାନ ଲକ୍ଷ୍ୟ ବୋଲି ଯେପରି ଭାବରେ ଧରିନେଇଛନ୍ତି, ତା ପଛରେ ଥିବା ଅନ୍ୟାନ୍ୟ କାରଣଗୁଡ଼ିକ ମଧ୍ୟରୁ ବ୍ରିଟିଶ ଶାସନକାଳରୁ ଏହି ଅଭିଜ୍ଞତା ହେଲା ଏକ କାରଣ । ଏହା ନୁହେଁ ଯେ, ଭାରତକୁ ବାହାରର ଲୋକେ ଏ ବିଷୟରେ ମନେ ପକେଇଦେବେ । ଏହି ଭାରତରେ ତ ଅଢ଼େଇହଜାର ବର୍ଷତଳେ ବୁଦ୍ଧଦେବ ଜାତିଭେଦ ପ୍ରଥାକୁ ଅସ୍ୱୀକାର କରିଥିଲେ ଏବଂ ମୋ ମତରେ ଏପର୍ଯ୍ୟନ୍ତ ଯେତେ ମହାନ୍‌ ଭାରତୀୟ ଜନ୍ମ ହୋଇଛନ୍ତି, ବୁଦ୍ଧ ସେ ସମସ୍ତଙ୍କ ଭିତରେ ମହତ୍ତମ ଏବଂ ଆମର ସମକାଳୀନ ଭାରତୀୟମାନଙ୍କ ମଧ୍ୟରେ ଶ୍ରେଷ୍ଠତମ ବ୍ୟକ୍ତି ହେଲେ ମହାତ୍ମା ଗାନ୍ଧି । ଯେତେବେଳେ ମହାତ୍ମା ଏବଂ ବୁଦ୍ଧ ଏକାସ୍ୱରରେ କଥା କହୁଛନ୍ତି, ସେତେବେଳେ ସେ ସ୍ୱରରେ ଆମେ ଭାରତର ନିଜ କଣ୍ଠସ୍ୱର ଶୁଣୁଛୁ ।

 

ଯେଉଁପ୍ରଥା ହଜାର ହଜାର ବର୍ଷଧରି ଉଚିତ ଓ ଅନୁଚିତ ବୋଲି ଆଚରିତ ହୋଇଆସିଛି, ଯେଉଁ ପ୍ରଥା ଆମର ଦୈନନ୍ଦିନ ଜୀବନର ଏକ ଅଙ୍ଗ, ସେ ପ୍ରଥାର ବିଲୋପସାଧନ କରିବା ଅତ୍ୟନ୍ତ ଆୟାସସାଧ୍ୟ ପ୍ରଚେଷ୍ଟା । ଅବଶ୍ୟ ଆଇନ ପ୍ରଣୟନ କରି ଏ ସମସ୍ୟା ସାଙ୍ଗରେ ଲଢ଼ିବା କଥା ଏବଂ ଯେଉଁ ଆଇନ କରାହୋଇଛି ସେ ବିଷୟରେ ମୁଁ ଅଳ୍ପକିଛି ଜାଣେ; କିନ୍ତୁ ଜାତିଗତ ସମସ୍ୟା ଜନସଂଖ୍ୟା ସମସ୍ୟା ପରି ଏପରି ଏକ ସମସ୍ୟା ଯେ ତାହାର ସମାଧାନ କେବଳ ସରକାରୀ କାର୍ଯ୍ୟକଳାପଦ୍ୱାରା ସମ୍ଭବ ହୋଇପାରିବ ନାହିଁ । ଏହାର ସମାଧାନ ଲାଗି ଲକ୍ଷ ଲକ୍ଷ ମନରେ ନୂଆ ବିଶ୍ୱାସ ଲୋଡ଼ା, ଲକ୍ଷ ଲକ୍ଷ ହୃଦୟର ପରିବର୍ତ୍ତନ ଲୋଡ଼ା । ଏହା ହେଲା ଆତ୍ମଶିକ୍ଷାମୂଳକ ଏକ ବିରାଟ କାମ, ତେଣୁ ଏହା ନିଶ୍ଚୟ ସମୟସାପେକ୍ଷ ।

 

ଏହି ସମ୍ପର୍କରେ ୧୯୫୬ ମସୀହାରେ ଶିବାଜୀଙ୍କ ଦେଶ ମହାରାଷ୍ଟ୍ରରଠାରେ ଥିବା ନ୍ୟାସନାଲ ଓ୍ୱାର ଏକାଡେମୀ (ଜାତୀୟ ସମର ଏକାଡେମୀ) ବୁଲିଯିବା କଥା ମୁଁ ଆନନ୍ଦିତ ଓ ଆଶାପୂର୍ଣ୍ଣ ମନରେ ସ୍ମରଣ କରୁଛି । ମୁଁ ଦେଖିଲି ଯେ ଇଚ୍ଛାକରି ସେଠି ଜାତିଭେଦ ଉଠାଇ ଦିଆଯାଇଛି ଏବଂ ଶୁଣିଲି ଯେ ଏଥିଯୋଗୁଁ କୌଣସି ଗୋଳମାଳ ମଧ୍ୟ ଘଟିନାହିଁ । ମୁଁ ଗୋଟିଏ କଥା ଦେଖି ବିଶେଷ କରି ଆଶ୍ଚର୍ଯ୍ୟ ହୋଇଥିଲି ଯେ ସେଠିକାର ଯେ କମାଣ୍ଡର (ଯେ କି ଉତ୍ତରପ୍ରଦେଶର ଜଣେ ବିଖ୍ୟାତ ଭାରତୀୟ ସୈନିକ) ସେ ହେଉଛନ୍ତି ଜାତିରେ ମୁସଲମାନ୍‌ । ନିଜ ସୀମାନ୍ତ ମଧ୍ୟରେ ଜାତି ସମସ୍ୟା ସମାଧାନ କରିବାଲାଗି ଭାରତ ଯେଉଁ ଆନ୍ଦୋଳନ ବର୍ତ୍ତମାନ ଚଳାଇଛି, ଏଗୁଡ଼ିକ ହେଲା ସେହି ଆନ୍ଦୋଳନର ଭବିଷ୍ୟତ ସାଫଲ୍ୟର ଶୁଭ-ଲକ୍ଷଣ । ମୁଁ ବିଶ୍ୱାସ କରେ ଯେ ଆପଣମାନେ ଏଠି ଏହି ସମସ୍ୟାର ସମାଧାନ କରିପାରିବେ ଏବଂ ଯଦି ଆପଣମାନେ ସଫଳ ହୁଅନ୍ତି, ତାହେଲେ ତା’ର ସୁପ୍ରଭାବ କେବଳ ଭାରତରେ ନୁହେଁ, ଆଫ୍ରିକା ଓ ଉତ୍ତର ଆମେରିକାରେ ମଧ୍ୟ ଅନୁଭୂତ ହେବ ।

 

ଚତୁର୍ଥ ସମସ୍ୟା ହେଲା ଭାଷାଭିତ୍ତିକ ଜାତିଆଣବୋଧ, ଯାହାକି ଭାରତ ତଥା ପୃଥିବୀର ମଧ୍ୟ ଏକ ବିଶିଷ୍ଟ ସମସ୍ୟା । ମୁଁ କାଲି ମଧ୍ୟ ଏ ବିଷୟରେ କହିଥିଲି, ତେଣୁ ବର୍ତ୍ତମାନ ଏ ବିଷୟରେ ମୋର ଆଉ ବିଶେଷ କିଛି କହିବାର ପ୍ରୟୋଜନ ନାହିଁ । ଏକଥା ମନେରଖିବା ଉଚିତ ଯେ ଗଣତନ୍ତ୍ର ପ୍ରବର୍ତ୍ତନର ମୂଲ୍ୟ ବିନିମୟର ଏକ ଅଂଶ ହିସାବରେ ଏହି ସମସ୍ୟାଟି ଦେଖାଦେଇଛି । ଏହି ପ୍ରସଙ୍ଗରେ ଏକଥା ମଧ୍ୟ ବିଶେଷଭାବରେ ଉଲ୍ଲେଖଯୋଗ୍ୟ ଯେ ଏହି ଜାତୀୟ ସଂହତିକୁ ବ୍ୟାହତ କରୁଥିବା ଘଟଣାବଳୀ ବିଷୟ ନେଇ ଚୀନ ଭାରତଠାରୁ ଅଧିକ ଭାଗ୍ୟବାନ । ପ୍ରଥମତଃ ଗୋଟିଏ ଭାଷା ସମଗ୍ର ଚୀନର ପ୍ରଚଳିତ; ସ୍ଥାନୀୟ ଭାଷାଗତ ପାର୍ଥକ୍ୟ କେବଳ କଥିତ ଭାଷାରେ ରହିଛି । ଏକଥା ସତ ଯେ ବିଭିନ୍ନ ପ୍ରକାରର ଚୀନ କଥାଭାଷା ମଧ୍ୟେ ଏତେ ବେଶି ପାର୍ଥକ୍ୟ ରହିଛି ଯେ, ଜଣେ ଆଉ ଜଣଙ୍କର ତ କଥା ବୁଝିପାରିବା କଷ୍ଟ । କିନ୍ତୁ ତଥାକଥିତ ‘ମାନ୍ଦାରିନ୍‌’ ଭାଷାକୁ ନୂଆକରି ଶିଖିବାକୁ ପଡ଼ିବ । ଅଧିକାଂଶ ଚୀନା ଲୋକଙ୍କର ଏହା ହିଁ ହେଲା ପ୍ରଧାନ ମାତୃଭାଷା । ସେହି ତୁଳନାରେ ଭାରତରେ ମାତୃଭାଷା ହିସାବରେ ହିନ୍ଦୀ କହୁଥିବା ଲୋକଙ୍କ ସଂଖ୍ୟା ସମଗ୍ର ଜନସଂଖ୍ୟାର ଅନୁପାତରେ ସେତେ ବେଶୀ ନୁହେଁ ଏବଂ ଦ୍ୱିତୀୟରେ ଦକ୍ଷିଣର ଦ୍ରାବିଡ଼ଭାଷାଗୁଡ଼ିକ ସହିତ ହିନ୍ଦୀର କୌଣସି ସାଦୃଶ୍ୟ ନାହିଁ । ଯେଉଁ ଇଂରାଜୀ ଭାଷାରେ ମୁଁ ବର୍ତ୍ତମାନ କହୁଛି ସେହି ଭାଷା ଯେଉଁ ଭାଷାଗୋଷ୍ଠୀର ଅନ୍ତର୍ଗତ, ହିନ୍ଦୀ ମଧ୍ୟ ସେହି ଭାଷାଗୋଷ୍ଠୀର ଅନ୍ତର୍ଗତ ଏବଂ ଦ୍ରାବିଡ଼ ଭାଷାଗୋଷ୍ଠୀରୁ ଇଂରେଜୀର ଦୂରତା ଯେତିକି, ହିନ୍ଦୀର ଦୂରତା ମଧ୍ୟ ପ୍ରାୟ ସେହିପରି । ଏହି ଭାଷାଗତ ବିଷୟ ଆଲୋଚନା କଲେ ଏକଥା ସ୍ପଷ୍ଟଭାବରେ ଜଣାପଡ଼ୁଛି ଯେ ଭାରତର ଜନସାଧାରଣ ସ୍ଥାନୀୟ ଭାଷାଗତ ଜାତିଆଣ ଭାବକୁ ନିଜର ଆୟତ୍ତର ବାହାରକୁ ଛାଡ଼ିଦେଇପାରିବେ ନାହିଁ ।

 

ବର୍ତ୍ତମାନ ମୋର ତିନୋଟିଯାକ ବିଷୟବସ୍ତୁର ଶେଷ ବକ୍ତବ୍ୟ ଭାବରେ କିଛି କହିବା ଲାଗି ବେଳ ଆସି ହେଲାଣି । ଆପଣମାନଙ୍କର ହୁଏତ ମନେଥିବ ଯେ ମୁଁ ଆଗରୁ ଥରେ କହିଥିଲି, ମୋ ମତରେ ମାନବ ସମ୍ପର୍କୀୟ ବିଷୟଗୁଡ଼ିକ ପରିଚାଳନା ଦିଗରେ ଏକ ଭାରତୀୟ ବୈଶିଷ୍ଟ୍ୟମୟ ଦୃଷ୍ଟିକୋଣ ଓ ଜୀବନ ସମ୍ବନ୍ଧରେ ଏକ ବିଶେଷ ଭାରତୀୟ ଦୃଷ୍ଟିଭଙ୍ଗୀ ରହିଛି । ମୁଁ ଆହୁରି ମଧ୍ୟ ସୂଚନା ଦେଇଥିଲି ଯେ ବର୍ତ୍ତମାନ ମଣିଷ ଯେଉଁ ପରିସ୍ଥିତିରେ ପଡ଼ିଛି, ସେ ପରିସ୍ଥିତିରେ ଏହି ଭାରତୀୟ ପନ୍ଥା ସମଗ୍ର ପୃଥିବୀ ଲାଗି ମଧ୍ୟ ଅତ୍ୟନ୍ତ ମୂଲ୍ୟବାନ ହୋଇପାରେ ।

 

ଗୋଟିଏ ଭାରତୀୟ ଗୁଣ ମୋତେ ଅତ୍ୟନ୍ତ ମୁଗ୍ଧ କରିଛି ଓ ମୋର ଅନ୍ତରକୁ ଗଭୀରଭାବରେ ସ୍ପର୍ଶ କରିଛି-ଏହି ଗୁଣଟି ହେଲା ଭାରତର ଜନସାଧାରଣଙ୍କର କାହାପ୍ରତି ଗଭୀର ଶତ୍ରୁଭାବେ ପୋଷଣ ନ କରିବା । ଯେତେବେଳେ ଆପଣମାନେ, ଭାରତର ଜନସାଧାରଣ ଅନ୍ୟ ସାଙ୍ଗରେ ବିବାଦ କରିବାକୁ ବାଧ୍ୟ ହୋଇଛନ୍ତି ଏବଂ ଏପରି ପରିସ୍ଥିତି ଆସି ଦେଖାଦେଇଛି, ଯେଉଁଠି ଏହାକୁ ଏଡ଼େଇ ଦେଇହେବ ନାହିଁ-ସେ କ୍ଷେତ୍ରରେ ଆପଣମାନେ ଆପଣମାନଙ୍କର ଶତ୍ରୁପକ୍ଷ ପ୍ରତି ଘୃଣା ନ ରଖି ବିବାଦ କରିପାରିବେ ବୋଲି ମତେ ଜଣାଯାଉଛି । ଆହୁରି ଏକ ଅଧୁନାତନ ଉଦାହରଣ ହେଲା–ଆପଣମାନେ ଆପଣମାନଙ୍କର ଦେଶକୁ ଦେଶ କବଳରୁ ସ୍ୱାଧୀନ କରିବାଲାଗି ଯେଉଁ ପ୍ରକାର ମନୋଭାବ ନେଇ ସାଫଲ୍ୟପୂର୍ଣ୍ଣ ଆନ୍ଦୋଳନ ଚଳାଇଥିଲେ ଏବଂ ଯେତେବେଳେ ଥରେ ଏ ବିବାଦ ତୁଟିଗଲା, ତା’ପରେ ମଧ୍ୟ ଆପଣମାନେ ଅତୀତ କଥା ସ୍ମରଣ କରି ଅନ୍ତରରେ କୌଣସି ବିଦ୍ୱେଷ ପୋଷଣ କରି ନାହାନ୍ତି । ମୋର ଏହି ଅଭିଜ୍ଞତାରୁ ସେହ ଅବିଦ୍ୱେଷୀ ଭାରତୀୟ ମନୋଭାବର ବହୁ ଉଦାହରଣ ମୁଁ ଦେଇପାରନ୍ତି; କିନ୍ତୁ ମୁଁ କେବଳ ଏହି ମୁହୂର୍ତ୍ତରେ ଏହି ସ୍ଥାନରେ ଯାହା ଘଟୁଛି ସେଥିପ୍ରତି ଆପଣମାନଙ୍କର ଦୃଷ୍ଟି ଆକର୍ଷଣ କରିବି । ଜଣେ ମୁସଲମାନ ଭାରତୀୟଙ୍କର ସ୍ମୃତିରକ୍ଷା ଲାଗି ଅନୁଷ୍ଠିତ ବକ୍ତୃତାମାଳାରେ ଆପଣମାନଙ୍କର ଆମନ୍ତ୍ରଣକ୍ରମେ ଜଣେ ଇଂରେଜ ଲୋକ ବକ୍ତୃତା ଦେଉଛି । ଭାରତର ସର୍ବଶେଷ ଆକ୍ରମଣକାରୀ କିଏ ? ସେମାନେ ହେଲେ ଇଂରେଜ ଏବଂ ମୁସଲମାନମାନେ ହେଲେ ତାଙ୍କରି ପୂର୍ବବର୍ତ୍ତୀ ଆକ୍ରମଣକାରୀ ।

 

ମୁଁ ଯେତେବେଳେ ଦିଲ୍ଲୀକୁ ଗତଥର ଆସିଥିଲି, ଗାନ୍ଧିଜୀଙ୍କର ସମାଧି ପ୍ରାଙ୍ଗଣରେ ଠିଆହୋଇ ତାଙ୍କୁ ମୋର ଶ୍ରଦ୍ଧା ନିବେଦନ କଲାବେଳେ ମନକୁମନ ଭାବୁଥିଲି, ଏପରି କ’ଣ ଆଉ କୌଣସି ଘଟଣା ଘଟିଛି ଯେଉଁଠି ଜଣେ ସଫଳ ରାଜନୈତିକ ମୁକ୍ତି-ଆନ୍ଦୋଳନର ନେତା କେବଳ ତାଙ୍କ ବିଷୟରେ କହିଥିଲି, ତେଣୁ ବର୍ତ୍ତମାନ ଏ ବିଷୟରେ ମୋର ଆଉ ବିଶେଷ କିଛି କହିବାର ପ୍ରୟୋଜନ ନାହିଁ । ଏକଥା ମନେରଖିବା ଉଚିତ ଯେ ଗଣତନ୍ତ୍ର ପ୍ରବର୍ତ୍ତନର ମୂଲ୍ୟ ବିନିମୟର ଏକ ଅଂଶ ହିସାବରେ ଏହି ସମସ୍ୟାଟି ଦେଖାଦେଇଛି । ଏହି ପ୍ରସଙ୍ଗରେ ଏକଥା ମଧ୍ୟ ବିଶେଷଭାବରେ ଉଲ୍ଲେଖଯୋଗ୍ୟ ଯେ ଏହି ଜାତୀୟ ସଂହତିକୁ ବ୍ୟାହତ କରୁଥିବା ଘଟଣାବଳୀ ବିଷୟ ନେଇ ଚୀନ ଭାରତଠାରୁ ଅଧିକ ଭାଗ୍ୟବାନ । ପ୍ରଥମତଃ ଗୋଟିଏ ଭାଷା ସମଗ୍ର ଚୀନରେ ପ୍ରଚଳିତ; ସ୍ଥାନୀୟ ଭାଷାଗତ ପାର୍ଥକ୍ୟ କେବଳ କଥିତ ଭାଷାରେ ରହିଛି । ଏକଥା ସତ ଯେ ବିଭିନ୍ନ ପ୍ରକାରର ଚୀନ କଥାଭାଷା ମଧ୍ୟରେ ଏତେ ବେଶି ପାର୍ଥକ୍ୟ ରହିଛି ଯେ, ଜଣେ ଆଉ ଜଣଙ୍କର କଥା ବୁଝିପାରିବା କଷ୍ଟ । କିନ୍ତୁ ତଥାକଥିତ ‘ମାନ୍ଦାରିନ୍‌’ ନାମକ କଥ୍ୟ ଭାଷାଟି କେବଳ ଦକ୍ଷିଣ-ପୂର୍ବ ଓ ଦକ୍ଷିଣ ଉପକୂଳବର୍ତ୍ତୀ ସ୍ଥାନକୁ ଛାଡ଼ିଦେଲେ ଆଉ ସବୁଆଡ଼ିକାର ଲୋକେ କହନ୍ତି । ଜାତୀୟଭାଷା ପଦ ଲାଭ କରିବାର ସ୍ୱୀକୃତି ପାଇବା ଦିଗରେ ‘ମାନ୍ଦାରିନ୍‌’ ଭାଷାର ଆଉ କୌଣସି ପ୍ରତିଦ୍ୱନ୍ଦ୍ୱୀ ଭାଷା ନାହିଁ ଏବଂ ସମଗ୍ର ଜନସଂଖ୍ୟାର ଏକ କ୍ଷୁଦ୍ର ଅଂଶକୁ କେବଳ ‘ମାନ୍ଦାରିନ୍‌’ ଭାଷାକୁ ନୂଆକରି ଶିଖିବାକୁ ପଡ଼ିବ । ଅଧିକାଂଶ ଚୀନା ଲୋକଙ୍କର ଏହା ହିଁ ହେଲା ପ୍ରଧାନ ମାତୃଭାଷା । ସେହି ତୁଳନାରେ ଭାରତରେ ମାତୃଭାଷା ହିସାବରେ ହିନ୍ଦୀ କହୁଥିବା ଲୋକଙ୍କ ସଂଖ୍ୟା ସମଗ୍ର ଜନସଂଖ୍ୟାର ଅନୁପାତରେ ସେତେ ବେଶୀ ନୁହେଁ ଏବଂ ଦ୍ୱିତୀୟରେ ଦକ୍ଷିଣର ଦ୍ରାବିଡ଼ ଭାଷାଗୁଡ଼ିକ ସହିତ ହିନ୍ଦୀର କୌଣସି ସାଦୃଶ୍ୟ ନାହିଁ । ଯେଉଁ ଇଂରାଜୀ ଭାଷାରେ ମୁଁ ବର୍ତ୍ତମାନ କହୁଛି ସେହି ଭାଷା ଯେଉଁ ଭାଷାଗୋଷ୍ଠୀର ଅନ୍ତର୍ଗତ, ହିନ୍ଦୀ ମଧ୍ୟ ସେହି ଭାଷାଗୋଷ୍ଠୀର ଅନ୍ତର୍ଗତ ଏବଂ ଦ୍ରାବିଡ଼ ଭାଷାଗୋଷ୍ଠୀରୁ ଇଂରେଜୀର ଦୂରତା ଯେତିକି, ହିନ୍ଦୀର ଦୂରତା ମଧ୍ୟ ପ୍ରାୟ ସେହିପରି । ଏହି ଭାଷାଗତ ବିଷୟ ଆଲୋଚନା କଲେ ଏକଥା ସ୍ପଷ୍ଟଭାବରେ ଜଣାପଡ଼ୁଛି ଯେ ଭାରତର ଜନସାଧାରଣ ସ୍ଥାନୀୟ ଭାଷାଗତ ଜାତିଆଣ ଭାବକୁ ନିଜର ଆୟତ୍ତର ବାହାରକୁ ଛାଡ଼ିଦେଇ ପାରିବେ ନାହିଁ ।

 

ବର୍ତ୍ତମାନ ମୋର ତିନୋଟିଯାକ ବିଷୟବସ୍ତୁର ଶେଷ ବକ୍ତବ୍ୟ ଭାବରେ କିଛି କହିବା ଲାଗି ବେଳ ଆସି ହେଲାଣି । ଆପଣମାନଙ୍କର ହୁଏତ ମନେଥିବ ଯେ ମୁଁ ଆଗରୁ ଥରେ କହିଥିଲି, ମୋ ମତରେ ମାନବ ସମ୍ପର୍କୀୟ ବିଷୟଗୁଡ଼ିକର ପରିଚାଳନା ଦିଗରେ ଏକ ଭାରତୀୟ ବୈଶିଷ୍ଟ୍ୟମୟ ଦୃଷ୍ଟିକୋଣ ଓ ଜୀବନ ସମ୍ବନ୍ଧରେ ଏକ ବିଶେଷ ଭାରତୀୟ ଦୃଷ୍ଟିଭଙ୍ଗୀ ରହିଛି । ମୁଁ ଆହୁରି ମଧ୍ୟ ସୂଚନା ଦେଇଥିଲି ଯେ ବର୍ତ୍ତମାନ ମଣିଷ ଯେଉଁ ପରିସ୍ଥିତିରେ ପଡ଼ିଛି, ସେ ପରିସ୍ଥିତିରେ ଏହି ଭାରତୀୟ ପନ୍ଥା ସମଗ୍ର ପୃଥିବୀ ଲାଗି ମଧ୍ୟ ଅତ୍ୟନ୍ତ ମୂଲ୍ୟବାନ ହୋଇପାରେ ।

 

ଗୋଟିଏ ଭାରତୀୟ ଗୁଣ ମୋତେ ଅତ୍ୟନ୍ତ ମୁଗ୍ଧ କରିଛି ଓ ମୋର ଅନ୍ତରକୁ ଗଭୀରଭାବରେ ସ୍ପର୍ଶ କରିଛି-ଏହି ଗୁଣଟି ହେଲା ଭାରତର ଜନସାଧାରଣଙ୍କର କାହାପ୍ରତି ଗଭୀର ଶତ୍ରୁଭାବ ପୋଷଣ ନ କରିବା । ଯେତେବେଳେ ଆପଣମାନେ, ଭାରତର ଜନସାଧାରଣ ଅନ୍ୟ ସାଙ୍ଗରେ ବିବାଦ କରିବାକୁ ବାଧ୍ୟ ହୋଇଛନ୍ତି ଏବଂ ଏପର ପରିସ୍ଥିତି ଆସି ଦେଖାଦେଇଛି, ଯେଉଁଠି ଏହାକୁ ଏଡ଼େଇ ଦେଇହେବ ନାହିଁ-ସେ କ୍ଷେତ୍ରରେ ଆପଣମାନେ ଆପଣମାନଙ୍କର ଶତ୍ରୁପକ୍ଷ ପ୍ରତି ଘୃଣା ନ ରଖି ବିବାଦ କରିପାରିବେ ବୋଲି ମତେ ଜଣାଯାଉଛି । ଆହୁରି ଏକ ଅଧୁନାତନ ଉଦାହରଣ ହେଲା–ଆପଣମାନେ ଆପଣମାନଙ୍କର ଦେଶକୁ ମୋ ଦେଶ କବଳରୁ ସ୍ୱାଧୀନ କରିବାଲାଗି ଯେଉଁ ପ୍ରକାର ମନୋଭାବ ନେଇ ସାଫଲ୍ୟପୂର୍ଣ୍ଣ ଆନ୍ଦୋଳନ ଚଳାଇଥିଲେ ଏବଂ ଯେତେବେଳେ ଥରେ ଏ ବିବାଦ ତୁଟିଗଲା, ତାପରେ ମଧ୍ୟ ଆପଣମାନେ ଅତୀତ ତଥା ସ୍ମରଣ କରି ଅନ୍ତରରେ କୌଣସି ବିଦ୍ୱେଷ ପୋଷଣ କରି ନାହାନ୍ତି । ମୋର ଏହି ଅଭିଜ୍ଞତାରୁ ସେହି ଅବିଦ୍ୱେଷୀ ଭାରତୀୟ ମନୋଭାବର ବହୁ ଉଦାହରଣ ମୁଁ ଦେଇପାରନ୍ତି; କିନ୍ତୁ ମୁଁ କେବଳ ଏହି ମୁହୂର୍ତ୍ତରେ ଏହି ସ୍ଥାନରେ ଯାହା ଘଟୁଛି ସେଥିପ୍ରତି ଆପଣମାନଙ୍କୁ ଦୃଷ୍ଟି ଆକର୍ଷଣ କରିବି । ଜଣେ ମୁସଲମାନ ଭାରତୀୟଙ୍କର ସ୍ମୃତିରକ୍ଷା ଲାଗି ଅନୁଷ୍ଠିତ ବକ୍ତୃତାମାଳାରେ ଆପଣମାନଙ୍କର ଆମନ୍ତ୍ରଣକ୍ରମେ ଜଣେ ଇଂରେଜ ଲୋକ ବକ୍ତୃତା ଦେଉଛି । ଭାରତର ସର୍ବଶେଷ ଆକ୍ରମଣକାରୀ କିଏ ? ସେମାନେ ହେଲେ ଇଂରେଜ ଏବଂ ମୁସଲମାନମାନେ ହେଲେ ତାଙ୍କରି ପୂର୍ବବର୍ତ୍ତୀ ଆକ୍ରମଣକାରୀ ।

 

ମୁଁ ଯେତେବେଳେ ଦିଲ୍ଲୀକୁ ଗତଥର ଆସିଥିଲି, ଗାନ୍ଧିଜୀଙ୍କର ସମାଧି ପ୍ରାଙ୍ଗଣରେ ଠିଆହୋଇ ତାଙ୍କୁ ମୋର ଶ୍ରଦ୍ଧା ନିବେଦନ କଲାବେଳେ ମନକୁମନ ଭାବୁଥିଲି, ଏପରି କ’ଣ ଆଉ କୌଣସି ଘଟଣା ଘଟିଛି ଯେଉଁଠି ଜଣେ ସଫଳ ରାଜନୈତିକ ମୁକ୍ତି-ଆନ୍ଦୋଳନର ନେତା କେବଳ ତାଙ୍କ ନିଜ ଲୋକଙ୍କର ଉପକାର କରି ନାହାନ୍ତି; ମାତ୍ର ଯେଉଁ ଜାତିର ଶାସନରୁ ନିଜ ଲୋକଙ୍କୁ ମୁକ୍ତି କରିବାରେ ସାହାଯ୍ୟ କରିଥିଲେ, ସେହି ଜାତିର ମଧ୍ୟ ଉପକାର କରିଛନ୍ତି । ଗାନ୍ଧିଜୀଙ୍କ ଯୋଗୁଁ ମୋ ଦେଶବାସୀଙ୍କ ପକ୍ଷରେ ଭାରତ ଶାସନ ଚଳେଇ ନେବା ଅସମ୍ଭବ ହୋଇ ଉଠିଥିଲା; କିନ୍ତୁ ତାହା ସେ ଏପରି ଭାବରେ କରିଥିଲେ ଯେ ଯାହା ଫଳରେ କୌଣସି ଅପୂରଣୀୟ ନିନ୍ଦାଜନକ ବା ଅପମାନଜନକ କାର୍ଯ୍ୟ ନ କରି, ନିଜକୁ ଅପସାରିତ କରିପାରିବା ବ୍ରିଟିଶ ଲୋକଙ୍କୁ ପକ୍ଷରେ ସମ୍ଭବ ହୋଇଥିଲା । ମୁଁ ତ କହିବି ଯେ ଗାନ୍ଧିଜୀ ନିଜ ଦେଶର ଯେଉଁ ଉପକାର କରିଛନ୍ତି, ତାହାଠାରୁ ମୋ ଦେଶପ୍ରତି କରିଥିବା ଉପକାର କୌଣସି ଅଂଶରେ ନ୍ୟୂ ନୁହେଁ । ମୁଁ ଏହାକୁ ମୋଟେ ଅତିଶୟୋକ୍ତି ବୋଳି ଭାବୁନି । ଗୋଟିଏ ସାମ୍ରାଜ୍ୟ ଅଧିକାର କରିବା ଅପେକ୍ଷାକୃତ ସହଜ; ମାତ୍ର ସେହି ଅଧିକାର ଭୋଗ କଲାପରେ ତାକୁ ପରିତ୍ୟାଗ କରିବା ଅତ୍ୟନ୍ତ କଷ୍ଟକର । ଯେତେବେଳେ କୌଣସି ସରକାର ଗୋଟିଏ ବାଧାର ସମ୍ମୁଖୀନ ହୁଅନ୍ତି, ସେ ବାଧା ଯେତେ ନୀତିସଙ୍ଗତ ହେଉ ନା କାହିଁକି, ବଳପ୍ରୟୋଗଦ୍ୱାରା ନିଜର କର୍ତ୍ତୃତ୍ୱ ରକ୍ଷା କରିବାଲାଗି ତାହା ସାଧାରଣତଃ ଶାସକକୁ ପ୍ରଲୋଭିତ କରିଥାଏ ଏବଂ ଥରେ ଯଦି ସେ ବିବାଦ ଭୟଙ୍କର ଆକାର ଧାରଣ କରେ, ତେବେ ସେଥିରୁ ବାହାରି ଆସିବାଲାଗି ଉଭୟ ପକ୍ଷକୁ ବିଶେଷତଃ ଶାସକବର୍ଗକୁ ସୁବିଧା ବାଟ ସହଜରେ ମିଳେ ନାହିଁ । ଇତିହାସରେ ସଚରାଚର ଏହି ପ୍ରକାର କରୁଣ କାହାଣୀ ହିଁ ଦେଖିବାକୁ ମିଳେ । ଗାନ୍ଧିଜୀ, ବ୍ରିଟେନ୍‌ ଓ ଭାରତ ଉଭୟଙ୍କୁ ଏଥିରୁ ରକ୍ଷା କରିଛନ୍ତି ଏବଂ ଏ ବିବାଦକୁ ସାଧାରଣ ରାଜନୀତିର ଊର୍ଦ୍ଧ୍ୱରେ ଏକ ଆଧ୍ୟାତ୍ମିକ ସ୍ତରରେ ରଖିବାଲାଗି ଭାରତର ଜନସାଧାରଣଙ୍କୁ ଅନୁପ୍ରାଣି କରି ସେ ଏକଥା କରି ପାରିଥିଲେ ।

 

ମହାତ୍ମା ହେଲେ ଅନନ୍ୟ ସାଧାରଣ । ମାନବର ଆଧ୍ୟତ୍ମିକ ଲକ୍ଷ୍ୟସାଧନ ଦିଗରେ ତାଙ୍କର ଯେଉଁ ଅବଦାନ, ସେ ପ୍ରକାର ଅବଦାନ ଆଉ କେହି କରିପାରି ନ ଥାନ୍ତେ । ସେ ଅନ୍ୟଲୋକଙ୍କୁ ପ୍ରବର୍ତ୍ତାଇ କାମ କରୁଥିଲେ ଏବଂ ଯେ ପର୍ଯ୍ୟନ୍ତ ସେମାନେ ତାଙ୍କର ଭାବଧାରାରେ ଅନୁପ୍ରାଣିତ ହୋଇ ସ୍ୱେଚ୍ଛାରେ ତାଙ୍କ ଆହ୍ୱାନର ଉତ୍ତର ଦେବାକୁ ସକ୍ଷମ ନ ହେବେ, ସେ ପର୍ଯ୍ୟନ୍ତ ତାଙ୍କର ମହତ୍ତ୍ୱ ସମ୍ପୂର୍ଣ୍ଣ ଫଳପ୍ରଦ ହେବାର ସୁଯୋଗ ପାଇବନି । ଅନୁମାନ କରାଯାଉ ଯେ, ଗାନ୍ଧିଜୀ ଭାରତରେ ଜନ୍ମ ନ ହୋଇ ପ୍ରାଚୀନ ଗ୍ରୀସ୍‌ରେ ଜନ୍ମ ହୋଇଥିଲେ । ପ୍ରାଚୀନ ଗ୍ରୀକ୍‌ମାନେ ତୀବ୍ର ଆବେଗର ବଶବର୍ତ୍ତୀ ଥିଲେ ଏବଂ ଏହି ତୀବ୍ର ଆବେଗଦ୍ୱାରା ତାଡ଼ିତ ହୋଇ ସେମାନେ କାଣ୍ଡଜ୍ଞାନହୀନପରି ଆଚରଣ କରୁଥିଲେ । ସେମାନଙ୍କର ଏହି ପ୍ରକାର ଅସଂଯତ ଆବେଗତାଡ଼ିତ ଚିତ୍ତବୃତ୍ତି ଯୋଗୁ ସେମାନେ ନିଜର ସୁସ୍ଥ ଚମତ୍କାର ସଭ୍ୟତାକୁ ଧ୍ୱଂସ କରିଥିଲେ । ତେଣୁ ମୁଁ ଭାବୁଛି, ଗାନ୍ଧିଜୀଙ୍କ ପରି ଲୋକଙ୍କୁ ମଧ୍ୟ ଯଦି ପୁରାତନ ଗ୍ରୀସ୍‌ଦେଶରେ କାମ କରିବାକୁ ପଡ଼ିଥାନ୍ତା ତା’ହେଲେ ତାଙ୍କୁ ଯଥେଷ୍ଟ ହତାଶାର ସମ୍ମୁଖୀନ ହେବାକୁ ପଡ଼ିଥାନ୍ତା । ତେଣୁ ମୁଁ ଏହା କହିବାକୁ ଚାହୁଁଛି ଯେ ଏହି ଅହିଂସା ଅସହଯୋଗିତାର ବିଜୟ ଫଳରେ ଗାନ୍ଧିଜୀଙ୍କର ଓ ଭାରତୀୟ ଜନସାଧାରଣଙ୍କର ଆଧ୍ୟତ୍ମିକ ବିଜୟ ଘଟିଲା । ଏହି ଦୁଇଟି ଭାବଧାରା ଏକତ୍ର ମିଶି ରହିଛି ଏବଂ ଭାରତୀୟ ଜନସାଧାରଣଙ୍କର ଯେଉଁ ଆଦର୍ଶକୁ ଗାନ୍ଧିଜୀଙ୍କର ଆଦର୍ଶ ସ୍ପନ୍ଦିତ କରିଥିଲା, ସେହି ଆଧ୍ୟାତ୍ମିକ ଆଦର୍ଶ ହେଲା ଏକ ବହୁ ପୁରାତନ ଭାରତୀୟ ଐତିହ୍ୟର ଅଭିବ୍ୟକ୍ତି । ଖ୍ରୀ:ପୂ: ଷଷ୍ଠ ଶତାବ୍ଦୀରେ ଏହି ଆଦର୍ଶ ଜାଗ୍ରତ ଥିଲା; ବୁଦ୍ଧ, ମହାବୀରଙ୍କୁ ଏହା ହିଁ ଅନୁପ୍ରାଣିତ କରିଥିଲା ଏବଂ ସେମାନଙ୍କର ସମସାମୟିକ ହିନ୍ଦୁ ମୁନିୠଷିମାନଙ୍କୁ ମଧ୍ୟ ଅନୁପ୍ରାଣିତ କରିଥିଲା ।

 

ମୋ ମତରେ ଅହିଂସା ବିପ୍ଳବ ସମ୍ପାଦନ ଭାରତୀୟମାନଙ୍କ ପକ୍ଷରେ ଏକ ବୈଶିଷ୍ଟ୍ୟପୂର୍ଣ୍ଣ ଘଟଣା । ଭାରତ ଓ ବ୍ରିଟେନ୍‌ ମଧ୍ୟରେ ଥିବା ରାଜନୈତିକ ସମସ୍ୟାର ସଫଳ ସମାଧାନ ହେଲାଦିନଠାରୁ, ଏହା ଭାରତର ଆଭ୍ୟନ୍ତରୀଣ ଜୀବନରେ ଏକ ନୂତନ କର୍ମକ୍ଷେତ୍ର ଖୋଜିପାଇଛି । ମୁଁ ଏ ସମ୍ପର୍କରେ ଭୂଦାନ ଆନ୍ଦୋଳନ କଥା ଉଲ୍ଲେଖ କରୁଛି ଏବଂ ଯଦି ଜଣେ ଅତୀତକୁ ଫେରି ଚାହେଁ, ତେବେ ଦେଖିବ, ଅଶୋକ ମଧ୍ୟ ସେହି ସମାନ ଆଦର୍ଶରେ ଅନୁପ୍ରାଣିତ ହୋଇ କାମ କରିଥିଲେ । ଏ ବିଷୟ ମୁଁ ମୋର ପ୍ରଥମ ବକ୍ତୃତାରେ ଆଲୋଚନା କରିଛି । ସେ ସାମରିକ ଆକ୍ରମଣ ପରିବର୍ତ୍ତେ ଧର୍ମପ୍ରଚାରକୁ, ସମଗ୍ର ପୃଥିବୀକୁ ଐକ୍ୟବଦ୍ଧ କରିବାର ଏକ ଉପାୟ ହିସାବରେ ଗ୍ରହଣ କରିଥିଲେ ।

 

ମୁଁ ଆଗରୁ ଉଲ୍ଲେଖ କରିଛି ଯେ ଅଶୋକଙ୍କ ସମୟରେ ଆଣବିକ-ଯୁଗରେ ବାସ କରିବାର ଆତଙ୍କ ନଥିଲା; ଗାନ୍ଧିଜୀଙ୍କ ଯୁଗରେ ମଧ୍ୟ ନୁହେଁ । ୧୯୪୫ ମସିହାରେ ହିରୋସୀମା ଓ ନାଗାସାକିରେ ପରମାଣୁ ବୋମା ନିକ୍ଷିପ୍ତ ହେବା ଆଗରୁ, ତାଙ୍କର ଜୀବନଯାକର କାମ ପ୍ରାୟ ସରିଆସିଥିଲା ଓ ବହୁବର୍ଷ ଧରି ସେ ତାଙ୍କର ଅହିଂସା ନୀତିକୁ ବିଧିବଦ୍ଧ ଭାବରେ କାର୍ଯ୍ୟକ୍ଷେତ୍ରରେ ବ୍ୟବହାର କରିଆସିଥିଲେ । କିନ୍ତୁ ଆମ ଯେଉଁମାନେ ବଞ୍ଚିରହିଛୁ, ସେମାନେ ଆଣବିକ-ଯୁଗର ତୀବ୍ରଝଞ୍ଜା ମଧ୍ୟରେ ବାସ କରୁଛୁଁ । ଯେ ପର୍ଯ୍ୟନ୍ତ ମଣିଷ ନିଜର ସାଥୀ ମଣିଷଙ୍କ ସହିତ ଅହିଂସା ସମ୍ପର୍କ ସ୍ଥାପନ କରିନପାରିଛି, ସେ ପର୍ଯ୍ୟନ୍ତ ଭୌତିକ କ୍ଷମତାର ଧ୍ୱଂସମୂଳକ ଏହି ଛନ୍‌କାରୁ ମନୁଷ୍ୟ କଦାପି ନିଜକୁ ଆତ୍ମଧ୍ୱଂସରୁ ରକ୍ଷା କରିପାରିବ ନାହିଁ । ଆମ ଆଖିରେ ଉତ୍ତେଜନା ଯେତେ ବେଶି ଅସଂଯତ ଓ ଇଚ୍ଛାକୃତ ବୋଲି ଜଣାଯାଉନା କାହିଁକି, ଆମକୁ ଅହିଂସାଚରଣ କରିବାକୁ ହେବ । ଏହା ସେ କେତେ କଷ୍ଟସାଧ୍ୟ ସେ କଥା ଆମେ ସମସ୍ତେ ଜାଣୁ । ଆପଣମାନେ (ଭାରତର ଜନସାଧାରଣ) ଏହି ମୁହୂର୍ତ୍ତରେ, ଚୀନ ସମ୍ପର୍କରେ ଆପଣମାନଙ୍କର ଯେଉଁ ପରିସ୍ଥିତି ଦେଖାଦେଇଛି, ସେପରି ପରିସ୍ଥିତିରେ ଏ ପ୍ରକାର ଆଚରଣ କେତେ କଷ୍ଟସାଧ୍ୟ ତାହା ଜାଣିପାରୁଥିବେ । କିନ୍ତୁ ଗାନ୍ଧିଜୀ ଓ ‘ଇତିହାସ’ ଏହି ଉଭୟଙ୍କ ପ୍ରତି ଆପଣମାନଙ୍କର କଠୋର କର୍ତ୍ତବ୍ୟ ରହିଛି–ସମଗ୍ର ପୃଥିବୀକୁ ଅହିଂସାନୀତିର ଭାରତୀୟ ଉଦାହରଣ ଦେଖେଇଦେବା ହେଲା ଆପଣମାନଙ୍କର ପ୍ରଧାନ କର୍ତ୍ତବ୍ୟ । ଭାରତୀୟ ଐତିହ୍ୟର ଦାୟାଦ ଏହି ସୁନ୍ଦର ଭାରତୀୟ ଆଦର୍ଶରୁ (ତାହା ସୁନ୍ଦର ବୋଲି ହିଁ ଅତ୍ୟନ୍ତ କଠୋର) ଯଦି କେବେ ତିଳେମାତ୍ର ବିଚ୍ୟୁତ ହୁଏ, ତେବେ ସମଗ୍ର ମାନବଜାତି ଲାଗି ତାହା ଏକ ଦୁର୍ଭାଗ୍ୟର କାରଣ ହେବ । ତେଣୁ ଏକ ବିରାଟ ଆଧ୍ୟାତ୍ମିକ ଦାୟିତ୍ୱ ଭାରତ ଉପରେ ନ୍ୟସ୍ତ ରହିଛି । ଆପଣଙ୍କର କାମ-ଯେଉଁ ପଥରେ ଅଗ୍ରସର ହେଉ ନା କାହିଁକି, ମାନବର ଆଦର୍ଶକୁ ଭଲ ବା ମନ୍ଦ ଆଡ଼କୁ ପରିଚାଳନା କରିବା ଲାଗି ଯଥେଷ୍ଟ କିଛି କରିପାରେ । ତା’ର ଅର୍ଥ ହେଲା ଯେ ଆମେ ବର୍ତ୍ତମାନ ଯେଉଁ ଆଣବିକ ଯୁଗରେ ରହିଛୁ, ସେ ଯୁଗରେ ଆପଣମାନଙ୍କର କାମ ମଣିଷକୁ ହୁଏତ ଆତ୍ମରକ୍ଷା ବା ଆତ୍ମା ଧ୍ୱଂସ ଆଡ଼କୁ ନେଇଯାଇ ପାରିବ ।

 

ନୈତିକ ଆଦର୍ଶରେ ଅନୁପ୍ରାଣିତ ହେଲେ ଯାଇ ଅହିଂସା ମନୋଭାବର ଅନୁଭୂତି ହୁଏ; କିନ୍ତୁ ପ୍ରତ୍ୟେକଟି ନୈତିକ ଆଦର୍ଶ କୌଣସି ନା କୌଣସି ବୌଦ୍ଧିକ ଦୃଷ୍ଟିଭଙ୍ଗୀ ସହିତ ଜଡ଼ିତ । ମୁଁ ଭାରତୀୟ ଦୃଷ୍ଟିକୋଣକୁ ଯେପରି ଦେଖିଛି, ସେଥିରୁ ମୋର ମନେହୁଏ ଯେ ଏହା ଭାରତୀୟ ଅହିଂସା ଭାବଧାରାର ବୁଦ୍ଧିମୂଳକ ବିକାଶ । ଏ ବିଶ୍ୱାସ ଆମର ରହିଛି ଯେ ମନୁଷ୍ୟ ପକ୍ଷରେ ‘ସତ୍ୟ’ ଓ ‘ମୁକ୍ତି’ର ସନ୍ଧାନ ଲାଗ ଏକାଧିକ ରାସ୍ତା ଅଛି । ଏଠି ସତ୍ୟ କହିଲେ, ସେହି ଅନନ୍ତ ଆଧ୍ୟାତ୍ମିକ ସତ୍ତା ଅର୍ଥରେ ମୁଁ କହୁଛି । ଏଠି ‘ମୁକ୍ତି’ ଅର୍ଥ ସେହି ଶାଶ୍ୱତ ସତ୍ୟକୁ ପ୍ରତ୍ୟକ୍ଷ କଲାପରେ ସତ୍ୟ ସମ୍ପର୍କରେ କେତେ ଅଂଶରେ ଯେଉଁ ବିରୋଧହୀନ ଅବସ୍ଥା ଦେଖାଦିଏ ତାକୁ ବୁଝାଉଛି ।

 

ମୁଁ ବିଶ୍ୱାସ କରେ, ଏହି ଚିରନ୍ତନ ସତ୍ୟକୁ ପାଇବା ଦିଗରେ ଯେଉଁ ଉଦାର ଦୃଷ୍ଟିଭଙ୍ଗୀ ରହିଛି, ତାହା ହେଲେ ଭାରତର ବୈଶିଷ୍ଟ୍ୟ । ମୋର ଧାରଣା ଯଦି ଠିକ୍‌ହୁଏ, ତେବେ ଦେଖାଯିବ ଯେ ଜଣେ ନୈଷ୍ଠିକ ଶୈବ ଓ ଜଣେ ନୈଷ୍ଠିକ ବୈଷ୍ଣବ ଉଭୟେ ଯେ ନିଜ ନିଜ ଉପାୟରେ ସତ୍ୟ ଓ ମୁକ୍ତିର ସନ୍ଧାନ କରୁଛନ୍ତି, ଏକଥା ପରସ୍ପର ନିଶ୍ଚୟ ସ୍ୱୀକାର କରିବେ । ହୁଏତ ପ୍ରତ୍ୟେକେ ନିଜ ଲାଗି ନିଜ ଆଚରିତ ମାର୍ଗ ଅନ୍ୟ ମାର୍ଗ ଅପେକ୍ଷା ଭଲ ବୋଲି ଦାବି କରିପାରନ୍ତି; କିନ୍ତୁ ସେ କଦାପି କହିବନି ଯେ ତାରି ପନ୍ଥା ହେଲା ଏକମାତ୍ର ନିର୍ଭୁଲ ଓ ନୈତିକ ଦୃଷ୍ଟିରୁ ସର୍ବୋତ୍କୃଷ୍ଟ ପନ୍ଥା । ସେ ତା’ର ପ୍ରତିବେଶୀର ପନ୍ଥାକୁ ଭୁଲ ବା ଅନୈତିକ କହି ତା ସହିତ ବାଦ କରିବନି । ଏହା ସନାତନ ହିନ୍ଦୁଧର୍ମ ନୁହେଁ ବା ମୋଟ ଉପରେ କୌଣସି ଧର୍ମବାଚ୍ୟ ନୁହେଁ ବୋଲି କହି ଏହାକୁ ସମ୍ପୂର୍ଣ୍ଣରୂପେ ଅସ୍ୱୀକାର କରିବନି କିମ୍ୱା କୌଣସି ବିଶେଷ ସ୍ଥାନରେ ବା ବିଶେଷ ସମୟରେ ସବୁ ସମୟ ପାଇଁ କେବଳ ତା’ର ଧର୍ମର ହିଁ ଉଦ୍ଭବ ହୋଇଥିଲା ଏକଥା ମଧ୍ୟ ସେ ଦୃଢ଼ ଭାବରେ ଉପସ୍ଥାପିତ କରିବ ନାହିଁ । ମନେ କରାଯାଉ, ନିଜକୁ ଖାଣ୍ଟି ଆର୍ଯ୍ୟବଂଶଧର ବୋଲି ଗର୍ବ କରୁଥିବା ଜଣେ ଶୈବ ବ୍ରାହ୍ମଣକୁ ଜଣେ ପ୍ରତ୍ନତାତ୍ତ୍ୱିକ ଅଖାଡ଼ୁଆ ଭାବରେ କହିଲେ ଯେ, ସେ ଯେଉଁ ଦେବତାଙ୍କୁ ଶିବ ବୋଲି ପୂଜା କରୁଛନ୍ତି ସେହି ଦେବତା ଆର୍ଯ୍ୟମାନେ ଭାରତରେ ପାଦ ଦେବାର ବହୁ ଆଗରୁ ଓ ପ୍ରଥମ ବ୍ରାହ୍ମଣ ବ୍ରହ୍ମକୃତ୍ୟ କରିବାର ବହୁ ପୂର୍ବରୁ, ସିନ୍ଧୁସଭ୍ୟତା ଯୁଗରେ ମହେଞ୍ଜୋଦାରୋ ଓ ହରପ୍‌ପାଠାରେ ପୂଜିତ ହେଉଥିଲେ । ଏହି କାଳ୍ପନିକ ଶୈବ ବ୍ରାହ୍ମଣଙ୍କ ସହିତ ଜଣେ ଅତି ଉଦାରମନା ନୈଷ୍ଠିକ ଖ୍ରୀଷ୍ଟିୟାନ୍‌ ଧର୍ମଯାଜକଙ୍କୁ ତୁଳନା କରାଯାଉ । ଯଦି ଆଉ ଜଣେ ଅପ୍ରିୟଭାଷୀ ପ୍ରତ୍ନତାତ୍ତ୍ୱିକ ଯୀଶୁଙ୍କ ବିଷୟରେ କହିବ ଯେ, ଯୀଶୁ କ୍ରୁଶବିଦ୍ଧ ହେବାର ବହୁପୂର୍ବରୁ ଯେଉଁ ଦେବତା ମାନବର ମୁକ୍ତିପାଇଁ ସ୍ୱଇଚ୍ଛାରେ ନିଜର ଜୀବନ ଉତ୍ସର୍ଗ କରିଥିଲେ, ସେହି ଦେବତା ଦକ୍ଷିଣ-ପଶ୍ଚିମ ଏସିଆ, ମିଶର ଏବଂ ସ୍କାଣ୍ଡିନେଭିଆରେ ମଧ୍ୟ ଟାମୁଜ, ଏଡ଼ୋନିସ୍‌, ଓସରିସ୍‌, ଆଟିସ୍‌, ବଲଡ଼ାର ଇତ୍ୟାଦି ବିଭିନ୍ନ ନାମରେ ପୂଜିତ ହୋଇ ଆସିଛନ୍ତି, ତେବେ ମୋର ବିଶ୍ୱାସ ଏହି ଶୈବ ବ୍ରାହ୍ମଣ ଖ୍ରୀଷ୍ଟିୟାନ୍‌ ଧର୍ମଯାଜକଙ୍କର ଏତେଦୂର ଉତ୍ତେଜିତ ବା ଆହତ ହେବେ ନାହିଁ ।

 

ଯଦି ମୋର ଧାରଣା ଠିକ୍‌ ହୋଇଥାଏ, ତେବେ ଧର୍ମ ବିଷୟରେ ଏହି ଭାରତୀୟ ଉଦାର ଦୃଷ୍ଟିଭଙ୍ଗୀ ହିନ୍ଦୁ ଓ ବୌଦ୍ଧ ଉଭୟ ଧର୍ମଠାରେ ଦେଖାଯାଇଛି । ଯଦି ଏ କଥା ସତ ହୋଇଥାଏ, ତେବେ ବୁଦ୍ଧ ସମଗ୍ର ମାନବଜାତି ଲାଗି ମୁକ୍ତିର ଉପାୟ ଆବିଷ୍କାର କରିଛନ୍ତି ବୋଲି ବୌଦ୍ଧ ଅନୁଚରମାନଙ୍କର ଏହି ଦାବି ବିଶେଷ ଉଲ୍ଳେଖଯୋଗ୍ୟ । ବୌଦ୍ଧଧର୍ମ ଯେ ଏକମାତ୍ର ସଠିକ୍‌ପନ୍ଥା, ଏ ଦାବି ଅନେକଟା ଖ୍ରୀଷ୍ଟିୟାନ୍‌ ବା ମୁସଲମାନ ଧର୍ମ ଦାବି ପରି ଜଣାଯାଉଛି । କିନ୍ତୁ ସେ ଯାହାହେଉ ନା କାହିଁକି, ଭାରତୀୟ ଦୃଷ୍ଟିକୋଣ ବୈଶିଷ୍ଟ୍ୟ ଅନୁଯାୟୀ ଆଚରିତ ବୌଦ୍ଧଧର୍ମ ସବୁବେଳେ ଉଦାର ମନୋଭାବାପନ୍ନ, ଏ କଥାର ସତ୍ୟତା ଆଜି ପୂର୍ବ ଏସିଆରେ ପ୍ରତିପନ୍ନ କରିହେବ । ଜାପାନରେ ଅଧିକାଂଣ ଲୋକ ବୌଦ୍ଧ ଓ ସିଣ୍ଟୋ ଧର୍ମାବଲମ୍ୱୀ । ସେମାନେ ସିଣ୍ଟୋ ମତ ଅନୁସାରେ ବାହା ହୁଅନ୍ତି ଓ ବୌଦ୍ଧ ଆଚାର ଅନୁଯାୟୀ ଶବସତ୍କାର କରନ୍ତି । ଦିଓଟିଯାକ ଧର୍ମ ପାଖାପାଖି ରହିଛି ଏବଂ ଲୋକମାନେ ଏକତ୍ର ମିତ୍ରଭାବରେ ରହିଛନ୍ତି । ପ୍ରାକ୍‌-କମ୍ୟୁନିଷ୍ଟ ଚୀନରେ ଅଧିକାଂଶ ଲୋକେ ଏକା ସମୟରେ ତାଓ ପନ୍ଥୀ, କନଫୁସିଆସ୍‌ପନ୍ଥୀ ଓ ବୌଦ୍ଧ ଥିଲେ । ଉତ୍ତର-ପୂର୍ବ ଏସିଆରେ ମହାଯାନ ବୌଦ୍ଧଧର୍ମ ପ୍ରଚଳତ; କିନ୍ତୁ ସିଂହଳକୁ ମିଶେଇ ସମଗ୍ର ଦକ୍ଷିଣ-ପୂର୍ବ ଏସିଆର ଜାତୀୟ ଧର୍ମ ହେଲା ଥେରାବାଦ ବୌଦ୍ଧଧର୍ମ-ଯେପରି ଖ୍ରୀଷ୍ଟିୟାନ୍‌ ଧର୍ମ ହେଲା ବ୍ରିଟେନ୍‌ର ଜାତୀୟ ଧର୍ମ ଓ ମିଶରର ଜାତୀୟଧର୍ମ ହେଲା ଇସ୍‌ଲାମ । କିନ୍ତୁ ଆଚରଣରେ, ଥେରାବାଦ ବୌଦ୍ଧଧର୍ମ ଇଟାଲୀର ରୋମାନ୍‌ କ୍ୟାଥଲିକ୍‌ ଖ୍ରୀଷ୍ଟିୟାନ୍‌ ଧର୍ମପରି ଦେଶରେ ବହୁପୂର୍ବରୁ ଚଳିଆସୁଥିବା ଧର୍ମମତଗୁଡ଼ିକୁ ନିଜ ଧର୍ମ ସହିତ ମିଶାଇ ନେଇ ପାରିଛି ।

 

ଖ୍ରୀଷ୍ଟିୟାନ୍‌ଧର୍ମର କର୍ମକର୍ତ୍ତମାନେ ଯେତେଟା ସ୍ୱୀକାର କରିବାକୁ ରାଜି, ତା’ଠାରୁ ପୂର୍ବ ପ୍ରଚଳିତ ଧର୍ମର ବହୁତ ବେଶି ଅଂଶ ଖ୍ରୀଷ୍ଟିୟାନ୍‌ଧର୍ମରେ ମିଶିଯାଇଛି । ହିନ୍ଦୁ ମନରେ ଏହି ସହନଶୀଳତାର ସଂସ୍ପର୍ଶରେ ଆସି ସୁଦ୍ଧା, ଖ୍ରୀଷ୍ଟିୟାନ୍‌ ଧର୍ମ ନିଜର ଅସହିଷ୍ଣୁତା ଓ ‘ସ୍ୱତନ୍ତ୍ରତା’ ନୀତି ନେଇ ଅନ୍ୟାନ୍ୟ ଭାରତୀୟ ଧର୍ମ ବା ଦର୍ଶନର ବିପରୀତ ବୋଲି ଜଣାପଡ଼ୁଛି । ଅଧିକାଂଶ ଖ୍ରୀଷ୍ଟିୟାନ୍‌ ବିଶ୍ୱାସ କରନ୍ତି ଯେ ‘ସତ୍ୟ’ ଓ ‘ମୁକ୍ତି’ ପାଇଁ ତାଙ୍କ ଧର୍ମର ଏକଚାଟିଆ ଅଧିକାର ରହିଛି । ଅନେକ ଖ୍ରୀଷ୍ଟିୟାନ୍‌ ଅନ୍ୟ ଧର୍ମ ବିଷୟରେ ବିଦ୍ୱେଷ ପୋଷଣ କରନ୍ତି ଏବଂ ଏମାନଙ୍କ ଭିତରୁ ଆଉ କେତେକ ଏହି ଖ୍ରୀଷ୍ଟିୟାନ୍‌ ବିଶ୍ୱାସ ଓ ଅନୁଭୂତିକୁ କାର୍ଯ୍ୟରେ ପରିଣତ କରିବାକୁ ଯାଇ ଅତୀତରେ ବହୁଥର ଅନ୍ୟଧର୍ମକୁ ପୃଥିବୀର ମାନଚିତ୍ରରୁ ପୋଛିଦେବାକୁ ଚେଷ୍ଟା କରିଛନ୍ତି । ଏ ପ୍ରକାର ହିଂସ୍ରଯୋଦ୍ଧା ମନୋବୃତ୍ତି ପ୍ରଦର୍ଶନ ଦିଗରେ ଖ୍ରୀଷ୍ଟିଆନ୍‌ଧର୍ମ ଯେ ଅନନ୍ୟ ତାହା ନୁହେଁ, ଭାରତର ପଶ୍ଚିମରେ Oikoumene ର ଗୋଟିଏ ଅଂଶରୁ ଯେଉଁସବୁ ପ୍ରଚଳିତ ଧର୍ମ ଓ ଆଦର୍ଶବାଦର ଉତ୍ପତ୍ତି ହୋଇଛି, ସେ ସମସ୍ତଙ୍କଠାରେ ଏହି ସମାନ ପ୍ରକାରର ମନୋଭାବ ବିଶେଷଭାବରେ ଦେଖାଦେଇଛି । ଖ୍ରୀଷ୍ଟଧର୍ମ, ଇସ୍‌ଲାମ, ଇହୁଦୀଧର୍ମ, ଜୋରଷ୍ଟ୍ରିଆନ୍‌ବାଦ କିମ୍ୱା ଖ୍ରୀଷ୍ଟିଆନ୍‌ ବାତାବରଣରୁ ଉତ୍ପତ୍ତି ପାଇଥିବା ଫାସିଜିମ, ନାର୍ସିଜିମ୍‌, କମ୍ୟୁନିଜମ୍‌ ଇତ୍ୟାଦି ଆଧୁନିକ ପାଶ୍ଚାତ୍ୟ ଆଦର୍ଶ ବାଦଗୁଡ଼ିକର ମଧ୍ୟ ଏକ ସାଧାରର ବୈଶିଷ୍ଟ୍ୟ ହେଲା ଅସହିଷ୍ଣୁତା । ମୁଁ ଭାବୁଛି, ଜୋରୋଷ୍ଟ୍ରିଆନ୍‌ମାନେ ଭାରତକୁ ଚାଲି ଆସିଲାପରେ ତାଙ୍କର ମୂଳ ଲଢ଼ୁଆ ମନୋଭାବ ଛାଡ଼ି ଦେଇଛନ୍ତି । ଅବଶ୍ୟ ଏହି ଲଢ଼ୁଆ ମନୋଭାବ କେତେକ ଖ୍ରୀଷ୍ଟିୟାନ୍‌ ମଧ୍ୟ ପରିତ୍ୟାଗ କରିଛନ୍ତି । ମୁଁ ‘କୋୟେକାର’ମାନଙ୍କ କଥା କହୁଛି-ଗାନ୍ଧିଜୀ ଏମାନଙ୍କ ସହିତ କେତେକ ପରିମାଣରେ ଆଧ୍ୟାତ୍ମିକ ଆତ୍ମୀୟତା ଅନୁଭବ କରୁଥିଲେ । କିନ୍ତୁ ମୋଟ ଉପରେ ମୋର ମନେହୁଏ, ସିନ୍ଧୁନଦୀର ଅପରପାର୍ଶ୍ୱରେ ପ୍ରଚଳିତ ସବୁ ଧର୍ମଗୁଡ଼ିକର ବୈଶିଷ୍ଟ୍ୟ ହେଲା ହିଂସ୍ର ଯୁଯୁତ୍ସୁ ମନୋଭାବ ଏବଂ ଏହା ଭାରତୀୟ ଧର୍ମ ଓ ଦର୍ଶନର ସାର୍ବଜନୀନ ଉଦାରତାର ବିପରୀତ ଅଟେ ।

 

‘‘ଗୋଟିଏ ମାତ୍ର ପଥରେ ଏଡ଼େ ବିପୁଳ ବିସ୍ମୟର ଅନ୍ତଃସ୍ଥଳୀରେ କଦାପି ପହଞ୍ଚି ହେବ ନାହିଁ ।’’ –କେଉଁ ପ୍ରତିଭାବାନ୍‌ଭାରତୀୟ ସାଧୁ ଏ କଥା ଲେଖିଥିଲେ, ଆପଣମାନଙ୍କର ମନେ ଅଛି କି ? ସେ କ’ଣ ଶଙ୍କରାଚାର୍ଯ୍ୟ ନା ରାମାନୁଜାଚାର୍ଯ୍ୟ ନା ଗୁରୁ ନାନକ ? କିନ୍ତୁ ମୁଁ ଆପଣମାନଙ୍କୁ ଠକୁଛି ବୋଲି ଆପଣମାନେ ବୋଧହୁଏ ଜାଣିପାରିଲେନି । ମୁଁ ଯେଉଁ ବାକ୍ୟଟି ଉଦ୍ଧୃତ କଲି, ଯଦି ତା’ର ଲେଖକ ଜଣେ ଭାରତୀୟ ହୋଇଥାନ୍ତେ, ତେବେ ଏ ଉକ୍ତି ଭାରତର ଆଧ୍ୟାତ୍ମିକ ଭାବଧାରାର ସମର୍ଥନ ବୋଲି ଚଳିଯାଇପାରନ୍ତା । କିନ୍ତୁ ପ୍ରକୃତରେ ସେ ଜଣେ ଭାରତୀୟ ସାଧୁ ବା ସନ୍ନ୍ୟାସୀ ନୁହନ୍ତି । ସେ ହେଲେ ଚତୁର୍ଥ ଶତାବ୍ଦୀର ଜଣେ ରୋମାନ୍‌ ସିନେଟର । ତାଙ୍କର ନାମ ହେଲା କୁଇଣ୍ଟାସ୍‌ ଅରେଲିଆସ୍‌ ସିମାଖାସ୍‌ । ସିମାଖାସ୍‌ଙ୍କ ବେଳକୁ ଖ୍ରୀଷ୍ଟିୟାନ୍‌ଧର୍ମ ରୋମ ସାମ୍ରାଜ୍ୟର ସରକାରୀ ଧର୍ମ ହୋଇସାରିଥିଲା; କିନ୍ତୁ ସିମାଖାସ୍‌ ନିଜେ ଖ୍ରୀଷ୍ଟିୟାନ ହୋଇ ନ ଥିଲେ ଏବଂ ତାଙ୍କର ଯେଉଁ ଉକ୍ତି ମୁଁ ଉଦ୍ଧୃତ କଲି ସେ କଥା ସେ ମିଲାନର ଜଣେ ଖ୍ରୀଷ୍ଟିୟାନ ବିଶପ ଏମବ୍ରୋଜଙ୍କ ପାଖକୁ ଚିଠିରେ ଲେଖିଥିଲେ । ଖ୍ରୀଷ୍ଟିୟାନ ଯୁଗର ଚତୁର୍ଥ ଶତାବ୍ଦୀର ଶେଷ ଦଶକର ପ୍ରଥମ ଭାଗରେ ରୋମର ଖ୍ରୀଷ୍ଟିୟାନ୍‌ ସରକାର ନିଜ ରାଜତ୍ୱକାଳ ଭିତରେ ଅନ୍ୟାନ୍ୟ ଅଣଖ୍ରୀଷ୍ଟିୟାନ୍‌ ଧର୍ମମତଗୁଡ଼ିକର ବିଧିବଦ୍ଧ ଭାବରେ ମୂଳୋତ୍ପାଟନ କରୁଥିଲେ । ସିମାଖାସ୍‌ ଥିଲେ ଅଣଖ୍ରୀଷ୍ଟିୟାନ୍‌ ଦଳର ମୁଖପାତ୍ର । ଜୁଲିଅସ୍‌ ସିଜର୍‌ ପ୍ରାୟ ଚାରିଶତ ବର୍ଷ ତଳେ ରୋମର ସିନେଟ୍‌ ଭବନରେ ଦେବୀ ବିଜୟାଙ୍କର ମୂର୍ତ୍ତି ଓ ପୂଜାବେଦୀ ନିର୍ମାଣ କରିଥିଲେ । ଏହି ମୂର୍ତ୍ତି ଅପସାରିତ କରିବାଲାଗି ସରକାର ଯେତେବେଳେ ସିଦ୍ଧାନ୍ତ ଗ୍ରହଣ କଲେ, ସେତେବେଳେ ଏହି ଧର୍ମ-ବିବାଦ ଗୋଟାଏ ସୀମା ସ୍ପର୍ଶ କଲା । ଏମ୍‌ବ୍ରୋଜ ମୂର୍ତ୍ତିକୁ ଅପସାରିତ କରିବାଲାଗି ଜିଦ୍‌ କରୁଥିଲେ ଓ ସିମାଖାସ୍‌ ଆବେଦନ କରୁଥିଲେ ଯେ ସେସବୁକୁ ସମ୍ମାନର ସହିତ ରଖାଯାଉ । ଏମ୍‌ବ୍ରୋଜ ଜିତିଲେ । ସେ ଥିଲେ ସରକାରଙ୍କ କାନକୁହା ଓ ତାଙ୍କ ପଛରେ ଥିଲା ରାଜ୍ୟର ସମସ୍ତ କ୍ଷମତା । ସିମାଖାସ୍‌ଙ୍କ ଚିରସ୍ମରଣୀୟ କଥା ଭୂମଧ୍ୟସାଗରୀୟ ପ୍ରାକ୍‌ଖ୍ରୀଷ୍ଟିୟାନ୍‌ ଧର୍ମମତକୁ ଦମନଲୀଳାରୁ ରକ୍ଷା କରିପାରି ନଥିଲା; କିନ୍ତୁ ସେ କଥା ଶତାବ୍ଦୀ ଶତାବ୍ଦୀ ଧରି ପ୍ରତିଧ୍ୱନିତ ହୋଇ ଆସୁଛି ଏବଂ ଏମ୍‌ବ୍ରୋଜ ବା ତାଙ୍କର ଉତ୍ତରାଧିକାରୀମାନଙ୍କ ଭିତରୁ କେହି ଏ ପ୍ରଶ୍ନର ଯଥାର୍ଥ ଉତ୍ତର ଦେଇପାରିନାହାନ୍ତି । ରୋମାନ୍‌ ସମ୍ରାଟ୍‌ ‘ଗ୍ରାସିଆନ୍‌’ ଏବଂ ‘ଥିଓଡ଼ୋସିଆସ୍‌’ ଯାହା କରିଥିଲେ, ଅଶୋକ ସେ କଥା କରିବା ମୁଁ କଳ୍ପନା କରି ପାରୁନାହିଁ ।

 

ଆପଣମାନେ ମୋ କଥା ବୁଝିବେଣି । ସିମାଖାସ୍‌ଙ୍କ ଉକ୍ତି ଭୂମଧ୍ୟସାଗରୀୟ ପ୍ରାକ୍‌-ଖ୍ରୀଷ୍ଟିୟାନ୍‌ ଧର୍ମମତର ଭାବଧାରାକୁ ପ୍ରକାଶ କରୁଥିଲା । ଏହି ଉଦାର ମନୋବୃତ୍ତି-ଏହି ବିଶାଳ ହୃଦୟବତ୍ତା ହିନ୍ଦୁଧର୍ମକୁ ମଧ୍ୟ ସଞ୍ଜୀବିତ କରିଛି । ଗ୍ରୀସ୍‌ ଓ ରୋମ୍‌ର ପ୍ରାକ୍‌-ଖ୍ରୀଷ୍ଟିୟାନ୍‌ ସାହିତ୍ୟ ଏବଂ ସଂସ୍କୃତି ବିଷୟରେ ଶିକ୍ଷାଲାଭ କରିବାର ସୁଯୋଗ ମୋର ଘଟିଛି । ଯଦିଚ ଖ୍ରୀଷ୍ଟିୟାନ୍‌ ଧର୍ମ ମୋର ପୂର୍ବପୁରୁଷଙ୍କର ଧର୍ମ, ତଥାପି କେତେକ ବିଷୟରେ ମୁଁ ଖ୍ରୀଷ୍ଟଧର୍ମଠାରୁ ଏହି ଗ୍ରୀକ୍‌ରୋମାନ ଜୀବନଯାତ୍ରା ପଦ୍ଧତି (ଯାହାକୁ କି ଖ୍ରୀଷ୍ଟିୟାନ୍‌ମାନେ ‘ପ୍ୟାଗାନିଜିମ୍‌’ ଆଖ୍ୟା ଦେଇଛନ୍ତି) ସହିତ ଅଧିକ ଆତ୍ମୀୟତା ଅନୁଭବ କରେ ଏବଂ ମୁଁ ଏହି ଗ୍ରୀକ୍‌ ରୋମାନ୍‌ ଜଗତର ପ୍ରାକ୍‌-ଖ୍ରୀଷ୍ଟିୟାନ୍‌ ଧର୍ମ ଓ ଦର୍ଶନ ସହିତ ଯେଉଁ ପ୍ରକାରର ଆତ୍ମୀୟତା ଅନୁଭବ କରେ, ହିନ୍ଦୁଧର୍ମ ଓ ବୌଦ୍ଧଧର୍ମ ସହିତ ମଧ୍ୟ ମୁଁ ସେହି ପ୍ରକାର ଆତ୍ମୀୟତା ଅନୁଭବ କରେ । ପ୍ରାକ୍‌-ଖ୍ରୀଷ୍ଟୀୟ ଗ୍ରୀକ୍‌-ରୋମାନ୍‌ ଧର୍ମମତ ସହିତ ମୋର ଏହି ସହାନୁଭୂତି ଓ ପରିଚୟ, ଭାରତ ଓ ପୂର୍ବ-ଏସିଆର ଧର୍ମମତକୁ ବୁଝିବାରେ ମୋତେ ସାହାଯ୍ୟ କରିଛି । ବର୍ତ୍ତମାନ ଭାରତର ପଶ୍ଚିମରେ ଅବସ୍ଥିତ ଭୂଖଣ୍ଡରେ ଯେଉଁ ଧର୍ମମତ ଦିନେ ପରସ୍ପର ସହିଷ୍ଣୁତା’ର ପ୍ରତୀକ ହୋଇ ଠିଆ ହୋଇଥିଲା, ତାହା ବହୁଦିନ ହେଲା ଖ୍ରୀଷ୍ଟିୟାନ୍‌ ଓ ଇସଲାମ୍‌ ଧର୍ମଦ୍ୱାରା ଅବଦମିତ ହୋଇଯାଇଛି । ଆଜି ଚୀନରେ ମଧ୍ୟ ସେଠିକାର ତିନୋଟି ଧର୍ମମତ ଓ ଦାର୍ଶନିକ ମତବାଦ (ଏଥିରୁ ଗୋଟିକର ଉତ୍ପତ୍ତି ଭାରତରେ) ଯେଉଁମାନେ କି ଚୀନ୍‌ରେ ଏକାଠି ମିଶିକରି ରହିଥିଲେ, ସେଗୁଡ଼ିକ ହୁଏତ କମ୍ୟୁନିଷ୍ଟ ମତବାଦଦ୍ୱାରା ଅବଦମିତ ହୋଇଯିବ । ଏହି କମ୍ୟୁନିଷ୍ଟ ମତବାଦ ହେଲା ଏକ ପାଶ୍ଚାତ୍ୟ ଆଦର୍ଶବାଦ, ଯାହାକି ଖ୍ରୀଷ୍ଟିୟାନ୍‌ ଭୂଖଣ୍ଡରୁ ଜନ୍ମଲାଭ କରିଛି । ଯେଉଁ ଉଦାର ଧର୍ମଭାବ, ବିପୁଳ ହୃଦୟବତ୍ତା ଦିନେ ସମଗ୍ର ପୃଥିବୀରେ ପ୍ରଚଳିତ ଥିଲା, ଆଜି ତାହା କେବଳ ଭାରତରେ ଏକୁଟିଆ ବଞ୍ଚିରହିଛି । ତେଣୁ ଯେପରି ଜଣାଯାଉଛି ଯେ ଏହି ଆଧ୍ୟାତ୍ମିକ ଐତିହ୍ୟ ରକ୍ଷାର ଭାର ଭାରତ ଉପରେ ପଡ଼ିଛି । ଏ ଐତିହ୍ୟ ଦିନେ ମାନବଜାତିର ସାଧାରଣ ସମ୍ପଦ ଥିଲା ଓ ଏ ସମ୍ପଦର ମୂଲ୍ୟ ଆଣବିକ ଯୁଗରେ କଳନାତୀତ-

 

ଭାରତ କେବଳ ତା’ର ନିଜ ଧର୍ମମତ ପରମ୍ପରାର ଉତ୍ତରାଧିକାରୀ ନୁହେଁ; ସେ ପୁରାତନ ଭୂମଧ୍ୟସାଗରୀୟ ଜଗତର ଧର୍ମଗତ ଐତିହ୍ୟର ଅବଶିଷ୍ଟ ଦାୟାଦ । ଆପଣମାନେ ସିମାଖାସ୍‌ ଓ ଅଶୋକ ଉଭୟଙ୍କର ପକ୍ଷ ସମର୍ଥନ କରୁଛନ୍ତି ଏବଂ ସ୍ୱାଧୀନତା ପ୍ରାପ୍ତି ଦିନଠାରୁ ଭାରତୀୟ ସମ୍ବିଧାନ ପ୍ରଣୟନ କରି ଅତ୍ୟନ୍ତ ବିଶ୍ୱସ୍ତଭାବରେ ଏ କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ଖ୍ରୀଷ୍ଟ୍ରୀୟ ଯୁଗର ଚତୁର୍ଥ ଶତାବ୍ଦୀରେ ରୋମାନ୍‌ ସମ୍ରାଟ୍‌ ଥିଓଡୋସିଆସ୍‌ ବା ସପ୍ତଦଶ ଶତାବ୍ଦୀରେ ମୋଗଲଳ ସମ୍ରାଟ୍‌ ଆଉରଙ୍ଗଜେବ ଯେଉର୍ ଭୁଲ କରିଥିଲେ, ଆପଣମାନେ ସେ ଭୁଲ କରିନାହାନ୍ତି । ଆପଣମାନେ ହିନ୍ଦୁ ଧର୍ମକୁ ଭାରତର ସରକାରୀ ଧର୍ମ କରିନାହାନ୍ତି । ଆପଣମାନେ ଧର୍ମନିରପେକ୍ଷ ସରକାର ଗଠନ କରିଛନ୍ତି, ଯାହା ଫଳରେ ଅନ୍ୟାନ୍ୟ ଧର୍ମାବଲମ୍ୱୀମାନେ ପରସ୍ପର ସହିତ ସମାନ ବୋଲି ଏଠାରେ ବିବେଚିତ ହେଉଛନ୍ତି । ହିନ୍ଦୁଧର୍ମ ନିଜକୁ ଗୋଟିଏ ଉନ୍ନତ ଆସନ ଦେବାଲାଗି ଜିଦ କରିନି ଏବଂ ମୋ ମତରେ ଏହିପରି ଭାବରେ ସ୍ୱାର୍ଥତ୍ୟାଗ କରିବାଟା କେବଳ ହିନ୍ଦୁ ଆଦର୍ଶର ବିଶେଷତ୍ୱ ।

 

ମୁଁ ଏକଥା କହିଲାବେଳେ ମୋର ମାନସପଟରେ ଉଜ୍ଜ୍ୱଳ ଦୃଶ୍ୟସବୁ ଭାସି ଉଠୁଛି । ଏଥିରୁ ଗୋଟିଏ ମାନସିକ ଛବି ହେଲା ଗତ ୧୯୨୦ ମସିହାର କୌଣସି ଏକ ସମୟରେ ପୋଲାଣ୍ଡର ଓ୍ୱାରସ୍‍ ସହରରେ ଥିବା ଏକ ପ୍ରଧାନ ଛକର । ପ୍ରଥମ ଥର ପାଇଁ ରୁଷୀୟମାନେ ଯେତେବେଳେ ଓ୍ୱାରସ୍‌ଅଧିକାର କଲେ (୧୮୧୪-୧୯୧୫) ସେତେବେଳେ ସେମାନେ ଏହି କେନ୍ଦ୍ରସ୍ଥଳରେ ପ୍ରାଚ୍ୟ ଅର୍ଥୋଡାକ୍‌ସ ଖ୍ରୀଷ୍ଟିୟାନ୍‌ ସମ୍ପ୍ରଦାୟର ଗୀର୍ଜାଟିଏ ତିଆରି କରିଥିଲେ । ଏହି ସହର କିନ୍ତୁ ଦିନେ ରୋମାନ୍‌କ୍ୟାଥଲିକ ଧର୍ମାବଲମ୍ୱୀ ସ୍ୱାଧୀନ ପୋଲାଣ୍ଡର ରାଜଧାନୀ ଥିଲା । ରୁଷୀୟମାନେ ଯେ ବର୍ତ୍ତମାନ ପୋଲାଣ୍ଡର ଶାସକ, ଏହି କଥା ପୋଲାଣ୍ଡବାସୀଙ୍କୁ ବୁଝେଇ ଦେବାଲାଗି ନିରବଚ୍ଛିନ୍ନ ଚାକ୍ଷୁଷ ପ୍ରଦର୍ଶନୀ ହିସାବରେ ଏହାକୁ ନିର୍ମାଣ କରିଥିଲେ । ୧୯୧୮ ମସିହାରେ ପୋଲାଣ୍ଡର ପୁନର୍ବାର ସ୍ୱାଧୀନତା ପ୍ରାପ୍ତିପରେ ପୋଲାଣ୍ଡବାସୀମାନେ ଏହି ଗୀର୍ଜାଟିକୁ ଭାଙ୍ଗିଦେଲେ । ଠିକ୍‌ମୋର ଯିବା ଆଗରୁ ଏହି ଭଙ୍ଗାଭଙ୍ଗି କାମ ସରିଥାଏ । ସେହି ରୁଷୀୟ ଗୀର୍ଜା ଭାଙ୍ଗି ପକାଇଥିବା ଯୋଗୁ ପୋଲିସ୍‌ ସରକାରଙ୍କ ମୁଁ ବିଶେଷ ଦୋଷ ଦେବିନାହିଁ । ଯେଉଁ ଉଦ୍ଦେଶ୍ୟରେ ରୁଷିଆନ୍‌ମାନେ ଏହି ଗୀର୍ଜା ତିଆରି କରଥିଲେ ସେ ଉଦ୍ଦେଶ୍ୟ ଧର୍ମନୈତିକ ନୁହେଁ, ରାଜନୈତିକ ଏବଂ ଜାଣିଶୁଣି ଅପମାନ ଦେବାଲାଗି ଏହା ଉଦ୍ଦିଷ୍ଟ ହୋଇଥିଲା । ଅନ୍ୟଦିଗରେ, ମୁଁ ଭାରତ ସରକାରଙ୍କୁ ଆଉରଙ୍ଗଜେବଙ୍କର ମସଜିଦ୍‌ଗୁଡ଼ିକୁ ଭାଙ୍ଗି ନଥିବା ଯୋଗୁଁ ନିଶ୍ଚୟ ପ୍ରଶଂସା କରିବି । ମୁଁ ଏକଥା କହିଲାବେଳେ ବିଶେଷ କରି କାଶୀ ଗଙ୍ଗାଘାଟରେ ଥିବା ଦିଓଟି ମସ୍‌ଜିଦ ଓ ମଥୁରାରେ କୃଷ୍ଣଙ୍କର ପାହାଡ଼ ଉପରେ ମୁକୁଟପରି ଥିବା ଅନ୍ୟ ମସ୍‌ଜିଦ୍‌ଟି କଥା ଭାବୁଛି ।

 

ଆଉରଙ୍ଗଜେବଙ୍କର ଏହି ତିନୋଟି ମସଜିଦ୍‌ ତିଆରି କରିବା ପଛରେ ସେହି ଏକାପ୍ରକାର ଅପମାନକର ରାଜନୈତିକ ଉଦ୍ଦେଶ୍ୟ ରହିଛି, ଯାହା କି ରୁଷୀୟମାନଙ୍କୁ ସେମାନଙ୍କର ଅର୍ଥୋଡକ୍ସ ଗୀର୍ଜା ଓ୍ୱାରସ୍‍ ନଗରୀର କେନ୍ଦ୍ରସ୍ଥଳୀରେ ତିଆରି କରିବାକୁ ପ୍ରରୋଚିତ କରିଥିଲା । ହିନ୍ଦୁଧର୍ମର ପବିତ୍ରତମ ସ୍ଥାନରେ ମଧ୍ୟ ମୁସଲମାନ ସରକାରଙ୍କ ଶାସନ ବଳବତ୍ତର ଅଛି, ଏକଥା ସୂଚାଇବା ହେଲା ଏହି ତିନୋଟି ମସଜିଦ୍‌ର ଉଦ୍ଦେଶ୍ୟ । ମୁଁ ନିଶ୍ଚୟ ମାନିବି ଯେ ଅନ୍ୟର କ୍ରୋଧ ଉଦ୍ଦୀପନା କଲାପରି ସ୍ଥାନକୁ ବାଛିବାରେ ଆଉରଙ୍ଗଜେବଙ୍କର ବିଶେଷ ପ୍ରତିଭା ଥିଲା । ଏ ବିଷୟରେ ଆଉରଙ୍ଗଜେବ ଓ ସ୍ପେନ୍‌ର ରାଜା ଦ୍ୱିତୀୟ ପିଲିପ୍‌ହେଲେ ସମାନ ଯୋଡ଼ି । ସେମାନେ ଖ୍ରୀଷ୍ଟିୟାନ୍‌ ଇସ୍‌ଲାମ-ଇହୁଦୀ ଗୋଷ୍ଠୀର ଅନ୍ଧକାରମୟ ଧର୍ମୋନ୍ମାଦତାର ଅବତାର । ସେହି ଦୁର୍ଭାଗା ବିପଥଗାମୀ ଆଉରଙ୍ଗଜେବ-ନିଜର ଜୀବନସାରା କଠିନ ପରିଶ୍ରମ କରି ନିଜ ନିନ୍ଦାର ସ୍ମୃତିସୌଧ ପରି ବିରାଟ ସ୍ମୃତିସୌଧମାନ ଗଢ଼ିଥିଲେ । ଆପଣମାନେ ଆଉରଙ୍ଗଜେବଙ୍କର ମସ୍‌ଜିଦ୍‌ଗୁଡ଼ିକୁ ନ ଭାଙ୍ଗିବା ଅପେକ୍ଷା ପୋଲାଣ୍ଡବାସୀମାନେ ରୁଷୀୟମାନଙ୍କର ଓ୍ୱାରସ୍‌ରେ ଥିବା ଆତ୍ମ-ନିନ୍ଦନୀୟ ସ୍ମୃତିସୌଧକୁ ଭାଙ୍ଗିଦେଇ ଆପଣମାନଙ୍କଠାରୁ ବେଶି ଦୟା ଦେଖେଇଛନ୍ତି ବୋଲି ଭାବିବାକୁ ହେବ-। ସେ ଯାହା ହେଉନା କାହିଁକି, ହିନ୍ଦୁତୀର୍ଥ ସ୍ଥାନରେ ଥିବା ମସଜିଦ୍‌ଗୁଡ଼ିକର ଆଖିରେ ପଡ଼ିବାଭଳିଆ ଅବସ୍ଥିତି ହେତୁ ପ୍ରକୃତରେ ହିନ୍ଦୁତୀର୍ଥ ଅପେକ୍ଷା ଆଉରଙ୍ଗଜେବଙ୍କର ବେଶି ଅପମାନ ହେଉଛି-

 

ଯଦି ମୌଲନା ଆଜାଦ ଆଉରଙ୍ଗଜେବଙ୍କର ସମସାମୟିକ ହୋଇଥାନ୍ତେ, ତେବେ ମୁଁ ଭାବୁଛି ସେ ହୁଏତ ସମ୍ରାଟ୍‌ଙ୍କୁ ଏହି ନୀତି-ଯାହାକି ତାଙ୍କ ସାମ୍ରାଜ୍ୟର ପତନ ଘଟାଇବା ସଙ୍ଗେ ସଙ୍ଗେ ସ୍ୱୟଂ ସମ୍ରାଟ୍‌ଙ୍କୁ ନିନ୍ଦନୀୟ କରିଥିଲା, ପରିହାର କରିବାଲାଗି ଉପଦେଶ ଦେଇ ଥାଆନ୍ତେ । ଆଉରଙ୍ଗଜେବ ‘ଉଲେମାମାନଙ୍କ କଥା ଶୁଣୁଥିଲେ । ଏହି ଇସ୍‌ଲାମିକ ଧର୍ମମତର ପ୍ରତିନିଧିମାନଙ୍କ ଭିତରେ ଯେପରି ଅନେକ ଉଦାରମନା ବ୍ୟକ୍ତି ଥିଲେ, ସେହିପରି ଅନେକ ମଧ୍ୟ ସଂକୀର୍ଣ୍ଣମନା ଥିଲେ । ଦୁର୍ଭାଗ୍ୟବଶତଃ ସତ୍‌ପ୍ରକୃତିର ଉଲେମାମାନଙ୍କ ପରିବର୍ତ୍ତରେ ଏହି ମନ୍ଦ ପ୍ରକୃତିର ଉଲେମାନଙ୍କର ପରାମର୍ଶ ଆଉରଙ୍ଗଜେବ ଶୁଣିବାକୁ ପସନ୍ଦ କରୁଥିଲେ ।

 

ଆଉରଙ୍ଗଜେବଙ୍କର ମସ୍‌ଜିଦ୍‌ଭାରତୀୟ ଇସ୍‌ଲାମିକ ସ୍ଥାପତ୍ୟର କୌଣସି ଏକ ଅସାଧାରଣ ସୁନ୍ଦର କୀର୍ତ୍ତି ନୁହେଁ, ଯଦିଚ ସବୁ ମୋଗଲ ସ୍ଥାପତ୍ୟର ମାନ (Standard) ଯଥେଷ୍ଟ ଉଚ୍ଚରେ । ମୁଁ ଲକ୍ଷ୍ୟ କରିଛି ଯେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ତାଜମହଲ ବା ସାହାଜାହାନାବାଦରେ ଥିବା ଆଗ୍ରାଦୁର୍ଗ ପରି ପୃଥିବୀବିଖ୍ୟାତ ଶ୍ରେଷ୍ଠ କୀର୍ତ୍ତିଗୁଡ଼ିକୁ କେଡ଼େ ସସ୍ନେହ ଯତ୍ନରେ ରକ୍ଷଣାବେକ୍ଷଣ କରନ୍ତି । କେବଳ ଇସଲାମ୍‌ ଜଗତ କାହିଁକି, ଏଥିଯୋଗୁଁ ସମଗ୍ର ବିଶ୍ୱ ଭାରତ ନିକଟରେ କୃତଜ୍ଞ ରହିବା ଉଚିତ । କିନ୍ତୁ ଯେଉଁ ସ୍ମୃତିସୌଧଗୁଡ଼ିକ ଅପରୂପ ସୌନ୍ଦର୍ଯ୍ୟମଣ୍ଡିତ ସେଗୁଡ଼ିକ ରକ୍ଷା କରିବାଠାରୁ ଯେଉଁଗୁଡ଼ିକର ଏହି ମର୍ମ୍ମସ୍ପର୍ଶୀ ଆବେଦନ ନାହିଁ ସେଗୁଡ଼ିକ ରକ୍ଷା କରିବା ପ୍ରକୃତରେ ଅଧିକ ପ୍ରଶଂସନୀୟ । ଭାରତର ବ୍ରିଟିଶ ଶାସକମାନେ ନିଜର କ୍ଷଣିକ ଉପସ୍ଥିତିକୁ ସ୍ମରଣୀୟ କରିବା ଲାଗି ସେମାନଙ୍କର ପୂର୍ବବର୍ତ୍ତୀ ମୁସଲମାନ ଶାସକଙ୍କ ପରି ସ୍ମୃତିସୌଧମାନ ନିର୍ମାଣ କରି ଯାଇଛନ୍ତି । ବ୍ରିଟିଶଙ୍କର ଦୁର୍ଭାଗ୍ୟ ଯେ ଭାରତରେ ତାଙ୍କର ସ୍ମରଣଯୋଗ୍ୟ କୀର୍ତ୍ତିଗୁଡ଼ିକ ମୋଗଲ ରୀତିରେ ନ ହୋଇ ଭିକ୍ଟୋରିଆନ ଗଥିକ୍‌ ରୀତିରେ ନିର୍ମିତ ହୋଇଛି । ଭାରତୀୟ ପୂର୍ତ୍ତକଳା ବିଭାଗର ନୀତି ନିୟନ୍ତ୍ରଣର ଯଦି ଏପର୍ଯ୍ୟନ୍ତ ମୋର ସ୍ୱଦେଶବାସୀଙ୍କର କୌଣସି ପ୍ରଭାବ ଥାଏ ତେବେ ମୁଁ ଭାବୁଛି ଯେ ସେମାନେ ଭାରତୀୟ ଇତିହାସର ବ୍ରିଟିଶ ଅଧ୍ୟାୟର ଏହି ବର୍ବର ସ୍ମରଣ ଚିହ୍ନଗୁଡ଼ିକୁ ଭାଙ୍ଗିଦେବା ଲାଗି ସେମାନଙ୍କୁ ବାଧ୍ୟ କରିବେ । କିନ୍ତୁ ଭାରତୀୟ କର୍ତ୍ତୃପକ୍ଷ ସେପରି ନୁହନ୍ତି । ମୋ ଜାଣିବାରେ ସେମାନେ ‘ତାଜ୍‌’ ପ୍ରତି ଯେତିକି ଆସକ୍ତ, ଏହି ବ୍ରିଟିଶ ‘କିମ୍ଭୁତକିମାକାର’ ସୌଧଗୁଡ଼ିକ ପ୍ରତି ମଧ୍ୟ ସେତିକି ଆସକ୍ତ । ଭାରତୀୟ ସହିଷ୍ଣୁତାର ଏହି ଗୋଟିଏ ଉଦାହରଣ ମୋ ମନରେ ପ୍ରଶଂସା ସହିତ ଯନ୍ତ୍ରଣାର ଅନୁଭୂତି ମଧ୍ୟ ଆଣିଦେଉଛି । ଅବଶ୍ୟ ଭାରତରେ ବ୍ରିଟିଶ ଉପସ୍ଥିତିର ଚାକ୍ଷୁଷ ନିଦର୍ଶନ ଜଣେ ବ୍ରିଟିଶ୍‌ଲୋକ ପକ୍ଷରେ ଆନନ୍ଦର ବିଷୟ ହୋଇପାରେ; କିନ୍ତୁ ମୋ ଆଖିରେ ଭାରତୀୟ କ୍ରିକେଟ୍‌ ପଡ଼ିଆ, ଚାକ୍ଷୁଷ ବ୍ରିଟିଶ ନିଦର୍ଶନ ହିସାବରେ ବମ୍ୱେର ରେଳ ଷ୍ଟେସନଠାରୁ କମ୍‌ ଲଜ୍ଜାଜନକ ।

 

ମୁଁ ଭାବୁଛି, ଭାରତ ସହିତ ବ୍ରିଟିଶ ସମ୍ପର୍କର ଏହି ଭିକ୍ଟୋରିଆନ୍‌-ଗଥିକ୍‍ ସ୍ମୃତିସୌଧଗୁଡ଼ିକର ଭାରତ ଲାଗି କିଛି ମୂଲ୍ୟ ଅଛି । ‘ଐକ୍ୟରେ ବୈଚିତ୍ର୍ୟ’-ଯାହା କି ଭାରତରେ ବୈଶିଷ୍ଟ୍ୟପୂର୍ଣ୍ଣ ସହିଷ୍ଣୁତାର ଏକ ବିଶେଷ, ଅବଦାନ, ତାକୁହିଁ ଏହି ଉଦ୍ଭଟ କଳ୍ପନାର ସ୍ପର୍ଶରଞ୍ଜିତ କରିପାରିଛି । ଯାହାହେଉ ନା କହିଁକି, ମୁଁ ଗୋଟିଏ ବିଷୟରେ ସ୍ଥିର ନିଶ୍ଚିତ ଯେ ଆମ ସମୟରେ ଅବଶିଷ୍ଟ ପୃଥିବୀ ଲାଗି ଭାରତର ଏହି ବୈଚିତ୍ର୍ୟ ସମ୍ବନ୍ଧୀୟ ଉପଲବ୍ଧି ଏକ ଅମୂଲ୍ୟ ଶିକ୍ଷଣୀୟ ବିଷୟ । ମୁଁ ଯେଉଁ କଥା କହିଆସୁଛି, ସେ କଥା ମୁଁ ଆଉ ଥରେ ପୁନରାବୃତ୍ତି କରିବା ପାଇଁ ଚାହୁଁଛି । ଆମେ ଯେ ଯୁଗରେ ରହିଛୁ, ସେ ଯୁଗରେ ଯନ୍ତ୍ରବିଦ୍ୟା ହଠାତ୍‌ ‘ଦୁରତ୍ୱର ବିଲୁପ୍ତି’ ସାଧନ କରିଛି । ପୃଥିବୀର ବିଭିନ୍ନ ଅଞ୍ଚଳର ସଂସ୍କୃତି, ଧର୍ମ ଓ ଅନ୍ୟାନ୍ୟ ଜାତିର ଲୋକମାନଙ୍କୁ ପରସ୍ପରର ଦୃଷ୍ଟିର ସୀମା ଭିତରକୁ ନେଇ ଆସିଛି ଓ ବର୍ତ୍ତମାନ ଲୋକଙ୍କ ହାତରେ ରହିଛି ଆଣବିକ ଅସ୍ତ୍ର । ଶାରୀରିକ ଉପସ୍ଥିତି ଦିଗରୁ ଆମେ ପ୍ରତ୍ୟେକେ ପ୍ରତ୍ୟେକଙ୍କର ପ୍ରତିବେଶୀ; କିନ୍ତୁ ମାନସିକ ଦିଗରୁ ଆମେ ପରସ୍ପର ନିକଟରେ ସମ୍ପୂର୍ଣ୍ଣ ଅପରିଚିତ । ବର୍ତ୍ତମାନ ଆମେମାନେ ପାଖାପାଖି ଥାଇ ସୁଦ୍ଧା ଯେତେ ବେଶି ନିଜ ନିଜର ବୈଚିତ୍ର୍ୟ ସମ୍ୱନ୍ଧରେ ସଚେତନ ହୋଇଛୁ, ଆମେ ତା’ ପୂର୍ବରୁ କେବେହେଲେ ସେପରି ଭାବରେ ସଚେତନ ନ ଥିଲୁ । ଏପରି କ୍ଷେତ୍ରରେ ଆମେ କିପରି ପରସ୍ପର ସହିତ ବ୍ୟବହାର କରିବୁ ? ଆମେ କ’ଣ ଏହି ପାର୍ଥକ୍ୟବୋଧ ଯୋଗୁ ପରସ୍ପରକୁ ଘୃଣା ଓ ଭୟ କରିବୁ ? ଯଦି ତାହା ହୁଏ ତେବେ ଆମେ ପରସ୍ପରକୁ ଧ୍ୱଂସ କରିବା ଦିଗରେ ନିଜକୁ ନିୟୋଜିତ କରିବୁ ଅଥବା ଆମେ କ’ଣ ଏକ ପରିବାରର ଲୋକ ପରି ଏକାଠି ରହିବାକୁ ଶିଖିବୁ ? ପାରସ୍ପରିକ ଧ୍ୱଂସସାଧନ ପରିବର୍ତ୍ତେ ଏହା ହିଁ ହେଲା ଏକମାତ୍ର ଅନ୍ୟ ପନ୍ଥା; କିନ୍ତୁ ଏତିକି ଉଚ୍ଚ ସ୍ତରର ବନ୍ଧୁତ୍ୱ ଅର୍ଜନ କରିବାକୁ ହେଲେ ଆମର ମାନିବକ ଐତିହ୍ୟର ଏହି ବୈଚିତ୍ର୍ୟକୁ ଶ୍ରଦ୍ଧା କରିବାକୁ ପଡ଼ିବ । ଆମେ କେବଳ ଆମର ପ୍ରତିବେଶୀମାନଙ୍କର ବୈଶିଷ୍ଟ୍ୟପୂର୍ଣ୍ଣ ଅବଦାନକୁ ପ୍ରଶଂସା କଲେ ଯଥେଷ୍ଟ ହେବ ନାହିଁ । ମାନବଜାତିର ସାଧାରଣ ସମ୍ପଦର ଏକ ମୂଲ୍ୟବାନ ଅଂଶ ହିସାବରେ ଆମକୁ ଏହି ବୈଚିତ୍ର୍ୟକୁ ଭଲ ପାଇବାକୁ ପଡ଼ିବ ଏବଂ ଆମକୁ ଆମର ପ୍ରତିବେଶୀମାନଙ୍କୁ ଗୋଟିଏ ମନୁଷ୍ୟଜାତିର ପରିବାରର - ଯାହାକି ବର୍ତ୍ତମାନର ଆଣବିକ ଯୁଦ୍ଧରେ ବିଲୁପ୍ତ ହୋଇ ଯିବାର ସାଧାରଣ ବିପଦର ସମ୍ମୁଖୀନ ହୋଇଛି, ମୂଲ୍ୟବାନ ସଭ୍ୟ ହିସାବରେ ଭଲ ପାଇବାକୁ ପଡ଼ିବ । ଏହି କାରଣ ଯୋଗୁଁ ହିଁ ଭାରତର ଏହି ଐକ୍ୟରେ ‘ବୈଚିତ୍ର୍ୟ’ ଲାଭ କରିବାର ବୈଶିଷ୍ଟ୍ୟର ପୃଥିବୀବ୍ୟାପୀ ଗୁରୁତ୍ୱ ରହିଛି । ଶେଷରେ ମୋର ଆଉ ଗୋଟିଏ କଥା କହିବାର ଅଛି । ଏହା ମୋ ମତରେ ଅନ୍ୟ ସବୁ କଥାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଗାନ୍ଧିଜୀଙ୍କୁ ପ୍ରତିଦିନ ବହୁତ କାମ କରିବାକୁ ପଡ଼ୁଥିଲା । ଆଜିକାଲିକାର ପରିସ୍ଥିତିରେ ଯେକୌଣସି ବିଶାଳ ଆନ୍ଦୋଳନର କର୍ଣ୍ଣଧାରର ଏହାହିଁ ହେଲା ଭାଗ୍ୟ । ତଥାପି ଗାନ୍ଧିଜୀ ମଝିରେ ମଝିରେ ଚିନ୍ତା କରିବା ଲାଗି ଏ ସବୁ କାର୍ଯ୍ୟକଳାପରୁ ସାମୟିକ ଭାବରେ ନିବୃତ୍ତ ହେଉଥିଲେ । ମୁଁ ଭାବୁଛି, ସେ ଯଦି ଏହି ଅଭ୍ୟାସ ନ ରଖିଥାନ୍ତେ ତା ହେଲେ ସେ କଦାପି ନିଜର କାମଦାମ ଏପରି ଭାବରେ ଚଳେଇ ଯାଇପାରି ନଥାନ୍ତେ; କାରଣ ମଝିରେ ମଝିରେ ଚିନ୍ତା କରିପାରିବା ଅଭ୍ୟାସ ହିଁ ତାଙ୍କର ଅସରନ୍ତି ଆଧ୍ୟାତ୍ମିକ ଶକ୍ତିର ଉତ୍ସଥିଲା । ଧ୍ୟାନ-ଧାରଣ ଲାଗି ଅଲଗା ସମୟ ରଖିବାଦ୍ୱାରା ଗାନ୍ଧିଜୀ କେବଳ ନିଜ ନିକଟରେ ନୁହେଁ, ଭାରତ ନିକଟରେ ମଧ୍ୟ ବିଶ୍ୱସ୍ତ ହୋଇପାରିଥିଲେ । ଏହି ବିଷୟରେ ତାଙ୍କର ଯେଉଁ ଅଭ୍ୟାସ ତାହା ଭାରତୀୟ ଐତିହ୍ୟର ଏକ ବିଶେଷ ଅଂଶ ।

 

ଆଜି ଭାରତୀୟମାନଙ୍କ ପାଇଁ ଅନେକ ଜରୁରୀ ଓ କଠିନ କାମ କରିବା ଲାଗି ରହିଛି । ମୁଁ ଉଦାହରଣ ହିସାବରେ ପଲ୍ଲୀ-ଉନ୍ନୟନ ପରିକଳ୍ପନା ଲାଗି ଅତ୍ୟାବଶ୍ୟକୀୟ ବହୁଳ ବୈଷୟିକ କାର୍ଯ୍ୟ କଥା ଭାବୁଛି । ଭାରତୀୟ କୃଷକକୁଳଙ୍କର ଭୌତିକ ଜୀବନଯାତ୍ରାର ମାନ ଉନ୍ନୟନ କରିବାଟା କେବଳ ଏକ ବସ୍ତୁତାନ୍ତ୍ରିକ ଉଦ୍ଦେଶ୍ୟ ନୁହେଁ । ଏହା ମୁଖ୍ୟତଃ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ଉଦ୍ଦେଶ୍ୟ ଏବଂ ଏପ୍ରକାର ଆଧ୍ୟାତ୍ମିକ କାର୍ଯ୍ୟକଳାପ ଲାଗି ଏହା ଏକ ପ୍ରୟୋଜନୀୟ ଅନୁକୂଳ ପରିସ୍ଥିତି । କିନ୍ତୁ ଗାନ୍ଧିଜୀଙ୍କର ଉଦାହରଣ ଦେଖେଇଦେଇ ପାରିଛି ଯେ କଠିନ ବିଷୟ କର୍ମରେ ଲିପ୍ତ ରହି ମଧ୍ୟ ଜଣକର ଆଧ୍ୟାତ୍ମିକ ଜୀବନ ସାଂସାରିକ ଜଞ୍ଜାଳର ରୁଦ୍ଧ ବାତାବରଣରେ ଶ୍ୱାସରୁଦ୍ଧ ହୋଇଯାଇ ନପାରେ । ତା’ଠାରୁ ଆହୁରି ଗୋଟିଏ ବଡ଼କଥା ଗାନ୍ଧିଜୀ ଦେଖେଇଦେଇ ଯାଇଛନ୍ତି ଯେ ଆଧ୍ୟତ୍ମିକ କାର୍ଯ୍ୟକଳାପ ହିଁ ବୈଷୟିକ କାର୍ଯ୍ୟକଳାପର ଗଭୀର ଉତ୍ସ ଏବଂ ଏହି ପ୍ରେରଣା ଯୋଗୁହିଁ ବୈଷୟିକ କାର୍ଯ୍ୟ ଧ୍ୱଂସଲୀଳାର କାରଣ ନ ହୋଇ ହିତସାଧନ କରେ ।

 

ମୁଁ ବିଶ୍ୱାସ କରେ, ଆଜିକାର ପୃଥିବୀକୁ ଭାରତ ଏକ ମହତ୍ତମ ଶିକ୍ଷା ଶିଖାଇପାରିବ । ପାଶ୍ଚାତ୍ୟ ଖ୍ରୀଷ୍ଟଧର୍ମ କେତେକ ପରିମାଣରେ ପାଶ୍ଚାତ୍ୟ ମଧ୍ୟଯୁଗରେ ଧ୍ୟାନର ମୂଲ୍ୟକୁ ସ୍ୱୀକାର କରିବା ସଙ୍ଗେ ସଙ୍ଗେ ତା’ର ଚର୍ଚ୍ଚା ମଧ୍ୟ କରୁଥିଲା । କିନ୍ତୁ ସେହିଦିନଠାରୁ ଆମେ ଏହି ଆଧ୍ୟାତ୍ମିକ କଳାକୁ ପୂରାପୂରି ଭାବରେ ହରାଇ ବସିଛୁ ଏବଂ ଆମ ପକ୍ଷରେ ଏହା ଏକ ଗୁରୁତର କ୍ଷତି; କାରଣ ବଞ୍ଚିବାର କଳାକୌଶଳର ଅନ୍ୟନାମ ହିଁ ହେଲା ଚିନ୍ତା କରିବାର କୌଶଳ । ତେଣୁ ଆମ ଆଜି ଭାରତକୁ ଚାହିଁ ରହିଛୁ ।

 

ଏହି ଆଧ୍ୟାତ୍ମିକ ଅବଦାନ-ଯାହାକି ମନୁଷ୍ୟକୁ ମାନବିକ ଭାବାପନ୍ନ କରିପାରିଛି–ତାହା ଏ ପର୍ଯ୍ୟନ୍ତ ମଧ୍ୟ ଭାରତୀୟ ଆତ୍ମାରେ ବଞ୍ଚିରହିଛି । ପୃଥିବୀକୁ ଏହି ଭାରତୀୟ ଉଦାହରଣ ଆପଣମାନେ ଦେଇଯାଆନ୍ତୁ । ଏହାଛଡ଼ା ଅନ୍ୟ କୌଣସି ଉପାୟ ମନୁଷ୍ୟକୁ ନିଜର ଆତ୍ମଧ୍ୱଂସରୁ ରକ୍ଷା କରିପାରିବ ନାହିଁ ।

Image